ଡଙ୍ଗା ବୁଡ଼ି ଘଟଣା, ପୋଲ ନିର୍ମାଣ ପ୍ରତିଶ୍ରୁତି ଦେଲେ ସରକାର

ଆଳି ଏକମାଣିଆ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାକୁ ୪ ଦିନ ହେଲାଣି । ଆଜି ବି ଲୋକଙ୍କ ଆଖିରେ ଲୁହ । ପରିବାର ସଦସ୍ୟ ହରାଇ ସମସ୍ତେ କାନ୍ଦୁଛନ୍ତି । ହେଲେ କାହିଁକି ଏଭଳି ଘଟଣା ଘଟିଲା । ପୋଲଟିଏ ପାଇଁ ପଞ୍ଚାୟତବାସୀ କେତେ ନେହୁରା ହେଲେ କିନ୍ତୁ ସରକାର ଏ ଦିଗରେ ଅବହେଳା କଲେ । ସେଥିପାଇଁ ୨ଟି ନିରୀହ ଜୀବନ ଚାଲିଗଲା । ମୁଖ୍ୟମନ୍ତ୍ରୀଙ୍କ ପରେ 5T ସଚିବ କହିଛନ୍ତି ଖୁବଶୀଘ୍ର ପୋଲ ନିର୍ମାଣ କରାଯିବ ।

ଗତ ୨୭ ତାରିଖରେ ଆଳି ଏକମାଣିଆ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ନାବାଳକ ଓ ନାଉରିଆଙ୍କ ମୃତ୍ୟୁ ହୋଇଥିଲା । ପୁଅ କଥା ମନେ ପକାଇ ମା’ଆଖିରେ ଲୁହ ତ ସ୍ୱାମୀକୁ ହରାଇ କାନ୍ଦୁଛି ସ୍ତ୍ରୀ । ପୂର୍ବରୁ ଅନେକ ଥର ଏଭଳି ଦୁର୍ଘଟଣା ଘଟିଛି ଯେଉଁଥିରେ ହିରୋ ସାଜିଥିଲେ ଏହି ନାଉରିଆ ସୁଦର୍ଶନ । ଜୀବନକୁ ବାଜି ଲଗାଇ ଅନେକଙ୍କ ଜୀବନ ଉଦ୍ଧାର କରିଥିଲେ । କିନ୍ତୁ ଆଜି ସେ ନାହାଁନ୍ତି । ଡଙ୍ଗା ବୁଡ଼ି ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ସାହସୀ, ପରୋପକାରୀ ବ୍ୟକ୍ତିଙ୍କୁ ହରାଇଛନ୍ତି ଗାଁ ଲୋକେ । ଏବେ ତାଙ୍କୁ ସାହସିକତା ପୁରସ୍କାର ପ୍ରଦାନ ପାଇଁ ଅଞ୍ଚଳରେ ଦାବି ହୋଇଛି ।

ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏକମାଣିଆ ପଞ୍ଚାୟତବାସୀ ଆଜି ଅବହେଳିତ ଅବସ୍ଥାରେ ରହିଛି । ଚାରିପଟୁ ଘେରି ରହିଛି ବ୍ରାହ୍ମଣୀ, ହଂସୁଆ ଓ ଖରସ୍ରୋତା ନଦୀ । ଘରୁ ବାହାରିବାକୁ ହେଲେ ସମସ୍ତେ ଡଙ୍ଗା ଉପରେ ନିର୍ଭର କରିଥାନ୍ତି । ପଞ୍ଚାୟତବାସୀଙ୍କ ଦାବି ପରେ ମୁଖ୍ୟମନ୍ତ୍ରୀ ୨୦୧୬ ନଭେମ୍ବରରେ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଦୀର୍ଘ ୬ ବର୍ଷ ପରେ ମଧ୍ୟ କୌଣସି ପଦକ୍ଷେପ ନାହିଁ । ଏବେ ୨ ଜଣଙ୍କ ମୃତ୍ୟୁ ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏପରିକି 5T ସଚିବ ଭି.କେ.ପାଣ୍ଡିଆନଙ୍କ ରାଜନଗର କେରେଡ଼ାଗଡ଼ ଗସ୍ତ ବେଳେ ରାସ୍ତାରୋକ କରାଯାଇଥିଲା । ତେବେ 2 ମାସ ମଧ୍ୟରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ପ୍ରତିଶ୍ରୁତି ଦେଇଛନ୍ତି 5T ସେକ୍ରେଟାରୀ । ଖୁବଶୀଘ୍ର ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କରାଯିବ । ସରକାରଙ୍କ ଏହି ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେବ ତାକୁ ଅଞ୍ଚଳବାସୀଙ୍କ ଅପେକ୍ଷା ।

Leave a Reply

Your email address will not be published. Required fields are marked *