Month: May 2023

  • ଗୁଜରାଟ ବନ୍ଦରରେ ପହଞ୍ଚିବା ପୂର୍ବରୁ ୨୬୦୦ କେଜି ଡ୍ରଗ୍ସ ଜବତ

    ଗୁଜରାଟ ବନ୍ଦରରେ ପହଞ୍ଚିବା ପୂର୍ବରୁ ୨୬୦୦ କେଜି ଡ୍ରଗ୍ସ ଜବତ

    ଭାରତୀୟ ନୌସେନାର ଗୁଇନ୍ଦା ୟୁନିଟ୍ ଏବଂ NCBର ମିଳିତ ଅଭିଯାନ ବେଳେ ବଡ଼ ସଫଳତା । ଆରବ ସାଗରରେ ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଏହା ଆଜି ପର୍ଯ୍ୟନ୍ତ ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ବୋଲି ଜଣାପଡ଼ିଛି । ପ୍ରାୟ ୨୬ ଶହ କିଲୋଗ୍ରାମର ଡ୍ରଗ୍ସ ଜବତ କରିଛି ନୌସେନା ଓ ଏନସିବି । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୨ ହଜାର କୋଟି ଟଙ୍କା ହେବ । ଜବତ କରାଯାଇଥିବା ଡ୍ରଗ୍ସ ଇରାନରୁ ଭାରତ ଆସୁଥିଲା । ଗୁଜରାଟ ବନ୍ଦରରେ ପହଞ୍ଚିବା ପୂର୍ବରୁ ଡ୍ରଗ୍ସ ଜବତ ହୋଇଥିବା ନୌସେନାର ଜଣେ ଅଧିକାରୀ କହିଛନ୍ତି ।

    ଘଟଣାରେ ମାଫିଆକୁ ଗିରଫ କରିଛି ମିଳିତ ଟିମ୍ । ୨ ହଜାର ୬୦୦ କେଜି ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି । ଧରାପଡ଼ିଥିବା ମାଫିଆକୁ କୋଚି ବନ୍ଦର ନିଆଯାଇଛି । ଏନସିବି ଏବଂ ନୌସେନା ପକ୍ଷରୁ ମିଳିତ ତଦନ୍ତ କରାଯାଉଛି । ଏହି ରାକେଟରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଖୋଳତାଡ଼ ଜାରି ରହିଛି ।ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଏନେଇ ପୂର୍ବରୁ ଖବର ମିଳିଥିଲା । ଆରବ ସାଗର ରାସ୍ତାରେ ଡ୍ରଗ୍ସ ମାଫିଆମାନେ ଭାରତର କୌଣସି ସମୁଦ୍ରୀ ଉପକୂଳରେ ଡ୍ରଗ୍ସ ଡେଲିଭର କରିବାକୁ ଚାହୁଁଥିବା ନେଇ ସୂଚନା ମିଳିବା ପରେ ସତର୍କ ଥିଲା ଟିମ୍ ।

    ଖବରକୁ ଭିତ୍ତି କରି ନୌସେନା ଏବଂ ଏନସିବି ଏକ ମିଳିତ ଅପରେସନକୁ ରୂପ ଦେଇଥିଲେ ଏବଂ କୋଟି କୋଟି ଟଙ୍କାର ଡ୍ରଗ୍ସ ଧରିଥିଲେ । ନୌସେନାର ଜାହାଜ INSTEGF-45 ଏହି ଡ୍ରଗ୍ସ କନସାଇନମେଣ୍ଟ ଆରବ ସାଗର ଅଞ୍ଚଳରୁ ଧରିଛି । ଏହା ପୂର୍ବରୁ ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟ୍ ଫେବ୍ରୁଆରୀ ୨୦୨୨ରେ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା । ଗୁଜରାଟକୁ ଲାଗି ବିଭିନ୍ନ ଅଞ୍ଚଳରୁ ଅନେକ ଥର କୋଟି କୋଟି ଟଙ୍କାର ଡ୍ରଗ୍ସ ଧରାଯାଇଛି । ହେଲେ ଭାରତ ଅଣାଯାଉଥିବା ଏହା ଏପର୍ଯ୍ୟନ୍ତ ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ବୋଲି କହିଛନ୍ତି ଅଧିକାରୀ । ପୂର୍ବରୁ ଡ୍ରଗ୍ସ ମାମଲାରେ ଅନେକ ମାଫିଆ ଗିରଫ ହୋଇଛନ୍ତି । ନୌସେନା, ପୋଲିସ, NCB ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ଗତିବିଧି ଉପରେ ନଜର ରଖି ଅନେକ ମାଫିଆଙ୍କୁ ଗିରଫ କରିଛି । ଏବେ ଇରାନରୁ ଆସିଥିବା ଏହି ଡ୍ରଗ୍ସ କାରବାରର ମାଷ୍ଟରମାଇଣ୍ଡ କିଏ ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ଟିମ୍ ।

  • ଜୀବନରେ ପିତା-ମାତାଙ୍କୁ ସବୁଠୁ ବେଶୀ ପ୍ରେମ କର, ମନ୍ଦିର ଯିବା ଦରକାର ପଡ଼ିବନି: ଅନୁଭବ

    ଜୀବନରେ ପିତା-ମାତାଙ୍କୁ ସବୁଠୁ ବେଶୀ ପ୍ରେମ କର, ମନ୍ଦିର ଯିବା ଦରକାର ପଡ଼ିବନି: ଅନୁଭବ

    ଷ୍ଟେଜ ଉପରେ ଭାବବିହ୍ୱଳ ହେଲେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଭାଷଣ ଭିତରେ କହୁ କହୁ କହିଦେଲେ ମନର ବେଦନା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଠାରେ ପ୍ରଭୁ ବଳଦେବଜୀଉଙ୍କ ପବିତ୍ର ପୀଠରେ ଚନ୍ଦନ ଯାତ୍ରା ଚାଲିଥାଏ । ଏହି ଉପଲକ୍ଷେ ମାହାଙ୍ଗା ମହୋତ୍ସବର ଆୟୋଜନ କରିଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଉଦଯାପନି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ଭଳି ମଞ୍ଚରେ ଥିଲେ ସାଂସଦ ଅନୁଭବ ମହାନ୍ତି । ଭାଷଣ ଦେବାର ସମୟ ଆସିଲା । ଅନୁଭବ ଆଜିର ଯୁବକ ପିଢ଼ିଙ୍କୁ ବୁଝାଇ ଦେଲେ ପ୍ରକୃତ ପ୍ରେମର ସଂଜ୍ଞା ଏବଂ ଉପସ୍ଥିତ ହଜାର ହଜାର ଦର୍ଶକ ମାନଙ୍କୁ ସମ୍ବୋଧନ କଲାବେଳେ ନିଜେ ଭାବବିହ୍ୱଳ ହୋଇ ବଖାଣିଲେ ନିଜ ପ୍ରେମର ଅଙ୍ଗେଲିଭା କଥା । ନିଜ ଜୀବନର କାହାଣୀ , ପୃଥିବୀର ସବୁଠୁ ବଡ଼ ସିନେମା ହୋଇଗଲାଣି ବୋଲି କହିଥିଲେ ଅନୁଭବ ମହାନ୍ତି । ଆଉ ତାଙ୍କୁ ଏହି ସମୟ ଭିତରେ ଯେମିତି ବଡ଼ କ୍ରୀମିନାଲ ପରି ଲାଗିଲାଣି ବୋଲି କହିଥିଲେ ।

    ହଁ ଆଜ୍ଞା ଓଲିଉଡ ହିରୋ ଅନୁଭବ ମହାନ୍ତି ଆଉ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଲଭ ଷ୍ଟୋରୀ କାହାକୁ ବା ଅଛପା । ପ୍ରେମ ସିନ୍ଦୁରର ରୂପ ନେଲା ପରେ ଦୁହିଙ୍କ ଜୀବନରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ତେଣୁ ଅଭିନେତା ଅନୁଭବ ମହାନ୍ତି ଅବା କେମିତି ଭୁଲିପାରିବେ ପ୍ରେମର ସେହି କରୁଣ ପରିଣତିକୁ । ଆଉ ସେଥିପାଇଁ ଭରା ସଭାରେ ପ୍ରେମକୁ ନେଇ ବହୁତ କିଛି କହିଗଲେ ଅନୁଭବ ମହାନ୍ତି । ଅନୁଭବ କହିଥିଲେ, ”ଭାଇମାନେ ପ୍ରେମ କର, ପ୍ରେମ ଠୁ ପବିତ୍ର ଜିନିଷ ଆଉ କିଛି ବି ନାହିଁ । ହେଲେ ପ୍ରେମ କଲାବେଳେ ଟିକେ ଦେଖି ଚାହିଁ କର । ତମେ ଜନ୍ମ ହେଲା ବେଳେ ଯିଏ ତମକୁ ଅଧିକ ଭଲପାଉଥିଲେ ସେ ହେଉଛନ୍ତି ତମ ବାପା-ମା । ତେଣୁ ତମ ବାପା ମାଙ୍କୁ ତମେ ଅଧିକ ଭଲପାଅ ।”

  • କିଣିଥିଲେ ୭୦୦୦ ହଜାରରେ, ବିକିଲେ ୪୧ ଲକ୍ଷରେ

    କିଣିଥିଲେ ୭୦୦୦ ହଜାରରେ, ବିକିଲେ ୪୧ ଲକ୍ଷରେ

    କୌଣସି ସାମଗ୍ରୀ କିଣିଲେ ସମୟ ସହ ତାଳ ଦେଇ ତାର ମୂଲ୍ୟ ହ୍ରାସ ହୋଇଥାଏ।  ଏହାକୁ ଡେପ୍ରିସିଏସନ କୁହାଯାଏ। ଏହି ଡେପ୍ରିସିଏସନ ପାଇଁ ଥରେ କୌଣସି ଜିନିଷ କିଣି ତାକୁ କିଛି ଘଣ୍ଟାରେ ବିକିଲେ ମଧ୍ୟ ତାର ମୂଲ୍ୟ ହ୍ରାସ ହୋଇଥାଏ। ସେଥିପାଇଁ ଅନେକ ମଧ୍ୟ ବହୁ କ୍ଷତି ସହିଥାନ୍ତି। ହେଲେ ୬୦ ବର୍ଷ ତଳେ କିଣାଯାଇଥିବା ଏକ ଘଣ୍ଟାକୁ ଜଣେ ବ୍ୟକ୍ତି କିଣା ମୂଲ୍ୟର ସାଢେ ୫ଗୁଣା ଅଧିକ ଦରରେ ବିକ୍ରି କରିଛନ୍ତି।  ୭୦୦୦ ଟଙ୍କାରେ କିଣାଯାଇଥିବା ଘଣ୍ଟା ବର୍ତ୍ତମାନ ୪୧ ଲକ୍ଷରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛି। ଜଣେ ବ୍ୟକ୍ତି ତାଙ୍କ ପିତାଙ୍କ ମୃତ୍ୟୁ ପରେ ପିତାଙ୍କ ଘଣ୍ଟାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଡାକିଥିଲେ ନିଲାମ। ଆଉ ବ୍ୟକ୍ତିଙ୍କ ପିତା ୬୦ ବର୍ଷ ପୂର୍ବେ ୭୦୦୦ ଟଙ୍କାରେ କିଣିଥିବା ଘଣ୍ଟାକୁ ବିକ୍ରି କରିଛନ୍ତି ୪୧ ଲକ୍ଷ ଟଙ୍କାରେ। ତେବେ ଏହା କିପରି ସମ୍ଭବ ହେଲା?  ଆସନ୍ତୁ ଜାଣିବା ଏହାର କାରଣ।

    ରିପୋର୍ଟ ଅନୁଯାୟୀ, ଏହା ହେଉଛି ଏକ ଆଣ୍ଟିକ୍ ୱାଚ୍, ଯାହା ସ୍ୱିସ୍ କମ୍ପାନୀ ରୋଲେକ୍ସ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ୬ ଦଶନ୍ଧି ପୁରୁଣା ହୋଇଥିଲେ ମଧ୍ୟ ଘଣ୍ଟାଟି କାମ କରୁଛି I ଏହା ବ୍ୟତିତ,  ଏହାର ନିଜସ୍ୱ ଏକ ଇତିହାସ ରହିଛି | ଏହି କାରଣରୁ ୬୦ ବର୍ଷର ଘଣ୍ଟା ୪୧ ଲକ୍ଷ ପାଉଣ୍ଡରୁ ଅଧିକ ମୂଲ୍ୟରେ ବିକ୍ରି ହୋଇପାରିଛି ।  ନିକଟରେ ଏହା TW GAZE ଦ୍ୱାରା ପରିଚାଳିତ ଅନଲାଇନ୍ ନିଲାମରେ ବିକ୍ରି ହୋଇଥିଲା | କିଣିଥିବା ବ୍ୟକ୍ତି ତାଙ୍କର ପରିଚୟ ଲୁଚାଇବା ସର୍ତ୍ତରେ କହିଛନ୍ତି କି, ବ୍ରିଟେନ ବାସିନ୍ଦା ସାଇମନ୍ ବର୍ନେଟ୍ ୧୯୬୩ ରେ ଏହି ଘଣ୍ଟାଟି କିଣିଥିଲେ | ସାଇମନ୍ ରୟାଲ୍ ନୌସେନାର ସର୍ଚ୍ଚ-ଉଦ୍ଧାରକାରୀ ଡାଇଭର ଥିଲେ | ୨୦୧୯ ରେ ତାଙ୍କ ମୃତ୍ୟୁ ହୋଇଥିଲା।  ଏହି ଘଣ୍ଟାଟି ତାଙ୍କ ପୁଅ ପିଟର ବର୍ନେଟ୍ କୁ ଉତ୍ତରାଧିକାରୀ ଭାବେ ମିଳିଥିଲା I ପିଟର ପୋଲିସ ସେବାରୁ ଅବସର ନେଇଛନ୍ତି। କିନ୍ତୁ ଆଣ୍ଟିକ ଘଣ୍ଟା ପିନ୍ଧି ବୁଲିବା ତାଙ୍କୁ ଅସହଜ ଲାଗୁଥିଲା | ଏଥି ସହ ତାର ରକ୍ଷଣ ବେକ୍ଷଣ କରିପାରୁନଥିଲେ। ତେଣୁ ସେ ଏହାକୁ ନିଲାମ କରିବାକୁ ନିଷ୍ପତି ନେଇଥିଲେ I

    British Pound Sterling banknotes are stacked in piles at the Money Service Austria company’s headquarters in Vienna, Austria, on Nov. 16, 2017.

    ପିଟରଙ୍କ ପିତା ଏହି ଆଣ୍ଟିକ ଘଣ୍ଟା (୧୯୬୩ ରୋଲକ୍ସ ସବମେରିନର୍ ୱାଚ୍) କୁ ୭୦ ପାଉଣ୍ଡ (ପ୍ରାୟ ୭୦୦୦ ଟଙ୍କା) ରେ କିଣିଥିଲେ |କିନ୍ତୁ ବର୍ତ୍ତମାନ ଏହା ୪୦,୦୦୦ ପାଉଣ୍ଡ (ପ୍ରାୟ ୪୧ ଲକ୍ଷ ଟଙ୍କା) ରେ ବିକ୍ରି ହୋଇଛି | ତେବେ,  ପିଟର ପିତାଙ୍କ ଜିନିଷ ନିଲାମରେ ବିକ୍ରୟ କରିବା ସହଜ ନଥିଲା। ପିଟର ଏସମ୍ପର୍କ କୁହନ୍ତି, ‘ଏଥିରେ ଅନେକ ସ୍ମୃତି ଯୋଡି ହୋଇ ରହିଥିଲା | ତେଣୁ ତାକୁ ବିକ୍ରୟ କରିବା ମୋ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତି ଥିଲା କିନ୍ତୁ ମୁଁ ଏତେ ଦାମୀ ଘଣ୍ଟା ପିନ୍ଧି କୌଣସି ସ୍ଥାନକୁ ଯାଇପାରୁନଥିଲି |ବର୍ତ୍ତମାନ ପିଟର ଘଣ୍ଟା ବିକ୍ରୟରୁ ପାଇଥିବା ରାଶିରେ ବହୁତ ଖୁସି |

  • ଅତି ଭୀଷଣ ରୂପରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ମୋକା’

    ଅତି ଭୀଷଣ ରୂପରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ମୋକା’

    ଶେଷରେ ସ୍ଥଳଭାଗ ଛୁଇଁଲ ଅତି ଭୀଷଣ ବାତ୍ୟା ‘ମୋକା’ । ବାଂଲାଦେଶର କକ୍ସବଜାର ଏବଂ ଉତ୍ତର ମିଆଁମାର ଉପକୂଳ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିଛି । ଏହାର ପ୍ରଭାବରେ ବାଂଲାଦେଶ,ମିଆଁମାର ଉପକୂଳରେ ପ୍ରବଳ ବର୍ଷା ହୋଇଛି । ଏଥିସହ ଘଣ୍ଟାକୁ ୨ ଶହ କିଲୋମିଟର ବେଗରେ ପବନ ବହୁଛି । ବାଂଲାଦେଶର କକ୍ସବଜାର, ଚଟ୍ଟଗ୍ରାମ ଓ ପାୟରା ବନ୍ଦରରେ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଗତ ଦୁଇ ଦଶନ୍ଧି ଭିତରେ ମୋକା ସବୁଠୁ ଶକ୍ତିଶାଳୀ ବାତ୍ୟା ଭାବେ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି । ଭାସନ ଚାର ଉପକୂଳରେ ୫୫ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମିତ କରାଯାଇଛି । ୩୦ ହଜାରରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ସ୍ଥାନାନ୍ତର କରାଯାଇଛି ।

    ସାମୁଦ୍ରିକ ବାତ୍ୟା ‘ମୋକା’ମୁକାବିଲା ପାଇଁ ପୂର୍ବରୁ ଜୋରଦାର ପ୍ରସ୍ତୁତି କରିଥିଲେ ବାଂଲାଦେଶ ସରକାର । ଦକ୍ଷିଣ ପୂର୍ବାଞ୍ଚଳରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ସ୍ଥିତି ସମୀକ୍ଷା କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କକ୍ସ ବଜାର ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ।

    ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିସହ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । କକ୍ସ ବଜାର ଅଞ୍ଚଳରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ରହୁଥିବାରୁ ସେଠାରେ ସ୍ଥିତି ଉପରେ ନଜର ରଖାଯାଇଛି । ସେହି ଅଞ୍ଚଳ ଅଧିକ ବିପର୍ଯ୍ୟସ୍ତ ହେବା ଆଶଙ୍କା କରାଯାଉଛି । ୮ ହଜାର ୬୦୦ ରେଡ୍ କ୍ରିସେଣ୍ଟ ସ୍ୱେଚ୍ଛାସେବୀ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଅନ୍ୟାନ୍ୟ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ବାତ୍ୟା ଯୋଗୁଁ ୮ରୁ ୧୨ ଫୁଟର ଜୁଆର ଆସିବା ଆଶଙ୍କା ରହିଛି । ସେଥିପାଇଁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

    ମୋକାର ପ୍ରଭାବରେ ବାଂଲାଦେଶ ଓ ମିଆଁମାର ସୀମାରେ ଘଣ୍ଟା ପ୍ରତି ୧୯୦ରୁ ୨୦୦ କିମି ବେଗରେ ପବନ ବହିବାରେ ଲାଗିଛି। ବେଳେବେଳେ ପବନର ବେଗ ୨୨୦ ମଧ୍ୟ ଛୁଇଁଥିବା ଢାକା ଟ୍ରିବ୍ୟୁନରେ ରିପୋର୍ଟ ପ୍ରକାଶ ପାଇଛି । ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଏଥିସହ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି । ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଗ୍ୟାସ ଷ୍ଟେସନକୁ ବନ୍ଦ କରାଯାଇଥିଲା । ଏଥିଯୋଗୁଁ ଗ୍ୟାସ୍ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦୁଇ ଦଶନ୍ଧି ପରେ କୌଣସି ବଡ଼ ଧରଣର ବାତ୍ୟା ବାଂଲାଦେଶ ଉପକୂଳରରେ ପ୍ରଭାବ ପକାଇଛି।

    ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇପାରିନି ସାମୁଦ୍ରିକ ବାତ୍ୟା ‘ମୋକା’। ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି କରିଥିବା ବେଳେ ଏହାର ଗତିପଥ ବଦଳିଗଲା । ଓଡ଼ିଶାରେ ପ୍ରଭାବହୀନ ରହିଛି ମୋକା ।

  • ଆପଣ କେବେ ଭାବିଛନ୍ତି କି ଗୋଟିଏ ଉଡାଜାହାଜର ଦାମ୍ କେତେ ହୋଇଥିବ? ତେବେ ଆସନ୍ତୁ ଜାଣିବା…

    ଆପଣ କେବେ ଭାବିଛନ୍ତି କି ଗୋଟିଏ ଉଡାଜାହାଜର ଦାମ୍ କେତେ ହୋଇଥିବ? ତେବେ ଆସନ୍ତୁ ଜାଣିବା…

    ଆପଣ ବସ୍, ବାଇକ ଆଦିରେ ଯିବା ଆସିବା କରିଥିବେ ନିଶ୍ଚୟ । ଏହା ଅଳ୍ପ ବାଟ ଯାତାୟତ ପାଇଁ ସହଜ ହୋଇଥିାଏ । ଆଉ ଏଥିରେ ବହୁତ କମ୍ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ବଜାରରେ ଗୋଟେ ନୂଆ ବାଇକର ଦାମ୍ ୫୦,୦୦୦ରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି କାର୍ କିମ୍ବା ବସର ଦାମ୍ ମଧ୍ୟ ଆପଣଙ୍କୁ ଉଣା ଅଧିକେ ଜଣାଥିବ । ହେଲେ ଆପଣ ଉଡାଜାହାଜରେ କେବେ ଯାତ୍ରା କରିଥାନ୍ତୁ କି ନଥାନ୍ତୁ, ଦେଖିଥିବେ ତ ନିଶ୍ଚୟ । କିନ୍ତୁ ଜାଣିଛନ୍ତି ଗୋଟିଏ ଉଡାଜାହାଜର ଦାମ୍ କେତେ । ବାସ୍ତବରେ ଯେମିତି ବାଇକ, କାର କିମ୍ବା ବସ ଆଦିର ଦାମ୍ ସ୍ଥିର ନଥାଏ ଠିକ ସେମିତି ଉଡାଜାହାଜର ମଧ୍ୟ ଦାମ୍ ସ୍ଥିର ନୁହେଁ । ସେଥିରେ ଲାଗୁଥିବା ଉପକରଣ ହିଁ ଉଡାଜାହାଜର ଦାମ୍ ନିର୍ଦ୍ଧାରିତ କରିଥାଏ । ଉଡାଜାହାଜର ଅତ୍ୟାଧୁନିକତା ଅନୁସାରେ ତାର ଦାମ୍ ସ୍ଥିର ହୋଇଥାଏ ।

    ଏବେ ଆସନ୍ତୁ ଜାଣିବା ମୋଟାମୋଟି ଭାବେ ଗୋଟେ ଉଡାଜାହାଜର ଦାମ୍ କେତେ ହୋଇଥିବ । ଫାଇନାନ୍ସିଂ ଅନଲାଇନ ଓ୍ବେବସାଇଟ ମୁତାବକ, ଗଲ୍ଫଷ୍ଟିମ-୪ ବିମାନର ମୂଲ୍ୟ ୩୮ ମିଲିୟନ ଡଲାର ହୋଇଥାଏ । ସେହିପରି ବି-୨ ସ୍ପିରିଟ ବିମାନର ଦାମ୍ ୭୩୭ ମିଲିୟନ ଡଲାର ହୋଇଥାଏ । ଯଦି ସବୁଠୁ ଦାମୀ ଏରୋପ୍ଲେନ ବିଷୟରେ କଥା ହେବା, ତାହେଲେ ବୋଇଙ୍ଗ କମ୍ପାନୀର ବିମାନ ଆଗରେ ରହିବ ।

    ବିମାନରେ ଲାଗୁଥିବା ଅତ୍ୟାଧୁନିକ ଜ୍ଞାନକୌଶଳ, ଯନ୍ତ୍ରପାତି ଆଉ ମଣିଷର ଶ୍ରମ ହିଁ ବିମାନର ଦାମ୍ ସ୍ଥିର କରିଥାଏ । ଆଉ ଏହିସବୁ ଟେକନିକ କେବଳ ଆମେରିକା ଭଳି ମାତ୍ର କେତୋଟି ଦେଶ ପାଖରେ ରହିଛି । ତେଣୁ ଏହି ଦେଶ ଗୁଡିକର ଏହି ଦବଦବା ରହୁଥିବା ବେଳେ ସେମାନେ ବିଭିନ୍ନ ଦେଶକୁ ବିମାନ ବିକ୍ରି କରନ୍ତି । ଯେଉଁଥି ପାଇଁ ବିମାନର ଦାମ୍ ବହୁତ ବଢିଯାଇଥାଏ । ଏବେ ଭାରତ ସମେତ କେତେକ ଦେଶ ଏହି ବିମାନ ନିର୍ମାଣର ଜ୍ଞାନକୌଶଳ ବିକଶିତ କରିବାରେ ଲାଗିପଡିଛନ୍ତି ।

  • ବୁଡା ଜାହାଜରୁ ୨୫୦୦ କିଲୋଗ୍ରାମ ମେଥାମଫେଟାମାଇନ୍ ଡ୍ରଗ୍ସ ଜବତ

    ବୁଡା ଜାହାଜରୁ ୨୫୦୦ କିଲୋଗ୍ରାମ ମେଥାମଫେଟାମାଇନ୍ ଡ୍ରଗ୍ସ ଜବତ

    ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ମିଳିତ ଅପରେସନରେ କେରଳ ଉପକୂଳବର୍ତ୍ତୀ ଏକ ଜାହାଜରୁ ପ୍ରାୟ ୨୫୦୦ କିଲୋଗ୍ରାମ ମେଥାମଫେଟାମାଇନ୍ ଡ୍ରଗ୍ସ ଜବତ କରାଯାଇଛି। ଜବତ ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧୨୦୦୦ କୋଟି ଟଙ୍କା ହେବ।  ଆଣ୍ଟି ଡ୍ରଗ୍ ଏଜେନ୍ସି ସୂଚନା ଦେଇଛି ଯେ ୧୩ ମଇ ଅର୍ଥାତ୍ ଶନିବାର ଦିନ ଦେଶରେ ସବୁଠାରୁ ବଡ ମେଥାମଫେଟାମାଇନ୍  ଜବତ। ଏହା ସହିତ ଆହୁରି ସୂଚନା ଦିଆଯାଇଛି କି,  ଡ୍ରଗ୍ସ  ସଂପର୍କରେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖାଯାଇଛି। ଏତେ ପରିମାଣର ମେଥାମପେଟାମାଇନ୍ ସହ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଇଛି।

    ଜବତ ଉଚ୍ଛେଦ ସମ୍ପର୍କରେ ଏନସିବି ଅପରେସନ୍ ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ ସଞ୍ଜୟ କୁମାର ସିଂ କହିଛନ୍ତି ଯେ ଏହା ‘ଅପରେସନ୍ ସମୁଦ୍ରଗୁପ୍ତ’ ର ଏକ ଅଂଶ | ମୁଖ୍ୟତଃ ସମୁଦ୍ର ପଥ ଦେଇ ଆଫଗାନିସ୍ତାନରୁ ଆସୁଥିବା ଔଷଧ ଏବଂ ଡ୍ରଗ୍ସର ଚୋରା ଚାଲାଣକୁ ରୋକିବାକୁ ଅପରେସନ ସମୁଦ୍ରଗୁପ୍ତର ଆରମ୍ଭ କରାଯାଇଛି। ଡ୍ରଗ୍ସ ବିରୋଧୀ ଏଜେନ୍ସି କହିଛି କି, ଏନସିବି ଦ୍ୱାରା ଗତ ଦେଢ଼ବର୍ଷ ମଧ୍ୟରେ ଦକ୍ଷିଣ ମାର୍ଗ ଦେଇ ହେଉଥିବା ଡ୍ରଗ୍ କାରବାରର ଏହା ହେଉଛି ତୃତୀୟ ପ୍ରମୁଖ ଜବତ । ଏହି ଅପରେସନ ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୩୨୦୦ କିଲୋଗ୍ରାମ ମିଥାମଫେଟାମାଇନ୍, ୫୦୦ କିଲୋଗ୍ରାମ ହେରୋଇନ୍ ଏବଂ ୫୨୯ କିଲୋଗ୍ରାମ ହାଶିଶ ଜବତ କରାଯାଇଛି।

  • ‘ଆମକୁ ବଞ୍ଚିବା ପାଇଁ ଟଙ୍କିକିଆ ଚାଉଳ ନଦେଲେ ନଦିଅନ୍ତୁ’

    ‘ଆମକୁ ବଞ୍ଚିବା ପାଇଁ ଟଙ୍କିକିଆ ଚାଉଳ ନଦେଲେ ନଦିଅନ୍ତୁ’

    ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ମଣିଷର ମୌଳିକ ଆବଶ୍ୟକତା l ଆଉ ଏହି ଆବଶ୍ୟକତାକୁ ପୂରଣ କରିବା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି l ବିଶେଷକରି କେହି ଯେମିତି ଭୋକିଲା ରହିବେ ନାହିଁ ସେଥିପାଇଁ ଗରିବମାନଙ୍କ ପାଇଁ ମାଗଣା ଚାଉଳ ବ୍ୟବସ୍ଥା କରାଯାଇଛି  l କିନ୍ତୁ ଯେଉଁ ଚାଉଳ ଯୋଗାଯାଉଛି ତାର ମାନକୁ ନେଇ ଉଠିଛି ପ୍ରଶ୍ନବାଚୀ। ଯୋଗାଣ ବିଭାଗରୁ ଯୋଗାଯାଉଥିବା ଚାଉଳ ପ୍ଲାଷ୍ଟିକ ଥିବା ଅଭିଯୋଗ ସହ ହିତାଧିକାରୀ ଚାଉଳ ରୋଷେଇ ନ କରି ଫୋପଡି ଦେଉଥିବା ଆଭିଯୋଗ କରୁଛନ୍ତି। ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ l

    ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମର ହିତାଧିକାରୀଙ୍କୁ ଦିଆଯାଇଥିବା ଚାଉଳରେ ପ୍ଲାଷ୍ଟିକ ଚାଉଳ ମିଶିଥିବା ନେଇ ହେଉଛି ଅଭିଯୋଗ। ଏନେଇ ଚିନ୍ତାରେ ଗରିବ ହିତାଧିକାରୀ l ହିତାଧିକାରୀ କହୁଛନ୍ତି, ପଛେ ଟଙ୍କାଟାରେ ଚାଉଳ ନ ଦେବ ନାଇଁ, ହେଲେ ମରିବା ପାଇଁ ପ୍ଲାଷ୍ଟିକ ଚାଉଳ ଦିଅ ନାହିଁ। ଏମିତି ଅଭିଯୋଗ ଆସିବା ପରେ ଯେତେବେଳେ ଆମେ ଏହାର ସତ୍ୟାସତ୍ୟ ଜାଣିବାକୁ ଚାହିଁଲୁ, ପାଇଲୁ କି ହିତାଧିକାରୀଙ୍କୁ ବଣ୍ଟନ ହୋଇଥିବା ଚାଉଳରେ ଚାଉଳ ସଦୃଶ୍ୟ ପ୍ଲାଷ୍ଟିକ ମିଶିଛି। ତେଣୁ ହିତାଧିକାରୀ ରୋଗ ବ୍ୟାଧିର ଆଶଙ୍କାରେ ଚାଉଳକୁ ଫିଙ୍ଗିବାକୁ ଶ୍ରେୟ ମଣୁଛନ୍ତି। କାରଣ ବଜାରରୁ ଚାଉଳ କିଣିବାକୁ ଟଙ୍କା ନ ଥିବା ଗରିବ ବାପୁଡା ରୋଗ ଚିକିତ୍ସା ପାଇଁ ଅର୍ଥ ଆଣିବ କେଉଁଠୁ?

    ସେପଟେ ଏନେଇ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚାରିବାରୁ  ସେ କହିଛନ୍ତି, ଚାଉଳକୁ ନେଇ ଭୟଭୀତ ହେବାର  କୌଣସି କାରଣ ନାହିଁ। ସେସବୁ ଭିଟାମିନ ଯୁକ୍ତ ଚାଉଳ । ଗତ ଅଗଷ୍ଟ ମାସରୁ  ଏପରି ଚାଉଳ ମିଶ୍ରଣ କରାଯାଉଛି। ଏହାକୁ ଖାଇଲେ କୌଣସି ଅସୁବିଧା ହେବ ନାହିଁ ।

    ଯୋଗାଣ ଅଧିକାରୀଙ୍କ ଉତ୍ତର ପରେ ପ୍ରଶ୍ନ ଉଠୁଛି, ଅଗଷ୍ଟ ମାସରୁ ମିଶ୍ରିତ ଚାଉଳ ବଣ୍ଟନ ହୋଇଆସୁଥିବା ବେଳେ ଲୋକଙ୍କୁ କାହିଁକି ସଚେତନ କରାଯାଇ ନାହଁ । ଲୋକେ ଭିଟାମିନ ଚାଉଳକୁ ନେଇ ସଚେତନ ହୋଇଥିଲେ ଭୟଭୀତ ହୋଇନଥାନ୍ତେ କି ଚାଉଳ ଫୋପଡା ଯାଇ ନଥାନ୍ତା।