Tag: #suchana news

  • ସରକାରୀ ଅବହେଳାରୁ ଝାରବନ୍ଧ ବସ ଆଡ୍ଡାରେ ନାହିଁ କୌଣସି ସୁବିଧା

    ସରକାରୀ ଅବହେଳାରୁ ଝାରବନ୍ଧ ବସ ଆଡ୍ଡାରେ ନାହିଁ କୌଣସି ସୁବିଧା

    ବରଗଡ ଜିଲ୍ଲା ଝାରବନ୍ଧ ଚାନ୍ଦିନୀ ଛକ ହେଉଛି ଏକ ଜନଗହଳି ପୂର୍ଣ୍ଣ, ବ୍ୟସ୍ତବହୁଳ ବଜାର। ପ୍ରାୟ ଦୁଇଶହ ରୁ ଅଧିକ ଦୋକାନ ଅଛି।ଏଠାରେ ଷ୍ଟେଟ ବ୍ୟାଙ୍କ, RI ଅଫିସ, ସମଲେଶ୍ବରୀ ମନ୍ଦିର, ଦୁର୍ଗା ମନ୍ଦିର ରହିଛି। ପ୍ରତିଦିନ ଏଠାକୁ ବହୁ ସଂଖ୍ୟାରେ ଲୋକଙ୍କ ଯାତାୟାତ ହୋଇଥାଏ ସରକାରୀ କାମରେ ବା ମନ୍ଦିର ଦର୍ଶନ ପାଇଁ। ଏହା ବ୍ୟତୀତ ଏଠାକୁ ପଡୋଶୀ ରାଜ୍ୟ ର ବାସନା, ସାରାଇପାଲି, ସାକାର ସମେତ ଜିଲ୍ଲା ନୂଆପଡା. ଖରିଆରୋଡ ପାଇକମାଳ, ପଦ୍ମପୁର, ସୋହେଲା, ବରଗଡରୁ ପ୍ରତିଦିନ ଅନେକ ଘରୋଇ ଓ ବର୍ତ୍ତମାନର ସରକାରୀ ବସ ଲକ୍ଷ୍ମୀ ଆସିଥାଏ ଓ ଅଟକିଥାଏ। ଫଳରେ ସବୁ ସମୟରେ ବଜାର ଲୋକାରଣ୍ୟ ରହିଥାଏ। ହେଲେ ଦୁର୍ଭାଗ୍ୟ କି, ଏଠାରେ ନାହିଁ କୌଣସି ସୁବିଧା। ଲୋକେ ପାନୀୟ ଜଳଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ କୌଣସି ସୁବିଧା ନାହିଁ। ଶୌଚଳାୟ ଅଭାବରୁ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ହୋଇଥାଏ। ଯାହାକୁ ନେଇ ଲୋକଙ୍କ ଭିତରେ ଭରି ରହିଛି ଅସନ୍ତୋଷ

    ସରକାର ବିକାଶ ନାଁରେ ଅନେକ ଗୁଡିଏ ଯୋଜନା କରି ନିଜ ପିଠି ନିଜେ ଥାପୁଡଉଛନ୍ତି। ହେଲେ ଝାରବନ୍ଧ ଛକ ଉପରେ ନାହିଁ କୌଣସି ଅଧିକାରୀ କି ସ୍ଥାନୀୟ ନେତାଙ୍କ ନଜର। ତେଣୁ ଏହି ଛକକୁ ଆସୁ ବହୁ ଅସୁବିଧା ଭୋଗୁଥିବା ଲୋକେ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା ସହ ଶୌଚାଳୟ କରିବାକୁ ଦାବି କରିଛନ୍ତି।

  • ୨୭୪ଟି ୫୦୦ ଟଙ୍କିଆ ନକଲି ନୋଟ ଜବତ, ଦୁଇ ଗିରଫ

    ୨୭୪ଟି ୫୦୦ ଟଙ୍କିଆ ନକଲି ନୋଟ ଜବତ, ଦୁଇ ଗିରଫ

    ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଲକ୍ଷାଧିକ ନକଲି ନୋଟ୍‌ ଜବତ। ନକଲି ନୋଟ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ । ସୂଚନାନୁଯାୟୀ ଗତ ୨୨ ତାରିଖରେ ଗ୍ରାମରେ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ ଗୋଟିଏ ଦୋକାନରେ ୫୦୦ ଟଙ୍କିଆ ନକଲି ନୋଟ ଦେଖିବାକୁ ପାଇଥିଲେ ସ୍ଥାନୀୟ ସରପଞ୍ଚ। ନୋଟକୁ ଦେଖି ନକଲି ହୋଇଥିବା ସନ୍ଦେହ କରି ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଭାଇଁଷା ଗ୍ରାମର ବରୁଣ ପାନୁଆନଙ୍କ ଘରେ ଚଢାଉ କରିଥିଲା। ଚଢାଉ ବେଳେ ସେହି ଘରୁ ୨୭୪ଟି ନକଲି ୫୦୦ ଟଙ୍କିଆ ନୋଟ, କମ୍ପ୍ୟୁଟର, ପ୍ରିଣ୍ଟର, ନକଲି ନୋଟ ପାଇଁ ବ୍ୟବହାର ହେଉଥିବା ପେପର ଓ ବ୍ୟବହୃତ ସାହି ମିଳିଥିଲା। ପୋଲିସ ସେସବୁ ସାମଗ୍ରୀ ଜବତ କରିନେଇଛି। ଘଟଣାର ଅଧିକ ତଦନ୍ତ କରିବା ପରେ ଦେଓଗାଁ ଥାନା ବୁଢାବାହଲ ଗ୍ରାମର ରୋହିତ ବସ୍ତିଆ ନକଲି ନୋଟ ରାକେଟରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇ ବରୁଣ ଓ ରୋହିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ନକଲି ନୋଟ ରାକେଟରେ ଆହୁରି ଅନେକ ଲୋକ ଥିବା ସନ୍ଦେହ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ପାଟଣାଗଡ଼ ଏସ୍‌ଡ଼ିପିଓ ସଦାନନ୍ଦ ପୁଝାରୀ ସାମ୍ବାଦିକ ସମ୍ମିଳନୀ ଡକାଇ ସୂଚନା ଦେଇଛନ୍ତି।

  • ଅଦିନିଆ ବର୍ଷା ଚାଷ ଉଜାଡିବା ପରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

    ଅଦିନିଆ ବର୍ଷା ଚାଷ ଉଜାଡିବା ପରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

    ଅଦିନିଆ କୁଆପଥର ବର୍ଷାରେ ଵରଗଡ ଜିଲ୍ଲାରେ ଚାଷ ପ୍ରଭାବିତ ହୋଇଛି। ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ପବନ ଓ କୁଆପଥର ମାଡରେ ସୋରିଷ, ପରିବା ଓ ଅନ୍ୟାନ୍ୟ ଚାଷବାସ ଉଜୁଡି ଯାଇଛି । ଫଳରେ ଚାଷୀ ବହୁ କ୍ଷତି ସହିଛନ୍ତି। ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଚାଷୀ। ସେପଟେ ଏହି ଘଟଣାକୁ ଦୁଇ ସପ୍ତାହ ବିତିବାକୁ ବସିଥିବା ବେଳେ କ୍ଷୟକ୍ଷତିର ଆକଳନ କରି ପ୍ରଶାସନ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରୁନାହିଁ।ସେହିପରି ଗତ ମିକଜୋମ ଘୂର୍ଣ୍ଣିବଳୟର କ୍ଷତିର ବି ଟେର ପାଉନାହାନ୍ତି ଚାଷୀ। ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଉଛନ୍ତି ବରଗଡ ଚାଷୀ। ଅମ୍ବାଭୋନା ବ୍ଲକର ଲୁଦୁପାଲୀ, କପାସିରା, ଅନ୍ତରାଡି, କଣ୍ଠିପାଲୀ, ସମେତ ଆହୁରୀ ଅନେକ ଗ୍ରାମର ଶହ ଶହ ସଂଖ୍ୟାରେ ଚାଷୀ ନିଜ କ୍ଷତିପୂରଣ ପାଇଁ ଦାବିପତ୍ର ଦେଇଛନ୍ତି। ତହସିଲଦାରଙ୍କୁ ଦାବୀପତ୍ର ଦେବା ସହ ଉଚିତ ତଦନ୍ତ କରି କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରାଯାଇଛି।

    ସେହିପରି ଗତ ଡିସେମ୍ବରରେ ମିକଜୋମ ବର୍ଷାରେ ଅତାବିରା ବ୍ଲକ ଅନ୍ତର୍ଗତ ୨୪ଟି ପଞ୍ଚାୟତ ଏବଂ ଏନଏସିର ୫୮୦୧ ହେକ୍ଟର ଜମି ପ୍ରଭାବିତ ହୋଇଥିବା ସରକାରୀ ରିପୋର୍ଟ ଆସିଥିଲେ ମଧ୍ୟ ଚାଷୀଙ୍କୁ ଏଯାବତ୍ କ୍ଷତିପୂରଣ ମିଳିପାରି ନାହିଁ। ଯାହାକୁ ନେଇ ଅଭାବରେ ଚାଷୀ ପରିବାର। ବାରମ୍ବାର ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଲେ ମଧ୍ୟ ମିଳୁନି ସୁଫଳ। ତେଣୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ଉପସଭାପତି ଟିକେଲାଲ ମିଶ୍ରଙ୍କ ନେତୃତ୍ବରେ ଚାଷୀମାନେ ମଙ୍ଗଳବାର ଦିନ ଅତାବିରା ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। କାର୍ଯ୍ୟାଳୟର କାମକାଜ ବନ୍ଦ କରି ଚାଷୀ ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନକୁ ଏକାଧିକ ଦିନ ବିତିଗଲାଣି, ହେଲେ ଶୁଣୁନି ପ୍ରଶାସନ। ସେପଟେ ପ୍ରଶାସନର ସ୍ଥାଣୁତା ପାଇଁ ବରଗଡର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି।

  • କିଏ ବାବା ତାରସେମ୍ ସିଂହ? ଗୁଳି କରି ହତ୍ୟା, ଅନୁସନ୍ଧାନ ପାଇଁ ଗଠନ ହେଲା SIT

    କିଏ ବାବା ତାରସେମ୍ ସିଂହ? ଗୁଳି କରି ହତ୍ୟା, ଅନୁସନ୍ଧାନ ପାଇଁ ଗଠନ ହେଲା SIT

    ଆଜି ସକାଳ ପ୍ରାୟ ୬ଟା ସମୟରେ ଉତ୍ତରାଖଣ୍ଡର ଉଦ୍ଧମ ସିଂ ନାଗରରେ ବାବା ତାରସେମ ସିଂଙ୍କୁ କେହି ଦୃବୁତ ହତ୍ୟା କରିଦେଇଛିନ୍ତି । ଘଟଣାର ଖବର ପାଇବା ମାତ୍ରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବାବା ତାରସେମ ସିଂ ନାନକମତ୍ତା ସାହି ଗୁରୁଦ୍ୱାରରେ କାର ସେବାର ମୁଖ୍ୟ ଥିଲେ। ବାବା ସକାଳେ ଚେୟାରରେ ବସିଥିଲେ। ଠିକ ସେତିକିବେଳେ ବାଇକ୍ ରେ ଆସିଥିବା ଦୁଇଜଣ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଗୁଳି କରି ପଳାଇ ଯାଇଥିଲେ। ଏହା ପରେ ତାଙ୍କୁ ଖାତିମା ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ସମ୍ବେଦନଶୀଳତାକୁ ବିଚାର କରି ତୁରନ୍ତ ଅନୁସନ୍ଧାନ ପାଇଁ SIT ଗଠନ କରାଯାଇଥିଲା। ବାବାଙ୍କ ଉପରେ ହୋଇଥିବା ଆକ୍ରମଣ ଖବର ଶୁଣି ତୁରନ୍ତ ଗୁରୁଦ୍ୱାର ଆଡକୁ ସମସ୍ତେ ଦୌଡ଼ି ଆସିଥିଲେ ।

    ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ ଅନୁସନ୍ଧାନ ପରେ ହତ୍ୟା ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରିବା ନେଇ ପୋଲିସ ତନାଘନା ଜାରି ରଖିଛି । ଭିଡିଓରେ ଦେଖିବାକୁ ମିଳେ ଯେ ବାବା ଏକ ଚେୟାରରେ ବସିଛନ୍ତି। ହଠାତ୍ ଦୁଇଜଣ ଲୋକ ବାଇକ୍ ରେ ଆସନ୍ତି | ବାଇକ୍ ଚଳାଉଥିବା ଯୁବକମାନେ ତାଙ୍କ ମୁହଁକୁ ଢାଙ୍କି ରଖିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ଗୁଳି ଚଳାଇବା ଆରମ୍ଭ କରି ଦିଏ । ସେ ଉଠି ଦୌଡିବାକୁ ଚେଷ୍ଟା କରନ୍ତି | କିନ୍ତୁ ବାଇକ୍ ଚଲାଉଥିବା ବ୍ୟକ୍ତି ବାଇକ୍ କୁ ତାଙ୍କ ଚାରିପାଖରେ ବୁଲାଏ ଏବଂ ଅନ୍ୟ ଜଣକ ପୁଣି ଗୁଳି ଚଳାଇବା ଆରମ୍ଭ କରିଦିଏ ଏବଂ ସେ ସେଇଟି ତଳେ ପଡ଼ିଯାନ୍ତି |

    ବାବା ତାରସେମ୍ ସିଂ ଦୀର୍ଘ ଦିନ ଧରି ଶ୍ରୀ ନାନକମତ୍ତା ଗୁରୁଦ୍ୱାରର କାର୍ ସେବା ମୁଖ୍ୟ ଥିଲେ। ସାମାଜିକ ସେବା ଏବଂ ଜନ କଲ୍ୟାଣ କାର୍ଯ୍ୟରେ ସେ ସର୍ବଦା ଆଗରେ ଥିଲେ | ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ | ସେ ତାଙ୍କର ପୁରା ଜୀବନକୁ ଏହି ଗୁରୁଦ୍ୱାରର ପୁନଃ ନିର୍ମାଣ ପାଇଁ ଉତ୍ସର୍ଗ କରିଥିଲେ | ବାବାଜୀ ଗୁରୁଦ୍ୱାର ନାନକମତ୍ତା ସାହେବରେ କାର ସେବାର ସମସ୍ତ ଦାୟିତ୍ୱ ଗ୍ରହଣ କରୁଥିଲେ। ବିଦ୍ୟାଳୟ ଏବଂ ଗୁରୁଦ୍ୱାରରେ ସେବା କରିବା ବ୍ୟତୀତ, ଯେଉଁ ଶିବିରରେ ସେ ମୁଖ୍ୟ ଥିଲେ, କୌଣସି ପ୍ରକାର ବିପର୍ଯ୍ୟୟ ସମୟରେ ଲଙ୍ଗର ଏବଂ ରିଲିଫ୍ ସାମଗ୍ରୀ ମଧ୍ୟ ପ୍ରଦାନ କରୁଥିଲେ | ତାଙ୍କର ସେବା କାର୍ଯ୍ୟ ଦିଲ୍ଲୀ ପର୍ଯ୍ୟନ୍ତ ଆଲୋଚନା କରାଯାଉଥିଲା।

    ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁରୁଦ୍ୱାର ବଙ୍ଗଳା ସାହେବ ଦିଲ୍ଲୀର ଡେରା କାର ସେବା ବାବା ବଚ୍ଚନ ସିଂଙ୍କ ମୁଖ୍ୟ ମଧ୍ୟ ନାନକମତ୍ତାରେ ପହଞ୍ଚିଛନ୍ତି। ଏବେ ବାବା ତାରସେମ ସିଂଙ୍କ ମୃତଶରୀର ପୋଷ୍ଟ ମର୍ଟମ କରାଯିବ। ନାନକମତ୍ତା ଗୁରୁଦ୍ୱାର କର ସେବା ମୁଖ୍ୟ ବାବା ତାରସେମ ସିଂଙ୍କ ହତ୍ୟା ଘଟଣାରେ ଉତ୍ତରପ୍ରଦେଶ ପୋଲିସର ଡିଜିପି ଅଭିନାଭ କୁମାର କହିଛନ୍ତି ଯେ ଆଜି ସକାଳେ ଏହି ସୂଚନା ଆସିଛି। ଏହି ହତ୍ୟାକାଣ୍ଡ ଚିନ୍ତାର ବିଷୟ, ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସ୍ଥଳର ଯାଞ୍ଚ କରାଯାଉଛି ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ପଚରାଉଚରା ଜାରି ରହିଛି । ଅନୁସନ୍ଧାନ ପାଇଁ SIT ଗଠନ କରାଯାଇଛି | ପ୍ରାଥମିକତା ଉପରେ ଏହି ଘଟଣାର ଅନୁସନ୍ଧାନ କରାଯାଉଛି। କେନ୍ଦ୍ରୀୟ ଏଜେନ୍ସି ସହିତ ମଧ୍ୟ ଯୋଗାଯୋଗ କରାଯାଇଛି। ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି ଡିଜିପି ଅଭିନାଭ କୁମାର କହିଛନ୍ତି ।

  • ପୁଅ ବିଜେଡିରେ ସାମିଲ ହେବା ପରେ ସୁର କହିଲେ…

    ପୁଅ ବିଜେଡିରେ ସାମିଲ ହେବା ପରେ ସୁର କହିଲେ…

    ଅବୁଝା ପୁଅର ଜିଦି ଆଗରେ ହାର ମାନିଲା ପାଇକ ପୁଅ। ପାଇକ ରକ୍ତର ଡହକ ଶୀଥିଳ ହେଇଗଲା ମନୁଆ କୋଳପୋଛ ପୁଅ ପାଖରେ। ପୁଅକୁ ନିଜର ତଥା ନିଜ ଦଳର ନୀତି, ଆଦର୍ଶ, ସ୍ବାଭିମାନକୁ ବଞ୍ଚାଇ ରଖିବାକୁ ଶତ ଚେଷ୍ଟା କରିବା ପରେ ବି ଯେତେବେଳେ ହାରିଗଲେ, ସେତେବେଳେ ମୁଣ୍ଡ ନୁଆଇଁଲେ ପୁଅ ପାଖରେ।, ହେଲେ ନିଜର ସ୍ବାଭିମାନ ଉପରେ ଆଞ୍ଚ ଆଣିବାକୁ ଦେଲେନି। ସେଥିପାଇଁ ତ ପୁଅର ସମୃଦ୍ଧ ରାଜନୈତିକ ଭବିଷ୍ୟତ ପଥରେ କଣ୍ଟା ନ ହୋଇ ତାକୁ ଆଗେଇ ଯିବାକୁ ଦେଲେ। କିନ୍ତୁ ପୁଅ ବିରୋଧୀ ଗଡରେ ପ୍ରବେଶ କରିବା ପରେ ତାଙ୍କ ବିଶ୍ବସ୍ତତା ଉପରେ କେହି କାଳେ ଅଙ୍ଗୁଳି ନିର୍ଦ୍ଦେଶ କରିବ, ଏହି ଭୟରେ ଦଳ ଦେଇଥିବା ସବୁ କ୍ଷମତା, ଦାୟିତ୍ବରୁ ଦେଇଦେଲେ ଇସ୍ତଫା। ହଁ ଆଜ୍ଞା, ଆମେ କହୁଛୁ ଜଟଣୀ ବିଧାୟକ ସୁର ରାଉତରାୟଙ୍କ କଥା।

    ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ କଂଗ୍ରେସରୁ ଲଢିବେ ବୋଲି କହିଆସୁଥିଲେ ସୁର। ଖାଲି ସେତିକି ନୁହେଁ, ପୁଅ ଉପରେ ତାଙ୍କର ଥିଲା ବଡ ଭରସା। ତାଙ୍କ କଥାକୁ ମନ୍ମଥ କଦାପି ଏଡାଇ ଦେବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରୁଥିଲେ ସୁର। ହେଲେ ମନ୍ମଥ ମାନିଲେନି ବାପାଙ୍କ ବାରଣ। ବାପା ଆଜୀବନ ଯେଉଁ ଦଳ ପାଇଁ କାମ କରିଥିଲେ, ସେହି ଦଳ ଆଜି ବୁଡିଯାଉଥିବାରୁ ସେଥିରେ ପାଦ ଥାପି ନିଜ ରାଜନୈତିକ ଜୀବନକୁ ଜଳାଞ୍ଜଳି ଦେବାକୁ ରୋକଠୋକ ମନା କରିଦେଲେ ମନ୍ମଥ। ଆଉ ଆଜି ବିଜେଡିରେ ସାମିଲ ହେଲେ। ସଙ୍ଗେ ସଙ୍ଗେ ଦଳପତି ତାଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ଠିଆ କରେଇଦେଲେ। ମନ୍ମଥ ଏଥିପାଇଁ ବହୁତ ଖୁସି । ହେଲେ ଯେତେବେଳେ ପୁଅ ବାପାଙ୍କ ହାତ ଛାଟି ଶଙ୍ଖ ଧରୁଲେ, ପାଇକ ବୁଢା ନିଜ ସ୍ବାଭିମାନକୁ ବଞ୍ଚାଇବାକୁ ଯାଇ ରାଜ୍ୟ କଂଗ୍ରେସ ସଭାପତି ଓ ପ୍ରଭାରୀଙ୍କୁ ଦେଇଦେଲେ ଦୁଇଟି ଇସ୍ତଫା ପତ୍ର। ଦଳ ତାଙ୍କ ନେତୃତ୍ବ ଓ ଜନପ୍ରିୟତା ଆଧାରରେ ବିଭିନ୍ନ କମିଟିରେ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଦେବା ସହ ସାନ ପୁଅ ଦ୍ବାରା ତାଙ୍କ ଅନ୍ତରାତ୍ମା ବ୍ୟଥିତ ହୋଇଥିବା କହିଥିଲେ। ଦୁଃଖ, ପରିତାପକୁ ଇସ୍ତଫା ପତ୍ରରେ ଉପସ୍ଥାପନ କରିଦେଲେ ସୁର ।

    ଏହି ଚିଠିର ପ୍ରତିଟି ଧାଡି କହୁଥିଲା ତାଙ୍କ ଅନ୍ତରର ବେଦନା। ଯାହାକୁ ନେଇ ଅନେକ ସୁରଙ୍କ ପାଇଁ ମନଦୁଃଖ କରିଛନ୍ତି। ସେପଟେ ଅନେକ କହିଛନ୍ତି, ଏହା ମନ୍ମଥଙ୍କ ଭବିଷ୍ୟତ ଗଠନ ଦିଗରେ ସୁରଙ୍କ ଏକ ରଣନୀତି। ସେ ଯାହା ହେଉ, ମନ୍ମଥ ବାପାଙ୍କ କଥାରୁ ବାହାରି ଯାଇଥିବା ବେଳେ ବଡପୁଅ କିନ୍ତୁ ବାପାଙ୍କ କଂଗ୍ରେସ ସାମ୍ରାଜ୍ୟକୁ ଆଗେଇ ନେବାକୁ ଅଣ୍ଟା ଭିଡିଛନ୍ତି। ଲୋକଙ୍କ ପାଖକୁ ଯାଉଛନ୍ତି, କଂଗ୍ରେସକୁ ପୁଣି ଥରେ କ୍ଷମତାକୁ ଆଣିବାକୁ ଜୀ ଜାନ ଲଗେଇ ଦେଇଛନ୍ତି। ଏବେ ଦେଖିବାକୁ ରହିଲା, ସୁର ତାଙ୍କ କଥା ଅନୁଯାୟୀ କଂଗ୍ରେସର ହେଇ ରହିବା ସହ ବଡପୁଅ ସିଦ୍ଧାର୍ଥଙ୍କ ପାଇଁ ପ୍ରଚାର କରିବେ, ନା ସାନ ପୁଅ ପାଇଁ।

  • ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅରବିନ୍ଦ

    ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅରବିନ୍ଦ

    ଗତକାଲି ବିଜେଡି ପ୍ରକାଶ କରିଛି ତାର ୭୧ ବିଧାନସଭାର ପ୍ରାର୍ଥୀ ତାଲିକା। ଏଥିରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରାରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କ ନାଁ ରହିଛି। ଏହା ପରେ ଅରବିନ୍ଦ ତଥା ବିଜୟଙ୍କ ସମର୍ଥକଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ। ଟିକେଟ ମିଳିବା ପରେ ପରେ ପାଟକୁରାର ଅନେକ ବିଜେଡି ଛାମୁଆ ନେତା ତଥା ଡେରାବିଶ ବ୍ଲକ ବିଜେଡି ସଭାପତି, ୩ ଜୋନର ଜିଲ୍ଲା ପରିଷଦ ଓ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ନେଇ କଟକ ବନ୍ଧନ ମଣ୍ଡପରେ ଏକ ସାଙ୍ଗଠନିକ ସଭା କରିଛନ୍ତି। ପରସ୍ପର ମଧ୍ୟରେ ଥିବା ମନମାଳିନ୍ୟ ଭୁଲି ନବୀନ ପରିବାରକୁ ଆଗେଇ ନେବାକୁ ଆହ୍ବାନ ଦେଇଛନ୍ତି ଅରବିନ୍ଦ। ପାଟକୁରାର ବିକାଶ ପାଇଁ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ସାକାର କରିବାକୁ ସେ ବଦ୍ଧପରିକର କହିଛନ୍ତି। ଖାଲି ସେତିକି ନୁହେଁ, ସେ ପ୍ରତିଟି ପାଟକୁରାବାସୀଙ୍କ ସହ ରହିଛନ୍ତି। ଯିଏ ଯେତେବେଳେ ତାଙ୍କ ସହାୟତା ଚାହିଁବେ ସେ ସେମାନଙ୍କ ସହ ଠିଆହେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଅରବିନ୍ଦ ।

    ଅନ୍ୟପଟେ ଅରବିନ୍ଦଙ୍କୁ ଟିକେଟ ମିଳିଥିବାରୁ ପାଟକୁରା ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ସୁପ୍ରିମୋ ଅରବିନ୍ଦଙ୍କୁ ଭରସା କରିଥିବାରୁ ସମସ୍ତେ ଏକ ହୋଇ ତାଙ୍କ ବିଜୟ ପାଇଁ ପରିଶ୍ରମ କରିବେ ବୋଲି କହିଛନ୍ତି ସ୍ଥାନୀୟ ବିଜେଡି ନେତୃତ୍ବ।

    ଅରବିନ୍ଦ ଦଳରେ କୌଣସି ମନମାଳିନ୍ୟ, ଅସନ୍ତୋଷ ନ ଥିବା କଥା କହୁଥିବା ବେଳେ କିନ୍ତୁ, ଟିକେଟ ମିଳିବା ପରେ ସେ ଯେତିକିଟି ଯାଗାରେ ଯାହାବି କାର୍ଯ୍ୟକ୍ରମ କରିଛନ୍ତି, ସେଠାରେ ନା ବିଧାୟିକା ସାବିତ୍ରୀ ଦେବୀ ବା ତାଙ୍କ ପ୍ରତିନିଧି ତଥା ପୁଅ ସଞ୍ଜୟଙ୍କ ଦେଖା ମିଳିଛି, ନାହିଁ ସେମାନଙ୍କ ସମର୍ଥକଙ୍କ। ତେଣୁ ପାଟକୁରା ବିଜେଡିରେ ଯେ ସବୁ କିଛି ଠିକ ଚାଲିଛି ତାହା କୁହାଯାଇ ନ ପାରେ। ଦୀର୍ଘ ୪ ବର୍ଷ ଧରି ଦଳ ପାଇଁ ଦିନରାତି ଏକ କରିବା ପରେ ଟିକେଟ ନ ପାଇଥିବାରୁ ସଞ୍ଜୟ ଯେ ପାଟକୁରା ବିଜେଡି ପାଇଁ ଗୃହଭେଦୀର କାମ ନ କରିବେ ତାକୁ ଏଡାଇ ଦିଆଯାଇ ନ ପାରେ।

  • ପୁରୀ ଲୋକସଭା ଆସନରୁ ଲଢିବେ ଅରୂପ

    ପୁରୀ ଲୋକସଭା ଆସନରୁ ଲଢିବେ ଅରୂପ

    ନିର୍ବାଚନ କମିଶନଙ୍କ ଦ୍ବାରା ନିର୍ବାଚନ ତାରିଖ ଘୋଷଣାର ୧୨ ଦିନ ପରେ ବିଜେଡି ଗୋଟିଏ ଦିନରେ ଦୁଇଟି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ସହ ୯ଟି ଲୋକସଭା ଆସନ ପାଇଁ ନାମ ଘୋଷଣା ହୋଇଥିବା ବେଳେ ସଂଧ୍ୟାରେ ଆଉ ଏକ ତାଲିକା ଘୋଷଣା କରାଯାଇଛି। ଏଥିରେ ଲୋକସଭାର ଆଉ ୬ଟି ଆସନ ପାଇଁ ନାମ ଘୋଷଣା କରିଛନ୍ତି ସୁପ୍ରିମୋ। ଏଥିରେ ପୁରୀରୁ ଅରୂପ ପଟ୍ଟନାୟକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହ ପୁରରୁ ରାଜଶ୍ରୀ ମଲ୍ଲିକ, କଟକରୁ ସଂତୃପ୍ତ ମିଶ୍ର, ଢେଙ୍କାନାଳରୁ ଡା ଅବିନାଶ ଶତପଥୀଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ।

  • ମନରେଗା (MNREGA) ମଜୁରୀକୁ ୩ରୁ ୧୦ ପ୍ରତିଶତ ବୃଦ୍ଧି, ଜାଣନ୍ତୁ କେଉଁ ରାଜ୍ୟରେ ଥିଲା କେତେ ବଢ଼ିଲା କେତେ

    ମନରେଗା (MNREGA) ମଜୁରୀକୁ ୩ରୁ ୧୦ ପ୍ରତିଶତ ବୃଦ୍ଧି, ଜାଣନ୍ତୁ କେଉଁ ରାଜ୍ୟରେ ଥିଲା କେତେ ବଢ଼ିଲା କେତେ

    ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ସାରା ଦେଶରେ MNREGA ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବିଭିନ୍ନ ରାଜ୍ୟ ପାଇଁ MNREGA ଅଧୀନରେ ଦିଆଯାଇଥିବା ମଜୁରୀକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ସୂଚନା ଅନୁଯାୟୀ, MNREGA ଅଧୀନରେ ଦିଆଯାଇଥିବା ମଜୁରୀ ଦେଶର ବିଭିନ୍ନ ରାଜ୍ୟରେ ୩ ପ୍ରତିଶତରୁ ୧୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ହାର ଅନୁଯାୟୀ ପ୍ରଦାନ କରାଯିବାକୁ ଥିବା ମଜୁରୀ ୧ ଏପ୍ରିଲ ୨୦୨୪ ଠାରୁ ପ୍ରଯୁଜ୍ୟ ହେବ।

    ଅଧିକ ସୂଚନା ଅନୁଯାୟୀ ହରିୟାଣା ପାଇଁ MNREGA ମଜୁରୀର ସର୍ବାଧିକ ହାର (ଦୈନିକ ୩୭୪ ଟଙ୍କା) ସ୍ଥିର ହୋଇଥିବାବେଳେ ସର୍ବନିମ୍ନ (ଦୈନିକ ୨୩୪ ଟଙ୍କା) ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ରହିଛି।

    ଏହା ପୂର୍ବରୁ ଗୋଆରେ .୩୪୪ ଟଙ୍କା ମିଳୁ ଥିଲା, ଯାହା ବର୍ତ୍ତମାନ ୩୫୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି କର୍ଣ୍ଣାଟକରେ ମଜୁରୀ ୩୧୬ ରୁ ୩୪୯ ଟଙ୍କା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ .୨୭୨ ରୁ ୩୦୦ ଟଙ୍କା ଏବଂ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ମଜୁରୀ ୨୨୧ ରୁ ୨୪୩ ଟଙ୍କାକୁ ବୃଦ୍ଧି କରାଯାଇଛି।

    ଯେଉଁ ରାଜ୍ୟଗୁଡ଼ିକରେ ସର୍ବନିମ୍ନ ବୃଦ୍ଧି ଘଟିଛି ତାହା ହେଉଛି ରାଜସ୍ଥାନ, କେରଳ, ୟୁପି ଏବଂ ଉତ୍ତରାଖଣ୍ଡ । ବର୍ତ୍ତମାନ ରାଜସ୍ଥାନରେ ୨୫୫ ଟଙ୍କା ମିଳୁଛି, ଯାହା ୨୬୬ ଟଙ୍କାକୁ ବୃଦ୍ଧି ପାଇବ |

    ଉତ୍ତରପ୍ରଦେଶରେ ବର୍ତ୍ତମାନ ଦୈନିକ ୨୩୦ ଟଙ୍କା ମିଳୁଛି,ଯାହା ୨୩୭ ଟଙ୍କାକୁ ବୃଦ୍ଧି ପାଇବ।

  • ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ କରିଛି ପଏଣ୍ଟ ଟେବୁଲରେ ଓଲଟପାଲଟ, ବଦଳିଲା ଟପ୍ ୪ର ସମୀକରଣ

    ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ କରିଛି ପଏଣ୍ଟ ଟେବୁଲରେ ଓଲଟପାଲଟ, ବଦଳିଲା ଟପ୍ ୪ର ସମୀକରଣ

    ଆଇପିଏଲ୍ ୨୦୨୪ ର ଅଷ୍ଟମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ଦଳ ମୁମ୍ବାଇ ଇଣ୍ଡିଆନ୍ସ କୁ ୩୧ ରନ୍ ରେ ପରାସ୍ତ କରି ଟୁର୍ନାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି | ମୁମ୍ବାଇ ଉପରେ ବିଜୟ ସହ ହାଇଦ୍ରାବାଦ ମଧ୍ୟ ପଏଣ୍ଟ ଟେବୁଲରେ (ଆଇପିଏଲ ପଏଣ୍ଟ ଟେବୁଲ) ଖାତା ଖୋଲିଛି। କେବଳ ଏତିକି ନୁହେଁ, ହାଇଦ୍ରାବାଦ ଦଳ ସର୍ବଶେଷ ପଏଣ୍ଟ ଟେବୁଲରେ ୩ ନମ୍ବରରେ ପହଞ୍ଚିଛି। ମୁମ୍ବାଇ ବିପକ୍ଷ ମ୍ୟାଚରେ ହାଇଦ୍ରାବାଦ ବ୍ୟାଟିଂରେ ରନର ବର୍ଷା କରିଥିଲା, ଯାହା ଫଳରେ ନେଟ୍ ରନ୍ ହାର ମଧ୍ୟ ବହୁତ ଉନ୍ନତ ହୋଇଥିଲା । ସେପଟେ ପଏଣ୍ଟ ଟେବୁଲରେ ଏକ ନମ୍ବରରେ ସିଏସକେ ରହିଛି | ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଏପର୍ଯ୍ୟନ୍ତ ୨ ଟି ମ୍ୟାଚ୍ ଖେଳିଛି ଏବଂ ଉଭୟ ଜିତିବାରେ ସଫଳ ହୋଇଛି |

    ଏଥି ସହିତ ରାଜସ୍ଥାନ ରୟାଲ୍ସ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ହାଇଦ୍ରାବାଦ ତୃତୀୟ ସ୍ଥାନରେ ଏବଂ କେକେଆର୍ ଚତୁର୍ଥ ସ୍ଥାନରେ ରହିଛି। ଏହା ପରେ ପଞ୍ଜାବ କିଙ୍ଗ୍ସ ପଞ୍ଚମ ସ୍ଥାନରେ ରହିଛି। ପଞ୍ଜାବ ଏପର୍ଯ୍ୟନ୍ତ ୨ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ଗୋଟିଏ ଜିତିଛି ଏବଂ ଅନ୍ୟଟିରେ ହାରିଛି | ଆରସିବି ମଧ୍ୟ ୨ଟି ମ୍ୟାଚ୍ ଖେଳିଛି, ଗୋଟିଏ ଜିତି ଗୋଟିଏ ହାରି ଷଷ୍ଠ ସ୍ଥାନରେ ରହିଛି। ଗୁଜୁରାଟ ଟାଇଟାନ୍ସ ଦଳ ସପ୍ତମ ସ୍ଥାନରେ ରହିଛି। ଗୁଜୁରାଟ ମଧ୍ୟ ଦୁଇଟି ମ୍ୟାଚ ମଧ୍ୟରୁ ଗୋଟିଏ ଜିତିଛି। ଦିଲ୍ଲୀ କ୍ୟାପିଟାଲସ ଅଷ୍ଟମ ସ୍ଥାନରେ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ନବମ ନମ୍ବରରେ ରହିଛି। ଏହା ବ୍ୟତୀତ ଲକ୍ଷ୍ନ ସୁପର ଜିଆଣ୍ଟସ୍ ଦଳ ଶେଷ ସ୍ଥାନରେ ଯଥା ୧୦ ନମ୍ବରରେ ରହିଛି | ଲକ୍ଷ୍ନ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ ଖେଳିଛି।

  • ବିଜେଡି ତାଲିକାରେ ୯୦% ପ୍ରାର୍ଥୀ ରିପିଟ୍

    ବିଜେଡି ତାଲିକାରେ ୯୦% ପ୍ରାର୍ଥୀ ରିପିଟ୍

    ବିଜେଡି ଘୋଷଣା କଲା ତାର ପ୍ରାର୍ଥୀ ତାଲିକା। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୭୧ ବିଧାନସଭା ଆସନ ଓ ୯ ଲୋକସଭା ଆସନ ପାଇଁ ଘୋଷଣା କରିଛନ୍ତି ପ୍ରାର୍ଥୀଙ୍କ ନାମ। ଏହି ତାଲିକାରେ ୮୫ ପ୍ରତିଶତ ପ୍ରାର୍ଥୀଙ୍କୁ ଦଳ ରିପିଟ କରିଛି। ତାଲିକାରେ ବିଷମ କଟକରୁ ପ୍ରାର୍ଥୀ ଭାବେ ଜଗନ୍ନାଥ ସାରକାଙ୍କ ନାମରୁ ତାଲିକା ଘୋଷଣା ଆରମ୍ଭ କରିଥିଲେ ନବୀନ। ଏହି ତାଲିକାରେ ଗୋପାଳପୁରରୁ ବିକ୍ରମ ପଣ୍ଡା, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, ଯାଜପୁରରୁ ସୁଜାତା ସାହୁ, ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ପାଟକୁରାରୁ ଅରବିନ୍ଦ ମହାପାତ୍ର, ପୁରୀରୁ ସୁନିଲ ମହାନ୍ତିଙ୍କୁ ଦଳ ନୂଆ କରି ଠିଆ କରିଥିବା ବେଳେ ସତ୍ୟବାଦୀ ଓ ବ୍ରହ୍ମଗିରିରେ ପରିବର୍ତ୍ତନ ହୋଇଛି। ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ବ୍ରହ୍ମଗିରିରୁ ଉମା ସାମନ୍ତରାୟଙ୍କୁ ଅଦଳ ବଦଳ କରାଯାଇଛି। ବାକି ଘୋଷଣା ହୋଇଥିବା ସବୁ ଆସନରେ ପ୍ରାୟତଃ ପୁରୁଣା ପ୍ରାର୍ଥୀଙ୍କୁ ରିପିଟ କରିଛି ଦଳ। ସେହିପରି ଲୋକସଭା ପାଇଁ ଧର୍ମେନ୍ଦ୍ରଙ୍କ ବିପକ୍ଷରେ ସମ୍ବଲପୁରରୁ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସୁନ୍ଦରଗଡରୁ ଦିଲ୍ଲୀପ ତିର୍କି, ଭୁବନେଶ୍ବରରୁ ମନ୍ମଥ ରାଉତରାୟ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ଆସୁକାରୁ ରଞ୍ଜିତା ସାହୁ, କଳାହାଣ୍ଡିରୁ ଲମ୍ବୋଦର ନିଆଲଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି। ଦଳ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକା ଦେଖିଲେ ଦଳରେ ସେମିତି କୌଣସି କନ୍ଦଳ ଥିବା ବା ତାକୁ ମ୍ୟାନେଜ କରିବାକୁ ସେମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ।