କୋରୋନା ସ୍ଥିତି ଅଣାୟତ୍ତ, ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ

ଦେଶରେ କୋରୋନା ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେଲାଣି । ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକରେ ୭୮୩୦ ନୂଆ ମାମଲା ଆସିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । ପୂର୍ବରୁ ୬ ହଜାର ପାଖାପାଖି ରହୁଥିବା ବେଳେ ଏବେ ୮ ହଜାର ନିକଟତର ହେଲାଣି ଦୈନିକ ସଂକ୍ରମଣ ।

ଦେଶରେ ଏବେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ରହିଛି ୪୦ ହଜାର ୨୧୫ । ସେହିପରି ଦୈନିକ ପଜିଟିଭିଟି ରେଟ୍ ୩.୬୫ ପ୍ରତିଶତ ରହିଛି । ପୂର୍ବପରି ଏବେ ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଉଛି । ଦେଶର ବିଭିନ୍ନ ସ୍ଥାନରେ କୋଭିଡ ସ୍ଥିତି ସଙ୍ଗୀନ ହେଲାଣି । ରାଜ୍ୟରେ ବି ପଦକ୍ଷେପ ନେବା ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ବିଏମ୍‌ସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କଟକ ଏସସିବିରେ ମୁକାବିଲା ପାଇଁ ମକଡ୍ରିଲ୍ କରାଯାଇଛି । କୋଭିଡ ସ୍ଥିତି ନେଇ ବିଏମ୍‌ସି ଜରୁରୀ ବୈଠକ କରିଛି । ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ସୁପରିଣ୍ଟେଣ୍ଡେଣ୍ଟଙ୍କ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । କୋଭିଡ ଆକ୍ରାନ୍ତ ଆସିଲେ କିଭଳି ବେଡକୁ ନିଆଯିବ,ଚିକିତ୍ସା ପାଇଁ କଣ ବ୍ୟବସ୍ଥା, ଅନ୍ୟମାନଙ୍କ ସୁରକ୍ଷା, ଉପଯୁକ୍ତ ଚିକିତ୍ସା ଯୋଗାଇବା ସେନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ମଧ୍ୟ ଅନୁଧ୍ୟାନ ହୋଇଛି । ବର୍ତ୍ତମାନ ସ୍ଥିତିରେ ରାଜ୍ୟବାସୀଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସରକାରୀ ଗାଇଡଲାଇନ୍, କୋଭିଡ ନିୟମ ମାନିବା, ସତର୍କ ଓ ସଚେତନ ରହିଲେ କୌଣସି ବିପଦ ନାହିଁ ବୋଲି ପରାମର୍ଶ ଦିଆଯାଇଛି । ୨୪ ଘଣ୍ଟାରେ ରାଜ୍ୟରେ ୨୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *