Cyclone Akwan : ବାତ୍ୟା ‘ଅକ୍ୱାନ୍’ର ଗତିପଥକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ, ୩୬ ଘଣ୍ଟା ମଧ୍ୟରେ ନେଇପାରେ ଭୟଙ୍କର ରୂପ !

ବାତ୍ୟା ‘ଅକ୍ୱାନ୍’କୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ। ବଦଳୁଛି ପାଣିପାଗ ମଡେଲର ଆକଳନ। କେତେବେଳେ ମନ୍ଥର ହେଉଛି ତ ଆଉ କେତେବେଳେ ତୀବ୍ରତା ବୃଦ୍ଧିର ସଙ୍କେତ ମିଳୁଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ୍’ର ଗତିପଥ ଓ ତୀବ୍ରତାକୁ ନେଇ ଏବେ ଚିନ୍ତାରେ ଉପକୂଳବାସୀ। ତେବେ ଭାରତୀୟ ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁସାରେ ବାତ୍ୟାଟି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି।

ନଭେମ୍ବର ୧୭ ତାରିଖ ସକାଳ ସାଢ଼େ ୫ଟା ସୁଦ୍ଧା ବାତ୍ୟା ‘ଅକ୍ୱାନ୍’ ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିଲା। ଏହା ଚେନ୍ନାଇଠାରୁ ପ୍ରାୟ ୬୧୦ କିଲୋମିଟର ପୂର୍ବରେ ଓ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୭୯୦ କିଲୋମିଟର ଦକ୍ଷିଣରେ ରହିଥିଲା। ଗତ ୬ ଘଣ୍ଟାରେ ଏହାର ଗତି ଘଣ୍ଟାପ୍ରତି ମାତ୍ର ୩ କିଲୋମିଟର ରହିଥିଲା।

ପାଣିପାଗ ବିଭାଗର ଆକଳନ ଅନୁସାରେ ନଭେମ୍ବର ୧୭ ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ସେହିପରି ନଭେମ୍ବର ୧୯ ସକାଳ ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟାଟି ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ତୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ଛୁଇଁପାରେ।

ଅନ୍ୟପଟେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ପ୍ରଶାସନ ମଧ୍ୟ ସତର୍କ ହୋଇଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ୭୪ଟି ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି।

ତେବେ ବାତ୍ୟାର ଗତିପଥରେ ଆଗକୁ କିଛି ପରିବର୍ତ୍ତନ ହେବ କି? ଓଡ଼ିଶା ଉପରେ ଏହାର ପ୍ରଭାବ କେତେ ରହିବ? ଏବେ ସମସ୍ତଙ୍କ ନଜର ପାଣିପାଗ ବିଭାଗର ପରବର୍ତ୍ତୀ ଅପଡେଟ୍ ଉପରେ।