ଝାରସୁଗୁଡ଼ା ରେଜଲ୍ଟ ପରେ ବିଜେପି କର୍ମୀଙ୍କୁ ଛୁରାମାଡ଼ !

ଝାରସୁଗୁଡ଼ା ରେଜଲ୍ଟ ଆସିବା ପରେ ହିଂସା ଦେଖିବାକୁ ମିଳିଛି । ଫଳାଫଳ ପରେ ଜଣେ ବିଜେପି କର୍ମୀଙ୍କୁ ଛୁରାମାଡ଼ କରାଯାଇଛି । ଝାରସୁଗୁଡ଼ା ସଦର ବ୍ଲକ୍ ଶ୍ରୀପୁରା ସୁନାମାଲ ଗାଁରେ ଏହି ଅଘଟଣ ଘଟିଛି । ବିଜୟୀ ହୋଇଥିବା ବିଜେଡିର ଜଣେ କର୍ମୀ ବାଣ ଫୁଟାଉଥିବା ବେଳେ ଏହା ବିରୋଧ କରାଯାଇଥିଲା । ତେଣୁ ସେ ଆକ୍ରମଣର ଶିକାର ହୋଇଛନ୍ତି । ବିଜେଡି କର୍ମୀଙ୍କ ଛୁରାମାଡ଼ରେ ଗୁରୁତର ହୋଇଥିବା ବିଜେପି କର୍ମୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ବ୍ୟକ୍ତି ସୁନାମାଲ ଗାଁର ସୁବ୍ରତ ପ୍ରଧାନ ।

ଆହତ ସୁବ୍ରତଙ୍କ ମୁଣ୍ଡ ଓ ଅଖିରେ ଗଭୀର ଆଘାତ ଲାଗିଛି । ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ଦିଗରେ ପୋଲିସ ପ୍ରଶାସନ ଦୃଷ୍ଟି ନ ଦେବା ଏହାର କାରଣ ବୋଲି ଅଭିଯୋଗ ହୋଇଛି । ଏହି ଘଟଣା ପରେ ସୁନାମାଳ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮ ହଜାର ୨୩୭ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ଦୀପାଳି । ଦୀପାଳିଙ୍କୁ ମୋଟ ୧,୭,୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ ଖଣ୍ଡ ଭୋଟ୍ ମିଳିଛି । ଦୀପାଳି ନିଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *