Assam MVI Suspended : ସେନା ଡ୍ରାଇଭରଙ୍କ ଚାଲାଣ କାଟି ଫସିଲେ ମହିଳା ଅଧିକାରୀ, ଡ୍ୟୁଟିରୁ ହଟାଇଲା ପ୍ରଶାସନ !

ଆସାମ: ସେନା ଡ୍ରାଇଭରଙ୍କ ଚାଲାଣ କାଟିବା ମହଙ୍ଗା ପଡ଼ିଲା ମହିଳା ମୋଟର ଯାନ ନିରୀକ୍ଷକଙ୍କୁ। ସିଟ୍‌ ବେଲ୍ଟ ନପିନ୍ଧି ଗାଡ଼ି ଚଳାଉଥିବା ଅଭିଯୋଗରେ ଜଣେ ଭାରତୀୟ ସେନା ଡ୍ରାଇଭରଙ୍କ ଚାଲାଣ କାଟିବା ପରେ ବିବାଦ ଘେରକୁ ଆସିଛନ୍ତି ଆସାମର ଜଣେ ମହିଳା ମୋଟର ଯାନ ନିରୀକ୍ଷକ। ଘଟଣାକୁ ନେଇ ବିବାଦ ବଢ଼ିବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ସାମୟିକ ଭାବେ ଡ୍ୟୁଟିରୁ ହଟାଇ ଦିଆଯାଇଛି।

ଘଟଣାଟି ଆସାମର ଜୋରହାଟ ଜିଲ୍ଲାରେ ଘଟିଛି। ନଭେମ୍ବର ୧୮ ତାରିଖରେ ଜୋରହାଟ ସହରର ଏଟି ରୋଡ୍‌ସ୍ଥିତ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ନିକଟରେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ସେନାର ଏକ ଗାଡ଼ିକୁ ଅଟକାଇଥିଲେ ମୋଟର ଯାନ ନିରୀକ୍ଷକ ସମିମ ସୁଲତାନା। ସେନା ଡ୍ରାଇଭର ସିଟ୍‌ ବେଲ୍ଟ ପିନ୍ଧି ନଥିବା ଦର୍ଶାଇ ସେ ଚାଲାଣ କାଟିଥିଲେ।

ସୂଚନା ଅନୁସାରେ, ସେନା ଡ୍ରାଇଭର ଜୋରହାଟ ମିଲିଟାରୀ ଷ୍ଟେସନର ୪୧ ସବ୍‌-ଏରିଆରେ କାର୍ଯ୍ୟରତ ଥିଲେ। ସେ ଅନ୍ୟ ଜଣେ କନିଷ୍ଠ ସେନା କର୍ମଚାରୀଙ୍କ ସହ ସରକାରୀ କାର୍ଯ୍ୟରେ ଯାଉଥିଲେ। ଗାଡ଼ି ଯାଞ୍ଚ ସମୟରେ ମହିଳା ଅଧିକାରୀ ଓ ସେନା କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ତେଜିଥିଲା।

ଏନେଇ ଜୋରହାଟ ଜିଲ୍ଲା ପରିବହନ ଅଧିକାରୀ ଧନଞ୍ଜୟ ସାଇକିଆ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ସେନା ଡ୍ରାଇଭରଙ୍କ ବିରୋଧରେ ଡ୍ରାଇଭିଂ ଲାଇସେନ୍ସ ନଥିବା ଅଭିଯୋଗରେ ଚାଲାଣ କଟାଯାଇନଥିଲା। କେବଳ ସିଟ୍‌ ବେଲ୍ଟ ନପିନ୍ଧିବା କାରଣରୁ ଚାଲାଣ କଟାଯାଇଥିଲା। ସେନାର ଲାଇସେନ୍ସରେ ସେନା ଗାଡ଼ି ଚଳାଇବା ଅନୁମତି ରହିଛି। ତେବେ ସିଟ୍‌ ବେଲ୍ଟ ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ ଯାଞ୍ଚ ବେଳେ ମହିଳା ଅଧିକାରୀଙ୍କ ଆଚରଣ ଓ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠିବା ପରେ ତାଙ୍କୁ ଦିନେ କିମ୍ବା ଦୁଇଦିନ ପାଇଁ ଡ୍ୟୁଟିରୁ ହଟାଯାଇଛି। ଏହି ଘଟଣାରେ ସେନା ପ୍ରତି ଅନିଚ୍ଛାକୃତ ଅସମ୍ମାନ ସୃଷ୍ଟି ହୋଇଥିବାରୁ ଜିଲ୍ଲା ପ୍ରଶାସନ ଦୁଃଖ ପ୍ରକାଶ କରିଛି। ଘଟଣାକୁ ନେଇ ସୋସିଆଲ ମିଡିଆରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି।