ମା’ଙ୍କୁ ମୁଖାଗ୍ନି ଦେଲା ଝିଅ, ପଚାରିଲେନି ୩ ପୁଅ

ଦୃଶ୍ୟ ଦେଖିବା ଭାରି କଷ୍ଟକର । ପୁଅ କାହାପାଇଁ,କାହାର ସେବା କରିବାକୁ ସେମାନେ ଜନ୍ମ । ଯେଉଁ ମା’ଦଶ ମାସ ଗର୍ଭରେ ଧରି, କଷ୍ଟ ଯନ୍ତ୍ରଣା ସହି ପୁଅକୁ ଜନ୍ମଦିଏ ଆଉ ଦୁନିଆ ଦେଖାଏ ଶେଷରେ କ’ଣ ଏମିତି କିଛି ଆଶା ରଖେ । ବାର୍ଦ୍ଧକ୍ୟ ଅବସ୍ଥାରେ ମା’ର ମୃତ୍ୟୁ ପରେ ପୁଅଙ୍କ ଅବହେଳା ନିହାତି ନିନ୍ଦନୀୟ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ତେଲକୋଇ ଥାନା ସଲେଇକେନା ଗାଁରେ ।

ଯୋଡ଼ା ବ୍ଲକ୍ ମରସୁଆଁ ଗାଁର ମୁକୁନ୍ଦ ନାଏକଙ୍କ ୮୦ ବର୍ଷୀୟ ସ୍ତ୍ରୀ ଅପୂର୍ବ ନାଏକ । ଆଜି ତାଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଥିଲା । ତେଲକୋଇ ବ୍ଲକ୍ ସଲେଇକେନା ଗାଁରେ ଅପୂର୍ବଙ୍କ ବଡ଼ ଝିଅ ନିରାଶ ନାଏକ ବିବାହ କରିଥିଲେ । ପୁଅଙ୍କ ଅବହେଳା ଯୋଗୁଁ ଦୀର୍ଘ ୫ ବର୍ଷ ହେଲା ଝିଅ ଘରେ ରହି ଆସୁଥିଲେ ଅପୂର୍ବ ନାୟକ । ଆଜି ମା’ଙ୍କ ମୃତ୍ୟୁ ଖବର ୩ ଭାଇଙ୍କ ନିକଟକୁ ପଠାଇଥିଲେ ଭଉଣୀ ନିରାଶ ନାଏକ । କିନ୍ତୁ ସର୍ବଦା ଅବହେଳା କରୁଥିବା ଭାଇ ମନୁ, ଅନାମ ଓ ସାଇବ ଶବ ନେବା ପାଇଁ ମନା କଲେ । ଶେଷରେ ବୃଦ୍ଧାଙ୍କ ଝିଅ ନିରାଶ ଏବଂ ଜ୍ୱାଇଁ ସତ୍ୟାନନ୍ଦ ନିଜ ଗାଁରେ ଶବ ସତ୍କାର କଲେ ।

ସରପଞ୍ଚ ପାଙ୍ଗେଲା ମୁଣ୍ଡା, ଗାଁର ୱାର୍ଡମେମ୍ବର ଏବଂ ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ବୃଦ୍ଧାଙ୍କ ଝିଅ ନିରାଶ, ଶ୍ମଶାନ ଯାଏ ଶବକୁ କାନ୍ଧରେ ନେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ସେ ମା’ଙ୍କୁ ମୁଖାଗ୍ନି ଦେଇଥିଲେ । ପୁଅଙ୍କ ଅବହେଳା, ଜିଦଖୋର ମନୋଭାବ ଯୋଗୁଁ ଶେଷରେ ଝିଅ ଶବ ସତ୍କାର କରିବାକୁ ବାଧ୍ୟ ହୋଇଥିଲେ ।

ବାପା ମୁକୁନ୍ଦଙ୍କ ମୃତ୍ୟୁ ପରେ ୩ ପୁଅ ମା’ଙ୍କ ସେବାରେ ଅବହେଳା କଲେ, ତାଙ୍କୁ ହଇରାଣ କରିବାରୁ ବୃଦ୍ଧା ଶେଷରେ ଝିଅ ଘରେ ରହି ଆସୁଥିଲେ । ହେଲେ ମଲା ପରେ ବି ପୁଅମାନେ ଶବ ଛୁଇଁଲେ ନାହିଁ । ଯାହା ସମାଜ ପାଇଁ ଏକ କଳଙ୍କ । ବାପାମାଙ୍କ ପ୍ରତି ପୁଅମାନଙ୍କ ଏଭଳି ବ୍ୟବହାର, ଅବହେଳା, ମୁହଁମୋଡ଼ା ନୀତି ସମାଜରେ ଗ୍ରହଣୀୟ ନୁହେଁ । ମା’ଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ ଏଭଳି ସ୍ଥିତିରେ ମା’ଙ୍କ ପ୍ରତି ପୁଅଙ୍କ ଅବହେଳା ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *