Blog

  • ସାବଧାନ ! IPL ଜୁଆଡ଼ିଙ୍କୁ ଧରିଲା ପୋଲିସ

    ସାବଧାନ ! IPL ଜୁଆଡ଼ିଙ୍କୁ ଧରିଲା ପୋଲିସ

    ଫଟାଫଟ୍ କ୍ରିକେଟ୍ IPLରେ ବ୍ୟାଟିଂ ଅପେକ୍ଷା ବେଟିଂର ଚାହିଦା ବଢୁଛି । ମ୍ୟାଚ୍ ଜିତିବା, ହାରିବା ଉପରେ ବାଜି ଜୋରଦାର ହେଉଛି । ମାନେ ଅର୍ଥ ଲଗାଇ ଜୁଆ ଖେଳ ହେଉଛି । ଖେଳାଳିଙ୍କୁ ଚୌକା, ଛକା ସହ ମ୍ୟାଚ୍ ଜିତିବା ଜରୁରୀ । ହେଲେ ଏଠି ଅର୍ଥ କେତେ ଜିତୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର । କଳେବଳେ କୌଶଳେ, ମ୍ୟାଚରୁ ଆପଣ କେତେ ଟଙ୍କା ଲାଭ ପାଉଛନ୍ତି ତା ଉପରେ ଜୁଆଡ଼ିଙ୍କ ନଜର ଥାଏ । କିନ୍ତୁ ଆପଣ ଜାଣି ନାହାଁନ୍ତି ବୋଧେ ଆପଣଙ୍କ ପିଛା କରୁଛି ପୋଲିସ । କେବେ ମାଡ଼ି ବସିବ ଟିକେ ସାବଧାନ ହୁଅନ୍ତୁ ।

    ହଁ ଜୁଆଡ଼ି ବନ୍ଧୁ, IPL ଉପରେ କଡ଼ା ନଜର ରଖିଥିବା ପୋଲିସ ଟିମ୍ ବିଭିନ୍ନ ସ୍ଥାନରୁ ବେଟିଂ କରୁଥିବା ଜୁଆଡ଼ିଙ୍କୁ ଗିରଫ କରୁଛି । ଏବେ ନୂଆପଡ଼ା ଜିଲ୍ଲା ଖରିଆର ରୋଡରେ ଆଇପିଏଲ ବେଟିଂରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି ଖରିଆର ରୋଡ୍ ଟାଉନ୍ ଥାନା ପୋଲିସ । SI ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ଟିମ୍ ଏକ ଘରେ ରେଡ୍ କରିଥିଲା । ରାତିରେ ପାଟ୍ରୋଲିଂ ବେଳେ ଖବର ପାଇ ଏହି ଚଢା଼ଉ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ର ରାୟପୁର, ବେମାତାରା ଏବଂ ରାଜ ନନ୍ଦଗାଁ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ୨୧ଟି ଫୋନ୍, ୪ଟି ଲାପଟପ୍, ୧୫ ଏଟିଏମ୍ କାର୍ଡ, ୧୦ଟି ଚେକ୍ ବୁକ୍ ଜବତ ହୋଇଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ୫ଟି ପାସବୁକ୍, ଆଧାର କାର୍ଡ, ଡିଏଲ୍, ଏୟାର ବ୍ୟାଗ୍ ଜବତ କରିଛି ପୋଲିସ । ସମସ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

  • IPLରେ ଆଜି ଲଢ଼ିବେ ଚେନ୍ନାଇ ଓ ରାଜସ୍ଥାନ

    IPLରେ ଆଜି ଲଢ଼ିବେ ଚେନ୍ନାଇ ଓ ରାଜସ୍ଥାନ

    ଫଟାଫଟ୍ କ୍ରିକେଟ୍ ଆଇପିଏଲରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ଚେନ୍ନାଇରେ ସନ୍ଧ୍ୟା ୭.୩୦ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ।

    ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଟିମ୍ ଚେନ୍ନାଇ ଆଜି ଚଳିତ ସିଜିନରେ ଚତୁର୍ଥ ମ୍ୟାଚ୍ ଖେଳିବ । ଧୋନିଙ୍କ ନେତୃତ୍ୱରେ ଦଳ ରାଜସ୍ଥାନ ବିପକ୍ଷରେ ଲଢ଼ିବ । ଇନଫର୍ମ ଗାଏକୱାଡ, କନୱର, ରାହାଣେ, ମୋଇନ୍ ଅଲ୍ଲୀ, ଡୁବେ, ଜାଡେଜାଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ କ୍ୟାପଟେନ୍ କୁଲ । ଦଳ ଖେଳିଥିବା ୩ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି ।

    ସେପଟେ, ରାଜସ୍ଥାନ ମଧ୍ୟ ସମାନ ସ୍ଥିତିରେ ରହିଛି । ୨ଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏରେ ହାରିଛି ଟିମ୍ । ବିସ୍ଫୋରକ ବଟଲର ଏବଂ ଅଧିନାୟକ ସଞ୍ଜୁ ସାମସନଙ୍କ ବ୍ୟାଟ୍ ଚାଲିଲେ ବିଜୟ ଏକପ୍ରକାର ନିଶ୍ଚିତ । ହେଟମ୍ୟାର, ପାଡିକଲ, ରିୟାନ୍ ପରାଗ ମଧ୍ୟ ବ୍ୟାଟିଂରେ କମାଲ କରିବା ଆଶା ରହିଛି । ସେହିପରି, ବୋଲ୍ଟ, ଚହଲ ଏବଂ ଅଶ୍ୱିନ ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳିବେ । ଉଭୟ ଦଳ ଏଯାଏ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ଆଜି ବିଜୟୀ ହେବାକୁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ।
    ଗତକାଲି ଏକ ମ୍ୟାଚରେ ଦିଲ୍ଲୀକୁ ୬ ୱିକେଟରେ ପରାସ୍ତ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଥିଲା ମୁମ୍ବାଇ ।

  • କୋରୋନା ସ୍ଥିତି ଅଣାୟତ୍ତ, ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ

    କୋରୋନା ସ୍ଥିତି ଅଣାୟତ୍ତ, ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ

    ଦେଶରେ କୋରୋନା ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେଲାଣି । ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକରେ ୭୮୩୦ ନୂଆ ମାମଲା ଆସିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । ପୂର୍ବରୁ ୬ ହଜାର ପାଖାପାଖି ରହୁଥିବା ବେଳେ ଏବେ ୮ ହଜାର ନିକଟତର ହେଲାଣି ଦୈନିକ ସଂକ୍ରମଣ ।

    ଦେଶରେ ଏବେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ରହିଛି ୪୦ ହଜାର ୨୧୫ । ସେହିପରି ଦୈନିକ ପଜିଟିଭିଟି ରେଟ୍ ୩.୬୫ ପ୍ରତିଶତ ରହିଛି । ପୂର୍ବପରି ଏବେ ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଉଛି । ଦେଶର ବିଭିନ୍ନ ସ୍ଥାନରେ କୋଭିଡ ସ୍ଥିତି ସଙ୍ଗୀନ ହେଲାଣି । ରାଜ୍ୟରେ ବି ପଦକ୍ଷେପ ନେବା ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ବିଏମ୍‌ସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କଟକ ଏସସିବିରେ ମୁକାବିଲା ପାଇଁ ମକଡ୍ରିଲ୍ କରାଯାଇଛି । କୋଭିଡ ସ୍ଥିତି ନେଇ ବିଏମ୍‌ସି ଜରୁରୀ ବୈଠକ କରିଛି । ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ସୁପରିଣ୍ଟେଣ୍ଡେଣ୍ଟଙ୍କ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । କୋଭିଡ ଆକ୍ରାନ୍ତ ଆସିଲେ କିଭଳି ବେଡକୁ ନିଆଯିବ,ଚିକିତ୍ସା ପାଇଁ କଣ ବ୍ୟବସ୍ଥା, ଅନ୍ୟମାନଙ୍କ ସୁରକ୍ଷା, ଉପଯୁକ୍ତ ଚିକିତ୍ସା ଯୋଗାଇବା ସେନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ମଧ୍ୟ ଅନୁଧ୍ୟାନ ହୋଇଛି । ବର୍ତ୍ତମାନ ସ୍ଥିତିରେ ରାଜ୍ୟବାସୀଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସରକାରୀ ଗାଇଡଲାଇନ୍, କୋଭିଡ ନିୟମ ମାନିବା, ସତର୍କ ଓ ସଚେତନ ରହିଲେ କୌଣସି ବିପଦ ନାହିଁ ବୋଲି ପରାମର୍ଶ ଦିଆଯାଇଛି । ୨୪ ଘଣ୍ଟାରେ ରାଜ୍ୟରେ ୨୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

  • ଜଙ୍ଗଲରେ ନିଆଁ, ଜୀବଜନ୍ତୁ ଭୟଭୀତ

    ଜଙ୍ଗଲରେ ନିଆଁ, ଜୀବଜନ୍ତୁ ଭୟଭୀତ

    କେନ୍ଦୁଝର କାଇପୁର ଜଙ୍ଗଲରେ ଲାଗିଛି ନିଆଁ । କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଏନଏଚ୍-49 ପାର୍ଶ୍ୱରେ ରହିଛି ଏହି ଜଙ୍ଗଲ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ନିଆଁ ଲାଗିବାରୁ ବନ୍ୟଜନ୍ତୁଙ୍କ ପାଇଁ ଏହା ବିପଦ ହୋଇଛି । ଏହା ଫଳରେ ଜଙ୍ଗଲରେ । ଜାତୀୟ ରାଜପଥରେ ଯାଉଥିବା କିଛି ଗଣମାଧ୍ୟମ ପ୍ରତିନିଧି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ ବନ କର୍ମଚାରୀ ।

    ରାଜ୍ୟରେ ଏବେ ଗ୍ରୀଷ୍ମଲହରୀ ଚାଲିଛି । ପ୍ରବଳ ତାତି ଅସହ୍ୟ ହେଲାଣି । ଖରାଦିନେ ବିଭିନ୍ନ ସ୍ଥାନରେ ଖାସ୍ କରି ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗୁଛି । କେବଳ କେନ୍ଦୁଝର ନୁହଁ, ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ନିଆଁ ଲାଗିବା ଦେଖିବାକୁ ମିଳିଛି ।

  • ଅସହ୍ୟ ତାତି, ୧୬ ଯାଏ ସ୍କୁଲ ବନ୍ଦ

    ଅସହ୍ୟ ତାତି, ୧୬ ଯାଏ ସ୍କୁଲ ବନ୍ଦ

    ଅସହ୍ୟ ତାତି । ରାଜ୍ୟରେ ତାପମାତ୍ରା ବଢୁଥିବା ବେଳେ ସୂର୍ଯ୍ୟଙ୍କ ପ୍ରଖର ତାତି ସମ୍ଭାଳିବା ମୁସ୍କିଲ ହୋଇଛି । ଆଜି ସକାଳୁ ରାଜଧାନୀରେ ତାତି ଅସମ୍ଭାଳ ହୋଇଛି । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ଛୁଇଁଛି ।

    ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ବଢ଼ିବା ମାତ୍ରେ ଘରୁ ଲୋକେ ବାହାରିବାକୁ ପଛଘୁଞ୍ଚା ଦେଉଛନ୍ତି । ଭୀଷଣ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ SRC ସତ୍ୟବ୍ରତ ସାହୁ ଏସଓପି ଜାରି କରିଛନ୍ତି । ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖରା ବଢୁଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି ।
    ଅନ୍ୟପଟେ, ପିଲାମାନେ ଯେପରି ସୁରକ୍ଷିତ ଏବଂ ସୁସ୍ଥ ରହିବେ ସେ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ତାତି ଅସହ୍ୟ ହେଉଥିବାରୁ ଏପ୍ରିଲ ୧୬ ତାରିଖ ଯାଏ ସବୁ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ଦିନରେ ତାପମାତ୍ରା ବଢ଼ିବ । ଏଥିପାଇଁ ଲୋକେ ସରକାରୀ ଗାଇଡଲାଇନ୍ ମାନନ୍ତୁ, ଅଧିକ ସଚେତନ ହୁଅନ୍ତୁ । ଅବହେଳା କଲେ ଜୀବନ ପ୍ରତି ବିପଦ ଥିବା କଥା କୁହାଯାଇଛି ।

    ସେପଟେ, ଯେଉଁ ଗାଁରେ ଜଳ ସଙ୍କଟ ରହିଛି ସେଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି SRC SOPରେ ଦର୍ଶାଇଛନ୍ତି । ଖରାପ ନଳକୂପର ତୁରନ୍ତ ମରାମତି, କେନାଲରେ ପାଣି ଛାଡ଼ିବା,ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ,କଲେଜ ଭଳି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।