Category: ଜିଲ୍ଲା

  • ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’, ଭର୍ଚୁଆଲରେ ଶୁଭାରମ୍ଭ କଲେ PM

    ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’, ଭର୍ଚୁଆଲରେ ଶୁଭାରମ୍ଭ କଲେ PM

    ଆଜିଠାରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

    ଗୁରୁବାରକୁ ଛାଡ଼ି ଅନ୍ୟ ସବୁଦିନ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ରହିଛି । ପୁରୀରୁ ଏହି ଟ୍ରେନ୍ ଦିନ ୧.୫୦ରେ ଛାଡ଼ି ରାତି ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ । ସେହିଭଳି ହାୱଡାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ୍ ।

    ପଶ୍ଚିମବଙ୍ଗ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ମଧ୍ୟରେ ଏହା ସବୁଠୁ ଦ୍ରୁତଗାମୀ ଟ୍ରେନ୍ । ପୂର୍ବରୁ ପଶ୍ଚିମବଙ୍ଗରେ ହାୱଡା-ଜଲପାଇଗୁଡ଼ି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇସାରିଛି । ପାଖାପାଖି ୫୦୦ କିଲୋମିଟର ଦୂରତାକୁ ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ୍ । ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା ଏପ୍ରିଲ୍ ୨୮ ତାରିଖରେ ହୋଇଥିଲା ।

    ଏହା ସାଧାରଣ ଟ୍ରେନ୍ ତୁଳନାରେ ବେଶ୍ ଆରାମଦାୟକ । ଟ୍ରେନର ସବୁ କୋଚ୍ ଏସି ଥିବାବେଳେ ଟ୍ରେନରେ ଜିପିଏସ୍ ଓ ଫାୟାର୍ ସେନ୍ସର ଲାଗିଛି । ୱାଇଫାଇ ସୁବିଧା ପାଇପାରିବେ ଯାତ୍ରୀ । ଖାଦ୍ୟପାନୀୟ ପାଇଁ ଡିପ୍ ଫ୍ରିଜର ମଧ୍ୟ ରହିଛି । ମୋବାଇଲ୍ ଚାର୍ଜିଂ ପଏଣ୍ଟ ଥିବାବେଳେ ଲଗେଜ୍ ରଖିବା ପାଇଁ ମଡ୍ୟୁଲାର ରାକ୍ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ଫେବ୍ରୁଆରୀ ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଥିଲେ । ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା ।

  • କଟକ ବଡ ମେଡିକାଲ ପରିସରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

    କଟକ ବଡ ମେଡିକାଲ ପରିସରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

    rape in scb
    lady sweeper alleged rape by supervisor

    କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେମ ବା ଏସସିବି ପରିସରରେ  ଦୁଷ୍କର୍ମ ଅଭିଯୋଗ। ନିଜ ସହ ଦୁଷ୍କର୍ମ ହୋଇଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ହସ୍ପିଟାଲରେ କାର୍ଯ୍ୟରତ ଜଣେ ଅସ୍ଥାୟୀ ମହିଳା କର୍ମଚାରୀ। ପୀଡିତା ମେଡିକାଲରେ ଅସ୍ଥାୟୀ ଝାଡୁଦାର ଭାବେ କାମ କରୁଥିବା ବେଳେ ସୁପରଭାଇଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସୁପରଭାଇଜର ଦୁଷ୍କର୍ମ ପରେ ଧମକ ଦେବାକୁ ପଛାଇ ନାହିଁ। ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା। ସେପଟେ ଅଭିଯୋଗ ପରେ ସୁପରଭାଇଜର ସେଠାରୁ ଫେରାର ହୋଇଯାଇଛି।

    ସୂଚନା ମୁତାବକ, ଏସସିବି ମେଡିକାଲର କାଜୁଆଲିଟିରେ ଜଣେ ମହିଳା ଝାଡୁଦାର  ଅସ୍ଥାୟୀ ଭାବେ କାମ କରନ୍ତି। ତେବେ ନିକଟରେ ଜନୈକ ସୁପରଭାଇଜର ମେଡିକାଲ ଏସଆର ହଷ୍ଟେଲର ରୁମ୍ ସଫା କରିବା ମହିଳାଙ୍କୁ କହିଥିଲେ। ମହିଳା ଝାଡୁଦାର ସେଠାକୁ ଯାଇ ରୁମ ସଫା କରୁଥିବା ବେଳେ ସୁପରଭାଇଜର ପହଞ୍ଚି ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏବିଷୟରେ କାହାରିକୁ କହିଲେ ଜୀବନରୁ ମାରୁ ଦେବାକୁ ଧମକ ଦେବାକୁ ସୁପରଭାଇଜର ଜଣକ ପଛାଇ ନଥିବା ଅଭିଯୋଗ ହୋଇଛି।  

    ଅଭିଯୋଗରେ ଆହୁରି ଉଲ୍ଳେଖ ରହିଛି କି, ଏସମ୍ପର୍କରେ ମେଡିକାଲରେ ଝାଡୁଦାରଙ୍କୁ ନିଯୁକ୍ତି ଦେଉଥିବା  ଆଉଟସୋର୍ସିଂ ସଂସ୍ଥାର ମାଲିକଙ୍କୁ ପୀଡିତା ଜଣାଇଥିଲେ। ହେଲେ ସଂସ୍ଥାର ମାଲିକ ଅଭିଯୋଗ ପାଇ ମଧ୍ୟ ସୁପରଭାଇଜର ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ରହିଥିଲେ। ତେଣୁ  ପୀଡିତା ବାଧ୍ୟ ହୋଇ ବୁଧବାର ସନ୍ଧ୍ୟାରେ ମଙ୍ଗଳବାଗ ଥାନାକୁ ଯାଇ ଅଭିଯୋଗ କରିଥିବା ସୂଚନା ରହିଛି।  ଅଭିଯୋଗ ପରେ ଉକ୍ତ ସୁପରଭାଇଜର ଫେରାର ହୋଇଯାଇଥିବା ବେଳେ ପୋଲିସ ଓ ସାଉଣ୍ଟିଫିକ୍ ଟିମ ଘଟଣାର ତଦନ୍ତ କରୁଛନ୍ତି।

    ତେବେ  ସୁପରଭାଇଜର ଫେରାର ହୋଇଯିବା ପରେ ମହିଳାଙ୍କ ଅଭିଯୋଗରେ ସତ୍ୟତା ଥିବା କୁହାଯାଉଛି। ସେପଟେ ମେଡିକାଲ ପରିସରରେ ଏପରି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖିବାକୁ ମୁଳୁଛି। ରାଜ୍ୟ ସରକାର ଏସସିବିକୁ ବିଶ୍ୱସ୍ତରୀୟ ମେଡାକାଲ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମେଡିକାଲ ପରିସରକୁ ଦୁର୍ନୀତିମୁକ୍ତ କରିବାକୁ ସବୁଠାରେ ସିସି ଟିଭି କ୍ୟାମେରା ଲଗାଇଥିବା ବେଳେ ଏପରି କାମ କରିବାକୁ ଜଣେ କିପରି ସାହସ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

    ଅନ୍ୟପଟେ ସରକାର ରାଜ୍ୟର ଏହି ସର୍ବ ପୁରାତନ ଓ ବୃହତ ମେଡିକାଲ କଲେଜରେ ରାଜ୍ୟବାସୀଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଓ ରୋଗୀଙ୍କୁ ଦଲାଲ ତଥା ମେଡାକାଲ ଷ୍ଟାଫଙ୍କ ଶୋଷଣରୁ ରକ୍ଷା କରିବାର ଡିଣ୍ଡିମ ପିଟୁଥିବା ବେଳେ ସେଠାରେ ରୋଗୀଙ୍କୁ ଦଲାଲଠାରୁ ଆରମ୍ଭ କରି ସେଠାକାର କର୍ମଚାରୀ ବିଭିନ୍ନ ସେବା ପାଇଁ ଜୋରଜବରଦସ୍ତ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ମଧ୍ୟ ହୋଇଆସୁଛି। ଏହା ଉପରେ ସରକାର ରୋକ ଲଗାଇବାରେ ବିଫଳ ହୋଇଛନ୍ତି। ଏବେ ପୁଣି ଦୁଷ୍କର୍ମ ପରି ଅଭିଯୋଗ ଆସୁଛି।

  • କୂଅରୁ ମାଈ ହାତୀ ଉଦ୍ଧାରରେ ବନ ବିଭାଗ ସଫଳ

    କୂଅରୁ ମାଈ ହାତୀ ଉଦ୍ଧାରରେ ବନ ବିଭାଗ ସଫଳ

    elephant rescued from well
    elephant rescued from well under champua forest range

    କୂଅରୁ ମାଈ ହାତୀ ଉଦ୍ଧାର ସଫଳ। ବନ ବିଭାଗର ବହୁ କସରତ ପରେ ପରିତ୍ୟକ୍ତ କୂଅରୁ ମାଈ ହାତୀକୁ ଉଦ୍ଧାର କରିଛି ବନ ବିଭାଗ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଟୁଣଟୁଣାଠାରେ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚାର ପରିତ୍ୟକ୍ତ କୂଅ ଭିତରରେ ମାଈ ହାତୀଟି ପଡିଯାଇଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ହାତୀକୁ ଉଦ୍ଧାର କରିଥିଲା। ହାତୀଟି କୂଅରୁ ବାହାରିବା ପରେ ପାଖ ଜଙ୍ଗଲକୁ ଚାଲିଯାଇଥିବା କେନ୍ଦୁଝର ଡିଏଫଓ  ଏଚଡ଼ି ଧନରାଜ  ସୂଚନା ଦେଇଛନ୍ତି । କୂଅରେ ପଡିଥିଲେ ମଧ୍ୟ ହାତୀଟି ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

    ଗତ ରାତିରେ ୨୪ ଟିକିଆ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ ପ୍ରବେଶ କରିଥିଲେ । ଏହି ୨୪ଟିକିଆ  ହାତୀପଲରେ ୯ଟି ଦନ୍ତା, ୬ଟି ମାଈ ଓ ୯ଟି ଛୁଆ ହାତୀ ରହିଥିଲେ । ତେବେ ଗତ ବିଳମ୍ବିତ ରାତିରେ ହାତୀପଲ ଟୁଣଟୁଣା ଗାଁ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚା ଦେଇ ଯାଉଥିଲାବେଳେ, ସେମାନଙ୍କ ମଧ୍ୟରୁ ଏକ ବୟସ୍କା ମାଈ ହାତୀ ୧୦ ଫୁଟ ଗଭୀର ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା । ତାପରେ ହାତୀପଲ ତା’କୁ ସେଠାରେ ଛାଡି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ ।

    ଭୋର ସମୟରେ ବନ ବିଭାଗର ନାଇଟ୍ ପାଟ୍ରୋଲିଂ ଦଳ ସୂଚନା ପାଇଥିଲେ । ବନପାଳ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଅନ୍ୟ ବନ କର୍ମଚାରୀ ସେଠାରେ ପହଞ୍ଚି JCB ଦ୍ୱାରା କୂଅର ଗୋଟିଏ ପାର୍ଶ୍ୱରେ ଖୋଳିବା ପରେ ହାତୀଟି  ସଫଳତାର ସହିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ହାତୀ ପଲଙ୍କ ଚଳପ୍ରଚଳ ହେଉଥିବା ବେଳେ ଏଭଳି ପରିତ୍ୟକ୍ତ କୂଅ କି ଖାଲ ବନ ବିଭାଗ ନଜରରେ ନପଡିବା ଆଲୋଚନାର ବିଷୟ ହୋଇଛି ।       

                   

  • ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଜିଲ୍ଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡ ରାୟ ଶୁଣାଇଛନ୍ତି ।

    ବୃଦ୍ଧାଙ୍କୁ ହତ୍ୟା କରି ଶେଷରେ ଜେଲରେ ସାରା ଜୀବନ କଟାଇବେ ଅଭିଯୁକ୍ତ । ଏଭଳି ରାୟ ପ୍ରକାଶ କରିଛନ୍ତି କୋର୍ଟ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜାମୁନାଳିଆ ଗାଁରେ ୨୦୧୩ ମସିହା ସେପ୍ଟେମ୍ବର ୮ ତାରିଖରେ ଘଟିଥିଲା ଏକ ହତ୍ୟାକାଣ୍ଡ । ଜମ୍ଭୀରା ବେୱା ନାମକ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ପାରିବାରିକ କଳହରୁ ସେହି ଗାଁର ଦେବାନନ୍ଦ ନାୟକ ଭୁଜାଲିରେ ହାଣି ତାଙ୍କୁ ହତ୍ୟା କରିଥିଲା ।

    ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ପରିବାର ଲୋକେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଦାଲତରେ ଉପସ୍ଥିତ ରହି ୧୨ ଜଣ ସାକ୍ଷ୍ୟ ଦେବା ପରେ ଦେବାନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଶେଷରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ଅଦାଲତ । ଏଥିସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

  • ବୋଲେରୋ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର ମେଡିକାଲରେ ଭର୍ତ୍ତି

    ବୋଲେରୋ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର ମେଡିକାଲରେ ଭର୍ତ୍ତି

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୋଲେରୋରେ ବରଯାତ୍ରୀ ଦଳ ଯାଉଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣଙ୍କ ଜୀବନ ଯାଇଛି ।

    ସୂଚନା ଅନୁସାରେ କୋଇଡ଼ା ଅଞ୍ଚଳରୁ ଏକ ବୋଲେରୋ ବାହାରିଥିଲା । ବରଯାତ୍ରୀଙ୍କୁ ନେଇ ଚମ୍ପୁଆ ରାସ୍ତାରେ ଯୋଡ଼ା ଯାଉଥିଲା ବୋଲେରୋ । ତେବେ ରାମଚନ୍ଦ୍ରପୁର ନିକଟରେ ରାସ୍ତାରେ ଥିବା ଏକ ଗଛକୁ ପିଟିଥିଲା ଗାଡ଼ି । ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି ।

    ସେପଟେ ଘଟଣାରେ ମୃତ୍ୟୁ ହୋଇଥିବା ୨ ଜଣଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ସେ ନେଇ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

  • ବସକୁ ପିଟିଲା ପିକଅପ୍, ଦୁଇ ଗୁରୁତର

    ବସକୁ ପିଟିଲା ପିକଅପ୍, ଦୁଇ ଗୁରୁତର

    ଏକ ଘରୋଇ ଯାତ୍ରୀବାହୀ ବସ ସହିତ ପିକଅପର ମୁହଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା 57 ନଂ ଜାତୀୟ ରାଜପଥ ଅନ୍ତର୍ଗତ ପୁରୁଣାକଟକ ଥାନା ଚାରିଛକ ବଜାର ନିକଟସ୍ଥ ତହସିଲ କାର୍ଯ୍ୟାଳୟ ନିକଟରେ । ଦୁର୍ଘଟଣାରେ କେହି ମୃତ୍ୟୁବରଣ କରିନାହାନ୍ତି ।

    ସୂଚନା ମୁତାବକ ବଡ଼ପଣ୍ଡା ନାମକ ଏକ ଘରୋଇ ବସ ଭୁବନେଶ୍ୱରରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

  • ଆମ୍ବର ଅଭାବୀ ବିକ୍ରି ରୋକିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ, ଧର୍ମକୁ ଆଖିଠାର

    ଆମ୍ବର ଅଭାବୀ ବିକ୍ରି ରୋକିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ, ଧର୍ମକୁ ଆଖିଠାର

    ଆମ୍ବ କାହାକୁ ବା ଖାଇବାକୁ ଭଲ ନଲାଗେ । ସେ ପୁଣି ଖରା ଦିନିଆ ଆମ୍ବ । ପଖାଳ କଂସା ସାଙ୍ଗକୁ ପାଚିଲା ଆମ୍ବ, ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଭାବେ ବେଶ ପରିଚିତ । ଗାଁ ଗହଳିର ଦେଶୀ ଆମ୍ବ ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଆମ୍ବ  ଏବେ ସହରରେ ପହଁଚିଲାଣି । ଏହି ଗାଁ ଆମ୍ବକୁ ସହରବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ନିଆରା ପ୍ରୟାସ ।  ଚାଷୀଙ୍କୁ ସ୍ଵାବଲମ୍ବୀ କରିବାକୁ  ଓ  ଅଭାବି ବିକ୍ରୀର ସାମାନ୍ୟ ଦୂର କରିବାକୁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଗାଁ ଆମ୍ବ ପସରା । ଯାହା ସହରରେ ୫ ଦିନ ଧରି ଚାଲିବ । ୪ଟି ଷ୍ଟଲରେ ତେଲକୋଇ , ଘଟଗାଁ ଓ ବାଂଶପାଳ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଜରିଆରେ ଏହି ଆମ୍ବ ବିକ୍ରି ହେବ ।

    ବଜାରର କେମିକାଲ ଦିଆ ଆମ୍ବ ଅପେକ୍ଷା ଗାଁ ଚାଷୀଙ୍କ ସୁସ୍ୱାଦୁ ଆମ୍ବ ସହରବାସୀ ପାଇବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଓରମାସ ସହଯୋଗରେ ଏହି ଗାଁ ଆମ୍ବ ପସରାକୁ ଅତିରିକ୍ତ ଜିଲ୍ଲାପାଳ ଫିତା କାଟି ଉଦଘାଟନ କରିଥିଲେ । ଏହି ଅବସରରେ ଡିଏଫଓ, ସିଇଓ ଜିଲ୍ଲା ପରିଷଦ ଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏଭଳି ଆମ୍ବ ଦେଖି ସହରବାସୀ ମଧ୍ୟ କିଣି ନେଇଥିଲେ । ଚଳିତ ବର୍ଷ ରେକର୍ଡ ପରିମାଣର ଆମ୍ବ ହୋଇଛି ।  ହେଲେ ଏତେ ପରିମାଣର ଆମ୍ବ ୫ ଦିନରେ ୪ଟି ଷ୍ଟଲରେ ବିକ୍ରି ଆମ୍ବ ଚାଷୀଙ୍କୁ କେତେ ଫାଇଦା ଦେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହା ପ୍ରଶାସନର ଚାଷ ଓ ଚାଷୀଙ୍କ ପାଇଁ ଥିବା ଦରଦକୁ ପଦାରେ ପକାଇଛି ।            

  • ଵହଳଦାରେ ଗୁଳିକାଣ୍ଡ: ଆସାମୀ ସହ ଦୁଇ ଗୁରୁତର

    ଵହଳଦାରେ ଗୁଳିକାଣ୍ଡ: ଆସାମୀ ସହ ଦୁଇ ଗୁରୁତର

    ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଧୀନରେ ଗୁଳିକାଣ୍ଡ। ୩ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଘର ମାଲିକ ମଧ୍ୟ ଦୁର୍ବୃତ୍ତଙ୍କ ମାଡରେ ଆହତ ହୋଇଛନ୍ତି। ସେପଟେ ଲୋକଙ୍କ ହାବୁଡରେ ଜଣେ ଦୁର୍ବୃତ୍ତ ପଡିବାରୁ ବହେ ଛେଚା ଖାଇଛି।

    ବହଳଦା ଥାନା ଅଧୀନ କୁଲଗି ଛକ  ନିକଟରେ ଥିବା କାର୍ତ୍ତିକ ସ୍ୱାଇଁଙ୍କ ଘରେ ସୋମବାର ରାତି ପ୍ରାୟ ୯.୪୫ ରେ  ୩ ଦୁର୍ବୃତ୍ତ ପଶି ଗଣ୍ଡଗୋଳ କରିଥିଲେ। ଘର ମାଲିକ କାର୍ତ୍ତିକ ସ୍ବାଇଁଙ୍କୁ ମାଡ ମାରି ଗୁରୁତର କରିଦେଇଥିଲେ। ପାଟିତୁଣ୍ଡ ଶୁଣି ପଡୋଶୀ ଗୌରବ ଦାସ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଗୌରବଙ୍କ ଉପରକୁ ନାଇନ ଏମଏମ ପିସ୍ତଲରୁ ଗୁଳି ମାରିବାରୁ ଗୌରବଙ୍କ ପେଟରେ ଗୁଳି ବାଜିଥିଲା ଓ  ତାଙ୍କୁ ଗୁରୁତର ଅବସ୍ଥାରେ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଗୁଳିକରି  ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ଜଣେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥଲେ, ଆଉ ଗ୍ରାମବାସୀ ତା ଉପରେ କରିଥିଲେ ହାତ ସଫେଇ।

    ପରେ ତାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାର ସ୍ଥିତି ଗମ୍ଭୀର ଥିବାରୁ ସେଠାରୁ ତାକୁ ରିପଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ଵହଳଦା ଥାନାଧିକାରୀ ରଂଜନ ବେହେରା ଏବଂ ରାଇରଙ୍ଗପୁର ଟାଉନଥାନା ଆଇଆଇସି ସ୍ଫର୍ଣଲତା ମିଞ୍ଜ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ତଦନ୍ତ ଜାରି ରଖିଛନ୍ତି ।  ଆସାମୀ ପାଖରୁ ୪ ମୋଵାଇଲ, ମାଉଜର ଓ ୬ ଟି ଗୁଳି ଜବତ କରିଛି । ତଦନ୍ତ ପରେ ସତ ପଦାକୁ ଆସିବ ବୋଲି କୁହାଯାଉଛି।

  • ବହୁ ଚର୍ଚ୍ଚିତ ମାଲଗୋଦାମ ବ୍ୟବସାୟୀ ହତ୍ୟା ମାମଲାରେ ଧଳ ବ୍ରଦର୍ସ ଖଲାସ

    ବହୁ ଚର୍ଚ୍ଚିତ ମାଲଗୋଦାମ ବ୍ୟବସାୟୀ ହତ୍ୟା ମାମଲାରେ ଧଳ ବ୍ରଦର୍ସ ଖଲାସ

    ବହୁ ଚର୍ଚ୍ଚିତ କଟକ ମାଲଗୋଦାମ ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରେ ଧଳସାମନ୍ତ ବ୍ରଦର୍ସଙ୍କୁ ମିଳିଛି କ୍ଲିନ ଚିଟ। ପ୍ରମାଣ ଅଭାବରୁ ଅଭିଯୁକ୍ତ ସୁଶୀଳ ଓ ସୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି କଟକ ଦୌରାଜଜ୍। ଆଗରୁ ଏହି ମାମଲାରେ ଆଉ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ।

    କଟକ ମାଲଗୋଦାମର ଜଣାଶୁଣା ଡ଼ାଲି ବ୍ୟବସାୟୀ ମହମ୍ମଦ ଫାରୁକଙ୍କୁ ୨୦୧୪ ମସିହା ନଭେମ୍ବର ୧୨ ତାରିଖରେ ହତ୍ୟା କରାଯାଇଥିଲା। ସେ ଗୋଦାମରେ ବସିଥିବା ବେଳେ ଦୁଇଟି ବାଇକରେ କିଛି ଦୁର୍ବୃତ୍ତ ଗୋଦାମରେ ପହଞ୍ଚି ଥିଲେ ଓ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫାରୁକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

    ହତ୍ୟାକାଣ୍ଡ ପରେ ପୋଲିସରେ ଅଭିଯୋଗ ହୋଇଥିଲା କି, ଧଳବ୍ରଦର୍ସ ତାଙ୍କୁ ୩୦ ଲକ୍ଷ ଟଙ୍କା ମାଗିଥିଲେ ଫାରୁକଙ୍କୁ। କିନ୍ତୁ ଫାରୁକ ବଟି ଦେବାକୁ ମନା କରିଦେଇଥିଲେ। ଯାହାକୁ ନେଇ ଧଳଭାଇଙ୍କ ଇଙ୍ଗିତରେ ହତ୍ୟା ହୋଇଥିଲା  ବୋଲି ଅଭିଯୋଗରେ ଉଲ୍ଳେଖ କରାଯାଇଥିଲା। ତେଣୁ ଅଭିଯୋଗ ଆଧାରରେ ୭ ଜଣଙ୍କୁ ଗିରଫ କରିଥିଲା କଟକ କମିଶନରେଟ ପୁଲିସ। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛି।

    କିନ୍ତୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ଜିଲ୍ଲା ଦୌରାଜଜ୍ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ଆଜି ଦୁଇ ଭାଇ ସୁଶୀଳ ଓ ସୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି। ମାମଲାରେ ମୋଟ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳି ନ ଥିଲା।

    ଏନେଇ ଧଳସାମନ୍ତଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି, ବିଭିନ୍ନ ପର୍ଯ୍ୟୟରେ ଏହି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟ ଏହା ଉପରେ ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଫାରୁଙ୍କ ସ୍ତ୍ରୀ ଓ ଭାଇଙ୍କ ସମେତ ଗୋଦାମରେ ଯେଉଁ କର୍ମଚାରୀମାନେ କାମ କରୁଥିଲେ ସେମାନେ କୋର୍ଟରେ ମୁହଁ ଖୋଲୁନାହାନ୍ତି। ତେଣୁ ଏହା ନୋ ଏଭିଡିଏନ୍ସ କେସ୍ ହୋଇଯାଇଛି ଏବଂ କୋର୍ଟ ଅଭିଯୁକ୍ତମାନଙ୍କୁ ନର୍ଦ୍ଦୋଷରେ ଖଲାସ କରିଛନ୍ତି।

    ତଦନ୍ତକାରୀ ସଂସ୍ଥା ତଥ୍ୟପ୍ରମାଣ ନଥାଇ ଅଯଥା କୋର୍ଟଙ୍କ ସମୟ ନଷ୍ଟ କରିବା ଅନୁଚିତ୍। ଏହାଦ୍ୱାରା ଲୋକେ ତଦନ୍ତକାରୀ ସଂସ୍ଥା ଉପରେ ବିଶ୍ୱାସ ହରାଉଛନ୍ତି। କିଛି ଲୋକେ ଅଯଥା ହତାସ ହେଉଛନ୍ତି। ଗୋଟିଏ ଲୋକକୁ ମାରିଦିଆ ଗଲା, ହେଲେ ତାକୁ କିଏ ମାରିଲା ପୁଲିସ ତଦନ୍ତରେ ଜାଣି ନପାରି ଅଧାଖଣ୍ଡିଆ ଚାର୍ଜସିଟ୍ କୋର୍ଟ ଦେବା ଅନୁଚିତ୍। ଗଣତାନ୍ତ୍ରିକ ଦେଶରେ ଏହା ଦ୍ୱାରା ଲୋକେ ନ୍ୟାୟ ପାଉନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

  • ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ, ୧୯ରେ ମୟୂରଭଞ୍ଜ ବନ୍ଦ

    ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ, ୧୯ରେ ମୟୂରଭଞ୍ଜ ବନ୍ଦ

    ଆସନ୍ତା ୧୯ ତାରିଖରେ ମୟୂରଭଞ୍ଜ ବନ୍ଦ ଡାକରା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଉଥିବା ବେଳେ ୯ ମିନିଟ୍ ପାଇଁ ବିଜୁଳି କଟିଯାଇଥିଲା । ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଉଛି ।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଅଭିଭାଷଣ ଦେବାବେଳେ ୯ ମିନିଟ୍‌ ପାଇଁ ସବୁ ଲାଇଟ୍ କଟିଯାଇଥିଲା । ଏହାର ପ୍ରତିବାଦରେ ୧୯ ତାରିଖରେ ହରତାଳ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲା ବିଜେପି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ । ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ମୟୂରଭଞ୍ଜର ସମ୍ମାନ ହାନି ହୋଇଛି ବୋଲି ସୋରେନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଯେଉଁଭଳି ଭାବେ ରାଷ୍ଟ୍ରପତି ଅନ୍ଧାରରେ ରହିଲେ, ତାହା ଏକ ଦୁଃଖଦାୟକ ଘଟଣା । ଘଟଣା ପାଇଁ ଜିଲ୍ଲାପାଳ,ଏସପି ଓ ବିଶ୍ୱବିଦ୍ୟାଳୟ କୁଳପତି ଦାୟୀ ବୋଲି ଅଭିଯୋଗ କରିଛି ବିଜେପି ।

    ଘଟଣା ପରେ ଦୋଷୀଙ୍କ ବିରୋଧରେ ଏଯାଏ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନି । ତେଣୁ ୧୨ ଘଣ୍ଟିଆ ହରତାଳ ଡାକରା ଦେଇଛି ଜିଲ୍ଲା ବିଜେପି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସହ ଅନ୍ୟ ନେତାମାନେ ଯୋଗ ଦେଇଥିଲେ । ମେ’୪ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି । ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇଥିବା ବେଳେ ଏହି ଘଟଣା ଘଟିଥିଲା । ଲାଇଟ୍ କଟି ଯିବା ସତ୍ତ୍ୱେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ବନ୍ଦ କରିନଥିଲେ । ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ସେ ନିଜ ଅଭିଭାଷଣ ଜାରି ରଖିଥିଲେ । ଏହାକୁ ନେଇ ମନ୍ତ୍ରୀ,ନେତା, ପ୍ରଶାସନ କି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି ।