ପାକିସ୍ତାନର ସ୍ଥିତି ଅସମ୍ଭାଳ, ଇମ୍ରାନ ସମର୍ଥକଙ୍କୁ ଚେତାବନୀ ଦେଲେ ପିଏମ୍ ସରିଫ

ପାକିସ୍ତାନରେ ସ୍ଥିତି ଅସମ୍ଭାଳ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ଦେଶର ସବୁଠି ହିଂସା ଲାଗି ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେନା ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଇମ୍ରାନ ସମର୍ଥକଙ୍କ ଆନ୍ଦୋଳନ ଏବେ ଏକପ୍ରକାର ଚରମ ସୀମାରେ ପହଞ୍ଚିଛି ।

ସେପଟେ, ଦେଶରେ ହିଂସା ଲାଗି ରହିଥିବା ବେଳେ ସର୍ବସାଧାରଣ ସମ୍ପତ୍ତି ଉପରେ ଆକ୍ରମଣ ଘଟଣାକୁ ଆତଙ୍କବାଦ କାର୍ଯ୍ୟକଳାପ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ । ବିକ୍ଷୋଭକାରୀଙ୍କୁ ସେ ସାବଧାନ କରାଇ ଦେଶବ୍ୟାପୀ ଚାଲିଥିବା ଭୟାବହ ପ୍ରତିବାଦକୁ ଘୋର ନିନ୍ଦା କରିଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଗିରଫ ପରେ ଦେଶବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଥିଲା ।

ଏହା ଆତଙ୍କବାଦ କାର୍ଯ୍ୟ ଏବଂ ଦେଶପ୍ରତି ଶତ୍ରୁତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟକୁ ଦଣ୍ଡ ଦେବା ପାଇଁ ଆଇନ୍ ଅମାନ୍ୟ କରୁଥିବା ବ୍ୟକ୍ତିମାନଙ୍କୁ କଠୋର ଶାସ୍ତି ଦିଆଯିବ । ଇମ୍ରାନ୍‌ ଖାନ୍ ଏବଂ ତାଙ୍କ ଦଳ ପାକିସ୍ତାନ ତେହ‌ରିକ୍‌-ଏ-ଇନ୍‌ସାଫ୍‌ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ନଷ୍ଟ କରୁଥିବା ସରିଫ୍‌ କହିଛନ୍ତି ।

ବିଗତ ୭୫ ବର୍ଷ ମଧ୍ୟରେ ପାକିସ୍ତାନରେ ଏଭଳି ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳୁଛି । ଆମ୍ବୁଲାନ୍‌ସ୍‌ଗୁଡ଼ିକୁ ପୋଡ଼ି ଦିଆଯାଇଥିବା ବେଳେ ସ୍ୱାତ୍ ମୋଟର୍‌ୱେଜ୍‌ରେ ନିଆଁ ଲଗାଯାଇଛି । ସଶସ୍ତ୍ରବାହିନୀ ଛାଉଣି ଉପରେ ଆକ୍ରମଣ କରାଯାଇଛି । ଆମ ଜୀବନ ଅପେକ୍ଷା ରାଷ୍ଟ୍ର ଓ ପାକିସ୍ତାନ ଆଦର୍ଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ପାକ୍ ପିଏମ୍ କହିଛନ୍ତି ।

ବୁଧବାର ରାତିରେ ଇମ୍ରାନ୍‌ ଖାନଙ୍କ ସମର୍ଥକମାନେ ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ସରିଫ୍‌ଙ୍କ ଲାହୋର୍‌ସ୍ଥିତ ବାସଭବନ ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗିଥିଲେ । ଏ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ପାକିସ୍ତାନ ତେହ‌ରିକ୍‌-ଏ-ଇନ୍‌ସାଫ୍‌ର ୫୦୦ ସମର୍ଥକ ପ୍ରଧାନମନ୍ତ୍ରୀଙ୍କ ମଡେଲ୍‌ ଟାଉନ୍‌ ଲାହୋର ବାସଭବନ ପରିସରରେ ଥିବା ଯାନବାହନରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ଫୋର୍ସ ପହଞ୍ଚିବା ପରେ ସମସ୍ତେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

Leave a Reply

Your email address will not be published. Required fields are marked *