ଇରାନରେ ୨୦୨୫ ଜୁଲାଇଠାରୁ ଅଟକ ରହିଥିବା ୧୦ ଜଣ ଭାରତୀୟ ନାବିକଙ୍କୁ ମୁକ୍ତ କରାଯାଇଛି। ମଙ୍ଗଳବାର ଭାରତର ଜାହାଜ ଚଳାଚଳ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଏଏଫପି ଅନୁଯାୟୀ, ନିରନ୍ତର କୂଟନୈତିକ ପ୍ରୟାସ ଓ ଆଲୋଚନା ପରେ ଇରାନ ସରକାର ଏହି ନାବିକମାନଙ୍କୁ ମୁକ୍ତ କରିବାକୁ ସମ୍ମତି ଦେଇଥିଲା।

ଏହି ନାବିକମାନେ MV Harbour Phoenix ନାମକ ତେଲ ବାହୀ ଜାହାଜର କ୍ରୁ ସଦସ୍ୟ ଥିଲେ ଏବଂ ଜାହାଜଟି ଇରାନ ନିକଟସ୍ଥ ଜଳସୀମାରେ ଅଟକ ହେବା ପରେ ସେମାନଙ୍କୁ ଧରାଯାଇଥିଲା। ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଶୀଘ୍ର ଭାରତକୁ ଫେରାଇବା ପାଇଁ ପ୍ରକ୍ରିୟା ଚାଲିଛି।ଜାସ୍କ ବନ୍ଦର ନିକଟରେ ଜାହାଜଟିକୁ ଅଟକାଇବା ପରେ ଏମଭି ହାର୍ବର ଫୋନିକ୍ସରେ କାର୍ଯ୍ୟରତ କ୍ରୁ ସଦସ୍ୟମାନଙ்କୁ ଇରାନ କର୍ତ୍ତୃପକ୍ଷ ଗିରଫ କରିଥିଲେ। ପରେ ଭାରତ ସରକାରଙ୍କ ଲଗାତାର କୂଟନୈତିକ ପ୍ରୟାସ ଫଳରେ ସମସ୍ତ ୧୦ ଜଣ ଭାରତୀୟ ନାବିକଙ୍କୁ ମୁକ୍ତ କରାଯାଇଛି।
ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ ପକ୍ଷରୁ କୁହାଯାଇଛି ଯେ, ନାବିକମାନେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ନାବିକମାନଙ୍କ ମୁକ୍ତି ପାଇଁ ଆଲୋଚନା ସମୟରେ ଭାରତ ‘ନିରବ କୂଟନୀତି’ ନୀତିକୁ ଅନୁସରଣ କରିଥିଲା।
ତେବେ ନାବିକମାନଙ୍କୁ କେଉଁ କାରଣରେ ଅଟକ ରଖାଯାଇଥିଲା ଓ ଜାହାଜ ସମ୍ପର୍କିତ ଅଧିକ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଭାରତ ବିଶ୍ୱର ଅଗ୍ରଣୀ ବାଣିଜ୍ୟିକ ନାବିକ ଯୋଗାଣକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଓ ହଜାର ହଜାର ଭାରତୀୟ ନାବିକ ଗଲ୍ଫ ଅଞ୍ଚଳର ବିଭିନ୍ନ ସିପିଂ ରୁଟରେ କାର୍ଯ୍ୟରତ ଅଛନ୍ତି।