
ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଖରା ଓ ଗରମ ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ଘରୁ ବାହାରିବା ମାତ୍ରେ ଝାଳରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଅଧିକ ସମୟ ବାହାରେ ରହିଲେ ମୁଣ୍ଡ ବୁଲାଇ ବାନ୍ତି ହେବା ସହ ଦେହରୁ ଜଳୀୟ ଅଂଶ କମିଗଲା ଭଳି ଲାଗୁଛି। ଏପରି ପରିସ୍ଥିତିରେ ଶରୀରକୁ ଭିତରୁ ଥଣ୍ଡା ରଖିବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ପ୍ରକୃତିର ଏକ ଅମୂଲ୍ୟ ଉପହାର ହେଉଛି ତାଳସଜ ବା ଆଇସ୍ ଆପଲ୍।
ତାଳ ଗଛରେ ଫଳୁଥିବା ଏହି ସ୍ୱାଦିଷ୍ଟ ଫଳ ଗ୍ରୀଷ୍ମ ଋତୁରେ ଶରୀର ପାଇଁ ବେଶ ଉପକାରୀ ବୋଲି ମନାଯାଏ। ତାଳସଜରେ ପ୍ରଚୁର ପରିମାଣରେ ପାଣି, ଭିଟାମିନ୍ ରହିଥାଏ, ଯାହା ଶରୀରର ଜଳୀୟ ଅଂଶକୁ ସନ୍ତୁଳିତ ରଖିବାରେ ସହାୟକ ହୁଏ। ଏହା ଖାଇଲେ ଶରୀର ତୁରନ୍ତ ସତେଜ ଅନୁଭବ କରେ ଏବଂ ଡିହାଇଡ୍ରେସନ୍ ଭଳି ସମସ୍ୟାର ଆଶଙ୍କା କମିଥାଏ। ତାଳସଜକୁ ଲିଭର୍ ପାଇଁ ମଧ୍ୟ ଉପକାରୀ ଫଳ ଭାବେ ଗଣାଯାଏ। ଏହା ଶରୀରର ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟତା କରି ଲିଭର୍ର କାର୍ଯ୍ୟକ୍ଷମତାକୁ ସମର୍ଥନ ଦେଇଥାଏ। ସେହିପରି ଏଥିରେ ଥିବା ପୋଷକ ତତ୍ତ୍ୱ ତ୍ୱଚାକୁ ଭିତରୁ ପୋଷଣ ଯୋଗାଇ ମୁହଁର ଚମକ ବଢ଼ାଇବାରେ ସହାୟକ ହୁଏ।
ବିଶେଷଜ୍ଞଙ୍କ ମତରେ, ତାଳସଜରେ ଥିବା ଇଲେକ୍ଟ୍ରୋଲାଇଟ୍ ଓ ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ ଶକ୍ତି ଯୋଗାଇବା ସହ ଗରମ ଜନିତ କ୍ଳାନ୍ତିକୁ ଦୂର କରିଥାଏ। ଏହାର ମୃଦୁ ଓ ରସାଳୁ ଗୁଦା ଶରୀରକୁ ତୁରନ୍ତ ଥଣ୍ଡା ଅନୁଭୂତି ଦେଇଥାଏ।ତେଣୁ ଏହି ଖରାଦିନରେ ତରଭୁଜ ଓ ଖରଭୁଜ ସହ ନିଜ ଖାଦ୍ୟ ତାଲିକାରେ ତାଳସଜକୁ ମଧ୍ୟ ସାମିଲ କରନ୍ତୁ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଶରୀରକୁ ସୁସ୍ଥ, ସତେଜ ଓ ହାଇଡ୍ରେଟେଡ୍ ରଖିବାରେ ମଧ୍ୟ ବେଶ ସହାୟକ।