UNFPA ଅନୁସାରେ ୯୦ ଦଶକରୁ ଦ୍ରୁତ ଗତିରେ କମୁଛି ଦେଶର ଜନସଂଖ୍ୟା ବୃଦ୍ଧି ହାର । ଆର୍ଥିକ ବୋଝ, କ୍ୟାରିୟରର ଚାପ, ଚାକିରିର ଛଟେଇ ଭଳି ସମସ୍ୟା ଯୋଗୁଁ ଭାରତର ଯୁବଗୋଷ୍ଠୀ ବିଳମ୍ବରେ ବିବାହ କରିବା ସହ ଅଧିକ ପିଲା ଜନ୍ମ କରିବାକୁ ପସନ୍ଦ କରୁନାହାଁନ୍ତି । ଶିକ୍ଷା, ଚିକିତ୍ସା ଏବଂ ଜୀବନ ଧାରଣ ପାଇଁ ଅନ୍ୟାନ୍ୟ କ୍ଷେତ୍ରରେ ଆନୁସଙ୍ଗିକ ଖର୍ଚ୍ଚ ବଢୁଥିବାରୁ ଯୁବଗୋଷ୍ଠୀ ବିବାହ ବନ୍ଧନରେ ଆବଦ୍ଧ ନହେବା ସହ ପିତାମାତା ହେବାକୁ ପସନ୍ଦ କରୁନାହାଁନ୍ତି । ଛାଡ଼ପତ୍ର ପାଇଥିବା ଅନେକ ଦମ୍ପତି ପୁଣିଥରେ ବିବାହ କରିବା ଉପରେ ଗୁରୁତ୍ୱ ଦେଉନାହାଁନ୍ତି । ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକ ସହରାଭିମୁଖି ହେଉଥିବାରୁ ଏକ ଆରାମଦାୟକ ଜୀବନ ବିତାଇବା ତୁଳନାରେ ବିବାହକୁ ନିମ୍ନ ଭାବୁଛନ୍ତି । ସହରାଞ୍ଚଳରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଏବଂ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଲିଭିଂ ଇନ୍ ରିଲେସନସିପ୍ ସଂଖ୍ୟା ବଢୁଥିବାରୁ ବିବାହ ଅନାଗ୍ରହ ଦେଖାଦେଇଛି ।
ଭାରତରେ ଜନସଂଖ୍ୟା ବୃଦ୍ଧି ହାର ଚୀନ ଏବଂ ଆମେରିକା ଅପେକ୍ଷା ଅଧିକ । କିନ୍ତୁ ଏହି ଦଶନ୍ଧି ଗୁଡ଼ିକରେ ଏହାର ବୃଦ୍ଧି କମିଛି । ପ୍ରତି ମହିଳାଙ୍କ କ୍ଷେତ୍ରରେ ଏହା ୨.୦ ଥିବାବେଳେ ଚୀନରେ ଏହା ୧.୨ ଏବଂ ଆମେରିକାରେ ଏହା ୧.୬ ଅଟେ । ସଂଖ୍ୟା ଗରିଷ୍ଠ ହିନ୍ଦୁ ଏବଂ ସଂଖ୍ୟାଲଘୁ ମୁସଲିମ୍, ଖ୍ରୀଷ୍ଟିଆନ, ଶିଖ୍, ବୌଦ୍ଧାଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଶିଶୁ ଜନ୍ମହାର ପୂର୍ବାପେକ୍ଷା କମ୍ ରହିଛି । ପ୍ରତି ମୁସଲମାନ ମହିଳାଙ୍କ କ୍ଷେତ୍ରରେ ୧୯୯୨ ମସିହାରେ ଜନ୍ମହାର ୪.୪ ଶିଶୁ ଥିବାବେଳେ ୨୦୧୯ ମସିହାରେ ଏହା ୨.୪କୁ ଖସିଛି । କାରଣ ଅଞ୍ଚଳ ହିସାବରେ ମହିଳାଙ୍କ ଫର୍ଟିଲିଟି ରେଟ୍ ଭିନ୍ନ ଭିନ୍ନ ରହିଛି । ଉଦାହରଣ ସ୍ୱରୂପ ବିହାରରେ ଏହା ସର୍ବାଧିକ ୨.୯୮ ଥିବାବେଳେ ମେଘାଳୟରେ ଏହା ୨.୯୧, ସିକିମ୍ ୧.୦୫ ଏବଂ ଗୋଆରେ ଏହା ୧.୩ ରହିଛି । ……
ନିକଟରେ ଭାରତର ଜନସଂଖ୍ୟା ବୃଦ୍ଧି ବିଶ୍ୱର ସର୍ବବୃହତ୍ତମ ଜନବହୁଳ ରାଷ୍ଟ୍ର ଚୀନକୁ ମଧ୍ୟ ପଛରେ ପକାଇଥିଲା । ବିଶେଷଜ୍ଞମାନଙ୍କ କହିବାନୁସାରେ ୧୯୫୦ ମସିହାରୁ ଭାରତର ଜନସଂଖ୍ୟା ଏକ ବିଲିୟନରୁ ଅଧିକ ବଢ଼ିଛି । ଯଦିଓ ଦେଶର ଜନସଂଖ୍ୟା କେତେ ବଢ଼ିଛି ତାର ସଠିକ୍ ଆକଳନ କରାଯାଇପାରିନି, ତେବେ ଭାରତ ଚୀନକୁ ଟପିଯାଇଛି ଏବା ନିଃସନ୍ଦେହ । କାରଣ ୨୦୧୧ ଜନଗଣନା ପରଠାରୁ ଭାରତ ସରକାର ଜନଗଣନା କରିନାହାଁନ୍ତି । ଆକଳନ କରାଯାଉଛି ୧.୪ ବିଲିୟନ ଲୋକ ଯାହାକି ସମଗ୍ର ୟୁରୋପର ଜନସଂଖ୍ୟା ୭୪୪ ମିଲିଅନ୍ କିମ୍ବା ଆମେରିକାର ଜନସଂଖ୍ୟା ଯାହାକି ୧.୦୪ ବିଲିୟନ ଠାରୁ ମଧ୍ୟ ଅଧିକ । ଅନ୍ୟପକ୍ଷରେ ଚୀନର ଜନସଂଖ୍ୟା ୧.୪ ବିଲିୟନ ଥିବାବେଳେ ତାହା ମନ୍ଥର ଗତିରେ ବଢୁଛି । କାରଣ ଜନସଂଖ୍ୟା ନିୟନ୍ତ୍ରଣ ପଦ୍ଧତିକୁ କଡ଼ାକଡ଼ି ଭାବେ ପାଳନ କରାଯିବାରୁ ଚୀନର ଜନସଂଖ୍ୟା ନିୟନ୍ତ୍ରିତ ଭାବେ ବଢୁଥିବାବେଳେ ଭାରତରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନଥିବାରୁ ଜନସଂଖ୍ୟା ବିସ୍ଫୋରଣ ଘଟୁଛି ।
ୟୁନାଇଟେଡ ନେସନର’ମିଡିୟମ ଭାରିଏଣ୍ଟ’ଆକଳନ ଅନୁସାରେ ଯଦି ଏହିଭଳି ଜନସଂଖ୍ୟା ବୃଦ୍ଧି ଘଟେ ତେବେ ଏହି ଦଶନ୍ଧିର ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧.୫ ବିଲିୟନ ପାର୍ କରିଯିବ ଏବଂ ଏହା ୨୦୬୪ ଯାଏ ମନ୍ଥର ଗତିରେ ବୃଦ୍ଧି ପାଇବାକୁ ଲାଗିବ ଯେତେବେଳେ କି ଏହା ୧.୭ ବିଲିୟନରେ ପହଞ୍ଚିବ । ଯଦି ଆମେ UNର ‘ହାଇ ଭାରିଏଣ୍ଟ’ଆକଳନକୁ ଦେଖିବା ଭାରତର ଜନସଂଖ୍ୟା ବୃଦ୍ଧି ପାଇ ୨୦୬୮ ସୁଦ୍ଧା ୨ ବିଲିୟନ ଛୁଇଁବ । UNର ‘ଲୋ ଭାରିଏଣ୍ଟ’ଅନୁସାରେ ଆମ ଦେଶର ଜନସଂଖ୍ୟା ୨୦୪୭ ଆରମ୍ଭରେ କମିବ ଏବଂ ୨୧୦୦ ସୁଦ୍ଧା ୧ ବିଲିୟନରେ ସୀମିତ ରହିବ ।
ତେବେ ଭାରତ ପାଇଁ ଆଶ୍ୱାସନାର କଥା ହେଉଛି ଏହା ଏକ ଯୁବ ଦେଶ, ଯେଉଁଠାରେ ସମୁଦାୟ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ୨୫ ବର୍ଷ ବୟସରୁ କମ୍ ବୟସର ଯୁବକ । ଏହି ଯୁବକମାନଙ୍କ ପରିଶ୍ରମ ବଳରେ ଦେଶରେ ଶିଳ୍ପ, କଳକାରଖାନା, ବ୍ୟବସାୟ, ବାଣିଜ୍ୟ ଏବଂ ଭିତ୍ତିଭୂମିର ଆଶାନୁରୂପ ବିକାଶ ହେବାର ଭରପୂର ସମ୍ଭାବନା ରହିଛି । ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ଜନସଂଖ୍ୟାର ଏକ ବଡ଼ ଭାଗ ବୟସ୍କ ବ୍ୟକ୍ତି ବିଶେଷ ହୋଇଥିବା ବେଳେ ଭାରତ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା । ଭାରତରେ ମଧ୍ୟମ ବୟସ ୨୮ ରହିଥିବା ବେଳେ ଆମେରିକାରେ ଏହା ୩୮ ଏବଂ ଚୀନରେ ଏହା ୩୯ ବର୍ଷ ଅଟେ ।
ଜନସଂଖ୍ୟା ଦୃଷ୍ଟିରୁ ଭାରତ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଚୀନ ଓ ଆମେରିକା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏବର୍ଷ ସୁଦ୍ଧା ଭାରତରେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୭ ପ୍ରତିଶତ ହୋଇଥିବା ବେଳେ ଚୀନରେ ଏହା ୧୪ ପ୍ରତିଶତ ଏବଂ ଆମେରିକାରେ ୧୮ ପ୍ରତିଶତ ରହିଛି ।