ସେନା ହେଲିକପ୍ଚର କ୍ରାସରେ ଜଣେ ମୃତ, କାହିଁକି ହେଲା ଦୁର୍ଘଟଣା ?

ଜମ୍ମୁକାଶ୍ମୀରର କିସ୍ତୱାର ନିକଟରେ ଭାରତୀୟ ସେନା ହେଲିକପ୍ଟର କ୍ରାସ ହୋଇ ଜଣଙ୍କ ମୃତ୍ୟୁ ହୋଇଛି । ୨ ପାଇଲଟ ଆହତ ହୋଇଥିବା ବେଳେ ଜଣେ ଟେକ୍ନିସିଆନଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଆହତଙ୍କୁ ଉଦ୍ଧମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ବିପଦମୁକ୍ତ ଥିବା ସେନା ପକ୍ଷରୁ ସୂଚନା ମିଳିଛି । ସେନାର ALH ଧ୍ରୁବ ହେଲିକପ୍ଟର କିସ୍ତୱାର ମଚ୍ଛନା ଗାଁ ନିକଟ ଜଙ୍ଗଲରେ ଖସିପଡ଼ିଥିଲା ।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ସେନାର ଆଡଭାନ୍ସଡ ଲାଇଟ ହେଲିକପ୍ଟର ‘ଧ୍ରୁବ’ । ଗତ ଦୁଇ ମାସରେ ତିନିଟି ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଲାଣି । ଆଜି ସକାଳ ୧୦ଟାରେ ALH ଧ୍ରୁବ ହେଲିକପ୍ଟର ଉଡ଼ାଣ ଭରିଥିଲା । ଏହା କିସ୍ତୱାର ଅଭିମୁଖେ ଯାଉଥିବା ବେଳେ ବାଟରେ ମଚ୍ଛନା ଗାଁ ନିକଟରେ କ୍ରାସ୍ ହୋଇ ଚେନାବ ନଦୀକୁ ଖସି ପଡ଼ିଥିଲା । ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳ ଯାଇ ସମସ୍ତଙ୍କ ଆହତଙ୍କୁ ଉଦ୍ଧାର କରିଥିଲେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଗତ ୭ ମାସ ମଧ୍ୟରେ ସେନା ହେଲିକପ୍ଟର ଅନେକ ଥର ଦୁର୍ଘଟଣାଗ୍ରସ୍ତ ହେଲାଣି । କିଛି ଦିନ ପୂର୍ବେ ଅରୁଣାଚଳ ପ୍ରଦେଶରେ କ୍ରାସ୍ ହୋଇଥିଲା ଚିତା ହେଲିକପ୍ଟର । ଏଥିରେ ପ୍ରାଣ ହରାଇଥିଲେ ୨ ପାଇଲଟ୍ । ହେଲକପ୍ଟରଟି କ୍ରାସ ହେବା ପରେ ସମ୍ପୂର୍ଣ୍ଣ ଜଳିଯାଇଥିଲା । ଯାନ୍ତ୍ରିକ ତ୍ରୁଟିରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହିପରି ଗତ ଜାନୁଆରୀରେ ୨ଟି ଯୁଦ୍ଧ ବିମାନ ସୁଖୋଇ-୩୦ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଡ଼ାଣ ଭରିବା ସମୟରେ ମଝି ଆକାଶରେ ପରସ୍ପରକୁ ଧକ୍କା ଦେଇଥିଲା ଦୁଇ ବିମାନ । ଦୁର୍ଘଟଣାରୁ ଦୁଇ ପାଇଲଟ୍ ଅଳ୍ପକେ ବର୍ତ୍ତିଥିବା ବେଳେ ପ୍ରାଣ ହରାଇଥିଲେ ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀ । ଏହା ପୂର୍ବରୁ ୟୁପି ଆଗ୍ରାରୁ ଉଡ଼ାଣ ଭରିଥିବା ଚାଟାର୍ଡ ଏୟାରକ୍ରାଫ୍ଟ, ରାଜସ୍ଥାନ ଭରତପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *