ଝାରସୁଗୁଡା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେବାକୁ ଥିବା ବେଳେ ସବୁ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଆଜି ବିଜେଡି ପ୍ରାର୍ଥିନୀ ଦିପାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ପ୍ରଚାର କରୁଛନ୍ତି। ସେପଟେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହେଉଛି। ପ୍ରଥମଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନର ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯିବ ।

ଝାରସୁଗୁଡ଼ା ବିଧାନସଭା  ମଣ୍ଡଳୀରେ ଥିବା ମୋଟ ବୁଥ ଭିତରୁ ୪୦% ସମ୍ବେଦନଶୀଳ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନକୁ ସୁରୁଖୁରୁ ଓ ଶୃଙ୍ଖଳିତ ଢଙ୍ଗରେ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ନିର୍ବାଚନ ସମୟରେ ବିଧାନସଭା ମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା ହେବ ତା ଉପରେ ଅଧିକାରୀଙ୍କ ସହଯୋଗ ଲୋଡିଛନ୍ତି ଧଳ। ଏଥିସହ ନିର୍ବାଚନ ପାଇଁ ସବୁ ବୁଥକୁ ଭୋଟଗ୍ରହଣ ସାମଗ୍ରୀ ପହଞ୍ଚାଇବା, କାଳବୈଶାଖି ଓ ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍ ପୋଲ୍ ଉପରେ କଟକଣା, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାନଚ ଅଧିକାରୀ ।

ଅଧିକାରୀଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଧଳ କହିଛନ୍ତି କି, ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ସ୍ଥିତି ଠିକଠାକ୍ ରହିଛି । ଝାରସୁଗୁଡ଼ାରେ ୪୦ ପ୍ରତିଶତ ବୁଥ ସମ୍ବେଦନଶୀଳ ଅଛି । ଓଡ଼ିଶାର ସବୁ ବୁଥରେ ଆଗକୁ ୱେବକାଷ୍ଟିଂ ହେବାକୁ ଥିବାବେଳେ ଝାରସୁଗୁଡ଼ା ଉପନିର୍ବାଚନରେ ଏହାର ଆରମ୍ଭ ହେବ । ଫଳରେ ଭୋଟଦାନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନିର୍ବାଚନ ଅଧିକାରୀମାନେ ସିଧାସଳଖ ତଦାରଖ କରିପାରିବେ ।

ଧଳ ଆହୁରି ସୂଚନା ଦେଇଛନ୍ତି କି, ଦୁଇ ଦଳ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ କମିଶନଙ୍କ ଯାଞ୍ଚ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଆଜିର ଏହି ବୈଠକରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଆଇଏସ୍ ଦେବକ୍ରିଷ୍ଣା ତିୱାରୀ, ପୁଲିସ ପର୍ଯ୍ୟବେକ୍ଷକ ଆଇପିଏସ୍ ହମିତ୍ ଅଖତାର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଇଆରଏସ୍ ରବିରାଜ ସାହୁରାଜ ଖୋଗରେ, ରାଜ୍ୟ ଆଇନଶୃଙ୍ଖଳା ଆଇଜି ପ୍ରବୀଣ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍ ନରୱଣେ ଓ ଏସପି ସ୍ମିଥ ପି ପୁରୁଷୋତ୍ତମ ଦାସ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ଓ ମୋଟ ୨.୨୧ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

Leave a Reply

Your email address will not be published. Required fields are marked *