ଜାମୁକୋଳି କମାଏ ରକ୍ତଶର୍କରା, କିନ୍ତୁ ଏହି ଭୁଲ କଲେ ବଢ଼ିପାରେ ବିପଦ!

ଜାମୁକୋଳି ଏକ ଋତୁକାଳୀନ ଫଳ ସମସ୍ତେ ଖାଇବାକୁ ପ୍ରାୟ ପସନ୍ଦ ମଧ୍ୟ କରନ୍ତି ଯାହା ନିଜର ସ୍ୱାଦ ସହ ସ୍ୱାସ୍ଥ୍ୟ ଉପକାରିତା ପାଇଁ ମଧ୍ୟ ବେଶ ପରିଚିତ । ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ ଏବଂ ଫାଇବରରେ ଭରପୂର ଏହି ଫଳ ହଜମ ଶକ୍ତି ବୃଦ୍ଧି, ରୋଗ ପ୍ରତିରୋଧକ କ୍ଷମତା ସୁଦୃଢ଼ କରିବା ଏବଂ ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତେବେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ ଜାମୁକୋଳି ସମସ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ । କିଛି ବିଶେଷ ସ୍ୱାସ୍ଥ୍ୟ ସମସ୍ୟା ଜନିତ ଲୋକଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ । ଜାମୁକୋଳିରେ ଥିବା ଜାମ୍ବୋଲିନ ଓ ଜାମ୍ବୋସିନ ଭଳି ଉପାଦାନ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। କିନ୍ତୁ ଯେଉଁମାନେ ଡାଇବେଟିସ ପାଇଁ ନିୟମିତ ଔଷଧ ସେବନ କରୁଛନ୍ତି, ସେମାନେ ଅଧିକ ପରିମାଣରେ ଜାମୁକୋଳି ଖାଇଲେ ରକ୍ତଶର୍କରା ଅତ୍ୟଧିକ କମିଯିବା (ହାଇପୋଗ୍ଲାଇସେମିଆ)ର ଆଶଙ୍କା ରହିଥାଏ। ଫଳରେ ମୁଣ୍ଡ ବୁଲାଇବା, ଅଧିକ ଝାଳ ବାହାରିବା, ହାତ କମ୍ପିବା ଓ ଦୁର୍ବଳ ଲାଗିବା ଭଳି ଲକ୍ଷଣ ପ୍ରକାଶ ପାଇପାରେ। କିଡନି ଷ୍ଟୋନ ସମସ୍ୟା ଥିବା ବ୍ୟକ୍ତି

ବିଶେଷଜ୍ଞଙ୍କ ମତରେ, ଜାମୁକୋଳିରେ ଅକ୍ସାଲେଟ ରହିଥାଏ ଯାହା କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ କିଡନି ଷ୍ଟୋନ ହେବାର ଆଶଙ୍କା ବଢ଼ାଇପାରେ । ତେଣୁ ଯେଉଁ ମାନଙ୍କର ପୂର୍ବରୁ କିଡନି ଷ୍ଟୋନ ସମସ୍ୟା ରହିଛି ସେମାନେ ଜାମୁକୋଳି ଖାଇବା ବେଳେ ସତର୍କ ରହିବା ଆବଶ୍ୟକ ।

ଫାଇବରରେ ଭରପୂର ଜାମୁକୋଳି ସାଧାରଣତଃ ହଜମ ପାଇଁ ଭଲ ହୋଇଥାଏ । କିନ୍ତୁ ଅତ୍ୟଧିକ ପରିମାଣରେ ଏହା ଖାଇଲେ ପେଟ ଫୁଲିବା , ଗ୍ୟାସ୍ , କୋଷ୍ଠକାଠିନ୍ୟ ଓ ପେଟ ବ୍ୟଥା ଭଳି ସମସ୍ୟା ଦେଖା ଦେଇପାରେ । ବିଶେଷ କରି ଯେଉଁ ମାନଙ୍କର ହଜମ ପ୍ରଣାଳୀ ସମ୍ବେଦନଶୀଳ ସେମାନେ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ ।
ଜାମୁକୋଳି ପୋଷାକ ତତ୍ତ୍ୱରେ ଭରପୂର ହୋଇଥିଲେ ମଧ୍ୟ ଗର୍ଭାବସ୍ଥାରେ ଏହାର ପ୍ରଭାବ ନେଇ ପର୍ଯ୍ୟାପ୍ତ ଗବେଷଣା ଉପଲବ୍ଧ ନାହିଁ । ଏହି କାରଣରୁ ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ଖାଇବା ଉଚିତ ।
ଯଦିଓ ଜାମୁକୋଳି ଜନିତ ଆଲର୍ଜି ଘଟଣା ବହୁତ କମ ତଥାପି କେତେକଙ୍କ ଠାରେ ଏହା ଖାଇବା ପରେ ଚର୍ମରେ କୁଣ୍ଡିଆ,ଯାଦୁ , ଫୁଲିବା କିମ୍ବା ଶ୍ୱାସ ନେବାରେ ଅସୁବିଧା ମଧ୍ୟ ଦେଖା ଦେଇପାରେ । ଏପରି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଜାମୁକୋଳି ନିଶ୍ଚିତ ଭାବରେ ଏକ ପୌଷ୍ଟିକ ଓ ସ୍ୱାସ୍ଥ୍ୟକର ଫଳ । ତେବେ ଡାଇବେଟିସ , କିଡନି ଷ୍ଟୋନ , ହଜମ ଜନିତ ସମସ୍ୟା , ଗର୍ଭାବସ୍ଥା କିମ୍ବା ଆଲର୍ଜି ଭଳି ସ୍ୱାସ୍ଥ୍ୟବସ୍ଥା ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।