Cuttack Bali Yatra : ବାଲିଯାତ୍ରାରେ ଡ୍ରୋନ୍‌କୁ ନା ! ୫ କିମି ଯାଏଁ କଡ଼ା କଟକଣା

କଟକ: ଐତିହାସିକ କଟକ ବାଲିଯାତ୍ରା ୨୦୨୬ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି। ଏଥର ବାଲିଯାତ୍ରା ପଡ଼ିଆରେ ଉଡ଼ିପାରିବନି ଡ୍ରୋନ୍‌। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆ ସମେତ ଏହାର ଆଖପାଖ ୫ କିଲୋମିଟର ପରିଧିକୁ ‘ନୋ ଡ୍ରୋନ୍‌ ଜୋନ୍‌’ ଭାବେ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ। ଏହି କଟକଣା ଆସନ୍ତା ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଚଳିତ ବର୍ଷ ବାଲିଯାତ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଅନେକ ଭିଭିଆଇପି ଓ ଭିଆଇପି ଅତିଥି ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏନେଇ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶ ଅନୁସାରେ, କେବଳ ଡ୍ରୋନ୍‌ ନୁହେଁ, ପାରାଗ୍ଲାଇଡର୍‌, ପାରାମୋଟର୍‌, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍‌, ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ୍‌ ଏବଂ ଅନ୍ୟାନ୍ୟ ମାନବବିହୀନ ଉଡ଼ନ୍ତା ଯାନ ଉପରେ ମଧ୍ୟ କଟକଣା ଲଗାଯାଇଛି। ବିନା ଅନୁମତିରେ ଏଭଳି ଉପକରଣ ଉଡ଼ାଇଲେ ତାହାକୁ ଜବତ କରାଯିବା ସହ ଆଇନ ଅନୁଯାୟୀ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ନିର୍ଦ୍ଧାରିତ ଅଞ୍ଚଳରେ ଡ୍ରୋନ୍‌ ବ୍ୟବହାର କରିବାକୁ ଚାହାନ୍ତି, ତେବେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁଡିସିଆଲ୍‌ ସେକ୍ସନ୍‌ରୁ ପୂର୍ବ ଅନୁମତି ନେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ଏହି ବିଶାଳ ମେଳାରେ ଲକ୍ଷ ଲକ୍ଷ ଦର୍ଶକଙ୍କ ସମାଗମ ହେବାର ଆଶା ରହିଛି। ଏହାସହ ଉଭୟ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ନିର୍ଦ୍ଧାରିତ ଦିନଗୁଡ଼ିକରେ ରାତି ୧୧ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର୍‌ ବ୍ୟବହାର ପାଇଁ ଅନୁମତି ମିଳିଛି।