ସରକାରୀ ଅଫିସରେ ତାଲା ପକାଇଲେ ନେତା

ସରକାରୀ ଅଫିସରେ ତାଲା ପକାଇଲେ ବିଜେପି ନେତା। ଅଫିସ ଅଛି ହେଲେ କର୍ମଚାରୀ ନାହାନ୍ତି କି ନାହାନ୍ତି ଅଧିକାରୀ। ଫଳରେ ଲୋକେ ନିଜ ଅଭିଯୋଗ ନେଇ ଆସି ଖାଲି ହେଉଛନ୍ତି ହନ୍ତସନ୍ତ । ଏମିତି ନିତିଦିନିଆ ଅଭ୍ୟାସକୁ ଦେଖି ଆଜି ହଠାତ କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା କଟକ ଜିଲ୍ଲା ସାଲେପୁର ବ୍ଲକରେ ପହଞ୍ଚି କର୍ମଚାରୀ ନଥିବା ସବୁ ବିଭାଗରେ ପକେଇ ଦେଇଥିଲେ ତାଲା। ଏହି ପରିସରେ ଏବିଡ଼ିଓ, ସହକାରୀଯନ୍ତ୍ରୀ, ଯୋଗାଣ ଅଧିକାରୀଙ୍କ ସମେତ ବହି ବିଭାଗ ରହିଛି।

ସକାଳୁ ହଠାତ କିଛି ସମର୍ଥକଙ୍କୁ ଧରି ସାଲେପୁର ବ୍ଲକ କାର୍ଯ୍ୟାଳୟ ଭିତରକୁ ପହଞ୍ଚିଥିଲେ ବିଜେପି ନେତା ପ୍ରକାଶ ବେହେରା। ହେଲେ ଅଫିସରଙ୍କ କଥା ଦୂରେ ଥାଉ କର୍ମଚାରୀମାନେ ମଧ୍ୟ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ। ଅନ୍ୟପଟରେ କିଛି ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ନେଇ ଅଫିସରେ ଅପେକ୍ଷା କରିଥିଲେ। ପ୍ରକାଶଙ୍କୁ ସେଠାରେ ଦେଖି ସମସ୍ତେ ତାଙ୍କୁ ଘରିଯାଇଥିଲେ ଓ ନିଜ ଅସୁବିଧା କରିବା ସହ କେହି ସେମାନଙ୍କ କଥା ବୁଝୁ ନ ଥିବା କରିଥିଲେ ଅଭିଯୋଗ। ଲୋକଙ୍କ ସମସ୍ୟା ସମାଧାନ ହେଉ ନ ଥିବା ଓ ଅଫିସରେ କର୍ମଚାରୀଙ୍କ ଅନୁପସ୍ଥିତିକୁ ଦେଖି ରାଗି ଯାଇ ଅଫିସରେ ତାଲା ପକାଇଥିଲେ ବୋଲି ପ୍ରକାଶ କହିଛନ୍ତି।

ସେପଟେ ଅଫିସର ନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବିଡିଓ। ତାଲା ପକାଯାଇଥିବା ଅଫିସ’ର ଅଫିସରମାନେ ଫିଲ୍ଡ ଭିଜିଟରେ ଯାଇଥିବା ଏବିଡିଓ କହିଛନ୍ତି। ତେବେ କିଛି ସମୟ ତାଲା ପଡିବା ପରେ ସାଲେପୁର ପୋଲିସ ସୂଚନା ପାଇ ସେଠାରେ ପହଞ୍ଚିଥିଲା ଓ ତାଲା ଭାଙ୍ଗି ଅଫିସ ପୁନଃ ଖୋଲିଥିବା ଦେଖିବାକୁ ମିଳିଛି। 

Leave a Reply

Your email address will not be published. Required fields are marked *