ଟଙ୍କା ପାଇଁ ଗୁଳିମାଡ଼, ଛେଳି ବେପାରୀଙ୍କ ଗଲା ଜୀବନ

ଟଙ୍କା ପାଇଁ ଗୁଳିମାଡ଼ । ଏଥିରେ ଜଣଙ୍କ ଜୀବନ ବି ଚାଲିଯାଇଛି । ସକାଳୁ ସକାଳୁ ଏଭଳି ଏକ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଗୁଳିକାଣ୍ଡ ଘଟିଥିଲା । ଦୁର୍ବୃତ୍ତମାନେ ଜଣେ ଛେଳି ବେପାରୀଙ୍କୁ ଗୁଳିକରି ହତ୍ଯା କରିଛନ୍ତି । ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଛନ୍ତି ହତ୍ୟାକାରୀ ।

ଦୁର୍ବୃତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ପ୍ରଭାତ ନାଏକ । ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ତାଲମୁଣ୍ଡାରେ । ସେ ଶରଧାପାଲି ନିକଟ ଗୁଲଠାରେ ରହି ବେପାର କରୁଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ଯ ଡାକ୍ତରଖାନା ନେଇଛି ।

ସୂଚନା ଅନୁସାରେ ଆଜି ସକାଳୁ ଶରଧାପାଲିର ଛେଳି ବେପାରୀ ପ୍ରଭାତଙ୍କ ସମେତ ୩ ଜଣ ବ୍ଯକ୍ତି ବାଇକରେ ଛେଳି କିଣିବା ପାଇଁ ହାଣ୍ଡିପାନି ଯାଉଥିଲେ । ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ଧକ୍କା ଦେଇଥିଲେ । ସେଠାରେ ଛେଳି ବେପାରୀଙ୍କ ବାଇକ୍ ପଡ଼ି ଯାଇଥିଲା । ତେବେ ସମସ୍ତେ ଲୁଟେରା ବୋଲି ଜାଣି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ବେପାରୀ । ତେବେ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ବେପାରୀଙ୍କ ଛାତିରେ ଗୁଳିଟି ଗଳି ଯାଇଥିଲା । ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ । ଦୁର୍ବୃତ୍ତମାନେ ମୃତକଙ୍କ ହାତରୁ ଟଙ୍କାମୁଣି ନେଇ ଫେରାର ହୋଇଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

Leave a Reply

Your email address will not be published. Required fields are marked *