୨୭୪ଟି ୫୦୦ ଟଙ୍କିଆ ନକଲି ନୋଟ ଜବତ, ଦୁଇ ଗିରଫ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଲକ୍ଷାଧିକ ନକଲି ନୋଟ୍‌ ଜବତ। ନକଲି ନୋଟ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ । ସୂଚନାନୁଯାୟୀ ଗତ ୨୨ ତାରିଖରେ ଗ୍ରାମରେ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ ଗୋଟିଏ ଦୋକାନରେ ୫୦୦ ଟଙ୍କିଆ ନକଲି ନୋଟ ଦେଖିବାକୁ ପାଇଥିଲେ ସ୍ଥାନୀୟ ସରପଞ୍ଚ। ନୋଟକୁ ଦେଖି ନକଲି ହୋଇଥିବା ସନ୍ଦେହ କରି ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଭାଇଁଷା ଗ୍ରାମର ବରୁଣ ପାନୁଆନଙ୍କ ଘରେ ଚଢାଉ କରିଥିଲା। ଚଢାଉ ବେଳେ ସେହି ଘରୁ ୨୭୪ଟି ନକଲି ୫୦୦ ଟଙ୍କିଆ ନୋଟ, କମ୍ପ୍ୟୁଟର, ପ୍ରିଣ୍ଟର, ନକଲି ନୋଟ ପାଇଁ ବ୍ୟବହାର ହେଉଥିବା ପେପର ଓ ବ୍ୟବହୃତ ସାହି ମିଳିଥିଲା। ପୋଲିସ ସେସବୁ ସାମଗ୍ରୀ ଜବତ କରିନେଇଛି। ଘଟଣାର ଅଧିକ ତଦନ୍ତ କରିବା ପରେ ଦେଓଗାଁ ଥାନା ବୁଢାବାହଲ ଗ୍ରାମର ରୋହିତ ବସ୍ତିଆ ନକଲି ନୋଟ ରାକେଟରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇ ବରୁଣ ଓ ରୋହିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ନକଲି ନୋଟ ରାକେଟରେ ଆହୁରି ଅନେକ ଲୋକ ଥିବା ସନ୍ଦେହ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ପାଟଣାଗଡ଼ ଏସ୍‌ଡ଼ିପିଓ ସଦାନନ୍ଦ ପୁଝାରୀ ସାମ୍ବାଦିକ ସମ୍ମିଳନୀ ଡକାଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *