୬୦ ମାମଲାରେ ଜଡିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏନକାଉଣ୍ଟରରେ ମୃତ

ଉତ୍ତର ପ୍ରଦେଶରେ ଆଉ ଜଣେ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରିଛି ୟୁପି ଏସଟିଏଫ। ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନାକୁ ଆଜି ମୀରଟରେ ଏସଟିଏଫ ଗୁଳି କରି ହତ୍ୟା କରିଛି। ହତ୍ୟା ଓ ଅପହରଣ ପରି  ୬୦ଟି ମାମଲା ରହିଛି ଅନୀଲ ନାମରେ। ଅନୀଲ ୟୁପିର ନୋଏଡା, ଗାଜିଆବାଦ, ଦିଲ୍ଲୀ ଏନସିଆର କ୍ଷେତ୍ରରେ ଆତଙ୍କ ଚଳାଇଥିଲା ବୋଲି ଏସଟିଏଫ ଅତିରିକ୍ତ ଡିଜିପି ସୂଚନା ଦେଇଛନ୍ତି।

ଏଡିଜିପି କହିଛନ୍ତି, ଅନୀଲ ଜଣେ କଣ୍ଟ୍ରାକ୍ଟ କିଲର। ୧୮ଟି ହତ୍ୟା ମାମଲାରେ ସେ ସାମିଲ ଥିଲା। ଅନୀଲ ପୂର୍ବରୁ ଏକ ହତ୍ୟା ମାମଲାରେ ଜେଲରେ ଥିବା ବେଳେ ଏପ୍ରିଲ ୧୦ରେ ଜେଲରୁ ମୁକୁଳିଥିଲା ଓ ପୂର୍ବପରି ଚଳାଇଥିଲା ଆତଙ୍କ। ଏଥିସହ ତା ବିରୋଧରେ ଥିବା ହତ୍ୟା ମାମଲାରେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲା ଓ ସାକ୍ଷୀଙ୍କ ହତ୍ୟା ପାଇଁ ମସୁଧା କରୁଥିଲା। ଅନୀଲର ଷଡଯନ୍ତ୍ର ବିଷୟରେ ଜଣାପଡିବା ପରେ ଅନୀଲକୁ ଧରିବାକୁ ଜାଲ ବିଛାଇଥିଲା ଏସଟିଏଫ।

ଗୁରୁବାର  ଅନୀଲ ଦୁଜାନା ଗୋଟିଏ ସ୍କପ୍ରିଓରେ ମୀରଟରେ ଥିବା ତା’ର ସହଯୋଗୀଙ୍କୁ ଭେଟିବାକୁ ଯାଉଥିଲା। ଏହି ସୂଚନା ବିଶେଷ ସୂତ୍ରରୁ ପାଇଥିଲା ଏସଟିଏଫ। ଅନୀଲକୁ ଧରିବାକୁ ପୋଲିସ ଟିମ ଉଦ୍ୟମ କରୁଥିବା ବେଳେ ସେ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲା ଓ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସର ପାଲଟା ଗୁଳି ବିନିମୟରେ ଅନୀଲ ଦୁଜାନାର ମୃତ୍ୟୁ ହୋଇଥିଲା। ଏନେଇ ୟୁପି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୋଲିସ ସୂଚନା ଅନୁଯାୟୀ, ମୀରଟର ଗୋଟିଏ ଗାଁରେ ଥିବା ଆବଡ଼ାଖାବଡ଼ା ରାସ୍ତାକୁ ଘେରି ରହିଥିବା ବଡ଼ବଡ଼ ବୁଦା ନିକଟରେ ପୋଲିସ ଗୁଳି ଅନୀଲ ଦେହରେ ବାଜିଥିଲା। ସେହି ବୁଦା ପଛରୁ ସେ ପୋଲିସ ଉପରକୁ ଗୁଳି ଚଳାଉଥିଲା। ଉଭୟ ପକ୍ଷରୁ ୨୧ ରାଉଣ୍ଡ ଗୁଳି ଚାଲିଥିବା ବେଳେ ଅନୀଲ ୧୫ ରାଉଣ୍ଡ ଗୁଳି ଚଳାଇଥିଲା। ଘଟଣା ସ୍ଥଳରୁ ୯ଏମଏମର ୨ଟି ପିସ୍ତଲ ଜବତ କରିଛି ପୋଲିସ ବୋଲି ଏଡିଜିପି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *