ଜଗନ୍ନାଥ ଦର୍ଶନ ସାରି ପଶ୍ଚିମ ବଙ୍ଗ ଫେରୁଥିବା ବେଳେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ

ସକାଳୁ ସକାଳୁ ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ବସ୍ ଦୁର୍ଘଟଣା । ପୁରୀରୁ ପଶ୍ଚିମବଙ୍ଗ ଫେରୁଥିବା ଗୋଟିଏ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଟିପ୍ପରକୁ ଧକ୍କା ଦେଲା ବସ୍ । ଏଥିରେ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ପ୍ରାୟ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।


ସୂଚନା ଅନୁଯାୟୀ, ଏକ ବସରେ ୬୦ରୁ ଊର୍ଦ୍ଧ୍ଵ ତୀର୍ଥଯାତ୍ରୀ ପଶ୍ଚିମବଙ୍ଗର ବାଙ୍କୁଡ଼ା ଅଞ୍ଚଳରୁ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ଗୁରୁବାର ଭୋର ସମୟରେ ପଶ୍ଚିମବଙ୍ଗ ଫେରୁଥିବା ବେଳେ ବାଲେଶ୍ୱର ଜିଲ୍ଲାର ନିଧିପଣ୍ଡା ଛକ ନିକଟରେ ବସଟି ଗୋଟିଏ ଟିପ୍ପରକୁ ଧକ୍କା ଦେଇଥିଲା। ଧକ୍କା ଫଳରେ ରାସ୍ତା ତଳକୁ ଗଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।


ତେବେ ଦୁର୍ଘଟଣା ଘଟିବା ପରେ ସୂଚନା ପାଇ ହାଇୱେ ପାଟ୍ରୋଲିଂ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣାସ୍ଥଳରେ ବାଲେଶ୍ଵର ଆରଟିଓ ଏବଂ ଜରୁରୀକାଳୀନ ବିଭାଗ ଉପସ୍ଥିତ ରହି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏଥିସହ ସେମାନଙ୍କୁ ଚିକିତ୍ସା ପରେ ଏକ ବୋଲେରୋ ସାହାଯ୍ୟରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *