ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ମଣିଷର ମୌଳିକ ଆବଶ୍ୟକତା l ଆଉ ଏହି ଆବଶ୍ୟକତାକୁ ପୂରଣ କରିବା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି l ବିଶେଷକରି କେହି ଯେମିତି ଭୋକିଲା ରହିବେ ନାହିଁ ସେଥିପାଇଁ ଗରିବମାନଙ୍କ ପାଇଁ ମାଗଣା ଚାଉଳ ବ୍ୟବସ୍ଥା କରାଯାଇଛି l କିନ୍ତୁ ଯେଉଁ ଚାଉଳ ଯୋଗାଯାଉଛି ତାର ମାନକୁ ନେଇ ଉଠିଛି ପ୍ରଶ୍ନବାଚୀ। ଯୋଗାଣ ବିଭାଗରୁ ଯୋଗାଯାଉଥିବା ଚାଉଳ ପ୍ଲାଷ୍ଟିକ ଥିବା ଅଭିଯୋଗ ସହ ହିତାଧିକାରୀ ଚାଉଳ ରୋଷେଇ ନ କରି ଫୋପଡି ଦେଉଥିବା ଆଭିଯୋଗ କରୁଛନ୍ତି। ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ l
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମର ହିତାଧିକାରୀଙ୍କୁ ଦିଆଯାଇଥିବା ଚାଉଳରେ ପ୍ଲାଷ୍ଟିକ ଚାଉଳ ମିଶିଥିବା ନେଇ ହେଉଛି ଅଭିଯୋଗ। ଏନେଇ ଚିନ୍ତାରେ ଗରିବ ହିତାଧିକାରୀ l ହିତାଧିକାରୀ କହୁଛନ୍ତି, ପଛେ ଟଙ୍କାଟାରେ ଚାଉଳ ନ ଦେବ ନାଇଁ, ହେଲେ ମରିବା ପାଇଁ ପ୍ଲାଷ୍ଟିକ ଚାଉଳ ଦିଅ ନାହିଁ। ଏମିତି ଅଭିଯୋଗ ଆସିବା ପରେ ଯେତେବେଳେ ଆମେ ଏହାର ସତ୍ୟାସତ୍ୟ ଜାଣିବାକୁ ଚାହିଁଲୁ, ପାଇଲୁ କି ହିତାଧିକାରୀଙ୍କୁ ବଣ୍ଟନ ହୋଇଥିବା ଚାଉଳରେ ଚାଉଳ ସଦୃଶ୍ୟ ପ୍ଲାଷ୍ଟିକ ମିଶିଛି। ତେଣୁ ହିତାଧିକାରୀ ରୋଗ ବ୍ୟାଧିର ଆଶଙ୍କାରେ ଚାଉଳକୁ ଫିଙ୍ଗିବାକୁ ଶ୍ରେୟ ମଣୁଛନ୍ତି। କାରଣ ବଜାରରୁ ଚାଉଳ କିଣିବାକୁ ଟଙ୍କା ନ ଥିବା ଗରିବ ବାପୁଡା ରୋଗ ଚିକିତ୍ସା ପାଇଁ ଅର୍ଥ ଆଣିବ କେଉଁଠୁ?
ସେପଟେ ଏନେଇ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି, ଚାଉଳକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ସେସବୁ ଭିଟାମିନ ଯୁକ୍ତ ଚାଉଳ । ଗତ ଅଗଷ୍ଟ ମାସରୁ ଏପରି ଚାଉଳ ମିଶ୍ରଣ କରାଯାଉଛି। ଏହାକୁ ଖାଇଲେ କୌଣସି ଅସୁବିଧା ହେବ ନାହିଁ ।
ଯୋଗାଣ ଅଧିକାରୀଙ୍କ ଉତ୍ତର ପରେ ପ୍ରଶ୍ନ ଉଠୁଛି, ଅଗଷ୍ଟ ମାସରୁ ମିଶ୍ରିତ ଚାଉଳ ବଣ୍ଟନ ହୋଇଆସୁଥିବା ବେଳେ ଲୋକଙ୍କୁ କାହିଁକି ସଚେତନ କରାଯାଇ ନାହଁ । ଲୋକେ ଭିଟାମିନ ଚାଉଳକୁ ନେଇ ସଚେତନ ହୋଇଥିଲେ ଭୟଭୀତ ହୋଇନଥାନ୍ତେ କି ଚାଉଳ ଫୋପଡା ଯାଇ ନଥାନ୍ତା।