କାନାଡାରେ ଚାଞ୍ଚଲ୍ୟ। ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା। ବ୍ରିଟିଶ କଲମ୍ବିଆର ସରେ ସହରସ୍ଥିତ ଏକ ୱାଲମାର୍ଟ ଷ୍ଟୋରର ପାର୍କିଂ ଅଞ୍ଚଳରେ ଘଟିଛି ଏହି ଗୁଳିକାଣ୍ଡ। ମୃତକ ଦ୍ୱୟ ହେଲେ ୨୩ ବର୍ଷୀୟ ଗଗନପ୍ରୀତ (ଗ୍ୟାରି) ରେହାଲ ଏବଂ ୨୪ ବର୍ଷୀୟ ସୁଖଜିତ କୌର। ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ନଭେମ୍ବର ୧୫ ତାରିଖ ରାତି ପ୍ରାୟ ୧୦ଟା ୩୮ ମିନିଟ୍ରେ ସରେ ସହରର ୮୮ ଆଭେନ୍ୟୁ ଓ ୧୨୪ ଷ୍ଟ୍ରିଟ୍ ନିକଟସ୍ଥ ୱାଲମାର୍ଟ ପାର୍କିଂରେ ଏହି ଅଘଟଣ ଘଟିଥିଲା। ଗୁଳିକାଣ୍ଡ ସମ୍ପର୍କରେ ଖବର ପାଇ ପୋଲିସ ଓ ଜରୁରିକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ ଏକ ଲାଲ୍ ରଙ୍ଗର ଫୋର୍ଡ ମଷ୍ଟାଙ୍ଗ କାର୍ରେ ଗୁଳିମାଡ଼ର ଚିହ୍ନ ଦେଖିବାକୁ ମିଳିଥିଲା। ଗୁଳିକାଣ୍ଡର ମାତ୍ର ୧୩ ମିନିଟ୍ ପରେ ପ୍ରିନ୍ସେସ୍ ଡ୍ରାଇଭ୍ ଅଞ୍ଚଳରେ ଏକ କାର୍ ଜଳୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହି ଗାଡ଼ିକୁ ଅପରାଧୀମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ସନ୍ଦେହ କରୁଛି ପୋଲିସ। ଗାଡ଼ିରେ ଥିବା ବ୍ୟକ୍ତିମାନଙ୍କ ପରିଚୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ଏହି ଡବଲ୍ ମର୍ଡର ଘଟଣାର ତଦନ୍ତ ଭାର ନେଇଛି କାନାଡାର ଇଣ୍ଟିଗ୍ରେଟେଡ୍ ହୋମିସାଇଡ୍ ଇନଭେଷ୍ଟିଗେସନ୍ ଟିମ୍ (IHIT)। ପୋଲିସ ସୂଚନା ଅନୁସାରେ, ଗଗନପ୍ରୀତଙ୍କ ନାମ ପୂର୍ବରୁ ଅସ୍ତ୍ରଶସ୍ତ୍ର ସମ୍ପର୍କିତ ମାମଲାରେ ସାମ୍ନାକୁ ଆସିଥିଲା। ଅନ୍ୟପଟେ କାନାଡାରେ ସୁଖଜିତଙ୍କ ପରିଚିତ ବ୍ୟକ୍ତିଙ୍କ ସଂଖ୍ୟା ସୀମିତ ଥିଲା ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।
ଏହି ହତ୍ୟାକାଣ୍ଡ ପଛରେ ସଂଗଠିତ ଅପରାଧୀ ଗୋଷ୍ଠୀର ହାତ ଥିବା ସନ୍ଦେହ କରାଯାଉଛି। ତେବେ କୌଣସି ଗ୍ୟାଙ୍ଗ୍ର ସମ୍ପୃକ୍ତି କିମ୍ବା ହତ୍ୟାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।
ଅନ୍ୟପଟେ ଅପରାଧୀଙ୍କୁ ଧରିବା ପାଇଁ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ ଉପରେ ଗୁରୁତ୍ୱ ଦେଉଛି ପୋଲିସ। ନଭେମ୍ବର ୧୫ ତାରିଖ ରାତି ୧୦ଟାରୁ ୧୧ଟା ମଧ୍ୟରେ ସମ୍ପୃକ୍ତ ଅଞ୍ଚଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିବେଦନ କରାଯାଇଛି।
ଦୁଇ ଯୁବକ-ଯୁବତୀଙ୍କ ଅକାଳ ବିୟୋଗରେ ଉଭୟ ପରିବାର ଶୋକରେ ଭାଙ୍ଗିପଡ଼ିଛନ୍ତି। ନଭେମ୍ବର ୨୨ ସୁଦ୍ଧା ଏହି ଘଟଣାରେ କୌଣସି ଗିରଫଦାରି ସମ୍ପର୍କରେ ସୂଚନା ମିଳିନାହିଁ। କିଏ ଓ କାହିଁକି ଉଭୟଙ୍କୁ ଟାର୍ଗେଟ୍ କଲା, ସେନେଇ ଏବେ ତଦନ୍ତ ଜାରି ରହିଛି