ବ୍ରାହ୍ମଣୀ’ରେ ନାବାଳକଙ୍କ ସଲିଳ ସମାଧି, ନାଉରିଆଙ୍କ ମିଳୁନି ପତ୍ତା

ବ୍ରାହ୍ମଣୀ ନଦୀରେ ବଡ଼ ଅଘଟଣ । ଆଜି ସକାଳୁ ସକାଳୁ ନଦୀରେ ବୁଡ଼ିଗଲା ଏକ ଯାତ୍ରୀବାହୀ ଡଙ୍ଗା । ଭାରସାମ୍ୟ ହରାଇ ଡଙ୍ଗାଟି ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିଲା । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ଏକକମାଣିଆ ପଞ୍ଚାୟତରୁ ଏକ ଯାତ୍ରୀବାହୀ ଡଙ୍ଗା ରାଜନଗର କେରଡ଼ାଗଡ଼କୁ ଯାଉଥିଲା । ଏଥିରେ ଥିଲେ ୩୦ ଜଣ ଯାତ୍ରୀ । ହେଲେ କିଏ ଜାଣିଥିଲା କିଛି ସମୟ ପରେ ଅଘଟଣ ଘଟିବ । ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇଥିଲା । ଧୀରେ ଧୀରେ ଡଙ୍ଗାଟି ଓଲଟି ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିଲା ।

କାଳବିଳମ୍ବ ନକରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଗାଁ ଲୋକେ । ୨ ଜଣଙ୍କୁ ଛାଡ଼ି ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ନାଉରିଆ ସମେତ ଅନ୍ୟ ଜଣେ ନାବାଳକଙ୍କ କୌଣସି ପତ୍ତା ମିଳିନଥିଲା । ଗାଁ ଲୋକେ ଖୋଜାଖୋଜି ଜାରି ରଖିଥିଲେ । ଏବେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ୍‌ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ଦୀର୍ଘ ସମୟର ଖୋଜାଖୋଜି ପରେ ୧୬ ବର୍ଷୀୟା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାର ନାଁ ଦେବେନ୍ଦ୍ର ବେହେରା । ତେବେ ଏଯାଏ ୫୦ ବର୍ଷୀୟ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ କୌଣସି ପତ୍ତା ମିଳିନି । ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି ।

ଦୀର୍ଘଦିନ ହେଲା ବିପଦସଙ୍କୁଳ ଅବସ୍ଥାରେ ଲୋକେ ଏଭଳି ଡଙ୍ଗାରେ ଯାତ୍ରା କରୁଛନ୍ତି । ବ୍ରିଜ୍ ନିର୍ମାଣ ପାଇଁ ୨୦୧୬ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ବେଳେ ଏଯାଏ କିନ୍ତୁ ହୋଇପାରିନି । ଏକମାଣିଆ ପଞ୍ଚାୟତର ଲୋକେ ଏଭଳି ଜୀବନକୁ ବାଜି ଲଗାଇ ଡଙ୍ଗାରେ ଯାଆସ କରୁଛନ୍ତି । ବାରମ୍ବାର ଅଘଟଣ ଘଟୁଥିଲେ ବି ପ୍ରଶାସନର ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *