Month: May 2023

  • ୪ ଦିନ ପରେ ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପାୱାର

    ୪ ଦିନ ପରେ ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପାୱାର

    ୪ ଦିନର ମହା ନାଟକ ପରେ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ନିଜ ଇସ୍ତଫା ପ୍ରତ୍ୟାହାର କରିନେଇଛନ୍ତି। ନିଜ ସମର୍ଥକଙ୍କ ଅନୁରୋଧ ଓ ଜିଦି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି ପାୱାର। ପାୱାର ଗତ ୨ ତାରିଖରେ ହଠାତ୍ ଦଳର ଅଧ୍ୟକ୍ଷତା ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ, ଯାହାକୁ ନେଇ ସମର୍ଥକଙ୍କ ମଧ୍ୟରେ ଖେଳିଯାଇଥିଲା ଚାଞ୍ଚଲ୍ୟ। ତେଣୁ ନିଜ ନିଷ୍ପତ୍ତିରୁ ଓହରିବା ପାଇଁ ତାଙ୍କ ଉପରେ ଲଗାତର ଚାପ ପକାଯାଉଥିଲା।  

    ଇସ୍ତଫା ପତ୍ର ପ୍ରତ୍ୟାହାର ସମ୍ପର୍କରେ ପାୱାର  ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେ କହିଛନ୍ତି କି, ଆପଣମାନଙ୍କର ଭାବନାର ଅପମାନି କରିପାରିବି ନାହିଁ। ଆପଣଙ୍କ ଭାବନା ଓ ଭାବପ୍ରବଣତାରେ ମୁଁ ଭାବପ୍ରବଣ ହୋଇପଡିଛି ଏବଂ ମୋର ନିଷ୍ପତ୍ତି ପ୍ରତ୍ୟାହାର କରୁଛି। ଏନସିପି ମୁଖ୍ୟ ଆହୁରି କହିଛନ୍ତି କି, ମେ ୨ରେ ସେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲି। ମୁଁ ଅନୁଭବ କରୁଥିଲି କି ବହୁ ବର୍ଷ ଲୋକଙ୍କ ସେବା କରିସାରିଲିଣି। ଏବେ ଅବସର ନେବାର ଆବଶ୍ୟକତା ରହିଛି।

    କିନ୍ତୁ ମୋର ଘୋଷଣା ଅନେକଙ୍କ ମନରେ ଦୁଃଖ ଦେଇଛି। ଅନେକ ଏହି ନିଷ୍ପତ୍ତିରେ ମର୍ମାହତ ହୋଇ ନିଷ୍ପତିରୁ ଓହରି ଯିବାକୁ ବାଧ୍ୟ କରିଥିଲେ। ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ତେଣୁ ସମସ୍ତଙ୍କ ଭାବନାକୁ ସମ୍ମାନ ଦେଇ ଇସ୍ତଫାକୁ ଫେରାଇ ନେବାକୁ ବାଧ୍ୟ ହୋଇଛି। ପାୱାର ଆଗକୁ କହିଛନ୍ତି କି, ମୁଁ ପୁନର୍ବାର ଅଧ୍ୟକ୍ଷ ପଦ ଗ୍ରହଣ କରୁଛି। ପାୱାରଙ୍କ ଏହି ଘୋଷଣା ପରେ ଏନସିପି କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ପାର୍ଟିର କର୍ମକର୍ତ୍ତାମାନେ ବାଣ ଫୁଟାଇ ଏହାକୁ ସ୍ୱାଗତ କରିବା ସହ ଉତ୍ସବ ମନାଇଥିବା ଦେଖିବାକୁ ମିଳିଛି।

    ସୂଚନାଯୋଗ୍ୟ, ଯେ ମେ ୨ ରେ ଶରଦ ପାୱାର ନିଜ ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏମିତି କି ଗତକାଲି ମଧ୍ୟ ଦଳୀୟ କର୍ମୀଙ୍କ ସବୁ ଅନୁରୋଧକୁ ପ୍ରତ୍ୟାକ୍ଷାନ କରିଥିଲେ ଓ ଦଳର ସଭାପତି ପଦରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏଥିସହ ଦଳର ନୂଆ ସଭାପତି ଚୟନ ପାଇଁ ଏକ କମିଟି ଗଠନ ସମ୍ପର୍କରେ ଘୋଷଣା କରିଥିଲେ। କମିଟି ଆଜି ଦଳର ପରବର୍ତ୍ତୀ ସଭାପତିଙ୍କ ନାମ ଘୋଷଣା କରିବାର ଥିଲା।

  • ୮ ତାରିଖ ସୁଦ୍ଧା ବାତ୍ୟା ଚିତ୍ର ସ୍ପଷ୍ଟ ହେବ, କହିଲେ IMD DG

    ୮ ତାରିଖ ସୁଦ୍ଧା ବାତ୍ୟା ଚିତ୍ର ସ୍ପଷ୍ଟ ହେବ, କହିଲେ IMD DG

    ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଜୋରଦାର ପ୍ରସ୍ତୁତ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅବପାତ ଏବଂ ସାମୁଦ୍ରିକ ଝଡ଼ ରୂପ ନେଇପାରେ ।

    ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିବା ସମ୍ଭାବନା ରହିଛି । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ ନାହିଁ । ଓଡ଼ିଶା ଉପରେ ପ୍ରଭାବ ରହିବ କି ନାହିଁ ସେ ନେଇ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । ସାଧାରଣତଃ ଖରାଦିନ ଅର୍ଥାତ୍ ମେ’ରେ ଟିକେ ଟେନସନ୍ ବଢ଼ିଥାଏ ।

    ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ମଧ୍ୟ ବାତ୍ୟା ହୋଇଥାଏ । ପୂର୍ବରୁ ଏହି ବାତ୍ୟା ଗୁଡ଼ିକର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ତେବେ ସବୁଥର ପ୍ରଭାବ ପଡ଼ିବ ବୋଲି ସେମିତି କିଛି କହିପାରିବା ନାହିଁ । ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଆକଳନ କରିହେବ । ଏବେଠୁ ଆକଳନ କରାଯାଇପାରିବ ନାହିଁ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

  • ମାଲକାନଗିରି ଜଙ୍ଗଲ ବୁଲୁଛନ୍ତି ଅଲୁ ଅର୍ଜୁନଙ୍କ ଟିମ

    ମାଲକାନଗିରି ଜଙ୍ଗଲ ବୁଲୁଛନ୍ତି ଅଲୁ ଅର୍ଜୁନଙ୍କ ଟିମ

    ଦକ୍ଷିଣ ଭାରତର ନାମକରା ଅଭିନେତା ଅଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମର ସଫଳତା ପରେ ନିର୍ମାତା ଫିଲ୍ମର ସିକୁଏନ୍ସ ସୁଟ କରିବାକୁ ଯାଉଛନ୍ତି। ପୁଷ୍ପା ୨ କୁ ନେଇ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଫ୍ୟାନ୍ସଙ୍କ ଉତ୍କଣ୍ଠାକୁ ଦେଖି ଫିଲ୍ମ ନିର୍ମାଣ ଖୁବ ଶୀଘ୍ର କରିବାକୁ ନିଷ୍ପତ୍ତି ହୋଇଛି। ସବୁଠାରୁ ବଡ କଥା ପୁଷ୍ପା ୨ର ନିର୍ମାଣ ଆମ ରାଜ୍ୟର ମାଲକାନଗିରିରେ ହେବାକୁ ଯାଉଛି ଓ ଏଥିପାଇଁ ଫିଲ୍ମର ଏକ ଟିମ ଲାଲଗଡ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।  

    ମାଲକାନଗିରି ଜିଲ୍ଲାର କୋଲିମେଳା ଥାନା ଅଧୀନ ପୋଲୁର ଗାଁ ପରିଦର୍ଶନ କରିଛନ୍ତି।  ସେଠାରେ ଫିଲ୍ମର ଟିମ ସ୍ଥାନ ନିରୁପଣ କରିଥିବା ଜଣାପଡିଛି। ସୁକୁମାରଙ୍କ ସହ ଫିଲ୍ମର ସହ ନିର୍ଦ୍ଦେଶକ ଏମ ପ୍ରସାଦ ମଧ୍ୟ ଲାଲଗଡ ଆସୁଛନ୍ତି। ସେଠାରେ ସେମାନେ  ସୁଟିଂ ସ୍ଥାନ ବୁଲି ଦେଖିଦେଖିଛନ୍ତି। ଫିଲ୍ମ ସୁଟିଂ ପାଇଁ ମାଲକାନଗିରି ଜିଲ୍ଲାପାଳ ଓ ଏସପିଙ୍କଠାରୁ ଅନୁମତି ନେବେ। ପୋଲିସ ଅନୁମତି ମିଳିବା ପରେ ଚଳିତ ମାସ ୭ ତାରିଖରୁ ଫିଲ୍ମ ସୁଟିଂ ଆରମ୍ଭ ହୋଇଯିବ ବୋଲି କୁହାଯାଉଛି। ସୁଟିଂ ସମୟରେ ବିଏସଏଫକୁ ମଧ୍ୟ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରାଯିବ।

    ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଫିଲ୍ମ ପୁଷ୍ପା୨  ର କିଛି ଗୁରୁତ୍ୱପୂର୍ଣ୍ଣ ସିନକୁ ପୋଲୁର ଓ ଆଖପାଖ ଗାଁରେ ସୁରକ୍ଷା କର୍ମୀଙ୍କ ସୁରକ୍ଷା ବଳୟ ଭିତରେ ସୁଟ କରାଯିବ। ପୁଷ୍ପା ଫିଲ୍ମରେ ଜଙ୍ଗଲର ଦୃଶ୍ୟ ଦେଖିଥିବେ ଦର୍ଶକ। ହେଲେ ଯେତେବେଳେ ଜେଲରୁ ପୁଷ୍ପା ପୋଲିସକୁ ଚକମା ଦେଇ ପୁଷ୍ପା ଖସି ଯିବାରେ ସକ୍ଷମ ହୋଇଥାନ୍ତି, ଯାହାଙ୍କୁ ଧରିବା ପୋଲିସ ପାଇଁ ଅସମ୍ଭ ହୋଇଯାଏ। କାରଣ ଘଞ୍ଚ ଜଙ୍ଗଲ ଭିତରେ ଆତ୍ମଗୋପନ କରିଥାନ୍ତି ଅଲୁ। ଯାହାର ସିକୁଏନ୍ସ ସେହି ଘଞ୍ଚ ଜଙ୍ଗଲରୁ ଆରମ୍ଭ ହୁଉଥିବା କୁହାଯାଉଛି। ତେଣୁ ଜଙ୍ଗଲ ପରିବେଶକୁ ଅଧିକ ଜୀବନ୍ତ କରି ଗଢିତୋଳିବାକୁ ନିର୍ମାତା ଓଡିଶାକୁ ବାଛି ନେଇଛନ୍ତି।

    ଫିଲ୍ମ ପୁଷ୍ପା ପାଇଁ ଆବଶ୍ୟକ ହେଉଥିବା ସିନ ସବୁ ପାଇଁ ମାଲକାନଗିରିର ପର୍ବତ ଶୃଙ୍ଗ ସହ ପୃଥକ ଆଦିବାସୀ ଗାଁ ଠାରୁ ଭଲ ସ୍ଥାନ ମିଳିବ ନାହିଁ।  ମାଲକାନଗିରିର ଫିଲ୍ମର ସୁଟିଂ ନେଇ ନିଷ୍ପତ୍ତି ପରେ ଅଲୁ ଅର୍ଜୁନଙ୍କ ଉତ୍କଣ୍ଠା ଉଚ୍ଚସ୍ତରକୁ ଚାଲି ଯାଇଛି। କାରଣ ଓଡିଶାର ଅଲୁଙ୍କର ବହୁ ଫ୍ୟାନ୍ସ ରହିଛନ୍ତି, ତା ଉପରେ ଏଠାରେ ଫିଲ୍ମ ସୁଟିଂ ହେବା ଦ୍ୱାରା ପ୍ରଶଂସକଙ୍କ ମଧ୍ୟରେ ଅଲୁଙ୍କ ପାଇଁ କ୍ରେଜ ବୃଦ୍ଧି ପାଇବାରେ ଲାଗିଛି।

    ତେବେ ସେହି ସବୁ ସିନରେ ଅଲୁ ଅର୍ଜୁନ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କାରଣ କିଛି ଦିନ ପୂର୍ବରୁ ଫିଲ୍ମର କିଛି ଗୁରୁତ୍ବପୂର୍ଣ୍ଣ ଅଂଶ ମାଲକାନଗିରିର ସୀମାନ୍ତ ଅଞ୍ଚଳରେ ସୁଟ କରାଯାଉଥିବା ଦେଖିବାକୁ ମିଳିଥିଲା। ଆଉ ଗୋଟିଏ କଥା, ଅଲୁ ଅର୍ଜୁନଙ୍କର ପୁଷ୍ପା ୨ ପ୍ରଥମ ଫିଲ୍ମ ନୁହେଁ ଯାହା ଓଡିଶାରେ ସୁଟ ହେବାକୁ ଯାଉଛି। ଏହା ପୂର୍ବରୁ ଅଲୁଙ୍କ ଆର୍ଯ୍ୟ ମଧ୍ୟ ଓଡିଶାର ରାୟଗଡାରେ ସୁଟ ହୋଇ ସାରିଛି।

  • Suchanatv24x7 EXCLUSIVE: ‘ଚାପ’ ଯୋଗୁଁ କମୁଛି ଜନସଂଖ୍ୟା ବୃଦ୍ଧି ହାର

    Suchanatv24x7 EXCLUSIVE: ‘ଚାପ’ ଯୋଗୁଁ କମୁଛି ଜନସଂଖ୍ୟା ବୃଦ୍ଧି ହାର

    UNFPA ଅନୁସାରେ ୯୦ ଦଶକରୁ ଦ୍ରୁତ ଗତିରେ କମୁଛି ଦେଶର ଜନସଂଖ୍ୟା ବୃଦ୍ଧି ହାର । ଆର୍ଥିକ ବୋଝ, କ୍ୟାରିୟରର ଚାପ, ଚାକିରିର ଛଟେଇ ଭଳି ସମସ୍ୟା ଯୋଗୁଁ ଭାରତର ଯୁବଗୋଷ୍ଠୀ ବିଳମ୍ବରେ ବିବାହ କରିବା ସହ ଅଧିକ ପିଲା ଜନ୍ମ କରିବାକୁ ପସନ୍ଦ କରୁନାହାଁନ୍ତି । ଶିକ୍ଷା, ଚିକିତ୍ସା ଏବଂ ଜୀବନ ଧାରଣ ପାଇଁ ଅନ୍ୟାନ୍ୟ କ୍ଷେତ୍ରରେ ଆନୁସଙ୍ଗିକ ଖର୍ଚ୍ଚ ବଢୁଥିବାରୁ ଯୁବଗୋଷ୍ଠୀ ବିବାହ ବନ୍ଧନରେ ଆବଦ୍ଧ ନହେବା ସହ ପିତାମାତା ହେବାକୁ ପସନ୍ଦ କରୁନାହାଁନ୍ତି । ଛାଡ଼ପତ୍ର ପାଇଥିବା ଅନେକ ଦମ୍ପତି ପୁଣିଥରେ ବିବାହ କରିବା ଉପରେ ଗୁରୁତ୍ୱ ଦେଉନାହାଁନ୍ତି । ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକ ସହରାଭିମୁଖି ହେଉଥିବାରୁ ଏକ ଆରାମଦାୟକ ଜୀବନ ବିତାଇବା ତୁଳନାରେ ବିବାହକୁ ନିମ୍ନ ଭାବୁଛନ୍ତି । ସହରାଞ୍ଚଳରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଏବଂ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଲିଭିଂ ଇନ୍ ରିଲେସନସିପ୍ ସଂଖ୍ୟା ବଢୁଥିବାରୁ ବିବାହ ଅନାଗ୍ରହ ଦେଖାଦେଇଛି ।

    ଭାରତରେ ଜନସଂଖ୍ୟା ବୃଦ୍ଧି ହାର ଚୀନ ଏବଂ ଆମେରିକା ଅପେକ୍ଷା ଅଧିକ । କିନ୍ତୁ ଏହି ଦଶନ୍ଧି ଗୁଡ଼ିକରେ ଏହାର ବୃଦ୍ଧି କମିଛି । ପ୍ରତି ମହିଳାଙ୍କ କ୍ଷେତ୍ରରେ ଏହା ୨.୦ ଥିବାବେଳେ ଚୀନରେ ଏହା ୧.୨ ଏବଂ ଆମେରିକାରେ ଏହା ୧.୬ ଅଟେ । ସଂଖ୍ୟା ଗରିଷ୍ଠ ହିନ୍ଦୁ ଏବଂ ସଂଖ୍ୟାଲଘୁ ମୁସଲିମ୍, ଖ୍ରୀଷ୍ଟିଆନ, ଶିଖ୍, ବୌଦ୍ଧାଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଶିଶୁ ଜନ୍ମହାର ପୂର୍ବାପେକ୍ଷା କମ୍ ରହିଛି । ପ୍ରତି ମୁସଲମାନ ମହିଳାଙ୍କ କ୍ଷେତ୍ରରେ ୧୯୯୨ ମସିହାରେ ଜନ୍ମହାର ୪.୪ ଶିଶୁ ଥିବାବେଳେ ୨୦୧୯ ମସିହାରେ ଏହା ୨.୪କୁ ଖସିଛି । କାରଣ ଅଞ୍ଚଳ ହିସାବରେ ମହିଳାଙ୍କ ଫର୍ଟିଲିଟି ରେଟ୍ ଭିନ୍ନ ଭିନ୍ନ ରହିଛି । ଉଦାହରଣ ସ୍ୱରୂପ ବିହାରରେ ଏହା ସର୍ବାଧିକ ୨.୯୮ ଥିବାବେଳେ ମେଘାଳୟରେ ଏହା ୨.୯୧, ସିକିମ୍ ୧.୦୫ ଏବଂ ଗୋଆରେ ଏହା ୧.୩ ରହିଛି । ……

    ନିକଟରେ ଭାରତର ଜନସଂଖ୍ୟା ବୃଦ୍ଧି ବିଶ୍ୱର ସର୍ବବୃହତ୍ତମ ଜନବହୁଳ ରାଷ୍ଟ୍ର ଚୀନକୁ ମଧ୍ୟ ପଛରେ ପକାଇଥିଲା । ବିଶେଷଜ୍ଞମାନଙ୍କ କହିବାନୁସାରେ ୧୯୫୦ ମସିହାରୁ ଭାରତର ଜନସଂଖ୍ୟା ଏକ ବିଲିୟନରୁ ଅଧିକ ବଢ଼ିଛି । ଯଦିଓ ଦେଶର ଜନସଂଖ୍ୟା କେତେ ବଢ଼ିଛି ତାର ସଠିକ୍ ଆକଳନ କରାଯାଇପାରିନି, ତେବେ ଭାରତ ଚୀନକୁ ଟପିଯାଇଛି ଏବା ନିଃସନ୍ଦେହ । କାରଣ ୨୦୧୧ ଜନଗଣନା ପରଠାରୁ ଭାରତ ସରକାର ଜନଗଣନା କରିନାହାଁନ୍ତି । ଆକଳନ କରାଯାଉଛି ୧.୪ ବିଲିୟନ ଲୋକ ଯାହାକି ସମଗ୍ର ୟୁରୋପର ଜନସଂଖ୍ୟା ୭୪୪ ମିଲିଅନ୍ କିମ୍ବା ଆମେରିକାର ଜନସଂଖ୍ୟା ଯାହାକି ୧.୦୪ ବିଲିୟନ ଠାରୁ ମଧ୍ୟ ଅଧିକ । ଅନ୍ୟପକ୍ଷରେ ଚୀନର ଜନସଂଖ୍ୟା ୧.୪ ବିଲିୟନ ଥିବାବେଳେ ତାହା ମନ୍ଥର ଗତିରେ ବଢୁଛି । କାରଣ ଜନସଂଖ୍ୟା ନିୟନ୍ତ୍ରଣ ପଦ୍ଧତିକୁ କଡ଼ାକଡ଼ି ଭାବେ ପାଳନ କରାଯିବାରୁ ଚୀନର ଜନସଂଖ୍ୟା ନିୟନ୍ତ୍ରିତ ଭାବେ ବଢୁଥିବାବେଳେ ଭାରତରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନଥିବାରୁ ଜନସଂଖ୍ୟା ବିସ୍ଫୋରଣ ଘଟୁଛି ।

    ୟୁନାଇଟେଡ ନେସନର’ମିଡିୟମ ଭାରିଏଣ୍ଟ’ଆକଳନ ଅନୁସାରେ ଯଦି ଏହିଭଳି ଜନସଂଖ୍ୟା ବୃଦ୍ଧି ଘଟେ ତେବେ ଏହି ଦଶନ୍ଧିର ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧.୫ ବିଲିୟନ ପାର୍ କରିଯିବ ଏବଂ ଏହା ୨୦୬୪ ଯାଏ ମନ୍ଥର ଗତିରେ ବୃଦ୍ଧି ପାଇବାକୁ ଲାଗିବ ଯେତେବେଳେ କି ଏହା ୧.୭ ବିଲିୟନରେ ପହଞ୍ଚିବ । ଯଦି ଆମେ UNର ‘ହାଇ ଭାରିଏଣ୍ଟ’ଆକଳନକୁ ଦେଖିବା ଭାରତର ଜନସଂଖ୍ୟା ବୃଦ୍ଧି ପାଇ ୨୦୬୮ ସୁଦ୍ଧା ୨ ବିଲିୟନ ଛୁଇଁବ । UNର ‘ଲୋ ଭାରିଏଣ୍ଟ’ଅନୁସାରେ ଆମ ଦେଶର ଜନସଂଖ୍ୟା ୨୦୪୭ ଆରମ୍ଭରେ କମିବ ଏବଂ ୨୧୦୦ ସୁଦ୍ଧା ୧ ବିଲିୟନରେ ସୀମିତ ରହିବ ।

    ତେବେ ଭାରତ ପାଇଁ ଆଶ୍ୱାସନାର କଥା ହେଉଛି ଏହା ଏକ ଯୁବ ଦେଶ, ଯେଉଁଠାରେ ସମୁଦାୟ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ୨୫ ବର୍ଷ ବୟସରୁ କମ୍ ବୟସର ଯୁବକ । ଏହି ଯୁବକମାନଙ୍କ ପରିଶ୍ରମ ବଳରେ ଦେଶରେ ଶିଳ୍ପ, କଳକାରଖାନା, ବ୍ୟବସାୟ, ବାଣିଜ୍ୟ ଏବଂ ଭିତ୍ତିଭୂମିର ଆଶାନୁରୂପ ବିକାଶ ହେବାର ଭରପୂର ସମ୍ଭାବନା ରହିଛି । ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ଜନସଂଖ୍ୟାର ଏକ ବଡ଼ ଭାଗ ବୟସ୍କ ବ୍ୟକ୍ତି ବିଶେଷ ହୋଇଥିବା ବେଳେ ଭାରତ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା । ଭାରତରେ ମଧ୍ୟମ ବୟସ ୨୮ ରହିଥିବା ବେଳେ ଆମେରିକାରେ ଏହା ୩୮ ଏବଂ ଚୀନରେ ଏହା ୩୯ ବର୍ଷ ଅଟେ ।

    ଜନସଂଖ୍ୟା ଦୃଷ୍ଟିରୁ ଭାରତ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଚୀନ ଓ ଆମେରିକା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏବର୍ଷ ସୁଦ୍ଧା ଭାରତରେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୭ ପ୍ରତିଶତ ହୋଇଥିବା ବେଳେ ଚୀନରେ ଏହା ୧୪ ପ୍ରତିଶତ ଏବଂ ଆମେରିକାରେ ୧୮ ପ୍ରତିଶତ ରହିଛି ।

  • ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ

    ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ

    ଜମ୍ମୁ-କଶ୍ମୀରର ରଜୌରୀରେ ଆତଙ୍କୀଙ୍କ ଉପସ୍ଥିତି ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ଯବାନଙ୍କ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଏହି ଆକ୍ରମଣ ହୋଇଥିଲା। ଜମ୍ମୁ-କଶ୍ମୀରରେ ବିଗତ ତିନି ଦିନରେ ତୃତୀୟ ଥର ପାଇଁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି।

    ଶୁକ୍ରବାର ସକାଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ଅପରେସନ  ବେଳେ ହଠାତ୍  ଆତଙ୍କବାଦୀ ଯବାନଙ୍କ ଉପରକୁ ଗୁଳି ମାଡ଼ କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ସେନା ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା। ଉଭୟ ପକ୍ଷର ଗୁଳି ବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି।

    ରଜୌରୀ ସେକ୍ଟରର କାଣ୍ଡି ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ବିଶେଷ ସୂତ୍ରରୁ  ଖବର ମିଳିଥିଲା। ସକାଳ ପ୍ରାୟ ୭.୩୦ରେ ସେନା ଓ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଅଞ୍ଚଳଟି ଘଞ୍ଚ ଜଙ୍ଗଲ ଓ ପାହାଡ଼ରେ ଭରି ରହିଥିବାରୁ ସୁରକ୍ଷାକର୍ମୀଙ୍କୁ ଅପରେସନରେ  ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା।

    ଏହି ସମୟରେ ଆତଙ୍କବାଦୀମାନେ ବିସ୍ଫୋରଣ କରିବା ଆରମ୍ଭ କରିଥିଲେ। ଏଥିସହ ଗୁଳିମାଡ଼ ମଧ୍ୟ କରିଥିଲେ। ସୁରକ୍ଷାକର୍ମୀମାନେ ଏହାର ଜବାବ ଦେବାରୁ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା।

    ଏଥିରେ ୨ ଜଣ ଯବାନ ପ୍ରାଣ ହରାଥିବା ବେଳେ ଜଣେ ଅଫିସରଙ୍କୁ ମିଶାଇ ୪ ଜଣ ଆହତ ହୋଇଛନ୍ତି। ଏନକାଉଣ୍ଟର ସ୍ଥଳକୁ ଅଧିକ ସଂଖ୍ୟକ ଫୋର୍ସ ପଠାଯିବା ସହ ଆହତମାନଙ୍କୁ ଉଦ୍ଧମପୁର ସ୍ଥିତ କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଥିବା ସେନା ପକ୍ଷରୁ କୁହାଯାଇଛି।

    ଘଟଣା ପରେ ସହିଦ ଓ ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ଆହତଙ୍କ ଆର୍ମି ହସ୍ପିଟାଲରେ ଚିକିତ୍ସା କରାଯାଉଛି।  ଜମ୍ମୁ ଏଡିଜି ମୁକେଶ ସିଂହ ଏନକାଉଣ୍ଟର ସାଇଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବାକୁ ବିଶେଷ ଟିମ ପହଞ୍ଚି ଅପରେସନ ଜାରି ରଖିଛନ୍ତି।

    ଗୁରୁବାର ବାରମୁଲ୍ଲା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କୀ ନିହତ ହୋଇଥିଲେ। ସେହିପରି ବୁଧବାର କୁପୱାଡା ଜିଲ୍ଲାର ପିକହାଣ୍ଡ ମାଛିଲ ସେକ୍ଟରେ ଅନୁପ୍ରବେଶ ଉଦ୍ୟମ କରି ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିଲେ।

  • ଓଡ଼ିଶାରେ CJI, ଆସନ୍ତାକାଲି କଟକରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେବେ

    ଓଡ଼ିଶାରେ CJI, ଆସନ୍ତାକାଲି କଟକରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେବେ

    ଓଡ଼ିଶାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆସନ୍ତାକାଲି କଟକ ଜୁଡିସିଆଲ୍ ଏକାଡେମୀରେ ନ୍ୟାସନାଲ୍ କନଫରେନ୍ସ ଅନ୍ ଡିଜିଟାଇଜେନସ ପେପରଲେସ୍ କୋର୍ଟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବେ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ । ଏଥିରେ ବହୁ ରାଜ୍ୟର ହାଇକୋର୍ଟ ବିଚାରପତିମାନେ ସାମିଲ ହେବେ । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ ।

    ଜଷ୍ଟିସ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ଼ ନଭେମ୍ବର ୨୦୨୨ରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ । ୨୦୧୬ରୁ ୨୦୨୨ ଯାଏ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

  • ପୁଣି ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା

    ପୁଣି ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା

    ଅଷ୍ଟ୍ରେଲିଆରେ ପୁଣି ଥରେ ହିନ୍ଦୁ ମନ୍ଦିର ଭାଙ୍ଗିବାର ଖବର ସାମ୍ନାକୁ ଆସିଛି। ପଶ୍ଚିମ ସିଡନୀର ରୋଜହିଲ ଉପନଗରର ସ୍ଥିତ ବାପ୍ସ ସ୍ୱାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା ଖବର ଆସୁଛି। ଶୁକ୍ରବାର ବାପ୍ସ ସ୍ୱାମୀନାରାୟଣ ମନ୍ଦିର ଉପରେ ଖଲିସ୍ଥାନୀ ସମର୍ଥକମାନେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ମନ୍ଦିର ଗେଟରେ ଖଲିସ୍ଥାନୀ ପତାକା ଟାଙ୍ଗିଦେଇଥିଲେ। ଶୁକ୍ରବାର ସକାଳୁ ପୂଜା କରିବାକୁ ପୂଜକ ପହଞ୍ଚି ଦେଖିଲେ କି, ମନ୍ଦିରର କାନ୍ଥ ଭଙ୍ଗା ଯାଇଥିଲା ଓ ଖଲିସ୍ଥାନୀ ପତାକା ଟଙ୍ଗାଯାଇଥିଲା।

    ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆରେ ଏକାଧିକ ଥର ମନ୍ଦିର ଭଙ୍ଗାଯିବାର ବହୁ ନଜିର ରହିଛି। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ମେଲବର୍ନରେ ବାପ୍ସ ସ୍ୱାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା।  ୧୨ଜାନୁଆରୀ ସକାଳୁ ମେଲବର୍ନର ଉତ୍ତର ଉପନଗର ମିଲ ପାର୍କରେ ଥିବା ସ୍ୱାମୀନାରାୟଣ ମନ୍ଦିରରେ ଖାଲିସ୍ଥାନୀ ସମର୍ଥକମାନେ ଭଙ୍ଗାରୁଜା ମଧ୍ୟ ହୋଇଥିଲା। ଏଥିସହ, ମନ୍ଦିର କାନ୍ଥରେ ଭାରତ  ବିରୋଧୀ ନାରା ଲେଖାଯାଇଥିଲା। ଏଥିରେ ଖଲିସ୍ଥାନୀ ସମର୍ଥକମାନେ ଆତଙ୍କବାଦୀ ଜେନେରାଲ ସିଂହ ଭିଣ୍ଡରାଭାଲେଙ୍କୁ ସହିଦ କହିବା ସହ ପ୍ରଶଂସା କରିଥିଲେ।

    ସେହିପରି ଜାନୁଆରୀ  ୧୬ରେ ଭିକ୍ଟୋରିଆ କାରମ  ଡାଉନସ୍ଥିତ ଶ୍ରୀ ଶିବ ବିଷ୍ଣୁ ମନ୍ଦିର ଭାଙ୍ଗିବା ସହ ମନ୍ଦିର କାନ୍ଥରେ ଭାରତ ବିରୋଧୀ ଶ୍ଳୋଗାନମାନ ଲେଖିଥିଲେ। ସେହି ମାସରରେ  ମେଲବର୍ନରେ ଥିବା ଉସ୍କନ ମନ୍ଦିରକୁ  ଭାଙ୍ଗି ହିନ୍ଦୁସ୍ଥାନ ମୁର୍ଦ୍ଦାବାତ ଲେଖାଯାଇଥିଲା। ଏହା ପରେ ମାର୍ଚ୍ଚରେ ବ୍ରିସବାନେରେ ଥିବା ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର କାନ୍ଥ ଭାଙ୍ଗିଦିଆଯାଇଥାଲା।

    ରିପୋର୍ଟରେ କୁହାଯାଇଥିଲା କି ମନ୍ଦିରର କାନ୍ଥରେ ବିନାଶ ଓ ଘୃଣାକାରୀ  ଲେଖା ଲେଖା ଯାଇଥିଲା। ଏହି ଆକ୍ରମଣକୁ ସେଠାରେ ବାସ କରୁଥିବା ହିନ୍ଦୁ ତଥା ମନ୍ଦିର ପ୍ରଶାସନ  ପକ୍ଷରୁ ନିନ୍ଦା କରାଯାଇଥିଲା। ଭାରତ ସରକାର ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

    ଏମିତି କି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଆଲବାନେସ ଯେତେବେଳେ ଭାରତ ଆସିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ସ୍ବର ଉଠାଇଥିଲେ। ଏହା ପରେ ଆଲବାନେସ ମୋଦିଙ୍କୁ ଦୋଷୀଙ୍କ ବିରୋଧରେ ବିହୀତ ପଦକ୍ଷେପ ନିଆଯିବ ବୋଲି ଆଶ୍ୱସ୍ତ କରିଥିଲେ। ଆଲବାନେସ କହିଥିଲେ କି, ଅଷ୍ଟ୍ରେଲିଆ ମୁଖ୍ୟତଃ ଧାର୍ମିକସ୍ଥଳୀରେ କୌଣସି ପ୍ରକାରର ବାହ୍ୟ କାର୍ଯ୍ୟକଳାପ ଓ ଆକ୍ରମଣକୁ ବରଦାସ୍ଥ କରିବ ନାହିଁ।  

    ଫେବୃଆରୀରେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର  ଅଷ୍ଟ୍ରେଲିଆ ଗସ୍ତ କାଳରେ ତାଙ୍କ ପ୍ରତିପକ୍ଷ ପେସି ୱଙ୍ଗଙ୍କୁ  ଏହି ପ୍ରସଙ୍ଗରେ ଜଣାଇଥିଲେ। ସେଠାରେ ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଜୟଶଙ୍କର।

  • ହନିଟ୍ରାପରେ ଫଶି ପାକିସ୍ତାନକୁ DRDOର ତଥ୍ୟ ଦେଉଥିଲେ ବୈଜ୍ଞାନିକ ପ୍ରଦୀପ ଗୁରୁଲକର, ଧରିପକାଇଲା ATS

    ହନିଟ୍ରାପରେ ଫଶି ପାକିସ୍ତାନକୁ DRDOର ତଥ୍ୟ ଦେଉଥିଲେ ବୈଜ୍ଞାନିକ ପ୍ରଦୀପ ଗୁରୁଲକର, ଧରିପକାଇଲା ATS

    ପୁଣି ସାମ୍ନାକୁ ଆସିଲା ଡିଆରଡିଓ ବୈଜ୍ଞାନିକଙ୍କ ହନିଟ୍ରାପ ମାମଲା । ଏହି ମାମଲାରେ ଗିରଫ ହୋଇଛନ୍ତି ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକର । ପ୍ରଦୀପଙ୍କ ବିରୁଦ୍ଧରେ ହନିଟ୍ରାପରେ ଫଶି ପାକିସ୍ତାନକୁ ଗୁପ୍ତ ସୂଚନା ସବୁ ଦେଉଥିବା ଅଭିଯୋଗ ହୋଇଥିଲା । ଯାହାର ଆଧାରରେ ଆଜି ଏଟିଏସ୍ ମହାରାଷ୍ଟ୍ର ପୁଣେରୁ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି ।

    ସୂଚନା ମୁତାବକ, ତାଙ୍କ ହ୍ୱଟ୍ସଆପ୍ କଲ୍ ଓ ହ୍ୱାଟ୍ସଆପ ମେସେଜରୁ ମିଳିଛି ସାଙ୍ଘାତିକ ତଥ୍ୟ । ଯେଉଁଥିରେ ସେ ଡିଆରଡିଓର ଗୁପ୍ତ ତଥ୍ୟ ସବୁ ପାକିସ୍ତାନର ଗୁପ୍ତଚର ବିଭାଗକୁ ଦେଉଥିବା କୁହାଯାଉଛି । ଆଉ ଏଥିପାଇଁ ପାକିସ୍ତାନ ଖେଳିଥିଲା ଚକ୍ରାନ୍ତ । ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ ହ୍ୟାଣ୍ଡେଲ ହନିଟ୍ରାପରେ ତାଙ୍କୁ ଫଶାଇଥିବା ଜଣାପଡିଛି ।

    ଏଟିଏସର ପ୍ରେସ ରିଲିଜରେ କୁହାଯାଇଛି ଯେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା (ପିଆଇଓ) ହ୍ୱାଟ୍ସଆପ ଜରିଆରେ ବୈଜ୍ଞାନିକ ପ୍ରଦୀପ ଗୁରୁଲକରଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରଦୀପଙ୍କୁ ସେମାନେ ହ୍ୱାଟ୍ସଆପ୍ ଭଏସ୍ କଲ୍, ଭିଡିଓ ଆଦି ସେୟାର କରି ସୂଚନା ଦେଉଥିଲେ । ଆଉ ପ୍ରଦୀପ ମଧ୍ୟ ଏହି ଜାଲରେ ଫସି ସେମାନଙ୍କୁ ଯଥାସମ୍ଭବ ତଥ୍ୟ ଦେଉଥିଲେ । ପ୍ରଦୀପ ଗୁରୁଲକର ନିଜ ପଦର ପୂରୀ ଦୁରୁପଯୋଗ କରି ଦେଶର ଅନେକ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ସେୟାର କରୁଥିଲେ । ଆଉ ଏହା ଆଣ୍ଟି ଟେରରିଷ୍ଟ୍ ସ୍କ୍ୱାଡ ବା ଏଟିଏସ ନଜରକୁ ଆସିଥିଲା ।

  • IAS ଅନନ୍ୟା ଓ ଚଞ୍ଚଳଙ୍କ ପରେ ଏବେ ‘ସ୍ୱଧାଦେବ-ସମର୍ଥ’ଙ୍କ ପାଳି

    IAS ଅନନ୍ୟା ଓ ଚଞ୍ଚଳଙ୍କ ପରେ ଏବେ ‘ସ୍ୱଧାଦେବ-ସମର୍ଥ’ଙ୍କ ପାଳି

    ନିକଟରେ IAS ଅନନ୍ୟା ଦାସ ଏବଂ ଚଞ୍ଚଳ ରାଣା ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଏବେ ପୁଣି ଆଉ ଦୁଇ ଜଣ ଜିଲ୍ଲାପାଳ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଖବର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

    ମେ’ ୨୧ ତାରିଖ । କିଏ ବନିବେ ନୂଆ ଦମ୍ପତି । IAS ମାନଙ୍କ ଭିତରେ ଏଥର କାହା ପାଳି । ଶୁଣାଯାଉଛି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହାତକୁ ଦି’ହାତ ହେବେ । ମାନେ ବିବାହ କରିବାକୁ ଯାଉଛନ୍ତି ସମର୍ଥ ବର୍ମା । ସେ କାହାକୁ ମ୍ୟାରେଜ୍ କରିବେ କନଫ୍ୟୁଜ୍ ହେବାର ନାହିଁ । ଏବେ IASମାନଙ୍କ ବିବାହ ଋତୁ ଚାଲିଥିବା ବେଳେ ଆଉ ଜଣେ ଜିଲ୍ଲାପାଳଙ୍କୁ ବିବାହ କରିବେ ପୁରୀ ଜିଲ୍ଲାପାଳ । ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ ବନିବେ ତାଙ୍କ ଧର୍ମପତ୍ନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ଅପେକ୍ଷା ୧୫ ତାରିଖକୁ । ଆଜ୍ଞା, ଓଡ଼ିଶାରୁ ଯାଇ ବାରଣାସୀରେ ବିବାହ କରିବେ ଦୁଇ ଜିଲ୍ଲାପାଳ ।

    ଦ୍ୱିତୀୟ ବିବାହ କରିବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ପୂର୍ବରୁ ସେ ସୁଚି ସିଂ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ତେବେ ସେମାନଙ୍କ ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ବିବାହକୁ ଅପେକ୍ଷା କରିଥିଲେ । ସେପଟେ, ସ୍ୱଧାଦେବ ସିଂଙ୍କ ମଧ୍ୟ ଏହା ହେବ ଦ୍ୱିତୀୟ ବିବାହ । ପୂର୍ବରୁ ସେ IAS ଚଞ୍ଚଳ ରାଣାଙ୍କୁ ମ୍ୟାରେଜ୍ କରିଥିଲେ ।

    ମେ’ ୨୧ ତାରିଖକୁ ଅପେକ୍ଷା କରିଛି ବାରଣାସୀ । ସେଠାରେ ପୁଣି ଏକ ବିବାହ ଉତ୍ସବ ଅନୁଷ୍ଠିତ ହେବ । IASମାନଙ୍କ ବିବାହ ଋତୁରେ ସମର୍ଥ ବର୍ମା ଏବଂ ସ୍ୱଧାଦେବ ସିଂଙ୍କ ନାଁ ଯୋଡ଼ିହେବ । ସ୍ୱଧାଦେବଙ୍କ ହାତ ଧରିବେ ସମର୍ଥ । ସାମିଲ ହେବେ ହାତଗଣତି କେଇଜଣ ଗେଷ୍ଟ । ପରିବାର ତଥା କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ । ସେଇ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା । ଏହି ଖବର ଏବେ ସୋସାଇଲ୍ ସାଇଟରେ ଘୁରି ବୁଲୁଛି । ମାଇଲେଜ୍ ନେବା ପାଇଁ ଗଣମାଧ୍ୟମଗୁଡ଼ିକ ମଧ୍ୟ ଏଭଳି ଖବରର ପିଛା ଛାଡୁନାହାଁନ୍ତି ।

    ନିକଟରେ IAS ଚଞ୍ଚଳ ରାଣା ଏବଂ IAS ଅନନ୍ୟା ଦାସ ବିବାହ କରିଛନ୍ତି । ଗୌହାଟିରେ ଖାସ୍ କିଛି ଅତିଥିଙ୍କ ଉପସ୍ଥିତିରେ ଦ୍ୱିତୀୟ ବିବାହ କରିଛନ୍ତି ଉଭୟ IAS । ଚଞ୍ଚଳ ରାଣା ବଲାଙ୍ଗିର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବାବେଳେ IAS ସ୍ୱଧାଦେବ ସିଂ ତଥା ରାୟଗଡ଼ା ଜିଲ୍ଲାପାଳ ତାଙ୍କର ପ୍ରଥମ ପତ୍ନୀ ଥିଲେ । ହେଲେ ସେମାନଙ୍କ ବିବାହ ବିଚ୍ଛେଦ ପରେ ପୁଣି ଥରେ ଉଭୟ IAS ନିଜ ନିଜ ରାସ୍ତା ବାଛିଥିଲେ । ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ପୂର୍ବରୁ ଅବଦୁଲ ଏମ୍.ଅଖତରଙ୍କୁ ବିବାହ କରିଥିଲେ ଯିଏ ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ ଅଛନ୍ତି । ତେବେ ମତଭେଦ କାରଣରୁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ । ନିର୍ବନ୍ଧ ଏବଂ ବିବାହ ଉତ୍ସବରେ ସେମାନେ ଡ୍ୟାନ୍ସ କରି ଧୁମ୍ ମଚାଇଥିଲେ ଯାହା ଦର୍ଶକଙ୍କୁ ବେଶ୍ କିଛି ସମୟ ପାଇଁ ଏଣ୍ଟରଟେନ୍ କରିଥିଲା ।

    ନିକଟରେ ମଜାରେ ମଜାରେ ଆମ ପ୍ରିୟ ବିଧାୟକ ସୁରବାବୁ କହିଥିଲେ ଯେ ‘IAS ସହ IAS ଶୋଇଲେ’ ଭଲ କାମ । ଏଥିରେ ଲାଜ କରିବାର ନାହିଁ । ଆମର ନୋ ଟେନସନ୍ । ସେମାନେ ନିଜ ନିଜ ପସନ୍ଦ ବାଛି ନେଲେ । ବହୁତ ବଢ଼ିଆ ପଦକ୍ଷେପ, ଆମେ ସ୍ୱାଗତ କରିବା ।

    ମେ’ ମାସ ଆରମ୍ଭରେ IAS ଚଞ୍ଚଳ ରାଣାଏ ଏବଂ IAS ଅନନ୍ୟା ଦାସଙ୍କ ବିବାହ ସରିବା ପରେ ଏବେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ବିବାହକୁ ସମସ୍ତଙ୍କ ଅପେକ୍ଷା । ଓଡ଼ିଶାରେ IASମାନଙ୍କ ବିବାହ ଋତୁ ଆରମ୍ଭ ହୋଇଛି । ପୁଣି ଥରେ ନୁହେଁ ଡବଲ ଡବଲ ମ୍ୟାରେଜ୍ । କୁହାଯାଏ ସେମାନେ ହିଁ ଲାଇଫ୍ ଏଞ୍ଜୟ କରନ୍ତି । ହେଲେ ପରବର୍ତ୍ତୀ ବିବାହ କାହାର ସେ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।