ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଗୁଜରାଟ, ପଞ୍ଜାବ

IPLରେ ଆଜି ୨ଟି ମୁକାବିଲା । ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ । ଅପରାହ୍ଣ ୩.୩୦ରେ ଅହମ୍ମଦାବାଦରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ସନ୍ଧ୍ୟା ୭.୩୦ରେ ପଞ୍ଜାବ ଓ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ ।

ଗତଥରର ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଚଳିତ ସିଜିନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ଦଳ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଛି । ବ୍ୟାଟିଂ, ବୋଲିଂରେ କମାଲ କରି ବିଜୟ ଧାରା ଅବ୍ୟାହତ ରଖିଛି ଗୁଜରାଟ । ଆଜି ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ସେପଟେ, କୋଲକାତା ୨ଟି ମ୍ୟାଚରେ ଗୋଟିଏ ଜିତିଥିବା ବେଳେ ଅନ୍ୟଟିରେ ପରାସ୍ତ ହୋଇଛି । ଗତ ମ୍ୟାଚରେ ଦଳ ବାଙ୍ଗାଲୋରକୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା । ଆଜି ପୁଣି ଆଉ ଏକ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ କେକେଆର ।

ସନ୍ଧ୍ୟା ୭.୩୦ରେ ପଞ୍ଜାବ ଓ ହାଇଦ୍ରାବାଦ କଡ଼ା ଟକ୍କର ଦେଖିବାକୁ ମିଳିବ । ଇନଫର୍ମ ପଞ୍ଜାବ ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେପଟେ, ସିଜିନ୍ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ହାଇଦ୍ରାବାଦ । ଖେଳିଥିବା ୨ଟି ମ୍ୟାଚରେ ପରାସ୍ତ ହୋଇଛି ଟିମ୍ । ଆଜି ଟ୍ରାକକୁ ଫେରିବାକୁ ସମସ୍ତ ବଳ ପ୍ରୟୋଗ କରିବେ ଖେଳାଳି ।

ଗତକାଲି IPLରେ ୨ଟି ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ହରାଇଥିଲା ରାଜସ୍ଥାନ । ସେହିପରି ଅନ୍ୟ ଏକ ମ୍ୟାଚରେ ଚେନ୍ନାଇ ଠାରୁ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ ।

Leave a Reply

Your email address will not be published. Required fields are marked *