ତେହରାନ: ଇରାନରେ ପୁଣିଥରେ ମହିଳାଙ୍କ ସ୍ୱାଧୀନତା ଓ ବାଧ୍ୟତାମୂଳକ ହିଜାବ ଆଇନକୁ ନେଇ ବିବାଦ ସୃଷ୍ଟି ହୋଇଛି। ହିଜାବ ନ ପିନ୍ଧି ସଙ୍ଗୀତ ପରିବେଷଣ କରିବା ଅଭିଯୋଗରେ ତେହରାନର ଗାୟିକା ପରାସ୍ତୁ ଅହମଦିଙ୍କୁ ୭୪ ଥର ଚାବୁକମାଡ଼ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି। କେବଳ ଅହମଦି ନୁହନ୍ତି, ତାଙ୍କ ସଙ୍ଗୀତ ଦଳର ଅନ୍ୟ ଚାରିଜଣ ସଦସ୍ୟଙ୍କୁ ମଧ୍ୟ ସମାନ ଦଣ୍ଡ ଦିଆଯାଇଥିବା ସେମାନଙ୍କ ଆଇନଜୀବୀ ମୋସ୍ତାଫା ନିଲି ସୂଚନା ଦେଇଛନ୍ତି।
ଗତ ସୋମବାର ଅର୍ଥାତ୍ ନଭେମ୍ବର ୨୩ ତାରିଖରେ ଇରାନର କୋମ୍ ସହରରେ ଏହି ଦଣ୍ଡ କାର୍ଯ୍ୟକାରୀ କରାଯାଇଥିଲା। ଅହମଦିଙ୍କ ସମେତ ତାଙ୍କ ସଙ୍ଗୀତ ଦଳର ଚାରିଜଣ ସଦସ୍ୟଙ୍କୁ ୭୪ ଥର ଲେଖାଏଁ ଚାବୁକମାଡ଼ ଦିଆଯାଇଛି। ଏଥିସହ ଦୁଇ ବର୍ଷ ପର୍ଯ୍ୟନ୍ତ ସଙ୍ଗୀତ ଓ କଳା କାର୍ଯ୍ୟକ୍ରମରେ ଭାଗ ନେବା ଏବଂ ବିଦେଶ ଯାତ୍ରା ଉପରେ କଟକଣା ଲଗାଯାଇଛି।
ସୂଚନା ଅନୁଯାୟୀ, ୨୦୨୪ ଡିସେମ୍ବର ମାସରେ ପରାସ୍ତୁ ଅହମଦି ହିଜାବ ନ ପିନ୍ଧି ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଗୀତ ପରିବେଷଣ କରିଥିଲେ। ଏହାର ଭିଡିଓ ୟୁଟ୍ୟୁବ୍ରେ ପ୍ରସାରିତ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଅନ୍ଲାଇନ୍ରେ ଅଶ୍ଳୀଳ ଓ ଅନୈତିକ ବିଷୟବସ୍ତୁ ପ୍ରସାରଣ କରି ସାମାଜିକ ଶାଳୀନତା ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, ୨୦୨୨ ମସିହା ସେପ୍ଟେମ୍ବର ମାସରେ ୨୨ ବର୍ଷୀୟା ମହସା ଅମିନିଙ୍କର ପୋଲିସ ହେପାଜତରେ ରହିବା ପରେ ମୃତ୍ୟୁ ଘଟିଥିଲା। ହିଜାବ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ଇରାନର ନୈତିକତା ପୋଲିସ ଅଟକ ରଖିଥିଲା। ତାଙ୍କ ମୃତ୍ୟୁ ପରେ ସମଗ୍ର ଇରାନରେ ବାଧ୍ୟତାମୂଳକ ହିଜାବ ଆଇନ ବିରୋଧରେ ବ୍ୟାପକ ଆନ୍ଦୋଳନ ହୋଇଥିଲା। ‘ମହିଳା, ଜୀବନ ଓ ସ୍ୱାଧୀନତା’ ସ୍ଲୋଗାନରେ ଗୁଞ୍ଜରିତ ହୋଇଥିଲା ଇରାନର ରାଜରାସ୍ତା।
ସେହି ଘଟଣାର ଚାରି ବର୍ଷ ପରେ ଜଣେ ମହିଳା ଗାୟିକାଙ୍କୁ ଏଭଳି ଶାରୀରିକ ଦଣ୍ଡ ଦିଆଯିବା ଘଟଣା ଅନ୍ତର୍ଜାତୀୟ ସ୍ତରରେ ଉଦ୍ବେଗ ସୃଷ୍ଟି କରିଛି। ମାନବାଧିକାର ସଂଗଠନଗୁଡ଼ିକ ଇରାନରେ ମହିଳାଙ୍କ ଅଧିକାର ଓ କଳାକାରଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଲଗାଯାଉଥିବା କଟକଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।
ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ରଏଟର୍ସ ପକ୍ଷରୁ ଇରାନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲେ ମଧ୍ୟ ତତ୍କ୍ଷଣାତ୍ କୌଣସି ଉତ୍ତର ମିଳିନଥିଲା। ଗାୟିକାଙ୍କୁ ଦିଆଯାଇଥିବା ଏହି ଦଣ୍ଡ ମହିଳାଙ୍କ ପୋଷାକ ପରିଧାନର ସ୍ୱାଧୀନତା, ମାନବାଧିକାର ଏବଂ ସାଂସ୍କୃତିକ ଅଭିବ୍ୟକ୍ତିକୁ ନେଇ ପୁଣିଥରେ ବିଶ୍ୱବ୍ୟାପୀ ବିତର୍କ ସୃଷ୍ଟି କରିଛି।