ମେ’ ଶେଷ ସୁଦ୍ଧା ଉଭୟ ମାଟ୍ରିକ୍ ଓ +୨ ରେଜଲ୍ଟ

ମେ’ ତୃତୀୟ ସପ୍ତାହରେ ମାଟ୍ରିକ୍ ଫଳ ପ୍ରକାଶ ପାଇବ । ସେହିପରି ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବଶୀଘ୍ର ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାଫଳ ବାହାରିବା ନେଇ ତାରିଖ ଘୋଷଣା କରାଯିବ ।
ଚଳିତବର୍ଷ ରାଜ୍ୟରେ ପ୍ରାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଚାଲିଛି । ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇଥିବା ଖାତାଦେଖାରେ ୧୩ ହଜାର ଶିକ୍ଷକ,ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି ।

ଯୁକ୍ତ ଦୁଇ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଖାତାଦେଖା ରବିବାର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତମାସ ଶେଷ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ୍ୟ ରଖିଛି । କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁନ୍‌‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ । ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ ଇଣ୍ଟରନାଲ୍‌‌ ଆସେସମେଣ୍ଟର ୨୦%କୁ ବିଚାରକୁ ନେଇ ପିଲାଙ୍କ ପ୍ରତ୍ୟେକ ବିଷୟର ମୂଲ୍ୟାୟନ କରାଯିବ ।

ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଛି ବୋର୍ଡ । ରେଜଲ୍ଟ ପ୍ରକାଶରେ ଯେପରି ତ୍ରୁଟି ରହିବ ନାହିଁ କି କୌଣସି ଅଭିଯୋଗ ଆସିବ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଖୁବଶୀଘ୍ର ରେଜଲ୍ଟ ପ୍ରକାଶ ପାଇବା ଖବର ମିଳିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *