Author: suchanatv24x7

  • ନିର୍ବାଚନ ସମୟରେ ଧର୍ମାନ୍ତରୀକରଣ ଉପରେ ଚଳଚ୍ଚିତ୍ର କାହିଁକି: ଶତ୍ରୁଘନ ସିହ୍ନା

    ନିର୍ବାଚନ ସମୟରେ ଧର୍ମାନ୍ତରୀକରଣ ଉପରେ ଚଳଚ୍ଚିତ୍ର କାହିଁକି: ଶତ୍ରୁଘନ ସିହ୍ନା

    ‘ଦି କେରଳ ଷ୍ଟୋରି’ କୁ ନେଇ ସାରା ଦେଶରେ ଦେଖାଦେଇଛି ଫାଟ। ଫିଲ୍ମକୁ ବିଜେପି ସମର୍ଥକ ଜୋରଦାର ସମର୍ଥନ ତଥା ପ୍ରଚାର ପ୍ରସାର କରିଥିବା ବେଳେ ବାମ ପନ୍ଥୀ ତଥା ଅନ୍ୟ ଆଞ୍ଚଳିକ ଦଳ ବିରୋଧ କରୁଛନ୍ତି। ଫିଲ୍ମ ସୌହାର୍ଦ୍ଦ୍ୟ ଓ ଭାଇଚାରା ନଷ୍ଟ କରିବ ବୋଲି ଫିଲ୍ମ ରିଲିଜ ପୂର୍ବରୁ  କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବି଼ଜୟନ ଏହାକୁ ବିରୋଧ କରିବା ସହ ଫିଲ୍ମ ଉପରେ ଲଗାଇଥିଲେ ପ୍ରତିବନ୍ଧକ। କିନ୍ତୁ କେରଳ ହାଇକୋର୍ଟରୁ ଫିଲ୍ମକୁ ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

    ସେପରଟ ବିବାଦ ଉପରେ ସୁନାମଧନ୍ୟ ଅଭିନେତା ତଥା ରାଜନେତା ଶତ୍ରୁଘନ ସିହ୍ନା ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ଚଳଚ୍ଚିତ୍ର ଶାନ୍ତି ବ୍ୟବସ୍ଥାକୁ ବିଚଳିତ କରେ, ତେବେ ଏହାକୁ ନିଷେଧ କରାଯିବା ଉଚିତ୍। ବଲିଉଡର ଏହି ଭେଟେରାନ ଅଭିନେତା ପ୍ରତ୍ୟେକ ପ୍ରସଙ୍ଗରେ ନିର୍ଭୟରେ ନିଜର ମତ ପ୍ରକାଶ କରିଥାନ୍ତି । ଏବେ ସେ ଅଦା ଶର୍ମାଙ୍କ ଫିଲ୍ମ ‘ଦି କେରଳ ଷ୍ଟୋରି’ ରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି ଚଳଚ୍ଚିତ୍ର ରାଜ୍ୟର ଶାନ୍ତି ପ୍ରତି ବିପଦ ସୃଷ୍ଟି କରେ, ତେବେ ଏହାକୁ ନିଷେଦ୍ଧ କରିବା ଆବଶ୍ୟକ। ଶତ୍ରୁଘନ ସିହ୍ନା ଆହୁରି କହିଛନ୍ତି କି, ପ୍ରତ୍ୟେକ ମଣିଷର ଅଭିବ୍ୟକ୍ତିର ସ୍ୱାଧୀନତା ଅଛି, କିନ୍ତୁ  ଏହା ଦ୍ୱାରା ଆଇନ ଏବଂ ବ୍ୟବସ୍ଥା ବିଚଳିତ ନ ହେବା ଉଚିତ୍ ।

    ଇ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ଶତ୍ରୁଘନ ସିହ୍ନା କହିଛନ୍ତି, ‘ସର୍ବପ୍ରଥମେ ମୁଁ ସ୍ପଷ୍ଟ କରିଦିଏ ଯେ ମୁଁ କେରଳ ଷ୍ଟୋରୀ ଦେଖି ନାହିଁ। ମୁଁ ଭ୍ରମଣରେ ଏତେ ବ୍ୟସ୍ତ ରହୁଛି ଯେ ଏପର୍ଯ୍ୟନ୍ତ ମୋ ଝିଅ ସୋନାକ୍ଷୀ ସିହ୍ନାର ୱେବ୍ ସିରିଜ୍ ଦହାଡ଼ ଦେଖିପାରି  ନାହିଁ । ମୁଁ ଏହା ମଧ୍ୟ କହିବାକୁ ଚାହେଁ ଯେ ମୁଁ ସର୍ବଦା ଅଭିବ୍ୟକ୍ତିର ସ୍ୱାଧୀନତା ପାଇଁ ଛିଡା ହୋଇଛି। ଆଗକୁ ସିହ୍ନା କହିଛନ୍ତି, ‘ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ମନର କଥା କରିବାର ଅଧିକାର ରହିଛି। କିନ୍ତୁ କୌଣସି ରାଜ୍ୟର ଆଇନ ଏବଂ ବ୍ୟବସ୍ଥାର ମୂଲ୍ୟ ଉପରେ ନୁହେଁ । ଯଦି କୌଣସି ଚଳଚ୍ଚିତ୍ର ରାଜ୍ୟର ଶାନ୍ତି ପ୍ରତି ବିପଦ ସୃଷ୍ଟି କରେ, ତେବେ ସେହି ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍। ଯଦି ଅଭିବ୍ୟକ୍ତିର ଅଧିକାର ଅଛି, ତେବେ ପ୍ରଶାସନର ମଧ୍ୟ ଅଧିକାର ରହିଛିଦ ବୋଲି ଶତ୍ରୁଘ୍ନ କହିଛନ୍ତି।

  • ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଇଜରର ନିର୍ଦ୍ଦେଶକ ସମ୍ମାନିତ

    ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଇଜରର ନିର୍ଦ୍ଦେଶକ ସମ୍ମାନିତ

    ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବିଜୁ ପଟ୍ଟନାୟକ ପୁରସ୍କାର ୨୦୨୦ ପୁରସ୍କାର ଘୋଷଣା କରାଯାଇଛିା ଜଟଣୀସ୍ଥିତ ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏହି ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି। ୨ ଲକ୍ଷ ଟଙ୍କା ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ।

    ସୁଧାକରଙ୍କ ବ୍ୟତୀତ, ଭୁବନେଶ୍ୱରସ୍ଥିତ ଆଇଏମ୍ଏମ୍ଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗର ଏଚଓଡି  ପ୍ରଫେସର ଲୁନା ସାମନ୍ତ, ରାଉରକେଲାସ୍ଥିତ ଏନ୍ଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ. ସରୋଜକାନ୍ତ ବାରିକଙ୍କୁ “ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯିବ। ଦ୍ୱିତୀୟ ଶ୍ରେଣୀରେ ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକଟରାଲ ଫେଲୋ ଡ.ଶଶାଙ୍କ ଶେଖର ସ୍ୱାଇଁ, ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ.ନିବେଦିତା ଦାଶ, ଏନ୍ଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ମଧ୍ୟ ମନୋନିତ ହୋଇଛନ୍ତି।

    ସେହିପରି ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ “ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଯିବ। ଯୁବବୈଜ୍ଞାନିକ ପୁରସ୍କାର ଓ “ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ଏହା ବ୍ୟତୀତ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ର ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ ହେବେ। ଏକ ରାଜ୍ୟସ୍ତରୀୟ ସମାରୋହରେ ସମସ୍ତଙ୍କୁ ପୁରସ୍କୃତ କରାଯିବ |

  • ବିଧାୟକ ପରିଚୟ ଦେଇ ଗଞ୍ଜେଇ ଚାଲାଣ କରୁଥିଲେ, ଧରିଲା ଅବକାରୀ ଗୁଇନ୍ଦା ବିଭାଗ

    ବିଧାୟକ ପରିଚୟ ଦେଇ ଗଞ୍ଜେଇ ଚାଲାଣ କରୁଥିଲେ, ଧରିଲା ଅବକାରୀ ଗୁଇନ୍ଦା ବିଭାଗ

    ନିଜକୁ ବିଧାୟକ ପରିଚୟ ଦେଇ ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିଲେ । ହେଲେ ଖବର ପାଇ ମାଡ଼ି ବସିଲା ଅବକାରୀ ଗୁଇନ୍ଦା ବିଭାଗ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ।

    ଏକ ଦାମୀ ହୋଣ୍ଡା ସିଟି କାରରେ ଗଞ୍ଜେଇ ଚାଲାଣ ହେଉଛି । ଅବକାରୀ ବିଭାଗକୁ ସୂଚନା ମିଳିବା ପରେ ଧରିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଥିଲେ ଅଧିକାରୀ । CH 01 AX 6990 ହୋଣ୍ଡା ସିଟି କାର୍ ଜବତ କରାଯାଇଥିଲା । ହେଲେ କାରରେ ବସିଥିବା ତାବ୍ରେଜ୍ ନିଜକୁ ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ପରିଚୟ ଦେଇଥିଲେ । ଅନ୍ୟମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲା ।

    ଅଧିକାରୀମାନେ କାର୍ ଜବତ କରି ଯାଞ୍ଚ କରିଥିଲେ । ଆଉ ସିକ୍ରେଟ ଚାମ୍ବର ଭିତରୁ ଯାହା ମିଳିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସିକ୍ରେଟ ଚାମ୍ବରରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା । ଗାଡ଼ିରେ ଥିବା ଦୁଇ ଜଣ ଅମଜାଦ ଓ ତାବ୍ରେଜକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏମାନେ ଆନ୍ଧ୍ରରୁ ଉତ୍ତରପ୍ରଦେଶ ଗଞ୍ଜେଇ ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଡିଏସପି କହିଛନ୍ତି । ସେପଟେ, ପ୍ରଥମ ଥର ପାଇଁ ଏଭଳି ଚାଲାଣ କରୁଥିବା କହିଛନ୍ତି ଚାଲାଣକାରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟତଃ ଗଞ୍ଜେଇ ଜବତ ହେଉଛି । ଏପରିକି କିଛି ଜିଲ୍ଲାରେ ଗଞ୍ଜେଇ ଚାଷ ପ୍ରବଳ ମାତ୍ରାରେ କରାଯାଉଛି । ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଦୈନିକ ଗଞ୍ଜେଇ ମଧ୍ୟ ଜବତ ହେଉଛି ।

  • କ୍ଷମତା ଲଢେଇରେ ଆପର ବିଜୟ

    କ୍ଷମତା ଲଢେଇରେ ଆପର ବିଜୟ

    ଜାତୀୟ ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ସରକାର ରହିଛି। କିନ୍ତୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଜାତୀୟ ରାଜଧାନୀକୁ ଜୋରଜବରଦସ୍ତ ନିଜ ଅକ୍ତିଆରକୁ ନେବାକୁ ସବୁ ପ୍ରକାର ଚେଷ୍ଟା ଚଳାଇଛି। ଉପରାଜ୍ୟପାଳ ବାରମ୍ୱାର ରାଜ୍ୟ ସରକାରର କାମରେ ବାଧା ସୃଷ୍ଟି କରୁଛନ୍ତି। ଖାଲି ଏତିକି ନୁହେଁ ପ୍ରଶାସନିକ ସେବାକୁ ମଧ୍ୟ କେନ୍ଦ୍ର ନିଜ ଅଧୀନରେ ରଖିବାକୁ ଚେଷ୍ଟା କରୁଛି। କିନ୍ତୁ କେନ୍ଦ୍ରର ଏପରି କାର୍ଯ୍ୟ ଉପରେ ଆଜି ସୁପ୍ରିମ କୋର୍ଟ ଦେଇଛନ୍ତି ବଡ ବୟାନ।  ରାଜଧାନୀର ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ।

    କୋର୍ଟ କହିଛନ୍ତି, କେନ୍ଦ୍ର ରାଜ୍ୟର ଶାସନ ଅଧିକାର ଛଡାଇ ନେଇ ପାରିବ ନାହିଁ। କ୍ଷମତା ନିର୍ବାଚିତ ସରାକର ପାଖରେ ରହିବ। ତେଣୁ, ପ୍ରଶାସନିକ ସେବା କ୍ଷେତ୍ର ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ। ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ।

    ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟରେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ଏବଂ ନିର୍ବାଚିତ ସରକାରଙ୍କ ପ୍ରଶାସନିକ କ୍ଷମତାରେ ହସ୍ତକ୍ଷେପ କରିବା ଲାଗି ଉପରାଜ୍ୟପାଳଙ୍କର କ୍ଷମତା ନାହିଁ। ଅନ୍ୟ ରାଜ୍ୟମାନଙ୍କରେ ଚାଲିଥିବା ଶାସନ ଭଳି ଦିଲ୍ଲୀର ଶାସନ ଚାଲୁଥିବାରୁ ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ଉପରାଜ୍ୟପାଳ ବାଧ୍ୟ ।

    ରାଷ୍ଟପତିଙ୍କ ଦ୍ୱାରା ଦିଆଯାଇଥିବା କ୍ଷମତାକୁ ନେଇ ଉପରାଜ୍ୟପାଳ କାମ କରିବେ। କିନ୍ତୁ ପ୍ରଶାସନିକ କାମରେ ରାଜ୍ୟ ସରକାର ଉତ୍ତର ଦାୟୀ ରହିବେ। ଏଥିସହ କୋର୍ଟ କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ପାଖରେ ପ୍ରଶାସନକୁ ନିୟନ୍ତ୍ରଣ କରିବାର କ୍ଷମତା ନ ରହିଲେ ରାଜ୍ୟବାସୀଙ୍କ ସ୍ବାର୍ଥ ପ୍ରଭାବିତ ହେବ। ଅଫିସର ରାଜ୍ୟ ସରକାର ନିକଟରେ ଜବାବଦେହୀ ନରହିଲେ ସାମୂହିକ କାର୍ଯ୍ୟ ପ୍ରଭାବିତ ହେବ। ପ୍ରଶାସନିକ କ୍ଷମତା କେବେ ଆଇନ ଶୃଙ୍ଖଳା, ଜମି ଓ ପୋଲିସ ଉପରେ ଲାଗୁ ହେବନାହିଁ। ଏପରି ହେଲେ ଏହା କେନ୍ଦ୍ର ଅଧିକାର ଅନ୍ତର୍ଗତ ହେବ।

    ଚଳିତ ବର୍ଷ ଜାନୁଆରି ମାସରେ ଏହି ମାମଲାର ୪ ଦିନ ଶୁଣାଣି କରିବା ପରେ ପ୍ରଧାନ ବିଚାରପତି ଡି. ୱଇ. ଚନ୍ଦ୍ରଚୂଡ଼, ବିଚାରପତି ଏମ୍‌. ଆର୍‌. ଶାହ, କୃଷ୍ଣ ମୁରାରୀ, ପି. ଏସ୍‌. ନରସିଂହ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।

    ରାୟ ପ୍ରକାଶ ପାଇବା ପରେ ଦିଲ୍ଲୀର ଆପ ସରକାର ଏହାକୁ ଏକ ଐତିହାସିକ ରାୟ କହିଛନ୍ତି। ଆପ ନେତ୍ରୀ ଆତିଶୀ ଟୁଇଟ କରି ସତ୍ୟମେବ ଜୟତେ ବୋଲି ଉଲ୍ଲେଖ କରିଛନ୍ତି।

  • ଚୋରା ଅଷ୍ଟ୍ରେଲିଆନ୍ କୋଇଲା କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ

    ଚୋରା ଅଷ୍ଟ୍ରେଲିଆନ୍ କୋଇଲା କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଚୋରା ଅଷ୍ଟ୍ରେଲିଆନ୍ କୋଇଲା କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଖବର ପାଇ ଆଳି ନିଆଳର କାଳୀମନ୍ଦିର ନିକଟରେ ଚାଲିଥିବା ଚୋରା କୋଇଲା ଡିପୋ ଉପରେ ଚଢ଼ାଉ କରିଥିଲା ପୋଲିସ ।

    ଦୁଇଟି କୋଇଲା ବୋଝେଇ ଟ୍ରକ୍, ଗୋଟିଏ ବୋଲେରୋ, କାର୍, ଦୁଇଟି ବାଇକ୍, ୭ଟି ମୋବାଇଲ ଓ ଏକ ଭୁଜାଲି ଜବତ କରାଯାଇଛି । ଚୋରା କୋଇଲା କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

    ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଆଡିସିନାଲ ଏସପି । ଏମିତି କି କୋଇଲା ଡିପୋ ଉପରେ ଚଢ଼ାଉ ସମୟରେ ଅଭିଯୁକ୍ତମାନେ ପୋଲିସ ଉପରେ ଗାଡ଼ି ଚଢ଼ାଇ ମାରିଦେବା ପାଇଁ ଉଦ୍ୟମ କରିଥିବା ଆଡିସନାଲ ଏସ୍ପି କହିଛନ୍ତି । ଦୀର୍ଘଦିନ ହେବ ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଚୋରା କୋଇଲା କାରବାର ହେଉଥିବା ଅଭିଯୋଗ ହୋଇଆସୁଥିଲା । ଏବେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

  • ମହାରାଷ୍ଟ୍ରରେ ଜାରି ରହିବ ସିନ୍ଦେ ସରକାର

    ମହାରାଷ୍ଟ୍ରରେ ଜାରି ରହିବ ସିନ୍ଦେ ସରକାର

    ଲମ୍ୱା ପ୍ରତୀକ୍ଷା ପରେ ଆଜି ସୁପ୍ରିମ କୋର୍ଟ ମହାରାଷ୍ଟର ରାଜନୈତିକ ସଂକଟ ଉପରେ ରାୟ ଦେଇଛନ୍ତି। ରାୟ ଆସିବା ପରେ ଶିବସେନାର ସିନ୍ଦେ ଗୋଷ୍ଠୀକୁ ମିଳିଛି ଆଶ୍ୱସ୍ତି। ରାଜ୍ୟରେ ବଳବତ୍ତର ରହିବ ସିନ୍ଦେ ସରକାର। କୋର୍ଟ କହିଛନ୍ତି କି, ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ହେବ ନାହିଁ। ସ୍ପିକରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆସିଛି, ସେ କିପରି ବିଧାୟକଙ୍କୁ ଅଯୋଗ୍ୟ  କରିବା ଅଭିଯୋଗ ଉପରେ ନିଷ୍ପତ୍ତି ନେବେ। ଏହି ମାମଲାରେ  ୭ ଜଣିଆ ବିଚାରପତି ନିଷ୍ପତ୍ତି ନେବେ। ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ନିଷ୍ପତ୍ତି ପଢି କହିଛନ୍ତି କି, ୨୦୧୬ର ନବାମ ରେବିୟା ମାମଲାରେ କୁହାଯାଇଥିଲା କି, ସ୍ପିକର ଦ୍ୱାରା ଅଯୋଗ୍ୟ ସାବ୍ୟସ୍ତ କରିବା ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ଯଦି ତାଙ୍କୁ ବାହାର କରିବା ପ୍ରସ୍ତାବ ଲମ୍ବିତ ରହିଛି ତେବେ ଏହା ଉପରେ ଏକ ବଡ ଖଣ୍ଡପୀଠର ଆବଶ୍ୟକତା ରହିଛି। ମାମଲାକୁ ବଡ କୋର୍ଟକୁ ପଠାଯିବା ଦରକାର। କୋର୍ଟ ଉଦ୍ଧବ ଠାକରେଙ୍କୁ ନେଇ କହିଛନ୍ତି କି, ଉଦ୍ଧବ ଫ୍ଲୋର ଟେଷ୍ଟ ଦେଇ ନ ଥିଲେ। ତେଣୁ ତାଙ୍କୁ ପୁନଃ ସ୍ଥାପିତ କରାଯାଇ ପାରିବ ନାହିଁ।

    କୋର୍ଟ ଆଗକୁ କହିଛନ୍ତି, ହ୍ୱିପକୁ ପାର୍ଟିରୁ ଅଲଗା କରିବା ଲୋକତନ୍ତ୍ର ହିସାବରେ ଠିକ ନୁହେଁ। ପାର୍ଟି ଭୋଟ ମାଗିଥିଲା। ଖାଲି ବିଧାୟକ ନିର୍ଣ୍ଣୟ ନେଇ ପାରିବେ ନାହିଁ କି ହ୍ୱିପ କିଏ ହେବ। ୩ ଜୁଲାଇକୁ ସ୍ପିକର ଶିବସେନାର ନୂଆ ହ୍ୱିପକୁ ମାନ୍ୟତା  ଦେଇଥିଲେ। ଫଳରେ ଦୁଇ ନେତା ଦୁଇ ହ୍ୱିପ ହୋଇଗଲା। ହ୍ୱିପକୁ ନେଇ ସ୍ପିକରଙ୍କ ନିଷ୍ପତ୍ତି ଭୁଲ ଥିଲା। ସ୍ପିକରଙ୍କ ବୈଧତାର ଯାଞ୍ଚ କରିବାକୁ କୋର୍ଟକୁ ଅନୁଚ୍ଛେଦ ୨୧୨ରୁ ବାହାର କରାଯାଇ ପାରିବ ନାହିଁ।  

    ଏହା ଉପରେ ସିଜେଆଇ କହିଛନ୍ତି କି,  ହ୍ୱିପ ରାଜନୈତିକ ପାର୍ଟି ଦ୍ୱାରା କରାଯାଇଥାଏ ଓ ସମ୍ୱିଧାନର ୧୦ମ ଅନୁସୂଚୀରେ ଆସେ। ୨୧ ଜୁନ ୨୦୨୨କୁ ଶିବସେନା ବିଧାୟକ ଦଳର ସଦସ୍ୟ ମିଟିଂ କରିଥିଲେ ଓ ଏକନାଥ ସିନ୍ଦଙ୍କୁ ପଦରୁ ହଟାଇଥିଲେ। ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ହ୍ୱିପ ବିଧାୟକ ଭରତସେଟ ଗୋଗାବଲେଙ୍କୁ କୋର୍ଟ କହିଛନ୍ତି କି, ବରତସେଟ ନିନ୍ଦେ ଗୋଷ୍ଠୀର ମୁଖ୍ୟ ସଚେତକ ରୂପେ ନିଯୁକ୍ତ କରିବାକୁ ନେଇ ସ୍ପିକରଙ୍କ ନିଷ୍ପତ୍ତି ଅବୈଧ ଥିଲା।

    ସେହିପରି ତତ୍କାଳୀନ ରାଜ୍ୟପାଳଙ୍କ ଦ୍ୱାରା ଫ୍ଲୋର ଟେଷ୍ଟ ପାଇଁ ଡକରାକୁ କୋର୍ଟ ଅସମ୍ବିଧାନିକ କହିଛନ୍ତି। ଏହା ଉପରେ ସିଜେଆଇ କହିଛନ୍ତି କି, ରାଜ୍ୟପାଳଙ୍କ ନିକଟରେ ଏମିତି କୌଣସି ଦସ୍ତାବିଜ ନ ଥିଲା କି, ବାଗୀ ବିଧାୟକମାନେ ସରକାରରୁ ସେମାନଙ୍କ ସମର୍ଥନ ଫେରାଇ ନେଇଥିବା ସ୍ପଷ୍ଟ କରୁଥିଲା। କେବଳ ସରକାରର କିଛି ନିଷ୍ପତ୍ତିକୁ ନେଇ ଉଭୟ ଗୋଷ୍ଠୀ ଭିତରେ ମତଭେଦ ଥିଲା। କେବଳ ରାଜ୍ୟପାଳଙ୍କ ନିକଟରେ ଏକ ଚିଠି ଥିଲା, ଯେଉଁଥିରେ ଉଦ୍ଧବ ସରକାର ପାଖରେ ପର୍ଯ୍ୟାପ୍ତ ନମ୍ୱର ନ ଥିବା କୁହାଯାଇଥିଲା।

  • ଆଦାନି-ହିଣ୍ଡେନବର୍ଗ  ବିବାଦ: ବନ୍ଦ ଲଫାପାରେ ରିପୋର୍ଟ ଦାଖଲ

    ଆଦାନି-ହିଣ୍ଡେନବର୍ଗ  ବିବାଦ: ବନ୍ଦ ଲଫାପାରେ ରିପୋର୍ଟ ଦାଖଲ

    ବନ୍ଦ ଲଫାପାରେ ସୁପ୍ରିମ କୋର୍ଟରେ କମିଟି ଦାଖଲ କରିଛି ତାର ରିପୋର୍ଟ। ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଦ୍ୱାରା ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ସମୂହ ବି‌ରୋଧରେ ପ୍ରକାଶ ପାଇଥିବା ରିପୋର୍ଟ ପରେ ସୁପ୍ରିମକୋର୍ଟ ୬-ଜଣିଆ ଏକ କମିଟି ଗଠନ କରି ରିପୋର୍ଟର ସତ୍ୟା ସତ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଟି ତାର ଯାଞ୍ଚ ଶେଷ କରି ରିପୋର୍ଟ ଦାଖଲ କରିଛି। ତେବେ କମିଟି କୋର୍ଟଙ୍କ ନିର୍ଦ୍ଦେଶ ମତେ ସବୁ ଦିଗରେ ତଦନ୍ତ କରିଛି କି ନାହିଁ ତାହା ଜଣାପଡ଼ିନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୧୨ରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ହେବାକୁ ଯାଉଛି।

    ଆଦାନି-ହିଣ୍ଡେନବର୍ଗ  ବିବାଦକୁ ନେଇ ଦେଶବ୍ୟାପୀ ହଟଚମଟ ସୃଷ୍ଟି ହୋଇଥିଲା। ବିରୋଧି ହିଣ୍ଡେନବର୍ଗର ଅଭିଯୋଗର ତଦନ୍ତ ପାଇଁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ଜେପିସି ଗଠନ କରିବାକୁ ଦାବି କରି ଆସୁଥିଲେ ମଧ୍ୟ ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟକୁ ମାମଲା ଆସିଥିଲା ଓ  ପୂର୍ବତନ ବିଚାରପତି ଏ ଏମ୍ ସାପ୍ରେଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। କମିଟିରେ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଓ ପି ଭଟ୍ଟ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ  କେ ଭି କାମାଥ, ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେ ପି ଦେବଧର ଏବଂ ପ୍ରତିଭୂତି ଆଇନଜୀବୀ ସୋମଶେଖର ସୁନ୍ଦରସନ ସଦସ୍ୟ ରହିଛନ୍ତି।

    ଏହି ମାମଲରେ ପ୍ରତିଭୂତି ଓ ବିନିମୟ ବୋର୍ଡ ବା ସେବି ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ମାମଲାରେ ସେବିକୁ  ଦୁଇ ମାସ ଭିତରେ ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ପରେ ଏପ୍ରିଲ୍ ୨୯ରେ ସେବି କୋର୍ଟଙ୍କୁ ଜଣାଇଥିଲା କି ତଦନ୍ତ ପାଇଁ ୨ ମାସର ସମୟ ପର୍ଯ୍ୟାପ୍ତ ନୁହେଁ। ତେଣୁ ଆଉ ଛଅ ମାସ ସମୟ ଦେବାକୁ ସେବି କୋର୍ଟଙ୍କୁ ଅନୁରୋଧ କରିଥିଲା।

    ଆଦାନି ସମୂହ ବିରୋଧରେ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟରେ କୌଣସି ସତ୍ୟାସତ୍ୟ ନ ଥିବା କହି ସମସ୍ତ ଅଭିଯୋଗକୁ ମରିସସର ଆର୍ଥିକ ସେବା ମନ୍ତ୍ରୀ ମାହେନ କୁମାର ସୀରୁଟୁନ ଭିତ୍ତିହୀନ କହିଛନ୍ତି। ମରିସସ୍‌ରେ ଆଦାନିର ଜାଲ୍ କଂପାନି ଥିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସଂସଦରେ ସେ ଏହି ଉତ୍ତର ଦେଇଛନ୍ତି।

  • ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି ହତ୍ୟା

    ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି ହତ୍ୟା

    କନ୍ଧମାଳ ଜିଲ୍ଲାର ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ଫିରିଙ୍ଗିଆ ବ୍ଲକ୍ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ପୂର୍ବତନ ସରପଞ୍ଚଙ୍କୁ ହତ୍ୟାକରି ମାଓବାଦୀମାନେ ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି । ମୃତ ପୂର୍ବତନ ସରପଞ୍ଚ ସୁବଳ କହଁର ସୁମେରବନ୍ଧ ପଞ୍ଚାୟତ ଗଠନ ପରଠାରୁ ପ୍ରଥମ ସରପଞ୍ଚ ଭାବେ ଦାୟିତ୍ୱ ନେଇଥିଲେ । ପଞ୍ଚାୟତର ଉନ୍ନତି ପାଇଁ ସେ ବହୁ ଉଦ୍ୟମ କରିଥିଲେ ଯେଉଁଥିପାଇଁ ମାଓବାଦୀଙ୍କ ଟାର୍ଗେଟରେ ଥିଲେ ସୁବଳ ।

    ପୂର୍ବରୁ ଅନେକ ଥର ମାଓବାଦୀମାନେ ତାଙ୍କୁ ଧମକ ଦେଇ ଆସୁଥିଲେ । ତେବେ ଗତକାଲି ରାତି ପ୍ରାୟ ୯ଟା ବେଳେ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ନିଜ ପରିବାର ସହ ସାଉଲିପଡ଼ାସ୍ଥିତ ନିଜ ଘରେ ଶୋଇଥିଲେ ସୁବଳ । ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକିନେଇ ଘର ଅଗଣାରେ ହିଁ ଗୁଳି କରିଥିଲେ । ଘଟଣାସ୍ଥଳରୁ ସୁମେରବନ୍ଧ ସିଆରପିଏଫ୍ କ୍ୟାମ୍ପର ଦୂରତା ମାତ୍ର ଗୋଟିଏ କିଲୋମିଟର ।

    କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ୍ୟ ମାଓବାଦୀମାନେ କିଭଳି ଏହି ଘଟଣା ଘଟାଇଲେ ସେ ନେଇ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଯାଏ କୌଣସି ପୋଲିସ ଅଧିକାରୀ କିମ୍ବା ସୁରକ୍ଷାକର୍ମୀ ଗାଁରେ ପହଞ୍ଚିନଥିବା ସୂଚନା ମିଳିଛି । ମାଓବାଦୀଙ୍କ ଏଭଳି ବର୍ବରତା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇଛି । ସାଉଲପଡ଼ା ଗାଁ ଏବେ ଭୟରେ ଜନଶୂନ୍ୟ ହୋଇଛି ।

    ଗତ କିଛି ଦିନ ହେଲା ମାଓବାଦୀମାନେ ହିଂସା ଠାରୁ ଦୂରେଇ ଥିଲେ । କିଛି ଜଣାଶୁଣା ତଥା ଟପ୍ ମାଓବାଦୀ ଆତ୍ମସମର୍ପଣ ମଧ୍ୟ କରିଥିଲେ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେମାନେ ହିଂସା ଛାଡ଼ିଥିଲେ । କୁହାଯାଉଥିଲା କି ମାଓଗଡ଼ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । କିନ୍ତୁ ଏବେ ପୁଣି ଥରେ ସେମାନେ ସକ୍ରିୟ ହେଲେଣି । ଏଭଳି ହତ୍ୟାକାଣ୍ଡ ଘଟାଇ ପୁଣିଥରେ ନିଜର ସ୍ଥିତି ଜାହିର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।