ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ, ୧୯ରେ ମୟୂରଭଞ୍ଜ ବନ୍ଦ

ଆସନ୍ତା ୧୯ ତାରିଖରେ ମୟୂରଭଞ୍ଜ ବନ୍ଦ ଡାକରା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଉଥିବା ବେଳେ ୯ ମିନିଟ୍ ପାଇଁ ବିଜୁଳି କଟିଯାଇଥିଲା । ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଉଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଅଭିଭାଷଣ ଦେବାବେଳେ ୯ ମିନିଟ୍‌ ପାଇଁ ସବୁ ଲାଇଟ୍ କଟିଯାଇଥିଲା । ଏହାର ପ୍ରତିବାଦରେ ୧୯ ତାରିଖରେ ହରତାଳ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲା ବିଜେପି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ । ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ମୟୂରଭଞ୍ଜର ସମ୍ମାନ ହାନି ହୋଇଛି ବୋଲି ସୋରେନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଯେଉଁଭଳି ଭାବେ ରାଷ୍ଟ୍ରପତି ଅନ୍ଧାରରେ ରହିଲେ, ତାହା ଏକ ଦୁଃଖଦାୟକ ଘଟଣା । ଘଟଣା ପାଇଁ ଜିଲ୍ଲାପାଳ,ଏସପି ଓ ବିଶ୍ୱବିଦ୍ୟାଳୟ କୁଳପତି ଦାୟୀ ବୋଲି ଅଭିଯୋଗ କରିଛି ବିଜେପି ।

ଘଟଣା ପରେ ଦୋଷୀଙ୍କ ବିରୋଧରେ ଏଯାଏ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନି । ତେଣୁ ୧୨ ଘଣ୍ଟିଆ ହରତାଳ ଡାକରା ଦେଇଛି ଜିଲ୍ଲା ବିଜେପି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସହ ଅନ୍ୟ ନେତାମାନେ ଯୋଗ ଦେଇଥିଲେ । ମେ’୪ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି । ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇଥିବା ବେଳେ ଏହି ଘଟଣା ଘଟିଥିଲା । ଲାଇଟ୍ କଟି ଯିବା ସତ୍ତ୍ୱେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ବନ୍ଦ କରିନଥିଲେ । ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ସେ ନିଜ ଅଭିଭାଷଣ ଜାରି ରଖିଥିଲେ । ଏହାକୁ ନେଇ ମନ୍ତ୍ରୀ,ନେତା, ପ୍ରଶାସନ କି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *