Category: ରାଜ୍ୟ ଖବର

  • ପ୍ରତିଯୋଗିତା ହେଲେ ‘ଶିକ୍ଷା’ର ଗୁଣାତ୍ମକ ମାନ ବୃଦ୍ଧି ପାଇବ: 5T ସଚିବ

    ପ୍ରତିଯୋଗିତା ହେଲେ ‘ଶିକ୍ଷା’ର ଗୁଣାତ୍ମକ ମାନ ବୃଦ୍ଧି ପାଇବ: 5T ସଚିବ

    ତୃତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ହୋଇ ଜିଲ୍ଲାଗୁଡ଼ିକ ପାଇଁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଘୋଷଣା କରିଛନ୍ତି । ପ୍ରଥମ ପୁରସ୍କାର ୩ କୋଟି, ଦ୍ୱିତୀୟ ପୁରସ୍କାର ୨ କୋଟି ଏବଂ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ବୋଲି କହିଛନ୍ତି ନବୀନ । ରାଜ୍ୟସ୍ତରରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯିବ କହିଛନ୍ତି ସିଏମ୍ । ଏଥିସହ ଭଲ କାମ କରିଥିବା ଶ୍ରେଷ୍ଠ ଦଶଟି ବ୍ଲକକୁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ।

    ଏହି ଅବସରରେ 5T ସଚିବ ଭି.କେ.ପାଣ୍ଡିଆନ କହିଥିଲେ ଯେ ରାଜ୍ୟରେ ଶିକ୍ଷା ଉପରେ ଯେତେ ଅଧିକ ପ୍ରତିଯୋଗିତା ହେବ,ଶିକ୍ଷାର ଗୁଣାତ୍ମକ ମାନ ସେତେ ବୃଦ୍ଧି ପାଇବ । ଚାଲନ୍ତୁ ଶିକ୍ଷାକୁ ଆମେ ଏକ ମହୋତ୍ସବ ଭାବେ ପାଳିବ କରିବା ସହ ପ୍ରତିଯୋଗିତା ମନୋଭାବ ନେଇ ଶିକ୍ଷାର ଉତ୍କର୍ଷ ଲାଭ କରିବା । କେବଳ ଜିଲ୍ଲା ନୁହେଁ, ବ୍ଲକ୍‌ ନୁହେଁ, ଭବିଷ୍ୟତରେ ସ୍କୁଲର ପୁରାତନ ଛାତ୍ରଛାତ୍ରୀ,ପ୍ରଧାନ ଶିକ୍ଷକ,ପଞ୍ଚାୟତ ପ୍ରତିନିଧି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି ।

    5T ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ଏଥିରେ କଟକ ଜିଲ୍ଲାର ୯୮ଟି ହାଇସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି, ମାଲକାନଗିରି ଜିଲ୍ଲାର ୪୯ଟି ଏବଂ ଯାଜପୁର ଜିଲ୍ଲାର ୭୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା । ମୋଟ ୩ଟି ପର୍ଯ୍ୟାୟରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହୋଇଛି ।

    ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି । ସ୍କୁଲ ପରିଚାଳନା କମିଟିର ସଦସ୍ୟ,ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନ୍‌ଫରେନ୍‌ସିଂରେ ଯୋଡ଼ି ହୋଇଥିବା ସ୍କୁଲ ଗୁଡ଼ିକରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ସଫଳତା ଓଡ଼ିଶାର ସଫଳତା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ମା’ଙ୍କୁ ମୁଖାଗ୍ନି ଦେଲା ଝିଅ, ପଚାରିଲେନି ୩ ପୁଅ

    ମା’ଙ୍କୁ ମୁଖାଗ୍ନି ଦେଲା ଝିଅ, ପଚାରିଲେନି ୩ ପୁଅ

    ଦୃଶ୍ୟ ଦେଖିବା ଭାରି କଷ୍ଟକର । ପୁଅ କାହାପାଇଁ,କାହାର ସେବା କରିବାକୁ ସେମାନେ ଜନ୍ମ । ଯେଉଁ ମା’ଦଶ ମାସ ଗର୍ଭରେ ଧରି, କଷ୍ଟ ଯନ୍ତ୍ରଣା ସହି ପୁଅକୁ ଜନ୍ମଦିଏ ଆଉ ଦୁନିଆ ଦେଖାଏ ଶେଷରେ କ’ଣ ଏମିତି କିଛି ଆଶା ରଖେ । ବାର୍ଦ୍ଧକ୍ୟ ଅବସ୍ଥାରେ ମା’ର ମୃତ୍ୟୁ ପରେ ପୁଅଙ୍କ ଅବହେଳା ନିହାତି ନିନ୍ଦନୀୟ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ତେଲକୋଇ ଥାନା ସଲେଇକେନା ଗାଁରେ ।

    ଯୋଡ଼ା ବ୍ଲକ୍ ମରସୁଆଁ ଗାଁର ମୁକୁନ୍ଦ ନାଏକଙ୍କ ୮୦ ବର୍ଷୀୟ ସ୍ତ୍ରୀ ଅପୂର୍ବ ନାଏକ । ଆଜି ତାଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଥିଲା । ତେଲକୋଇ ବ୍ଲକ୍ ସଲେଇକେନା ଗାଁରେ ଅପୂର୍ବଙ୍କ ବଡ଼ ଝିଅ ନିରାଶ ନାଏକ ବିବାହ କରିଥିଲେ । ପୁଅଙ୍କ ଅବହେଳା ଯୋଗୁଁ ଦୀର୍ଘ ୫ ବର୍ଷ ହେଲା ଝିଅ ଘରେ ରହି ଆସୁଥିଲେ ଅପୂର୍ବ ନାୟକ । ଆଜି ମା’ଙ୍କ ମୃତ୍ୟୁ ଖବର ୩ ଭାଇଙ୍କ ନିକଟକୁ ପଠାଇଥିଲେ ଭଉଣୀ ନିରାଶ ନାଏକ । କିନ୍ତୁ ସର୍ବଦା ଅବହେଳା କରୁଥିବା ଭାଇ ମନୁ, ଅନାମ ଓ ସାଇବ ଶବ ନେବା ପାଇଁ ମନା କଲେ । ଶେଷରେ ବୃଦ୍ଧାଙ୍କ ଝିଅ ନିରାଶ ଏବଂ ଜ୍ୱାଇଁ ସତ୍ୟାନନ୍ଦ ନିଜ ଗାଁରେ ଶବ ସତ୍କାର କଲେ ।

    ସରପଞ୍ଚ ପାଙ୍ଗେଲା ମୁଣ୍ଡା, ଗାଁର ୱାର୍ଡମେମ୍ବର ଏବଂ ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ବୃଦ୍ଧାଙ୍କ ଝିଅ ନିରାଶ, ଶ୍ମଶାନ ଯାଏ ଶବକୁ କାନ୍ଧରେ ନେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ସେ ମା’ଙ୍କୁ ମୁଖାଗ୍ନି ଦେଇଥିଲେ । ପୁଅଙ୍କ ଅବହେଳା, ଜିଦଖୋର ମନୋଭାବ ଯୋଗୁଁ ଶେଷରେ ଝିଅ ଶବ ସତ୍କାର କରିବାକୁ ବାଧ୍ୟ ହୋଇଥିଲେ ।

    ବାପା ମୁକୁନ୍ଦଙ୍କ ମୃତ୍ୟୁ ପରେ ୩ ପୁଅ ମା’ଙ୍କ ସେବାରେ ଅବହେଳା କଲେ, ତାଙ୍କୁ ହଇରାଣ କରିବାରୁ ବୃଦ୍ଧା ଶେଷରେ ଝିଅ ଘରେ ରହି ଆସୁଥିଲେ । ହେଲେ ମଲା ପରେ ବି ପୁଅମାନେ ଶବ ଛୁଇଁଲେ ନାହିଁ । ଯାହା ସମାଜ ପାଇଁ ଏକ କଳଙ୍କ । ବାପାମାଙ୍କ ପ୍ରତି ପୁଅମାନଙ୍କ ଏଭଳି ବ୍ୟବହାର, ଅବହେଳା, ମୁହଁମୋଡ଼ା ନୀତି ସମାଜରେ ଗ୍ରହଣୀୟ ନୁହେଁ । ମା’ଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ ଏଭଳି ସ୍ଥିତିରେ ମା’ଙ୍କ ପ୍ରତି ପୁଅଙ୍କ ଅବହେଳା ନେଇ ପ୍ରଶ୍ନ ଉଠିଛି ।

  • ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

    ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

    ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରକୁ ଦେଖି ରାଜ୍ୟ ସରକାର ସଜାଗ। ଆଜି ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏସଆରସି ତାଙ୍କ ବାର୍ତ୍ତାରେ ମତ୍ସଜୀବୀ ଓ ଚାଷୀମଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

     ବାତ୍ୟା ଓ ବର୍ଷାରେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ସମ୍ଭାବିତ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନେ ପନିପରିବା, ଉଦ୍ୟାନ କୃଷି, ଅମଳ ହୋଇଥିବା ଫସଲ ତଥା ମଣ୍ଡିରେ ପଡ଼ିଥିବା ଧାନକୁ ସୁରକ୍ଷିତ ରଖନ୍ତୁ। ସେହିପରି ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମୁଦ୍ରରେ ଉଚ୍ଚ ତରଙ୍ଗର ସମ୍ଭାବନା ଥିବାରୁ ମତ୍ସଜୀବୀମାନେ ମେ’ ୯ ତାରିଖରୁ ଛୋଟ ଜାହାଜ, ଡଙ୍ଗା ଓ ଟ୍ରଲର ଯୋଗେ  ନେଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ନଯିବା ପାଇଁ ବାରଣ କରିଛନ୍ତି ଏସଆରସି।

    ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହାର ଗତିପଥ ସଂପର୍କରେ ପୂର୍ବାନୁମାନ କରାଯାଇଥିଲା। ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୋମବାର ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । କିନ୍ତୁ ଏହା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି । ଏଣୁ ଓଡ଼ିଶା ପ୍ରତି କୌଣସି ବିପଦର ଆଶଙ୍କା ନାହିଁ ବୋଲି କହିଥିଲେ।

    ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା କି, ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ମେ’ ୧୦ରେ ଏହା ଏକ ସାମୁଦ୍ରିକ ବାତ୍ୟା ରୂପ ନେବ।  ମେ’ ୧୨ ତାରିଖ ସୁଦ୍ଧା ଏକ ବଡ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା କହିଥିଲେ।

  • ଦଳ ନାହିଁ, ବିଚାର ଧାରାରେ ପରିବର୍ତ୍ତନ ହୋଇଛି : ସୌମ୍ୟରଞ୍ଜନ

    ଦଳ ନାହିଁ, ବିଚାର ଧାରାରେ ପରିବର୍ତ୍ତନ ହୋଇଛି : ସୌମ୍ୟରଞ୍ଜନ

    ସାମ୍ପ୍ରତିକ ରାଜନୀତିକୁ ନେଇ ବର୍ଷିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟାନୟକ।  ରାଜନୀତିରେ ବର୍ତ୍ତମାନ ଦେଖାଦେଉଥିବା ଚଳଣି, ରାଜନୈତିକ ଦଳଗୁଡିକର କ୍ଷମତା ଲୋଭ, ନେତା ବନାମ ପ୍ରଶାସନିକ ଅଧିକାରୀ ପରି ବିଭିନ୍ନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପଟ୍ଟନାୟକ। ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ଆଲୋଚନା, ‘ଜାନକୀବାବୁ ଓ ବସନ୍ତବାବୁଙ୍କ ଯୋଡି, ଓଡିଶା ରାଜନୀତିର ସୁବର୍ଣ୍ଣଯୁଗ’ ଅବସରେ ବର୍ତ୍ତମାନର ରାଜନୈତିକ ବାତାବରଣକୁ ନେଇ ନିଜ ଅସନ୍ତୋଷ ଜାହିର କରିଛନ୍ତି ସୌମ୍ୟ।

    ସେ କହିଛନ୍ତି, ଏବେ ରାଜନୀତିର ପରିଭାଷା ବଦଳି ଯାଇଛି। ସବୁ ଦଳ ଏବେ କ୍ଷମତାକୁ ଆସିବା ପାଇଁ ନିର୍ବାଚନ ଲଢୁଛନ୍ତି। କୌଣସି ଉପାୟରେ ରାଜନୀତିକୁ ଆସିବାକୁ ପଡିବ, ନିର୍ବାଚନ ଜିତିବାକୁ ହେବ । ନିର୍ବାଚନ କହିଲେ ଏବେ କେବଳ ପଇସା। ସର୍ଭେ କହୁଛି ୩୦ ହଜାର କୋଟି ଖର୍ଚ୍ଚ ହୋଇଛି କର୍ଣ୍ଣାଟକ ନିର୍ବାଚନରେ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ରାଲି ଖର୍ଚ୍ଚ ଯୋଡାଯାଇନାହିଁ। ଏହା ଗଣିଲେ ଦିଆଯାଇଥିବା ସଂଖ୍ୟା ଆହୁରି ବଢିଯିବ।

    ବିଜେପିକୁ ଆକ୍ଷେପ କରି ପଟ୍ଟନାୟକ କହିଛନ୍ତି, ବିଜେପି ଆଉ ରାଜ୍ୟରେ ଦଳ ହୋଇ ନାହିଁ ବୋଲି ମୁଁ ଭାବୁଛି । ରାଜ୍ୟରେ ବିରୋଧୀ ଅଛି ବୋଲି ମୁଁ ବିଧାନସଭାରେ ଅନୁଭବ କରି ପାରୁନି । ଅର୍ଥାତ୍ ରାଜ୍ୟର ବିରୋଧୀ ଦଳ ବିଜେପି ବିଧାନସଭାରେ ସ୍ୱର ଶାଣିତ କରିବାରେ ବିଫଳ ହୋଇଛି। ସେ ଆହୁରି ବିଜେପିକୁ ନେଇ କହିଛନ୍ତି କି, ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟରେ ଥିଲା କଂଗ୍ରେସ। ସେତେବେଳେ ମୋଦି କଂଗ୍ରେସ ମୁକ୍ତ ଭାରତର ଆହ୍ୱାନ ଦେଇଥିଲେ। ତେବେ କଣ ଦେଶରେ ଗୋଟିଏ ଦଳ? ଆଉ ସେ ହେଉଛି କଂଗ୍ରେସ ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ଖଣ୍ଡପଡା ବିଧାୟକ।

    ସମ୍ପ୍ରତି ରାଜ୍ୟରେ ମନ୍ତ୍ରୀ ବନାମ ସଚିବ ଚର୍ଚ୍ଚାରେ କିଏ ବଡ଼ ? ମନ୍ତ୍ରୀ ବଡ଼ ନା ସଚିବ ? ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମନ୍ତ୍ରୀ ତଥା ଜନପ୍ରତିନିଧିଙ୍କ ଗୁରୁତ୍ୱ ହ୍ରାସକୁ ନେଇ ପରୋକ୍ଷରେ ସରକାରକୁ ଟାର୍ଗେଟ କରିଛନ୍ତି ସୌମ୍ୟ। ଏହାକୁ ନେଇ  ସେ କହିଛନ୍ତି, ପ୍ରାଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି । ମନ୍ତ୍ରୀଙ୍କୁ କେବଳ ସଂଗଠନ ବୁଝିବାକୁ ଛାଡ଼ି ଦିଆଯାଇଛି। ବାକି ସବୁକିଛି  ପ୍ରଶାସନ ବୁଝୁଛି। ଖବରକାଗଜରେ ବିଭିନ୍ନ ଯୋଜନାକୁ ତଥା ସରକାରୀ କାର୍ଯ୍ୟକ୍ରମରେ ବାହାରୁ ଥିବା ଫଟୋରେ ମନ୍ତ୍ରୀ ନାହିଁନ୍ତି। କେବଳ ସଚିବଙ୍କର ରହୁଛି। ସଚିବମାନେ ହିଁ ଆଜି ସବୁକିଛି।

    ତେବେ ଆଲୋଚନାଟି ଜାନକୀ ପଟ୍ଟନାୟକ ଓ ବସନ୍ତ ବିଶ୍ୱାଳଙ୍କ ଜୁଗଳବନ୍ଦୀକୁ ନେଇ ହୋଇଥିବା ବେଳେ ସୌମ୍ୟଙ୍କର ଉପସ୍ଥିତି କେମିତି ଗୋଟିଏ ଅଡୁଆ ଲାଗୁଛି। ଖାଲି ଶ୍ୱଶୁର ଏଥିର ବିଷୟ ବସ୍ତୁ ଥିବାରୁ ସୌମ୍ୟ ସେଠାରେ ଉପସ୍ଥିତ ଥିଲେ ନାଁ ଜଣେ ବରିଷ୍ଠ ସାମ୍ବାଦିକ ରୂପେ? ଅଥବା ଦଳରେ ଏକ ପ୍ରକାର କୋଣଠେଁସା ହୋଇରହିବା ଓ ସଚିବଙ୍କ କାୟାବିସ୍ତାରରେ ନିଜ ଛବି ହଜିଯାଉଥିବାରୁ ପୁଣି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ସୌମ୍ୟ?କାରଣ ଜାତୀୟସ୍ତରରେ ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱ ଦଳକୁ ପୁଣି ଲୋକାଦୃତ କରିବାରେ ଲାଗିଥିବା ବେଳେ ରାଜ୍ୟ କଂଗ୍ରେସ ନିଜକୁ ସୁଦୃଢ କରିବାରେ ଲାଗିଛି।

  • ୧୦ ତାରିଖରେ ଅବପାତର ରୂପ ନେବ

    ୧୦ ତାରିଖରେ ଅବପାତର ରୂପ ନେବ

    ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ୧୦ ତାରିଖରେ ଘନୀଭୂତ ହୋଇ ଅବପାତର ରୂପ ନେବ। ପ୍ରଥମେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ବାଙ୍ଗଲାଦେଶ ଓ ମିଆଁମାର ଉପକୂଳ ମୁହାଁ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।

    ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ଆଜି ଲଘୁଚାପର ରୂପ ନେଇଛି।  ମେ’୯ ତାରିଖରେ  ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବ ଓ ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବାର ଅନୁମାନ କରୁଛି ବିଭାଗ। ତେବେ

    ବାତ୍ୟା ଓଡିଶା ସ୍ଥଳଭାଗ ଛୁଇଁବ କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ବି, ଏହି ସମୟରେ ସମୁଦ୍ର ଅଶାନ୍ତ ରହୁବାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଯିବାକୁ ବାରଣ କରାଯାଇଛି।

    ବାତ୍ୟାକୁ ନେଇ ପାଣିପାଗ ବିଭାଗ ସମ୍ଭାବନା ଥିବା କହୁଥିବା ବେଳେ କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଗତ କାଲି ଓ ଆଜି ଅସମ୍ଭାଳ ତାତି ଅନୁଭୂତ ହେଉଛି। ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୩୧ ଡିଗ୍ରୀ ହୋଇଥିବା ବେଳେ ଆର୍ଦ୍ରତା ୮୫ ପ୍ରତିଶତ ହୋଇଥିବାରୁ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ରାଜଧାନୀବାସୀ ଅସରାଏ ବର୍ଷାକୁ ଯେମିତି ଅପେକ୍ଷା କରି ରହିଛନ୍ତି।

  • ରାଷ୍ଟ୍ରପତିଙ୍କ ଗସ୍ତରେ ଆଇନ୍ ଉଲ୍ଲଂଘନ କରି ଅଡୁଆରେ ଫାର୍ମାସିଷ୍ଟ

    ରାଷ୍ଟ୍ରପତିଙ୍କ ଗସ୍ତରେ ଆଇନ୍ ଉଲ୍ଲଂଘନ କରି ଅଡୁଆରେ ଫାର୍ମାସିଷ୍ଟ

    ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି । ସ୍ୱାଗତମ୍ ଠାରୁ ଆରମ୍ଭ କରି ବିଦାୟ ସବୁଠି ରାଷ୍ଟ୍ରପତିଙ୍କ ପ୍ରଶଂସା । କାରଣ ସେ ଓଡ଼ିଆ, ଓଡ଼ିଶାର ଗର୍ବ । ରାଷ୍ଟ୍ରପତିଙ୍କ ୩ ଦିନିଆ ଗସ୍ତ ବେଳେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ହେଲେ କିଛିଟା ତ୍ରୁଟିକୁ ଅସନ୍ତୋଷ ଦେଖାଦେଇଛି । ଶନିବାର ଅର୍ଥାତ ଗତକାଲି ରାଷ୍ଟ୍ରପତି ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେଉଥିବା ବେଳେ ଲାଇଟ୍ କଟିଯାଇଥିଲା । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ପୁଣି ଥରେ ଆଉ ଏକ ଚିନ୍ତାଜନକ କଥା ସାମ୍ନାକୁ ଆସିଛି ।

    ରାଷ୍ଟ୍ରପତିଙ୍କ ତିନିଦିନିଆ ମୟୂରଭଞ୍ଜ ଗସ୍ତ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ କିଛିଟା ତ୍ରୁଟି ହୋଇଥିବା ଜଣାପଡ଼ିଛି । ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ନିୟୋଜିତ ହେଲିକପ୍ଟର ପାଖକୁ ଯାଇ ସେଲ୍‌ଫି ନେଇଥିଲେ । ଏଥିସହ ସେଥିରେ ବସି ଫଟୋ ବି ଉଠାଇଥିଲେ । ସେ ଏହି ଫଟୋଗୁଡ଼ିକୁ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ହେଲେ ଯେତେବେଳେ ବିବାଦୀୟ ସ୍ଥିତି ଉପୁଜିଲା ସେ ଫେସବୁକରୁ ଫଟୋଗୁଡ଼ିକୁ ଡିଲିଟ୍ କରି ଦେଇଛନ୍ତି । ଏହି ଫାର୍ମାସିଷ୍ଟଙ୍କ ନାଁ ଯଶବନ୍ତ ବେହେରା।

    ଗତକାଲି ଏହି ସେଲ୍‌ଫି ଓ ଫଟୋଗୁଡ଼ିକ ଉଠାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକପ୍ଟରରେ ଶିମିଳିପାଳ ପାଦ ଦେଶରେ ଥିବା ଛେଳିଗୁଦୁଲିରେ ପହଞ୍ଚିଥିଲେ। ସେଠାରୁ ସେ ସଡ଼କପଥରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିଲେ । ଛେଳିଗୁଦୁଲି ହେଲିପ୍ୟାଡରେ ଡ୍ୟୁଟିରେ ଥିଲେ ଫାର୍ମାସିଷ୍ଟ ଯଶବନ୍ତ । ତେବେ ସେ ଆଇନ୍ ଉଲ୍ଲଂଘନ କରି ରାଷ୍ଟ୍ରପତିଙ୍କୁ ନେଇ ଆସିଥିବା ୩ଟି ହେଲିକପ୍ଟର ମଧ୍ୟରୁ ଗୋଟିକରେ ସେଲ୍‌ଫି ନେବା ସହିତ ଫଟୋ ମଧ୍ୟ ଉଠାଇଥିଲେ। ସେ ହେଲିକପ୍ଟର ସହିତ ଗୋଟିଏ ସେଲ୍‌ଫି ନେଇଥିଲେ ।

    ଆଉ ଦୁଇଟି ଫଟୋ ମଧ୍ୟ ଉଠାଇଛନ୍ତି ଯଶବନ୍ତ। ଦୁଇଟି ଫଟୋ ମଧ୍ୟରୁ ଗୋଟିକରେ ସେ ହେଲିକପ୍ଟର ଏକ ଅଂଶରେ ବସିଛନ୍ତି । ଅନ୍ୟଟିରେ ହେଲିକପ୍ଟରର ସମ୍ମୁଖ ଭାଗରେ ହାତରେ ଭରା ଦେଇ ଛିଡ଼ା ହୋଇଛନ୍ତି । ତେବେ, ଫଟୋ କିଏ ଉଠାଇଲେ,ତାହା ଏଯାଏ ଅସ୍ପଷ୍ଟ ରହିଛି । ତେବେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା କେବଳ ରାଷ୍ଟ୍ରପତି ଆସିଥିବାରୁ ସ୍ମୃତି ସାଇତି ରଖିବା ପାଇଁ ସେ ଏହି ସେଲଫି ନେଇଥିବା କହିଛନ୍ତି ଯଶବନ୍ତ । ସ୍ଥାନୀୟ ତହସିଲଦାର କହିଛନ୍ତି ଯେ ସେମାନେ ଖାଇବାକୁ ଯାଇଥିବା ବେଳେ ଫାର୍ମାସିଷ୍ଟ ହେଲିକପ୍ଟର ସହିତ ସେଲ୍‌ଫି ନେଇଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ମୟୂରଭଞ୍ଜ ଏସ୍‌ପି ।

  • ଆମ୍ୱୁଲାନ୍ସ ନ ଆସିବାରୁ ଚାଲିଗଲା ରୋଗୀ ଜୀବନ

    ଆମ୍ୱୁଲାନ୍ସ ନ ଆସିବାରୁ ଚାଲିଗଲା ରୋଗୀ ଜୀବନ

    ରୋଗୀଙ୍କୁ ନେବାକୁ ଯାଉଥିବା ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗି ଜଳିଯାଇଥିବା ବେଳେ ଆମ୍ବୁଲାନ୍ସ ଆପେକ୍ଷାରେ ଥିବା ରୋଗୀ ଶେଷରେ ଆଖି ବୁଜିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ପଞ୍ଚାୟତ ଗୁଲିମିଗୁଡା ଗାଁରେ। ଏପରି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସରକାରୀ ଅମ୍ବୁଲାନ୍ସ ନ ପହଞ୍ଚିବାରୁ ଏପରି ହୋଇଥିବାରୁ କ୍ଷତିପୂରଣ ଦାବି କରୁଛନ୍ତି ପରିବାର ଲୋକେ।

    ଗୁଲିମିଗୁଡାର ଜଣେ ବ୍ୟକ୍ତିଙ୍କୁ ଯନ୍ତ୍ରଣା ହେବାରୁ ଡାକ୍ତର ଖାନା ନେବାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ବନ୍ଧୁଗାଁ ମେଡିକାଲରୁ ଆମ୍ବୁଲାନ୍ସ ରୋଗୀଙ୍କୁ ଆଣିବାକୁ ବାହାରିଥିଲା। ଗାଁ ଆଡକୁ ଆମ୍ବୁଲାନ୍ସ ଆଗେଇ ଯାଉଥିବା ବେଳେ ହଠାତ୍ ଆମ୍ବୁଲାନ୍ସରେ ନିଆଁ ଲାଗି ପୋଡିଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ପୋଡିଯାଇଥିବା ଆମ୍ୱୁଲାନ୍ସ କିଛି ଦିନ ତଳେ ବନ୍ଧୁଗାଁ ମୋଡିକାଲକୁ ଭୁବନେଶ୍ୱରରୁ ପଠାଯାଇଥିଲା। ହେଲେ ଆମ୍ବୁଲାନ୍ସର ନ ଥିଲା ଫିଟନେସ ସାର୍ଟିଫିକେଟ। କାରଣ ଏହା ଥିଲା ୧୭ ବର୍ଷ ପୁରୁଣା ଗାଡି। ନୂଆ ନିୟମ ଆନୁଯାୟୀ ଏହି ଗାଡିକୁ ରାସ୍ତାରେ ଗଡିବା ମନା। ତେଣୁ ଏହି ନୂଆ ନିୟମ ବିଷୟରେ ଜାଣି ନ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସରକାରୀ କଳ ପଠାଇ ଦେଇ ବାହାବା ନେବାକୁ ଚେଷ୍ଟା କରିଥିଲା। ସେପଟେ, ଆମ୍ବୁଲାନ୍ସକୁ ଅପେକ୍ଷା କରି ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜି ଦେଇଛନ୍ତି ରୋଗୀ।

    ଆମ୍ବୁଲାନ୍ସରେ ନିଆଁ ଲାଗିବାକୁ ନେଇ ପ୍ରାଥମିକ ତଦନ୍ତ ପରେ ଜଣାପଡିଛି କି, ବାଟରେ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଆମ୍ବୁଲାନ୍ସଟି ପୁରୁଣା ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଜଳିଯାଇଛି। ଅନ୍ୟପଟେ ଆମ୍ବୁଲାନ୍ସ ଆସୁଥିବା ଜାଣି ରୋଗୀଙ୍କ ପରିବାର ତାଙ୍କୁ ହସ୍ପିଟାଲ ନେବାକୁ ଅନ୍ୟ କୌଣସି ଉପାୟ ଆପଣେଇ ନ ଥିଲେ। ଆଉ ରୋଗୀ ଯନ୍ତ୍ରଣାରେ ଦୀର୍ଘ ସମୟ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବାରୁ ଏହି ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି ପୀଡିତ ପରିବାର।

    ତେବେ ଆମ୍ୱୁଲାନ୍ସକୁ ନେଇ ଏପରି ଅଘଟଣ ରାଜ୍ୟରେ ନୂଆ ନୁହେଁ। କିଛି ଦିନ ତଳେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ରୋଗଗ୍ରସ୍ତ ଶିଶୁକୁ ହସ୍ପିଟାଲ ଆଣିବାକୁ ଆମ୍ୱୁଲାନ୍ସ ପାଇଁ ଫୋନ ହୋଇଥିଲା। ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଆମ୍ୱୁଲାନ୍ସ ଗାଁରେ ପହଞ୍ଚି ନ ଥିଲା ଆଉ ଶିଶୁର ମୃତ୍ୟୁ ହୋଇଥିଲା।

  • ମେ’ ଶେଷ ସୁଦ୍ଧା ଉଭୟ ମାଟ୍ରିକ୍ ଓ +୨ ରେଜଲ୍ଟ

    ମେ’ ଶେଷ ସୁଦ୍ଧା ଉଭୟ ମାଟ୍ରିକ୍ ଓ +୨ ରେଜଲ୍ଟ

    ମେ’ ତୃତୀୟ ସପ୍ତାହରେ ମାଟ୍ରିକ୍ ଫଳ ପ୍ରକାଶ ପାଇବ । ସେହିପରି ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବଶୀଘ୍ର ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାଫଳ ବାହାରିବା ନେଇ ତାରିଖ ଘୋଷଣା କରାଯିବ ।
    ଚଳିତବର୍ଷ ରାଜ୍ୟରେ ପ୍ରାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଚାଲିଛି । ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇଥିବା ଖାତାଦେଖାରେ ୧୩ ହଜାର ଶିକ୍ଷକ,ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି ।

    ଯୁକ୍ତ ଦୁଇ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଖାତାଦେଖା ରବିବାର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତମାସ ଶେଷ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ୍ୟ ରଖିଛି । କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁନ୍‌‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ । ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ ଇଣ୍ଟରନାଲ୍‌‌ ଆସେସମେଣ୍ଟର ୨୦%କୁ ବିଚାରକୁ ନେଇ ପିଲାଙ୍କ ପ୍ରତ୍ୟେକ ବିଷୟର ମୂଲ୍ୟାୟନ କରାଯିବ ।

    ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଛି ବୋର୍ଡ । ରେଜଲ୍ଟ ପ୍ରକାଶରେ ଯେପରି ତ୍ରୁଟି ରହିବ ନାହିଁ କି କୌଣସି ଅଭିଯୋଗ ଆସିବ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଖୁବଶୀଘ୍ର ରେଜଲ୍ଟ ପ୍ରକାଶ ପାଇବା ଖବର ମିଳିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

  • ଝାରସୁଗୁଡା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

    ଝାରସୁଗୁଡା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

    ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେବାକୁ ଥିବା ବେଳେ ସବୁ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଆଜି ବିଜେଡି ପ୍ରାର୍ଥିନୀ ଦିପାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ପ୍ରଚାର କରୁଛନ୍ତି। ସେପଟେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହେଉଛି। ପ୍ରଥମଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନର ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯିବ ।

    ଝାରସୁଗୁଡ଼ା ବିଧାନସଭା  ମଣ୍ଡଳୀରେ ଥିବା ମୋଟ ବୁଥ ଭିତରୁ ୪୦% ସମ୍ବେଦନଶୀଳ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନକୁ ସୁରୁଖୁରୁ ଓ ଶୃଙ୍ଖଳିତ ଢଙ୍ଗରେ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ନିର୍ବାଚନ ସମୟରେ ବିଧାନସଭା ମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା ହେବ ତା ଉପରେ ଅଧିକାରୀଙ୍କ ସହଯୋଗ ଲୋଡିଛନ୍ତି ଧଳ। ଏଥିସହ ନିର୍ବାଚନ ପାଇଁ ସବୁ ବୁଥକୁ ଭୋଟଗ୍ରହଣ ସାମଗ୍ରୀ ପହଞ୍ଚାଇବା, କାଳବୈଶାଖି ଓ ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍ ପୋଲ୍ ଉପରେ କଟକଣା, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାନଚ ଅଧିକାରୀ ।

    ଅଧିକାରୀଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଧଳ କହିଛନ୍ତି କି, ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ସ୍ଥିତି ଠିକଠାକ୍ ରହିଛି । ଝାରସୁଗୁଡ଼ାରେ ୪୦ ପ୍ରତିଶତ ବୁଥ ସମ୍ବେଦନଶୀଳ ଅଛି । ଓଡ଼ିଶାର ସବୁ ବୁଥରେ ଆଗକୁ ୱେବକାଷ୍ଟିଂ ହେବାକୁ ଥିବାବେଳେ ଝାରସୁଗୁଡ଼ା ଉପନିର୍ବାଚନରେ ଏହାର ଆରମ୍ଭ ହେବ । ଫଳରେ ଭୋଟଦାନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନିର୍ବାଚନ ଅଧିକାରୀମାନେ ସିଧାସଳଖ ତଦାରଖ କରିପାରିବେ ।

    ଧଳ ଆହୁରି ସୂଚନା ଦେଇଛନ୍ତି କି, ଦୁଇ ଦଳ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ କମିଶନଙ୍କ ଯାଞ୍ଚ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଆଜିର ଏହି ବୈଠକରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଆଇଏସ୍ ଦେବକ୍ରିଷ୍ଣା ତିୱାରୀ, ପୁଲିସ ପର୍ଯ୍ୟବେକ୍ଷକ ଆଇପିଏସ୍ ହମିତ୍ ଅଖତାର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଇଆରଏସ୍ ରବିରାଜ ସାହୁରାଜ ଖୋଗରେ, ରାଜ୍ୟ ଆଇନଶୃଙ୍ଖଳା ଆଇଜି ପ୍ରବୀଣ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍ ନରୱଣେ ଓ ଏସପି ସ୍ମିଥ ପି ପୁରୁଷୋତ୍ତମ ଦାସ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।

    ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ଓ ମୋଟ ୨.୨୧ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

  • ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, କାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

    ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, କାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

    ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଲଘୁଚାପ କ୍ଷେତ୍ରକୁ ଅପେକ୍ଷା । ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
    ୯ ତାରିଖରେ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । ପରେ ଅଧିକ ଘନୀଭୂତ ହୋଇ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆସନ୍ତାକାଲି ଅର୍ଥାତ ୮ ତାରିଖ ଶେଷ ସୁଦ୍ଧା ବାତ୍ୟାର ତୀବ୍ରତା ଏବଂ ଏହାର ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ପାଣିପାଗ ବିଭାଗ କହିଛି ।

    ଯଦି ବାତ୍ୟା ଆସେ ତେବେ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିନି । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶା ପ୍ରତି ସେମିତି କିଛି ବିପଦ ନାହିଁ । ଗତିବିଧି ଏବଂ ପ୍ରଭାବର ପୂର୍ବାନୁମାନ ସହ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସମସ୍ତ ଅପଡେଟ୍ ଖବର ଦିଆଯିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିପାରେ ।

    ଆଣ୍ଡାମାନ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଏଥିସହ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ବାରଣ କରାଯାଇଛି । ୮ ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ସୂଚନା ମିଳିଛି । କାଳବୈଶାଖୀ ପ୍ରଭାବ କମିବା ସହିତ ତାତି ବୃଦ୍ଧି ପାଇପାରେ । ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି ।

    ସେପଟେ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ, SRCଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକ କରିଛନ୍ତି । ଏଥିପାଇଁ ସମସ୍ତେ ସଜାଗ ଏବଂ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ସବୁ କାର୍ଯ୍ୟ ଶେଷ କରିବାକୁ କହିଛନ୍ତି ନବୀନ ।