ବିଜେଡି ତାଲିକାରେ ୯୦% ପ୍ରାର୍ଥୀ ରିପିଟ୍

ବିଜେଡି ଘୋଷଣା କଲା ତାର ପ୍ରାର୍ଥୀ ତାଲିକା। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୭୧ ବିଧାନସଭା ଆସନ ଓ ୯ ଲୋକସଭା ଆସନ ପାଇଁ ଘୋଷଣା କରିଛନ୍ତି ପ୍ରାର୍ଥୀଙ୍କ ନାମ। ଏହି ତାଲିକାରେ ୮୫ ପ୍ରତିଶତ ପ୍ରାର୍ଥୀଙ୍କୁ ଦଳ ରିପିଟ କରିଛି। ତାଲିକାରେ ବିଷମ କଟକରୁ ପ୍ରାର୍ଥୀ ଭାବେ ଜଗନ୍ନାଥ ସାରକାଙ୍କ ନାମରୁ ତାଲିକା ଘୋଷଣା ଆରମ୍ଭ କରିଥିଲେ ନବୀନ। ଏହି ତାଲିକାରେ ଗୋପାଳପୁରରୁ ବିକ୍ରମ ପଣ୍ଡା, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, ଯାଜପୁରରୁ ସୁଜାତା ସାହୁ, ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ପାଟକୁରାରୁ ଅରବିନ୍ଦ ମହାପାତ୍ର, ପୁରୀରୁ ସୁନିଲ ମହାନ୍ତିଙ୍କୁ ଦଳ ନୂଆ କରି ଠିଆ କରିଥିବା ବେଳେ ସତ୍ୟବାଦୀ ଓ ବ୍ରହ୍ମଗିରିରେ ପରିବର୍ତ୍ତନ ହୋଇଛି। ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ବ୍ରହ୍ମଗିରିରୁ ଉମା ସାମନ୍ତରାୟଙ୍କୁ ଅଦଳ ବଦଳ କରାଯାଇଛି। ବାକି ଘୋଷଣା ହୋଇଥିବା ସବୁ ଆସନରେ ପ୍ରାୟତଃ ପୁରୁଣା ପ୍ରାର୍ଥୀଙ୍କୁ ରିପିଟ କରିଛି ଦଳ। ସେହିପରି ଲୋକସଭା ପାଇଁ ଧର୍ମେନ୍ଦ୍ରଙ୍କ ବିପକ୍ଷରେ ସମ୍ବଲପୁରରୁ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସୁନ୍ଦରଗଡରୁ ଦିଲ୍ଲୀପ ତିର୍କି, ଭୁବନେଶ୍ବରରୁ ମନ୍ମଥ ରାଉତରାୟ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ଆସୁକାରୁ ରଞ୍ଜିତା ସାହୁ, କଳାହାଣ୍ଡିରୁ ଲମ୍ବୋଦର ନିଆଲଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି। ଦଳ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକା ଦେଖିଲେ ଦଳରେ ସେମିତି କୌଣସି କନ୍ଦଳ ଥିବା ବା ତାକୁ ମ୍ୟାନେଜ କରିବାକୁ ସେମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ।

Leave a Reply

Your email address will not be published. Required fields are marked *