ମେଡିକାଲ ଯାଇ ଆଉ ଫେରିଲେ ନାହିଁ, ଆସିଲା ବାପ ପୁଅର ଶବ

ଅତ୍ୟନ୍ତ ଦୁଃଖଦ ଘଟଣା । ଦୁଃଖ ବେଳେ ବେଳେ ଏମିତି ଆସେ ଯାହା କଳ୍ପନାର ବାହାରେ ଥାଏ । ପୁଣି ଗୋଟିଏ ଘରୁ ଦୁଇ ଜଣଙ୍କ ମୃତ୍ୟୁ । ଗୋଟିଏ ଶ୍ମଶାନରେ ଜଳିଲା ବାପା ଓ ପୁଅଙ୍କ ଶବ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନ୍‌ଏସିରୁ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ନିହାତି ହୃଦୟ ବିଦାରକ ଘଟଣା । ବାପା ଆଦି ସା’ ଓ ପୁଅ ଆର୍ତ୍ତତ୍ରାଣଙ୍କ ମୃତ୍ୟୁ ହୋଇଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାପା ଆଦି ସା’ଅସୁସ୍ଥ ଥିବାରୁ ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନେଇଥିଲେ । ପୁଅ ମଧ୍ୟ ମେଡିକାଲରେ ରାତିରେ ଥିଲେ । ହେଲେ ଆଜି ଭୋରୁଭୋରୁ ଆର୍ତ୍ତତ୍ରାଣ ହସ୍ପିଟାଲ ବାହାରକୁ ଯାଇଥିଲେ । ନିଜ କାମ ସାରି ଶିଡ଼ି ଚଢ଼ି ବାପାଙ୍କ ନିକଟକୁ ଫେରୁଥିଲେ । ଶିଡ଼ି ଚଢ଼ୁଥିବା ବେଳେ ଅଚେତ୍ ହେବାରୁ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା । କିନ୍ତୁ ସେଠାରେ ପୁଅ ଆର୍ତ୍ତତ୍ରାଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଦୁଃଖ ଏତିକିରେ ସରିନଥିଲା । ମେଡିକାଲରେ ପୁଅର ମୃତ୍ୟୁ ଖବର ବାପାଙ୍କ ନିକଟରେ ପହଞ୍ଚିଥିଲା । ସେ ଚିକିତ୍ସାଧୀନ ଅବସ୍ଥାରେ ବେଡରେ ପଡ଼ିଥିଲେ । ଏଭଳି ଖବର ଶୁଣି ସେ ଭାଙ୍ଗିପଡ଼ିଲେ । ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା । ଅସୁସ୍ଥ ବାପା ସହ ପୁଅ ମେଡିକାଲ ଯାଇ ଆଉ ଫେରିଲେ ନାହିଁ । ଗାଁକୁ ସେମାନଙ୍କ ଶବ ଫେରିଲା । ତରଭା ଏନ୍‌ଏସି ଶ୍ମଶାନରେ ଉଭୟ ବାପ ଓ ପୁଅଙ୍କ ଜୁଇ ଜଳିଥିଲା । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *