ଆମ୍ବର ଅଭାବୀ ବିକ୍ରି ରୋକିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ, ଧର୍ମକୁ ଆଖିଠାର

ଆମ୍ବ କାହାକୁ ବା ଖାଇବାକୁ ଭଲ ନଲାଗେ । ସେ ପୁଣି ଖରା ଦିନିଆ ଆମ୍ବ । ପଖାଳ କଂସା ସାଙ୍ଗକୁ ପାଚିଲା ଆମ୍ବ, ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଭାବେ ବେଶ ପରିଚିତ । ଗାଁ ଗହଳିର ଦେଶୀ ଆମ୍ବ ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଆମ୍ବ  ଏବେ ସହରରେ ପହଁଚିଲାଣି । ଏହି ଗାଁ ଆମ୍ବକୁ ସହରବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ନିଆରା ପ୍ରୟାସ ।  ଚାଷୀଙ୍କୁ ସ୍ଵାବଲମ୍ବୀ କରିବାକୁ  ଓ  ଅଭାବି ବିକ୍ରୀର ସାମାନ୍ୟ ଦୂର କରିବାକୁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଗାଁ ଆମ୍ବ ପସରା । ଯାହା ସହରରେ ୫ ଦିନ ଧରି ଚାଲିବ । ୪ଟି ଷ୍ଟଲରେ ତେଲକୋଇ , ଘଟଗାଁ ଓ ବାଂଶପାଳ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଜରିଆରେ ଏହି ଆମ୍ବ ବିକ୍ରି ହେବ ।

ବଜାରର କେମିକାଲ ଦିଆ ଆମ୍ବ ଅପେକ୍ଷା ଗାଁ ଚାଷୀଙ୍କ ସୁସ୍ୱାଦୁ ଆମ୍ବ ସହରବାସୀ ପାଇବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଓରମାସ ସହଯୋଗରେ ଏହି ଗାଁ ଆମ୍ବ ପସରାକୁ ଅତିରିକ୍ତ ଜିଲ୍ଲାପାଳ ଫିତା କାଟି ଉଦଘାଟନ କରିଥିଲେ । ଏହି ଅବସରରେ ଡିଏଫଓ, ସିଇଓ ଜିଲ୍ଲା ପରିଷଦ ଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏଭଳି ଆମ୍ବ ଦେଖି ସହରବାସୀ ମଧ୍ୟ କିଣି ନେଇଥିଲେ । ଚଳିତ ବର୍ଷ ରେକର୍ଡ ପରିମାଣର ଆମ୍ବ ହୋଇଛି ।  ହେଲେ ଏତେ ପରିମାଣର ଆମ୍ବ ୫ ଦିନରେ ୪ଟି ଷ୍ଟଲରେ ବିକ୍ରି ଆମ୍ବ ଚାଷୀଙ୍କୁ କେତେ ଫାଇଦା ଦେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହା ପ୍ରଶାସନର ଚାଷ ଓ ଚାଷୀଙ୍କ ପାଇଁ ଥିବା ଦରଦକୁ ପଦାରେ ପକାଇଛି ।            

Leave a Reply

Your email address will not be published. Required fields are marked *