ପ୍ରେମିକର ଉନ୍ମତ୍ତକାଣ୍ଡ,ଉପହାର ଆଳରେ ଭିଆଇଲା ବିସ୍ଫୋରଣ

BLAST

ଛତିଶଗଡ଼ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ପୁନରାବୃତ୍ତି। ପ୍ରେମରେ ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମକୁ ପାଇ ନ ପାରିବାରୁ ଉପହାର ଆଳରେ ବୋମା ବିସ୍ଫୋରଣ କରାଇ ପ୍ରେମିକା ମଥାରୁ ଲିଭାଇଦେଲା ସିନ୍ଦୁର। ବୋମା ବିସ୍ଫୋରଣରେ ପ୍ରେମିକାର ସ୍ୱାମୀ ଓ ଦିଅରଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି। ଏହି ଘଟଣା ଛତିଶଗଡ଼ କବିରଧାମ ଜିଲ୍ଲା ରେଙ୍ଗାର ଗ୍ରାମରେ ଖେଳାଇଦେଇଛି ଶୋକ। ପୋଲିସ ଅଭିଯୁକ୍ତ ଯୁବକକୁ ଗରଫ କରି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ,33 ବର୍ଷୀୟ ମରକାମଙ୍କର ସମ୍ପୃକ୍ତ ଯୁବତୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ମରକାମ ପୂର୍ବରୁ ବିବାହିତ ଥିବା ସହ ତାଙ୍କର 2ଟି ସନ୍ତାନ ଅଛନ୍ତି। ତଥାପି ମରକାମ ଯୁବତୀଙ୍କୁ ବିବାହ କରିବାକୁ ଚାହିଁଥିଲେ, ଯାହାକୁ ଯୁବତୀଙ୍କ ପରିବାର ମନା କରି ଦେଇଥିଲେ। ଏଥିସହ ଯୁବତୀଙ୍କ ବିବାହ ହେମେନ୍ଦ୍ର ନାମକ ଯୁବକଙ୍କ ସହ କରାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ମରକାମ। ଯୁବତୀଙ୍କୁ ଉପହାର ଦେବା ବାହାନାରେ ଏକ ହୋମ ଥିଏଟର ଭିତରେ 2 କେଜି ଓଜନର ବିସ୍ଫୋରକ ସାମଗ୍ରୀ ଖଞ୍ଜିଥିଲା। ମାର୍ଚ୍ଚ 31ରେ ପ୍ରେମିକାର ବିବାହ ଉତ୍ସବରେ ଉପହାର ଦେଇ ଆସିଥିଲା। ହେଲେ ଉପହାର ଉପରେ ନିଜ ନାମ ଲେଖିନଥିଲା।

HOME THEATRE

ବିବାହର 3 ଦିନ ପରେ ଉପହାର ଖୋଲୁଥିଲେ ହେମେନ୍ଦ୍ର ଓ ତାଙ୍କ ପରିବାର ଲୋକେ। ମରକାମଙ୍କ ଉପହାର ଖୋଲିବା ମାତ୍ରେ ଏହା ବିରାଟ ଶବ୍ଦ କରି ଫାଟିଥିଲା। ଏଥିରେ ହେମେନ୍ଦ୍ର ଓ ତାଙ୍କ ଭାଇଙ୍କର ମୃତ୍ୟୁ ହେବା ସହ 7 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛି। ଏହି ଘଟଣାରେ ପୋଲିସ ମରକାମକୁ ମଧ୍ୟପ୍ରଦେଶରୁ ମଙ୍ଗଳବାର ଗିରଫ କରିଛି।

ସୂଚନାଯୋଗ୍ୟ, 2018 ମସିହାରେ ସମାନ ଢଙ୍ଗରେ ପାଟଣାଗଡ଼ରେ ବିସ୍ଫୋରଣ ହୋଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲଙ୍କ ପାଖରେ ପହଞ୍ଚିପାରିଥିଲା।

Leave a Reply

Your email address will not be published. Required fields are marked *