Author: suchanatv24x7

  • ୬୦ ମାମଲାରେ ଜଡିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏନକାଉଣ୍ଟରରେ ମୃତ

    ୬୦ ମାମଲାରେ ଜଡିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏନକାଉଣ୍ଟରରେ ମୃତ

    ଉତ୍ତର ପ୍ରଦେଶରେ ଆଉ ଜଣେ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରିଛି ୟୁପି ଏସଟିଏଫ। ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନାକୁ ଆଜି ମୀରଟରେ ଏସଟିଏଫ ଗୁଳି କରି ହତ୍ୟା କରିଛି। ହତ୍ୟା ଓ ଅପହରଣ ପରି  ୬୦ଟି ମାମଲା ରହିଛି ଅନୀଲ ନାମରେ। ଅନୀଲ ୟୁପିର ନୋଏଡା, ଗାଜିଆବାଦ, ଦିଲ୍ଲୀ ଏନସିଆର କ୍ଷେତ୍ରରେ ଆତଙ୍କ ଚଳାଇଥିଲା ବୋଲି ଏସଟିଏଫ ଅତିରିକ୍ତ ଡିଜିପି ସୂଚନା ଦେଇଛନ୍ତି।

    ଏଡିଜିପି କହିଛନ୍ତି, ଅନୀଲ ଜଣେ କଣ୍ଟ୍ରାକ୍ଟ କିଲର। ୧୮ଟି ହତ୍ୟା ମାମଲାରେ ସେ ସାମିଲ ଥିଲା। ଅନୀଲ ପୂର୍ବରୁ ଏକ ହତ୍ୟା ମାମଲାରେ ଜେଲରେ ଥିବା ବେଳେ ଏପ୍ରିଲ ୧୦ରେ ଜେଲରୁ ମୁକୁଳିଥିଲା ଓ ପୂର୍ବପରି ଚଳାଇଥିଲା ଆତଙ୍କ। ଏଥିସହ ତା ବିରୋଧରେ ଥିବା ହତ୍ୟା ମାମଲାରେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲା ଓ ସାକ୍ଷୀଙ୍କ ହତ୍ୟା ପାଇଁ ମସୁଧା କରୁଥିଲା। ଅନୀଲର ଷଡଯନ୍ତ୍ର ବିଷୟରେ ଜଣାପଡିବା ପରେ ଅନୀଲକୁ ଧରିବାକୁ ଜାଲ ବିଛାଇଥିଲା ଏସଟିଏଫ।

    ଗୁରୁବାର  ଅନୀଲ ଦୁଜାନା ଗୋଟିଏ ସ୍କପ୍ରିଓରେ ମୀରଟରେ ଥିବା ତା’ର ସହଯୋଗୀଙ୍କୁ ଭେଟିବାକୁ ଯାଉଥିଲା। ଏହି ସୂଚନା ବିଶେଷ ସୂତ୍ରରୁ ପାଇଥିଲା ଏସଟିଏଫ। ଅନୀଲକୁ ଧରିବାକୁ ପୋଲିସ ଟିମ ଉଦ୍ୟମ କରୁଥିବା ବେଳେ ସେ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲା ଓ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସର ପାଲଟା ଗୁଳି ବିନିମୟରେ ଅନୀଲ ଦୁଜାନାର ମୃତ୍ୟୁ ହୋଇଥିଲା। ଏନେଇ ୟୁପି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

    ପୋଲିସ ସୂଚନା ଅନୁଯାୟୀ, ମୀରଟର ଗୋଟିଏ ଗାଁରେ ଥିବା ଆବଡ଼ାଖାବଡ଼ା ରାସ୍ତାକୁ ଘେରି ରହିଥିବା ବଡ଼ବଡ଼ ବୁଦା ନିକଟରେ ପୋଲିସ ଗୁଳି ଅନୀଲ ଦେହରେ ବାଜିଥିଲା। ସେହି ବୁଦା ପଛରୁ ସେ ପୋଲିସ ଉପରକୁ ଗୁଳି ଚଳାଉଥିଲା। ଉଭୟ ପକ୍ଷରୁ ୨୧ ରାଉଣ୍ଡ ଗୁଳି ଚାଲିଥିବା ବେଳେ ଅନୀଲ ୧୫ ରାଉଣ୍ଡ ଗୁଳି ଚଳାଇଥିଲା। ଘଟଣା ସ୍ଥଳରୁ ୯ଏମଏମର ୨ଟି ପିସ୍ତଲ ଜବତ କରିଛି ପୋଲିସ ବୋଲି ଏଡିଜିପି ସୂଚନା ଦେଇଛନ୍ତି।

  • ସେନା ହେଲିକପ୍ଚର କ୍ରାସରେ ଜଣେ ମୃତ, କାହିଁକି ହେଲା ଦୁର୍ଘଟଣା ?

    ସେନା ହେଲିକପ୍ଚର କ୍ରାସରେ ଜଣେ ମୃତ, କାହିଁକି ହେଲା ଦୁର୍ଘଟଣା ?

    ଜମ୍ମୁକାଶ୍ମୀରର କିସ୍ତୱାର ନିକଟରେ ଭାରତୀୟ ସେନା ହେଲିକପ୍ଟର କ୍ରାସ ହୋଇ ଜଣଙ୍କ ମୃତ୍ୟୁ ହୋଇଛି । ୨ ପାଇଲଟ ଆହତ ହୋଇଥିବା ବେଳେ ଜଣେ ଟେକ୍ନିସିଆନଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଆହତଙ୍କୁ ଉଦ୍ଧମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ବିପଦମୁକ୍ତ ଥିବା ସେନା ପକ୍ଷରୁ ସୂଚନା ମିଳିଛି । ସେନାର ALH ଧ୍ରୁବ ହେଲିକପ୍ଟର କିସ୍ତୱାର ମଚ୍ଛନା ଗାଁ ନିକଟ ଜଙ୍ଗଲରେ ଖସିପଡ଼ିଥିଲା ।

    ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ସେନାର ଆଡଭାନ୍ସଡ ଲାଇଟ ହେଲିକପ୍ଟର ‘ଧ୍ରୁବ’ । ଗତ ଦୁଇ ମାସରେ ତିନିଟି ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଲାଣି । ଆଜି ସକାଳ ୧୦ଟାରେ ALH ଧ୍ରୁବ ହେଲିକପ୍ଟର ଉଡ଼ାଣ ଭରିଥିଲା । ଏହା କିସ୍ତୱାର ଅଭିମୁଖେ ଯାଉଥିବା ବେଳେ ବାଟରେ ମଚ୍ଛନା ଗାଁ ନିକଟରେ କ୍ରାସ୍ ହୋଇ ଚେନାବ ନଦୀକୁ ଖସି ପଡ଼ିଥିଲା । ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳ ଯାଇ ସମସ୍ତଙ୍କ ଆହତଙ୍କୁ ଉଦ୍ଧାର କରିଥିଲେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

    ଗତ ୭ ମାସ ମଧ୍ୟରେ ସେନା ହେଲିକପ୍ଟର ଅନେକ ଥର ଦୁର୍ଘଟଣାଗ୍ରସ୍ତ ହେଲାଣି । କିଛି ଦିନ ପୂର୍ବେ ଅରୁଣାଚଳ ପ୍ରଦେଶରେ କ୍ରାସ୍ ହୋଇଥିଲା ଚିତା ହେଲିକପ୍ଟର । ଏଥିରେ ପ୍ରାଣ ହରାଇଥିଲେ ୨ ପାଇଲଟ୍ । ହେଲକପ୍ଟରଟି କ୍ରାସ ହେବା ପରେ ସମ୍ପୂର୍ଣ୍ଣ ଜଳିଯାଇଥିଲା । ଯାନ୍ତ୍ରିକ ତ୍ରୁଟିରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହିପରି ଗତ ଜାନୁଆରୀରେ ୨ଟି ଯୁଦ୍ଧ ବିମାନ ସୁଖୋଇ-୩୦ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଡ଼ାଣ ଭରିବା ସମୟରେ ମଝି ଆକାଶରେ ପରସ୍ପରକୁ ଧକ୍କା ଦେଇଥିଲା ଦୁଇ ବିମାନ । ଦୁର୍ଘଟଣାରୁ ଦୁଇ ପାଇଲଟ୍ ଅଳ୍ପକେ ବର୍ତ୍ତିଥିବା ବେଳେ ପ୍ରାଣ ହରାଇଥିଲେ ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀ । ଏହା ପୂର୍ବରୁ ୟୁପି ଆଗ୍ରାରୁ ଉଡ଼ାଣ ଭରିଥିବା ଚାଟାର୍ଡ ଏୟାରକ୍ରାଫ୍ଟ, ରାଜସ୍ଥାନ ଭରତପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

  • ରେସଲରଙ୍କ ମାମଲାର ଶୁଣାଣି ବନ୍ଦ କଲେ ସର୍ବୋଚ୍ଚ ନ୍ୟାୟାଳୟ

    ରେସଲରଙ୍କ ମାମଲାର ଶୁଣାଣି ବନ୍ଦ କଲେ ସର୍ବୋଚ୍ଚ ନ୍ୟାୟାଳୟ

    କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ  ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ରେସଲରଙ୍କ ଆବେଦନ ଶୁଣାଣି ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ହସ୍ତକ୍ଷେପ ପରେ  ବ୍ରିଜ ଭୂଷଣଙ୍କ ବିରୋଧରେ ପୋଲିସ ଏଫଆଇଆର ରୁଜୁ କରିବା ସହ ମହିଳା ରେସଲରଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ପରେ କୋର୍ଟ ଶୁଣାଣି ବନ୍ଦ କରିଛନ୍ତି।

    ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ସର୍ବୋଚ୍ଚ ନ୍ୟାୟାଳୟ ୭ ମହିଳା କୁସ୍ତି ଯୋଦ୍ଧାଙ୍କ ମଧ୍ୟରୁ ୩ ଜଣଙ୍କ ଆବେଦନର ଶୁଣାଣିକୁ ବନ୍ଦ କରିଛନ୍ତି। ସିଜେଇ ଡିୱାଇ ଚନ୍ଦ୍ରଚୂଡ଼ ଅଧ୍ୟକ୍ଷତାରେ ଜଷ୍ଟିସ ପିଏସ୍‌ ନରସୀମା ଓ ଜଷ୍ଟିସ ଜେବି ପାରଡିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଆଜି ରେସଲରଙ୍କ ଓକିଲ ମାମଲାର ତଦନ୍ତ କୌଣସି ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବାକୁ ଅପିଲ କରିଥିଲେ। ଏହାର ଜବାବରେ ଖଣ୍ଡପୀଠ କହିଥିଲେ ରେସଲରଙ୍କ ଏଫଆଇଆର ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେବା ସହ ଅଭିଯୋଗକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅପିଲ ହୋଇଥିଲା, ଯାହା ବର୍ତ୍ତମାନ ପୂରଣ ହୋଇଛି। ଆଉ ଯେଉଁ ଅଭିଯୋଗ ରହିଛି ତାକୁ ହାଇକୋର୍ଟ କିମ୍ବା ମାଜିଷ୍ଟ୍ରେଟଙ୍କ ପାଖରେ ଆବେଦନ କରିପାରିବେ।

    ସୂଚନାଯୋଗ୍ୟ, କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଏକାଧିକ ରେସଲର ଯୌନ ନିର୍ଯାତନା କରିଥିବା ବେଳେ ପୋଲିସ ଓ ସରକାରର ନିରବତା ବିରୋଧରେ ମହିଳା ରେସଲର ଆନ୍ଦୋଳନକୁ ଓହ୍ଲାଇଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ମାମଲା କରିଛି। ହେଲେ ଏଫଆଇଆର ପରେ ମଧ୍ୟ ବ୍ରିଜ ଭୂଷଣ ପଦଙ୍କୁ ପୋଲିସ ଗିରଫ କରି ନାହିଁ।

  • ସର୍ବ ପୁରାତନ ମଦର ଆଜି ବି ରହିଛି ଚାହିଦା

    ସର୍ବ ପୁରାତନ ମଦର ଆଜି ବି ରହିଛି ଚାହିଦା

    ପୁରୁଣାର ରହିଛି ନିଆରା ମଜା। ତେଣୁ ବହୁ ପୁରୁଣା ବା ଆଣ୍ଟିକ ପିସର ଦାମ ଶୁଣିଲେ ମୁଣ୍ଡ ଘୁରେଇ ଦେବ। ଆଉ ସେହି ସବୁ ପୁରୁଣା ଜିନିଷ ଭିତରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ବିଶ୍ବର ସର୍ବ ପୁରାତନ ମଦ। କୁହାଯାଉଛି, ମଦର ବୟସ ୧୬୫୦ ବର୍ଷରୁ ଅଧିକ ହେବ। ସବୁଠାରୁ ଆଶ୍ଚର୍ଯ୍ୟ ଓ ଚକିତ କରୁଥିବା କଥାଟି ହେଉଛି କି, ଏହା ଆଜି ବି ତାର ସ୍ୱାଦ, ମାଦକତା ବଜାୟ ରଖିଛି।  ବୋତଲର ଅବସ୍ଥା ଦେଖିଲେ ମନରେ ହୁଏତ ଘୃଣା ଭରିଯିବ, ହେଲେ ଭିତର ଜିନିଷ ଏବେ ମଧ୍ୟ ତାର ପୂର୍ବ ମାନ ଜାହିର କରୁଛି।

    B28JE6 Detail of a mosaic in the House of Theseus, Pafos Mosaics, Nea Pafos, Cyprus

    ବିଶ୍ବାସ କରାଯାଉଛି, ଏହି ମଦ ପ୍ରାୟ ୩୨୫ରୁ ୩୫୯ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରସ୍ତୁତ ହୋଇଥିଲା।  ବୋତଲର ଚାରିକଡରେ ଅଳିଆ, ଅପରିଷ୍କାର ଛାୟୀ ଯାଇଛି, ହେଲେ ଭିତରର ମଦ ଏବେ ମଧ୍ୟ ପାନୋପଯୋଗୀ ରହିଥିବା ବିଶେଷଜ୍ଞ କୁହନ୍ତି।  ଏହି ବିରଳ ମାଦକର ୧୬ ବୋତଲ ଭିତରୁ ଗୋଟିଏ, ଯାହାକୁ ୧୮୬୭ରେ ଜର୍ମାନର ରୋମାନସ୍ଥିତ ଏକ ସମାଧି ଖୋଦେଇ ବେଳେ ଉଦ୍ଧାର କରାଯାଇଥିଲା।  ବାହାରର ବାୟୁକୁ ରୋକିବା ପାଇଁ ଅଲିଭ ଅଏଲର ବ୍ୟବହାର କରାଯାଇଥିଲା। ବର୍ତ୍ତମାନ ବୋତଲରେ ଥିବା ଅବଶିଷ୍ଟାଂଶରୁ ଏହା ସ୍ପଷ୍ଟ କି ଏହା ମାଦକ ବିହୀନ ତରଳ ପଦାର୍ଥ ଓ ଏକ କଠିନ ଝୁଣା ଜାତୀୟ ଉପାଦାନରେ ପ୍ରସ୍ତୁତ ହୋଇଛି।

    ଏହି ପୁରୁଣା ମଦ ବୋତଲକୁ ଫଲ୍ଜା ଐତିହାସିକ ସଂଗ୍ରହାଳୟରେ ଶହେରୁ ଅଧିକ ବର୍ଷ ହେବ ପ୍ରଦର୍ଶନୀ ପାଇଁ ରଖାଯାଇଛି। ତେବେ ଭିତରେ ଥିବା ମଦର ସତେଜତାକୁ ଦେଖି ଏହାକୁ ପାନ କରିବାକୁ ଅନେକ ବିଶେଷଜ୍ଞ ଚିନ୍ତା କରୁଛନ୍ତି। ୧୬୫୦ ବର୍ଷ ପୁରୁଣା ଏହି ମଦକୁ ନେଇ ୱାଇନ ପ୍ରଫେସର ମୋନିକା ଖ୍ରୀଷ୍ଟମାନ କୁହନ୍ତି କି, ସୂକ୍ଷ୍ମ ଜୈବିକତା ଦୃଷ୍ଟିରୁ ଏହି ମଦ ନଷ୍ଟ ହୋଇନାହିଁ, କିନ୍ତୁ ଏହାର ରୂପରେଖକୁ ଦେଖିଲେ ଏହା ବ୍ୟକ୍ତିଙ୍କୁ ମଦର ଆନନ୍ଦ ଦେବ ନାହିଁ। ଖ୍ରୀଷ୍ଟମାନ ଆହିରି ମଧ୍ୟ କହିଛନ୍ତି କି ଏହାର ସ୍ୱାଦ ଉତ୍କଟ ହୋଇଥିବ ତଥା ବୋତଲ ଖୋଲିବା ମଧ୍ୟ ବିପଦଜନକ ହୋଇପାରେ।

  • ଖାଇସାରି ଠିଆ ହୋଇଥିଲେ, ଟ୍ରକ୍ ଧକ୍କାରେ ଗଲା ଜୀବନ

    ଖାଇସାରି ଠିଆ ହୋଇଥିଲେ, ଟ୍ରକ୍ ଧକ୍କାରେ ଗଲା ଜୀବନ

    କେନ୍ଦୁଝର ରାଙ୍କି ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ଜଣଙ୍କ ଜୀବନ ଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

    କେନ୍ଦୁଝର ରାଙ୍କି ନିକଟରେ ଦୁର୍ଘଟଣା । ଟ୍ରକ୍ ପାର୍କିଂ ନିକଟରେ କିଛି ଟ୍ରକ ଡ୍ରାଇଭର ଖାଇସାରି ଠିଆ ହୋଇଥିଲେ । ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ଆଗରୁ ଘଟଣାସ୍ଥଳରେ ହିଁ ଦୁଇଜଣ ପ୍ରାଣ ହରାଇଥିଲେ । ଧକ୍କା ଏମିତି ଲାଗିଥିଲା ଯେ ଶରୀରରୁ ମାଂସ ପିଣ୍ଡୁଳା ବାହାରି ପଡ଼ିଥିଲା । ଏଭଳି ଦୃଶ୍ୟ ଲୋକଙ୍କୁ ନିହାତି ଭୟଭୀତ କରିବ ।

    ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଲେ । ଏହି ଦୁର୍ଘଟଣାରେ ମୋଟ ୩ ଜଣଙ୍କ ମୃତ୍ୟୁ ଘଟିଲା । ସମସ୍ତ ମୃତକ ତଥା ଡ୍ରାଇଭର ଆନନ୍ଦପୁର ଅଞ୍ଚଳର । ଘଟଣାସ୍ଥଳରେ ପୋଲିସ ପହଞ୍ଚିଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା । ଏଥିସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

    ରାଜ୍ୟର କେଉଁଠି ନା କେଉଁଠି ଏଭଳି ଦୁର୍ଘଟଣା ଘଟୁଛି । ଏହା ବେଶ୍ କଷ୍ଟଦାୟକ ଏବଂ ହୃଦୟ ବିଦାରକ ଥିଲା । ଦୁର୍ଘଟଣାମାନ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ତେବେ ଆମେ ଏହା ମାନିବାକୁ ନାରାଜ୍ । ନିୟମ ରହିଛି ତଥାପି ଲୋକେ ନିୟମ ଉଲ୍ଲଂଘନ କରିଚାଲିଛନ୍ତି । ସରକାର ପଦକ୍ଷେପ ନେବା ସତ୍ତ୍ୱେ ରାସ୍ତା ଦୁର୍ଘଟଣା କମିବାର ନା ନେଉନି । ତେଣୁ ଏ ଦିଗରେ ସତର୍କ ହେବାକୁ ପଡ଼ିବ । ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବାକୁ ହେବ ।

  • ଶାବକ କଇଁଛଙ୍କ ଘର ବାହୁଡ଼ା, ଚଳିତଥର ରେକର୍ଡ କରିପାରେ ଗହୀରମଥା

    ଶାବକ କଇଁଛଙ୍କ ଘର ବାହୁଡ଼ା, ଚଳିତଥର ରେକର୍ଡ କରିପାରେ ଗହୀରମଥା

    ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ଏବେ ଶାବକ କଇଁଛଙ୍କ ଘର ବାହୁଡା଼ । ସମୁଦ୍ର କୂଳରୁ ସମୁଦ୍ର ଭିତରକୁ ଯାଉଛନ୍ତି କୋଟି କୋଟି ଶାବକ । ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

    ଗହୀରମଥାରେ ବିରଳ ଦୃଶ୍ୟ । ମାତ୍ର କିଛି ଦିନ ମଧ୍ୟରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପରେ ଏବେ ଅଣ୍ଡାରୁ ଛୁଆ ଫୁଟିଛି । କୋଟି କୋଟି ଛୁଆ ସମୁଦ୍ର କୂଳରେ ପଡ଼ି ରହିଛନ୍ତି । ସେମାନେ କେଉଁଠିକି ଯିବେ, ସେମାନଙ୍କ ଘର କେଉଁଠି । ଏଭଳି ଦୃଶ୍ୟ ନିହାତି ବେଶ୍ ଆକର୍ଷଣୀୟ । ଧୀରେ ଧୀରେ ସେମାନେ ଜଳଭାଗ ଭିତରକୁ ପ୍ରବେଶ କରୁଛନ୍ତି । ସମୁଦ୍ର ବକ୍ଷ ହିଁ ସେମାନଙ୍କ ଘର । ସେଥିପାଇଁ ସମୁଦ୍ର ଢେଉରେ ସେମାନେ ଖେଳିବା ଆରମ୍ଭ କଲେଣି । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନେ ଜଳମଧ୍ୟକୁ ପ୍ରବେଶ କରିଥାନ୍ତି । ସ୍ଥଳଭାଗ ସେମାନଙ୍କ ପାଇଁ ସୁହାଏ ନାହିଁ । ତେଣୁ କାଳବିଳମ୍ବ ନକରି କଇଁଛ ଶାବକ ଜଳ ମଧ୍ୟରେ ପ୍ରବେଶ କରୁଛନ୍ତି । ଏଭଳି ମନୋରମ ଦୃଶ୍ୟର ବେଶ୍ ମଜା ନେଉଛନ୍ତି ସ୍ଥାନୀୟ ଲୋକେ ।

    ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ବିରଳ ଅଲିଭ ରିଡଲେ କଇଁଛମାନଙ୍କ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । ମାତ୍ର ୩ ଦିନରେ ୨ କୋଟି ୩ ଲକ୍ଷ ୯୪ ହଜାର କଇଁଛ ଶାବକ ସମୁଦ୍ର ମଧ୍ୟକୁ ଯାଇସାରିଛନ୍ତି । ଗହୀରମଥା ନାସି-୨ରେ କଇଁଛ ଅଣ୍ଡାରୁ ଶାବକ ବାହାରି ସମୁଦ୍ର ଭିତରକୁ ଯାଉଛନ୍ତି । ଏହି ସମୟରେ ଶାବକମାନଙ୍କ ସୁରକ୍ଷା ପ୍ରତି କଡ଼ା ନଜର ରଖାଯାଇଛି । କୁକୁର,ବିଲୁଆ,କାଉ ଓ ଛଞ୍ଚାଣମାନେ ଖାଇଯିବାର ଭୟ ରହିଛି । ସେଥିପାଇଁ ବନ ବିଭାଗ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ବନ କର୍ମଚାରୀମାନେ କଇଁଛ ଶାବକମାନଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଚଳିତବର୍ଷ ପାଗ ଅନୁକୂଳ ରହିଛି । ତେଣୁ ରେକର୍ଡ ସଂଖ୍ୟକ କଇଁଛ ଶାବକ ସମୁଦ୍ରକୁ ଯିବା ନେଇ ବନ ବିଭାଗ ଆଶା ରଖିଛି । …

  • ‘ଗୋ ଫାଷ୍ଟ’ ସଂସ୍ଥାକୁ ଡିଜିସିଏର କଡା ତାଗିଦ, ଟିକେଟ୍ ବୁକ୍ କରିଥିବା ଯାତ୍ରୀଙ୍କ ଟଙ୍କା ଶୀଘ୍ର ଫେରାଅ

    ‘ଗୋ ଫାଷ୍ଟ’ ସଂସ୍ଥାକୁ ଡିଜିସିଏର କଡା ତାଗିଦ, ଟିକେଟ୍ ବୁକ୍ କରିଥିବା ଯାତ୍ରୀଙ୍କ ଟଙ୍କା ଶୀଘ୍ର ଫେରାଅ

    ବିମାନ ଚଳାଚଳ ସେକ୍ଟର ରେଗୁଲେଟର(Aviation Sector Regulator) ଡିଜିସିଏ ( Directorate General of Civil Aviation ) ‘ଗୋ ଫାଷ୍ଟ’ ବିମାନ ଉଡାଣ ବାତିଲ ହେବା ପରେ ଯାତ୍ରୀମାନଙ୍କ ଟଙ୍କା ଶୀଘ୍ର ଫେରସ୍ତ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଡିଜିସିଏ କହିଛି ଯେ ଏହା ସୋ କାରଣ କାରଣ ନୋଟିସରେ ଗୋଫିରଷ୍ଟର ଉତ୍ତରକୁ ଅଧ୍ୟୟନ କରିଛି ଏବଂ ବିସ୍ତୃତ ନିୟମ ଅନୁଯାୟୀ ଯାତ୍ରୀଙ୍କ ଫେରସ୍ତ ପ୍ରକ୍ରିୟା ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଛି।

    ଡିଜିସିଏ ଦ୍ବାରା ଜାରି ବିଜ୍ଞପ୍ତିର ଉତ୍ତରରେ ‘ଗୋ ଫାଷ୍ଟ’ କହିଛନ୍ତି ଯେ, ସେମାନେ ଇନ୍ସଲଭେନ୍ସି ବ୍ୟାଙ୍କରୋପ୍ଟି କୋଡର ଧାରା ୧୦ ଅନୁଯାୟୀ, NCLT ପାଖେ ଏକ ଆବେଦନ କରାଯାଇଛି । ଏୟାରଲାଇନ୍ସ ମେ ୩ ତାରିଖରୁ ତିନି ଦିନ ପାଇଁ ବିମାନ ଉଡ଼ାଣ ବାତିଲ କରିଛି । ପରେ NCLTର ଆଦେଶରେ ଯେଉଁ ନିଷ୍ପତ୍ତି ନିଆଯିବ ତାହା ଉପରେ ପରବର୍ତ୍ତୀ ପଦକ୍ଷେପ ଏୟାରଲାଇନ୍ସ ନେବ । ଟିକେଟ୍ ବୁକ୍ କରିଥିବା ଯାତ୍ରୀଙ୍କ ଟଙ୍କା ଫେରସ୍ତ କରାଯିବ କିମ୍ବା ଯାତ୍ରା ତିରିଖକୁ ପରିବର୍ତ୍ତନ କରାଯିବ ତାହା ଉପରେ ନିଷ୍ପତ୍ତି ନିଆଯିବ ।

    ‘ଗୋ ଫାଷ୍ଟ’ର ଏହି ଯବାବ ଆସିବା ପରେ ଡିଜିସିଏ ବର୍ତ୍ତମାନର ରେଗ୍ୟୁଲେଟାରୀ ନିୟମ ଅନୁଯାୟୀ, ଯାତ୍ରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କହିଛି । ଡିଜିସିଏ କହିଛି ଯେ, ‘ଗୋ ଫାଷ୍ଟ’ର ପୂର୍ବରୁ କୌଣସି ସୂଚନା ନଦେଇ ବିମାନ ଉଡ଼ାଣ ବାତିଲ କରିବାର ନିଷ୍ପତ୍ତି ଯୋଗୁଁ ଯାତ୍ରୀଙ୍କୁ ହେଉଥିବା ଅସୁବିଧାକୁ କମ୍ କରିବାକୁ ଚେଷ୍ଟା କରୁଛୁ ।

  • କୁସ୍ତିଯୋଦ୍ଧାଙ୍କୁ ସମର୍ଥ କରିବା ପାଇଁ ଜନ୍ତରମନ୍ତରରେ ଭିଡ ଜମାଇ ପାରନ୍ତି ଅସଂଖ୍ଯ ଲୋକ, ତେଣୁ ଦିଲ୍ଲୀ ପୋଲିସକୁ ସକର୍ତ ରହିବାକୁ ସୂଚନା

    କୁସ୍ତିଯୋଦ୍ଧାଙ୍କୁ ସମର୍ଥ କରିବା ପାଇଁ ଜନ୍ତରମନ୍ତରରେ ଭିଡ ଜମାଇ ପାରନ୍ତି ଅସଂଖ୍ଯ ଲୋକ, ତେଣୁ ଦିଲ୍ଲୀ ପୋଲିସକୁ ସକର୍ତ ରହିବାକୁ ସୂଚନା

    ରାଜଧାନୀ ଦିଲ୍ଲୀର ସମସ୍ତ ଜିଲ୍ଲାରେ ପୋଲିସକୁ ଆଲର୍ଟ କରାଯାଇଛି । ସମସ୍ତ ଜିଲ୍ଲାର ଡିସିପି ମାନଙ୍କୁ ସୀମାବର୍ତ୍ତୀ ଅଞ୍ଚଳରେ ବିଶେଷ ନଜର ରଖିବା ସହ ପିକେଟିଂ କରି ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରୁଟକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରିବାକୁ ବହୁ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚିବାର ଇନପୁଟ ଦିଲ୍ଲୀ ପୋଲିସକୁ ମିଳିବା ପରେ ଏହା ସତର୍କତା ଜାରି କରାଯାଇଛି ।

    ଗତକାଲି ମଧ୍ୟରାତ୍ରିରେ କୁସ୍ତି ଯୋଦ୍ଧାଙ୍କ ସହିତ ପ୍ରବଳ ଯୁକ୍ତିତର୍କ ଏବଂ ଗାଳିଗୁଳଜ ହେବା ପରେ ପୋଲିସକୁ ସତର୍କ ରହିବାକି କୁହାଯାଇଛି । ଜନ୍ତର ମନ୍ତର ଠାରେ ଆଜକୁ ୧୨ ଦିନ ଧରି ଖେଳାଳୀ ମାନେ ଧାରଣାରେ ବସିଛନ୍ତି । ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଭଳି ସଙ୍ଗୀନ ଅଭିଯୋଗ ଆଣି ବିରୋଧ କରୁଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଘଟଣା କ୍ରମ ଦ୍ରୁତ ଗତିରେ ବଦଳୁଛି । ମଙ୍ଗଳବାର ଅପରାହ୍ନରେ କୁସ୍ତି ଯୋଦ୍ଧାଙ୍କୁ ଭେଟିବାକୁ ଆସିଥିବା ପିଟି ଉଷାଙ୍କୁ ଆନ୍ଦୋଳନକାରୀ ମାନେ ଖରାପ ବ୍ୟବହାର ଦେଖାଇଥିବାରୁ ଏପରି ସ୍ଥିତି ଆରମ୍ଭ ହୋଇଥିବା କୁହାଯାଉଛି । ଏହାପରେ ଦିଲ୍ଲୀ ପୋଲିସ ଜନ୍ତର ମନ୍ତରରେ ଧାରା ୧୪୪ ଲାଗୁ କରିଥିଲା । ଜନ୍ତର ମନ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ଧାରା ୧୪୪ ଲାଗୁ ହେବା ପରେ ଦିଲ୍ଲୀ ପୋଲିସ ଓ ରେସଲରଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏହି ମାମଲାର ଅଭିଯୋଗ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ପହଞ୍ଚିଯାଇଛି ।

    ଏହାପରେ ପ୍ରମୁଖ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଲୋକଙ୍କ ଦୃଷ୍ଟି ଆକର୍ଷିଣ କରି କହିଥିଲେ ଯେ, ଆଜି କୁସ୍ତି ଯୋଦ୍ଧାଙ୍କୁ ଦେଶର କୋଣଅନୁକୋଣରୁ ଲୋକଙ୍କ ଆବଶ୍ୟକତା ପଡୁଛି । ଆପଣ ଯେଉଁଠାରେ ଥାଆନ୍ତୁ ନା କହିଁକି ଏଠାକୁ ଆସି ଆମକୁ ସମର୍ଥନ କରନ୍ତୁ । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପରିବର୍ତ୍ତେ ଦିଲ୍ଲୀ ପୋଲିସ ଯୌନ ଶୋଷଣ ଅଭିଯୋଗର ଶିକାର ହୋଇଥିବା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ସମର୍ଥନ କରୁଛି । ଏପର୍ଯ୍ୟନ୍ତ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ପୁନିଆଙ୍କ ଆବେଦନ ପରେ ଘଟଣାକ୍ରମ ଦ୍ରୁତ ଗତିରେ ବଦଳିବା ଆରମ୍ଭ କରିଛି । ତେଣୁ ଆଜି ବହୁ ସଂଖ୍ୟାରେ ଲୋକ ଜନ୍ତର ମନ୍ତରରେ ଆସି ପହଞ୍ଚିବାର ସମ୍ଭାବନା ରହିଛି ।