ଶେଷ ବଲରେ ଚୌକା,କୋଲକାତାକୁ ଜିତାଇ ପୁଣି ହିରୋ ବନିଲେ ରିଙ୍କୁ

IPLରେ ଗୁଜରାଟ ପରେ ପଞ୍ଜାବର ପାଳି । ରିଙ୍କୁ ସିଂଙ୍କ ପ୍ରହାରରୁ ବର୍ତ୍ତିପାରିଲାନି ଦଳ । ଶେଷରେ କୋଲକାତାକୁ ପୁଣି ଏକ ବିଜୟ ଭେଟି ଦେଇଛନ୍ତି ରିଙ୍କୁ ସିଂ । ଏବେ ପ୍ଲେ ଅଫ୍ ଖେଳିବା ପାଇଁ କେକେଆର୍ ଆଶା ଉଜ୍ଜିବୀତ ରହିଛି ।

କୋଲକାତାରେ ଇଡେନ୍ ଗାର୍ଡେନ । କୋଲକାତା ପାଇଁ ୧୮୦ ରନ୍ ଟାର୍ଗେଟ୍ ରଖିଥିଲା ପଞ୍ଜାବ । ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ ଜସନ ରୟ ଏବଂ ଗୁରବାଜ । ତେବେ ରୟ ୨୪ ବଲରୁ ୩୮ ଏବଂ ୧୨ ବଲରୁ ୧୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ନିତିଶ ରାଣା ୩୮ ବଲରୁ ୫୧ ଏବଂ ଭେଙ୍କେଟସ୍ ଆୟର ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ । ତେବେ ବିପଦ ବେଳେ ଟିମ୍ ପାଇଁ ସାହାରା ବନିଥିଲେ ଦୁଇ ବିସ୍ଫୋରକ ବ୍ୟାଟସମ୍ୟାନ୍ ରସେଲ ଏବଂ ରିଙ୍କୁ ସିଂ । ୨୩ ବଲରୁ ୩ଟି ଛକା ଏବଂ ୩ଟି ଚୌକା ସହାୟତାରେ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ରସେଲ ।

ଶେଷ ଓଭରରେ କୋଲକାତାକୁ ବିଜୟ ପାଇଁ ୬ ବଲରେ ୬ ରନ୍ ଆବଶ୍ୟକ ଥିଲା । ରସେଲଙ୍କୁ ବୋଲିଂ କରିଥଲେ ଅର୍ଶଦୀପ । ପ୍ରଥମ ବଲ୍ ଫେଲ୍ ମାରିଥିଲା । ଦ୍ୱିତୀୟ ବଲ୍ ଏବଂ ତୃତୀୟ ବଲରେ ମାତ୍ର ୨ ରନ୍ ଆସିଥିବା ବେଳେ ଚତୁର୍ଥ ବଲରେ ଦଳକୁ ମିଳିଥିଲା ମାତ୍ର ୨ ରନ୍ । ପଞ୍ଚମ ବଲରେ କିନ୍ତୁ ରନ୍ ଆଉଟ୍ ହୋଇଥିଲେ ବିସ୍ଫୋରକ ରସେଲ୍ । ମ୍ୟାଚ୍ ରୋମାଞ୍ଚକ ସ୍ଥିତିରେ । କିଏ ଜିତିବ ସେ ନେଇ ଦର୍ଶକ ହୋହଲ୍ଲା ବି ବନ୍ଦ । ସମସ୍ତେ ସ୍ତବ୍ଧ । କାହାର ବାଜିମାତ୍ ହେବ, ସେଇ ନେଇ ସସପେନ୍ସରେ ଦର୍ଶକ ।

କୋଲକାତାକୁ ବିଜୟ ପାଇଁ ୧ ବଲରେ ଆବଶ୍ୟକ ଥିଲା ୨ ରନ୍ । ସାମ୍ନାରେ ଥିଲେ ବ୍ୟାଟସମ୍ୟାନ୍ ରିଙ୍କୁ ସିଂ । ଅର୍ଶଦୀପ ସିଂ ବି ପୁରା ଯୋଶରେ ବୋଲିଂ କଲେ । ହେଲେ ଶେଷ ବଲ୍ କିନ୍ତୁ ଅର୍ଶଦୀପଙ୍କୁ ଅଡୁଆରେ ପକାଇଲା । ଫୁଲ୍ ଟସ୍ ବଲକୁ ଚୌକା ମାରିଲେ ରିଙ୍କୁ । କେହି ଅଟକାଇପାରିଲାନି । ଚୌକା ମାରି ଦଳକୁ ପୁଣି ଏକ ବିଜୟ ଭେଟି ଦେଲେ ରିଙ୍କୁ ସିଂ । ଅପରାଜିତ ୧୦ ବଲରୁ ୨ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୨୧ ରନର ଇନିଂସ ଖେଳି ସେ ଟିମକୁ ପୁଣି ଥରେ ବିଜୟୀ କରାଇଛନ୍ତି । ବେଷ୍ଟ ଫିନିସର ଭାବେ କୋଲକାତା ପାଇଁ ପୁଣି ଥରେ ଲକି ପ୍ଲେୟାର ବନିଛନ୍ତି ଏହି ବିସ୍ଫୋରକ ବ୍ୟାଟସମ୍ୟାନ୍ ।

କିଛି ଦିନ ପୂର୍ବେ ଗୁଜରାଟ ବିପକ୍ଷରେ ଶେଷ ୫ ବଲରେ ଲଗାତାର ୫ଟି ଛକା ମାରି କୋଲକାତାକୁ ଜିତାଇଥିଲେ । ଗୁଜରାଟ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ ରିଙ୍କୁ । ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଅବିଶ୍ୱାସନୀୟ ବିଜୟ ଭେଟି ଦେଇଥିଲେ । ଆଉ ରାତାରାତି ସେ ଷ୍ଟାର ପାଲଟି ଯାଇଥିଲେ । ଏବେ ପଞ୍ଜାବ ବିପକ୍ଷରେ ଦଳ ଭଲ ସ୍ଥିତିରେ ଥିଲା କିନ୍ତୁ ଶେଷ ବଲରେ ସ୍ଥିତି ବେଶ୍ ରୋମାଞ୍ଚକ ହୋଇଥିଲା । ରିଙ୍କୁ ଏହି ମୌକାର ଫାଇଦା ନେଇ ଚୌକା ମାରିବା ସହ ପଞ୍ଜାବ ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ।

Leave a Reply

Your email address will not be published. Required fields are marked *