ଅସହ୍ୟ ତାତି, ୧୬ ଯାଏ ସ୍କୁଲ ବନ୍ଦ

ଅସହ୍ୟ ତାତି । ରାଜ୍ୟରେ ତାପମାତ୍ରା ବଢୁଥିବା ବେଳେ ସୂର୍ଯ୍ୟଙ୍କ ପ୍ରଖର ତାତି ସମ୍ଭାଳିବା ମୁସ୍କିଲ ହୋଇଛି । ଆଜି ସକାଳୁ ରାଜଧାନୀରେ ତାତି ଅସମ୍ଭାଳ ହୋଇଛି । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ଛୁଇଁଛି ।

ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ବଢ଼ିବା ମାତ୍ରେ ଘରୁ ଲୋକେ ବାହାରିବାକୁ ପଛଘୁଞ୍ଚା ଦେଉଛନ୍ତି । ଭୀଷଣ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ SRC ସତ୍ୟବ୍ରତ ସାହୁ ଏସଓପି ଜାରି କରିଛନ୍ତି । ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖରା ବଢୁଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ, ପିଲାମାନେ ଯେପରି ସୁରକ୍ଷିତ ଏବଂ ସୁସ୍ଥ ରହିବେ ସେ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ତାତି ଅସହ୍ୟ ହେଉଥିବାରୁ ଏପ୍ରିଲ ୧୬ ତାରିଖ ଯାଏ ସବୁ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ଦିନରେ ତାପମାତ୍ରା ବଢ଼ିବ । ଏଥିପାଇଁ ଲୋକେ ସରକାରୀ ଗାଇଡଲାଇନ୍ ମାନନ୍ତୁ, ଅଧିକ ସଚେତନ ହୁଅନ୍ତୁ । ଅବହେଳା କଲେ ଜୀବନ ପ୍ରତି ବିପଦ ଥିବା କଥା କୁହାଯାଇଛି ।

ସେପଟେ, ଯେଉଁ ଗାଁରେ ଜଳ ସଙ୍କଟ ରହିଛି ସେଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି SRC SOPରେ ଦର୍ଶାଇଛନ୍ତି । ଖରାପ ନଳକୂପର ତୁରନ୍ତ ମରାମତି, କେନାଲରେ ପାଣି ଛାଡ଼ିବା,ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ,କଲେଜ ଭଳି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *