ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’, ଭର୍ଚୁଆଲରେ ଶୁଭାରମ୍ଭ କଲେ PM

ଆଜିଠାରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଗୁରୁବାରକୁ ଛାଡ଼ି ଅନ୍ୟ ସବୁଦିନ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ରହିଛି । ପୁରୀରୁ ଏହି ଟ୍ରେନ୍ ଦିନ ୧.୫୦ରେ ଛାଡ଼ି ରାତି ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ । ସେହିଭଳି ହାୱଡାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ୍ ।

ପଶ୍ଚିମବଙ୍ଗ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ମଧ୍ୟରେ ଏହା ସବୁଠୁ ଦ୍ରୁତଗାମୀ ଟ୍ରେନ୍ । ପୂର୍ବରୁ ପଶ୍ଚିମବଙ୍ଗରେ ହାୱଡା-ଜଲପାଇଗୁଡ଼ି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇସାରିଛି । ପାଖାପାଖି ୫୦୦ କିଲୋମିଟର ଦୂରତାକୁ ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ୍ । ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା ଏପ୍ରିଲ୍ ୨୮ ତାରିଖରେ ହୋଇଥିଲା ।

ଏହା ସାଧାରଣ ଟ୍ରେନ୍ ତୁଳନାରେ ବେଶ୍ ଆରାମଦାୟକ । ଟ୍ରେନର ସବୁ କୋଚ୍ ଏସି ଥିବାବେଳେ ଟ୍ରେନରେ ଜିପିଏସ୍ ଓ ଫାୟାର୍ ସେନ୍ସର ଲାଗିଛି । ୱାଇଫାଇ ସୁବିଧା ପାଇପାରିବେ ଯାତ୍ରୀ । ଖାଦ୍ୟପାନୀୟ ପାଇଁ ଡିପ୍ ଫ୍ରିଜର ମଧ୍ୟ ରହିଛି । ମୋବାଇଲ୍ ଚାର୍ଜିଂ ପଏଣ୍ଟ ଥିବାବେଳେ ଲଗେଜ୍ ରଖିବା ପାଇଁ ମଡ୍ୟୁଲାର ରାକ୍ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ଫେବ୍ରୁଆରୀ ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଥିଲେ । ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା ।

Leave a Reply

Your email address will not be published. Required fields are marked *