ଦିଦିଙ୍କୁ ବଡ଼ ଝଟକା, ପ୍ରଥମ ଥର ସରକାର ଗଢ଼ିପାରେ ବିଜେପି
ବଙ୍ଗାଳରେ ବିଜେପିର ବଡ଼ ଲିଡ୍, ଟିଏମ୍ସି ପଡିଲା ପଛରେ
ପଶ୍ଚିମବଙ୍ଗରେ ଫୁଟିଲା ପଦ୍ମ, ବିଜେପିକୁ ସ୍ପଷ୍ଟ ବହୁମତ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ 2026ର ଭୋଟ ଗଣତି ଜାରି ରହିଥିବା ବେଳେ ରାଜ୍ୟର ରାଜନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। 293 ଟି ଆସନର ରୁଜାନ ସାମ୍ନାକୁ ଆସିବା ପରେ ଏହା ପ୍ରାୟ ସ୍ପଷ୍ଟ ହୋଇଯାଇଛି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଏଥର ସତ୍ତାରୁ ବିଦାୟ ନେଇପାରେ। ରୁଜାନ ଅନୁସାରେ ଭାରତୀୟ ଜନତା ପାର୍ଟି ବଡ଼ ଅଗ୍ରଗତି କରି 198 ଟି ଆସନରେ ଆଗରେ ରହିଛି। ଅନ୍ୟପଟେ ତୃଣମୂଳ କଂଗ୍ରେସ କେବଳ 89 ଟି ଆସନରେ ସୀମିତ ଦେଖାଯାଉଛି । ଯଦି ଏହି ରୁଜାନ ଫଳାଫଳରେ ପରିଣତ ହୁଏ, ତେବେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ। ଏହାକୁ ନେଇ ବିଜେପି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପଶ୍ଚିମବଙ୍ଗର ଜଣେ ନେତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯିବ। ଏହି ଘୋଷଣା ପରେ ବିଜେପି କର୍ମୀମାନଙ୍କ ମଧ୍ୟରେ ଆନନ୍ଦ ଦୁଇଗୁଣା ବଢ଼ିଯାଇଛି ।

ଅନ୍ୟପଟେ କଂଗ୍ରେସ ଏଥର ମଧ୍ୟ ନିଜ ଖାତା ଖୋଲିବାରେ ବିଫଳ ହୋଇଛି। ରାଜ୍ୟରେ ଦଳର ପ୍ରଦର୍ଶନ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି ଯେ, 2024 ଲୋକସଭା ନିର୍ବାଚନ ପରେ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ରାଜନୈତିକ ପରିସ୍ଥିତିରେ ବଡ଼ ପରିବର୍ତ୍ତନ ଆସିଛି। ଲୋକଙ୍କ ମନୋଭାବରେ ପରିବର୍ତ୍ତନ ହେବା ସହିତ ଟିଏମ୍ସି ପ୍ରତି ଅସନ୍ତୋଷ ବଢ଼ିଥିବା କୁହାଯାଉଛି । ଏହାସହ ମତଦାତା ତାଲିକାରୁ ପ୍ରାୟ 91 ଲକ୍ଷ ନାମ ବାଦ ପଡ଼ିବା ମଧ୍ୟ ଏଥର ନିର୍ବାଚନ ଫଳାଫଳରେ ପ୍ରଭାବ ପକାଇଥିବା ଚର୍ଚ୍ଚା ହେଉଛି। ଭୋଟ ଗଣତି ଜାରି ରହିଥିବା ବେଳେ ସମସ୍ତଙ୍କ ନଜର ଏବେ ଅନ୍ତିମ ଫଳାଫଳ ଉପରେ ରହିଛି।