Blog

  • ‘ବିଶ୍ୱ ଶ୍ରମିକ ଦିବସ’ରେ ଶ୍ରମିକଙ୍କୁ ସମ୍ମାନିତ କରିବା, ଅଧିକାର ପ୍ରତି ଗୁରୁତ୍ୱ ଦେବା

    ‘ବିଶ୍ୱ ଶ୍ରମିକ ଦିବସ’ରେ ଶ୍ରମିକଙ୍କୁ ସମ୍ମାନିତ କରିବା, ଅଧିକାର ପ୍ରତି ଗୁରୁତ୍ୱ ଦେବା

    ଆଜି ବିଶ୍ୱ ଶ୍ରମିକ ଦିବସ । ପ୍ରତିବର୍ଷ ମେ’ ୧ ତାରିଖରେ ଏହାକୁ ପାଳନ କରାଯାଏ । ଶ୍ରମିକମାନଙ୍କୁ ସମ୍ମାନିତ କରିବା, ସେମାନଙ୍କ କାମକୁ ସମ୍ମାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଆଜିର ଦିନରେ ଶ୍ରମିକଙ୍କ ତ୍ୟାଗ ଓ ଅବଦାନ ମନେ ପଡ଼େ । ଏହା ଯେ କେବଳ ଶ୍ରମିକଙ୍କ ପ୍ରତି ସମ୍ମାନର ବିଷୟ ତା ନୁହେଁ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ।

    ୮ ଘଣ୍ଟା କାର୍ଯ୍ୟ ସମୟ ଦାବି ଜୋର୍ ଧରିବା ପରେ ବିଶ୍ୱ ଶ୍ରମିକ ଦିବସର ସୃଷ୍ଟି । ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ଆମେରିକାରେ ଆରମ୍ଭ ଆନ୍ଦୋଳନ ଶେଷରେ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ବେଶ୍ ପ୍ରଭାବିତ କରିଥଲା ।

    ଆମ ଦେଶରେ ୧୯୨୩ରୁ ଶ୍ରମିକ ଦିବସ ପାଳନ ପାଳିତ ହୋଇ ଆସୁଛି । ଦେଶରେ ଶ୍ରମିକମାନଙ୍କ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା କରିବାକୁ ପ୍ରଥମେ ଭାରତୀ ମଜଦୁର କିଷାନ ପାର୍ଟି ପକ୍ଷରୁ ଦାବି ହୋଇଥିଲା । ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ କରିଥିଲେ । ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଣ୍ଟା ଶ୍ରମ ନିର୍ଘଣ୍ଟକୁ ସ୍ୱୀକୃତି ଦେଇଥିଲେ । ସେହିଦିନ ଠାରୁ ଶ୍ରମିକ ଦିବସରେ ସରକାରୀ ଛୁଟି ଘୋଷଣା ହୋଇଥିଲା । ହେଲେ ଆଜି ବି ଏ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଛି । ସମାଜ,ଦେଶ ଓ ଶିଳ୍ପର ବିକାଶ ପାଇଁ ଶ୍ରମିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

    ‘ବିଶ୍ୱ ଶ୍ରମିକ ଦିବସ’ଅବସରରେ ଶ୍ରମିକ ଭାଇମାନଙ୍କର କଠିନ ପରିଶ୍ରମ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଅମୂଲ୍ୟ ଅବଦାନକୁ #Suchanatv24x7 ପ୍ରଣାମ କରୁଛି । ଆସନ୍ତୁ,ଏହି ଅବସରରେ ଶ୍ରମିକମାନଙ୍କର ସମ୍ମାନ,ସ୍ୱାସ୍ଥ୍ୟ ଏବଂ ସ୍ୱାର୍ଥରକ୍ଷା ନିଶ୍ଚିତ କରି ସେମାନଙ୍କର କଲ୍ୟାଣ କରିବାକୁ ସଂକଳ୍ପବଦ୍ଧ ହେବା ।

  • ଡରରେ ଛାନିଆ ପାକିସ୍ତାନ, ଜି -20ର ବିରୋଧ ପାଇଁ ଅନ୍ୟ ଦେଶ ଗୁଡିକୁ ଲେଖୁଛି ଚିଠି

    ଡରରେ ଛାନିଆ ପାକିସ୍ତାନ, ଜି -20ର ବିରୋଧ ପାଇଁ ଅନ୍ୟ ଦେଶ ଗୁଡିକୁ ଲେଖୁଛି ଚିଠି

    ଚଳିତ ମାସରେ ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -20 କାର୍ଯ୍ୟକ୍ରମକୁ ନେଇ ପାକିସ୍ତାନ ଚିନ୍ତା ପ୍ରକଟ କରିଛି । ଗୋଟିଏ ପଟେ ପାକିସ୍ତାନ ବିଶ୍ବର ଦେଶମାନଙ୍କୁ ଏହି କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ଚିଠି ଲେଖୁଥିବା ବେଳେ ଅନ୍ୟ ପଟେ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧରେ ଜି -20 ହ୍ୟାସଟ୍ୟାଗ ସୃଷ୍ଟି କରିବାକୁ ଏକ ଷଡଯନ୍ତ୍ର ରଚୁଛି । ଯେମିତି ଭାରତ ବିଶ୍ୱସନୀୟତା ହରାଇବ ।

    ଏହି ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମେ 2ରୁ ମେ 7 ପର୍ଯ୍ୟନ୍ତ ବ୍ରିଟେନ ଗସ୍ତରେ ଯାଉଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଶାହାବାଜ ଚଳିତ ମାସ 6 ରେ ହେବାକୁ ଥିବା କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଲଣ୍ଡନ ଯାଉଛନ୍ତି । ହେଲେ ଅନୁମାନ କରାଯାଉଛି ସେଠି ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜି -20 କାର୍ଯ୍ୟକ୍ରମ ପ୍ରସଙ୍ଗ ଉଠାଇ ପାରନ୍ତି ।

    22ରୁ 24 ମେ ପର୍ଯ୍ୟନ୍ତ ଶ୍ରୀନଗରରେ ଜି -20ର ଟୁରିଜିମ୍ ୱାର୍କିଂ ଗ୍ରୁପର ଏକ ବୈଠକ ହେବ । ଅଗଷ୍ଟ 2019 ପରେ ଏହା ପ୍ରଥମ ପ୍ରମୁଖ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ହୋଇଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ପର୍ଯ୍ୟଟନ କାର୍ଯ୍ୟ ଗୋଷ୍ଠୀର ବୈଠକ ଜାମ୍ମୁ କାଶ୍ମୀରକୁ ଆଗ୍ରାଧିକାର ଦେବା ଉପରେ ଧ୍ୟାନ ଦେବ ।

    ଏପ୍ରିଲ୍ 17ରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବାଂଲାଦେଶକୁ ଏଭଳି ଏକ ଚିଠି ପଠାଇଛି, ଯେଉଁଥିରେ କାଶ୍ମୀରକୁ ନେଇ ଭାରତ ବିରୋଧରେ ଅନେକ ହାସ୍ୟାସ୍ପଦ ଆଲୋଚନା ରହିଛି । ଦିଲ୍ଲୀରେ ଅବସ୍ଥିତ ପାକିସ୍ତାନୀ ହାଇ କମିଶନଙ୍କ ଦ୍ୱାରା ବାଂଲାଦେଶକୁ ପଠାଯାଇଥିବା ଏକ ଦଲିଲରେ କୁହାଯାଇଛି ଯେ, କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ରହିଛି ଏବଂ ପାକିସ୍ତାନ ଭଳି ବାଂଲାଦେଶ ମଧ୍ୟ ଜି -20କୁ ବର୍ଜନ କରିବା ଉଚିତ । ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -20 ବିରୋଧରେ କୂଟନୈତିକ ସ୍ତରରେ ପାକିସ୍ତାନ ନିଜର ଉଦ୍ୟମକୁ ଜୋରଦାର କରିଛି ।

  • ପିକଅପରୁ ଗଞ୍ଜେଇ ଜବତ, ଜଣକୁ କାବୁକଲେ ଗାଁ ଲୋକେ

    ପିକଅପରୁ ଗଞ୍ଜେଇ ଜବତ, ଜଣକୁ କାବୁକଲେ ଗାଁ ଲୋକେ

    କେନ୍ଦୁଝର ଜଗମୋହନପୁର ଛକରେ ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ ଜବତ । ସ୍ଥାନୀୟ ଲୋକଙ୍କ ସହାୟତାରେ ଏହାକୁ ଜବତ କରିଛି ତେଲକୋଇ ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ହେବ ।

    ସୂଚନା ଅନୁଯାୟୀ ଆଜି ଦିନ ୧୦ଟା ବେଳେ ପାଲହଡ଼ା ପଟୁ ଏକ ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ ଦ୍ରୁତ ଗତିରେ ଆସୁଥିଲା । ଏନଏଚ୍ ୪୯ନଂ ଜଗମୋହନପୁର ଛକରେ କିଛି ଲୋକ ତାକୁ ଅଟକାଇଥିଲେ । ପିକଅପ୍ ଆଗରେ ଯାଉଥିବା କାରରେ କିଛି ଲୋକ ଧମକଚମକ ଦେବା ସହ ଫଟୋ ଉଠାଇବାକୁ ବାରଣ କରିଥିଲେ। ସନ୍ଦେହ ହେବାରୁ ତେଲକୋଇ ପୋଲିସକୁ ଜଣାଇଥିଲେ ଲୋକେ ।

    ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗଞ୍ଜେଇ ଭର୍ତ୍ତି ପିକଅପକୁ ଜବତ କରିଥିଲା । ଦିଲ୍ଲୀ ନମ୍ବର ଥିବା ଗାଡ଼ିକୁ ଜଗମୋହନପୁର ଫାଣ୍ଡିକୁ ନେଇଥିଲା ପୋଲିସ । ଦୁଇଜଣ ଫେରାର ଥିବାବେଳେ ଜଣକୁ ଧରିଛନ୍ତି ଲୋକେ । ପଚରାଉଚୁରା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

  • ଆତିକଙ୍କ ପରେ ପଡିପାରେ ମୋ ପାଳି: ଆଜମ ଖାନ୍

    ଆତିକଙ୍କ ପରେ ପଡିପାରେ ମୋ ପାଳି: ଆଜମ ଖାନ୍

    ଗ୍ୟାଙ୍ଗଷ୍ଟରରୁ ରାଜନେତା ପଲଟିଥିବା ଆତିକ ଅହମଦ ଓ ତାର ଭାଇ ଅସରଫଙ୍କୁ ଯେମିତି ହତ୍ୟା କରାଯାଇଛି, ତାକୁ ନେଇ ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ବିଭିନ୍ନ ବିରୋଧୀ ଦଳ ନେତା ଭୟରେ। କେତେବେଳେ ସେମାନଙ୍କୁ ମାରି ଦିଆ ଯିବନି, ଏହି ଆଶଙ୍କା ଘାରିଛି। ଯାହା ସପା ନେତା ତଥା ପୂର୍ବତନ ରାମପୁର ବିଧାୟକ ଆଜମ ଖାନ୍ କହିଛନ୍ତି।

    ରାମପୁରରେ ପୌର ନିର୍ବାଚନ ପ୍ରଚାର କରୁଥିବାବେଳେ ଆଜମ ଖାନ ଲୋକଙ୍କୁ ପଚାରିଥିଲେ ଅତିକକୁ ଯେଭଳି ହତ୍ୟା କରାଗଲା ସେଭଳି ଢଙ୍ଗରେ ମୋତେ ଓ ମୋ ପରିବାରକୁ ହତ୍ୟା କରାଯାଉ, ଏପରି ଚାହୁଁଛନ୍ତି କି? ଆଜମ ଅହୁରି କହିଥିଲେ, ଭୋଟ୍ ଦାନ ଆମ ଜନ୍ମଗତ ଅଧିକାର, ତଥାପି ଏହି ଅଧିକାରକୁ ଦୁଇଥର ଛଡ଼ାଇ ନିଆଯାଇଛି। ତୃତୀୟ ଥର ଛାଡି ଦେଲେ ନିଶ୍ୱାସପ୍ରଶ୍ୱାସ ନେବା ଅଧିକାର ଛଡାଇ ନେବେ।

    ସୂଚନାଯୋଗ୍ୟ, ୨୦୧୯ରେ ଏକ ନିର୍ବାଚନ ରାଲିରେ ଆଜମ ଖାନ ସ୍ଥାନୀୟ ପ୍ରଶାସନ, ପ୍ରଧାନମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିବାରୁ ଏକ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ କୋର୍ଟ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

  • ପୁଅକୁ ହତ୍ୟା ଅଭିଯୋଗ, ବାପା ଓ ସହଯୋଗୀଙ୍କୁ ବାନ୍ଧିଲେ ଗାଁ ଲୋକେ

    ପୁଅକୁ ହତ୍ୟା ଅଭିଯୋଗ, ବାପା ଓ ସହଯୋଗୀଙ୍କୁ ବାନ୍ଧିଲେ ଗାଁ ଲୋକେ

    କେନ୍ଦୁଝର କାଞ୍ଜିପାଣି ଥାନା କରଙ୍ଗାଡ଼ିହ ଗାଁରେ ଅଭାବନୀୟ ଘଟଣା । ପୁଅକୁ ହତ୍ୟା ଅଭିଯୋଗରେ ବାପା ଓ ତାର ସହଯୋଗୀଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି । ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧି ନିର୍ଯାତନା ଦିଆଯାଉଥିବା ବେଳେ କାଞ୍ଜିପାଣି ପୋଲିସ ଉଦ୍ଧାର କରିଛି ।

    ଗତ ୧୨ ତାରିଖରେ କରଙ୍ଗାଡ଼ିହ ଗାଁର ରଙ୍ଗା ମହାକୁଡ଼ଙ୍କ ୮ ବର୍ଷୀୟ ନାବାଳକ ଫକୀରଙ୍କ ମୃତଦେହ ଗାଁ ପଡ଼ିଆରୁ ମିଳିଥିଲା । ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା ଅଭିଯୋଗ କରିଥିଲେ ଗାଁର ଧନେଶ୍ୱର ଦେହୁରୀ । ବାପା ରଙ୍ଗା ଏବଂ ତାର ସହଯୋଗୀ ବିଦ୍ୟାଧର ଦେହୁରୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଏଭଳି ଅଭିଯୋଗକୁ ସେମାନେ ଖଣ୍ଡନ କରିଥିଲେ । ଗାଁ ଲୋକେ କିନ୍ତୁ ଦୁଇଜଣଙ୍କ ମଣ୍ଡପ ନିକଟରେ ବାନ୍ଧି ମାରପିଟ୍ କିରଥିଲେ । କାଞ୍ଜିପାଣି ପୋଲିସ ପହଞ୍ଚି ବୁଝାସୁଝା ପରେ ସମସ୍ତଙ୍କୁ ଉଦ୍ଧାର କରିଥିଲା । ଘଟଣା ସମ୍ପର୍କରେ ପଚରାଉଚୁରା ଜାରି ଥିବା କହିଛି ପୋଲିସ ।

  • ମେଡିକାଲ ଯାଇ ଆଉ ଫେରିଲେ ନାହିଁ, ଆସିଲା ବାପ ପୁଅର ଶବ

    ମେଡିକାଲ ଯାଇ ଆଉ ଫେରିଲେ ନାହିଁ, ଆସିଲା ବାପ ପୁଅର ଶବ

    ଅତ୍ୟନ୍ତ ଦୁଃଖଦ ଘଟଣା । ଦୁଃଖ ବେଳେ ବେଳେ ଏମିତି ଆସେ ଯାହା କଳ୍ପନାର ବାହାରେ ଥାଏ । ପୁଣି ଗୋଟିଏ ଘରୁ ଦୁଇ ଜଣଙ୍କ ମୃତ୍ୟୁ । ଗୋଟିଏ ଶ୍ମଶାନରେ ଜଳିଲା ବାପା ଓ ପୁଅଙ୍କ ଶବ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନ୍‌ଏସିରୁ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

    ନିହାତି ହୃଦୟ ବିଦାରକ ଘଟଣା । ବାପା ଆଦି ସା’ ଓ ପୁଅ ଆର୍ତ୍ତତ୍ରାଣଙ୍କ ମୃତ୍ୟୁ ହୋଇଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାପା ଆଦି ସା’ଅସୁସ୍ଥ ଥିବାରୁ ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନେଇଥିଲେ । ପୁଅ ମଧ୍ୟ ମେଡିକାଲରେ ରାତିରେ ଥିଲେ । ହେଲେ ଆଜି ଭୋରୁଭୋରୁ ଆର୍ତ୍ତତ୍ରାଣ ହସ୍ପିଟାଲ ବାହାରକୁ ଯାଇଥିଲେ । ନିଜ କାମ ସାରି ଶିଡ଼ି ଚଢ଼ି ବାପାଙ୍କ ନିକଟକୁ ଫେରୁଥିଲେ । ଶିଡ଼ି ଚଢ଼ୁଥିବା ବେଳେ ଅଚେତ୍ ହେବାରୁ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା । କିନ୍ତୁ ସେଠାରେ ପୁଅ ଆର୍ତ୍ତତ୍ରାଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

    ଦୁଃଖ ଏତିକିରେ ସରିନଥିଲା । ମେଡିକାଲରେ ପୁଅର ମୃତ୍ୟୁ ଖବର ବାପାଙ୍କ ନିକଟରେ ପହଞ୍ଚିଥିଲା । ସେ ଚିକିତ୍ସାଧୀନ ଅବସ୍ଥାରେ ବେଡରେ ପଡ଼ିଥିଲେ । ଏଭଳି ଖବର ଶୁଣି ସେ ଭାଙ୍ଗିପଡ଼ିଲେ । ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା । ଅସୁସ୍ଥ ବାପା ସହ ପୁଅ ମେଡିକାଲ ଯାଇ ଆଉ ଫେରିଲେ ନାହିଁ । ଗାଁକୁ ସେମାନଙ୍କ ଶବ ଫେରିଲା । ତରଭା ଏନ୍‌ଏସି ଶ୍ମଶାନରେ ଉଭୟ ବାପ ଓ ପୁଅଙ୍କ ଜୁଇ ଜଳିଥିଲା । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।