WTC ପାଇଁ କିଏ ଫିଟ୍, କାହାକୁ ଡ୍ରପ୍, ଘୋଷଣା କଲା BCCI

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଭାରତ ପ୍ରସ୍ତୁତ । ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ରେଗୁଲାର କ୍ୟାପଟେନ୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଏବେ ଦେଶରେ ଫଟାଫଟ୍ କ୍ରିକେଟ୍ IPLର ମଜା ନେଉଛନ୍ତି ଦର୍ଶକ । ଦେଶୀ ବିଦେଶୀ ଖେଳାଳି ଏଥିରେ ନିଜର ଦମ୍ ଦେଖାଉଛନ୍ତି । ଏହାରି ଭିତରେ ଭାରତୀୟ ଟିମ୍ ଘୋଷଣା ହୋଇଛି । ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ କେଉଁମାନେ ଦଳରେ ରହିବେ, କାହାକୁ ଟିମରେ ସାମିଲ କରାଯାଇଛି, କିଏ କମବ୍ୟାକ୍ କରିଛି, କାହାକୁ ଡ୍ରପ୍ କରାଯାଇଛି ସେ ନେଇ ବିସ୍ତୃତ ଭାବେ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ।

ଜୁନ୍ ୭ରୁ ଇଂଲଣ୍ଡର ଓଭାଲ ଠାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ଚଳିତଥର ଭାରତର ସାମ୍ନା କରିବ ଟିମ୍ ଅଷ୍ଟ୍ରେଲିଆ । ଏବେ ପୁରା ଫର୍ମରେ ରହିଛି କଙ୍ଗାରୁ ଟିମ୍ । ଟେଷ୍ଟରେ ଦମଦାର ପ୍ରଦର୍ଶନ ବି କରୁଛି । ତେଣୁ ଇଂଲଣ୍ଡ ପରି ବାଉନ୍ସ ପିଚରେ, ଅଷ୍ଟ୍ରେଲିଆର ଫାଷ୍ଟବୋଲିଂର ସାମ୍ନା କରିବେ ଭାରତୀୟ ଖେଳାଳି । ସେଥିପାଇଁ ବଛାବଛା ପ୍ଲେୟାରଙ୍କୁ ଦଳରେ ସାମିଲ କରିଛି BCCI । ଗତବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତକୁ ପରାସ୍ତ କରି ଟାଇଟଲ୍ ହାତେଇଥିଲା ନ୍ୟୁଜିଲାଣ୍ଡ ।

ଚଳିତଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସେଥିପାଇଁ ୧୫ ଜଣିଆ ଦଳ ଘୋଷଣା ସରିଛି । ରୋହିତଙ୍କ ସମେତ ଦଳରେ ଅଛନ୍ତି ଶୁବମନ୍ ଗିଲ୍,ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟା ରାହାଣେ, କେ.ଏଲ୍.ରାହୁଲ, କେ.ଏସ୍.ଭରତ(ୱିକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରଜ, ଉମେଶ ଯାଦବ ଓ ଜୟଦେବ ଉନଦକାତ । ରାହାଣେଙ୍କ କମବ୍ୟାକ୍ ଟିମକୁ ଆହୁରି ଶକ୍ତିଶାଳୀ କରିଛି । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଉନ୍ନତ ପ୍ରଦର୍ଶନ କରି ଏଥର ଚାମ୍ପିଅନ୍ ହେବାକୁ ଏବେଠୁ ପ୍ଲାନ୍ କଲାଣି ଟିମ୍ ଇଣ୍ଡିଆ ।

Leave a Reply

Your email address will not be published. Required fields are marked *