ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ, କାରଣ ଖୋଜୁଛି ପୋଲିସ

ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣମନ୍ଦିର ନିକଟରେ ବୋମା ବିସ୍ଫୋରଣ ହୋଇଛି । ମଧ୍ୟରାତି ପ୍ରାୟ ଗୋଟାଏ ବେଳେ ପ୍ରଚଣ୍ଡ ଶବ୍ଦ ଶୁଭିଥିବା ପଞ୍ଜାବ ପୋଲିସ କହିଛି ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧ଟା ବେଳେ ତୃତୀୟ ବିସ୍ଫୋରଣ ଘଟିଥିଲା । ଏହି ଦେଶୀ ବୋମା ବିସ୍ଫୋରଣ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳ ନିକଟରେ ଥିବା ଗୋଟାଏ କୋଠରୀରେ ୨ ଜଣ ପୁରୁଷ ଓ ଜଣେ ମହିଳା ଥିବାବେଳେ ୩ ଜଣଙ୍କୁ ପଚରାଉଚୁରା କରୁଛି ପୋଲିସ । ଘଟଣାସ୍ଥଳ ଯାଇ ଫୋରେନ୍‌ସିକ୍‌ ଟିମ୍‌ ଓ ପଞ୍ଜାବ ପୋଲିସ ତଦନ୍ତ ଜାରି ରଖିଛନ୍ତି । ଆଜି ଗଣମାଧ୍ୟମ ଆଗରେ ଘଟଣା ସଂକ୍ରାନ୍ତରେ ବିବୃତି ରଖିବ ପୋଲିସ । ତେବେ ବିସ୍ଫୋରଣ ପାଇଁ କେହି ବି ଦାବି ଉଠାଇ ନାହାଁନ୍ତି ।

ଗୋଟିଏ ସପ୍ତାହ ମଧ୍ୟରେ ସ୍ବର୍ଣ୍ଣମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଏହା ତୃତୀୟ ବିସ୍ଫୋରଣ । ପୂର୍ବରୁ ମେ ୬ ଓ ୮ ତାରିଖରେ ସ୍ୱର୍ଣ୍ଣମନ୍ଦିର ନିକଟ ହେରିଟେଜ୍‌ ଷ୍ଟ୍ରିଟ୍‌ରେ ବିସ୍ଫୋରଣ ଘଟିଥିଲା । ପ୍ରଥମ ବିସ୍ଫୋରଣରେ ଜଣେ ଏବଂ ଦ୍ବିତୀୟ ବିସ୍ଫୋରଣରେ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ଏବେ ତୃତୀୟ ବିସ୍ଫୋରଣରେ କେହି ଆହତ ହୋଇଥିବା ଖବର ମିଳିନାହିଁ । ପୂର୍ବରୁ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ବା NIA ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *