କ୍ଷମତା ଲଢେଇରେ ଆପର ବିଜୟ

ଜାତୀୟ ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ସରକାର ରହିଛି। କିନ୍ତୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଜାତୀୟ ରାଜଧାନୀକୁ ଜୋରଜବରଦସ୍ତ ନିଜ ଅକ୍ତିଆରକୁ ନେବାକୁ ସବୁ ପ୍ରକାର ଚେଷ୍ଟା ଚଳାଇଛି। ଉପରାଜ୍ୟପାଳ ବାରମ୍ୱାର ରାଜ୍ୟ ସରକାରର କାମରେ ବାଧା ସୃଷ୍ଟି କରୁଛନ୍ତି। ଖାଲି ଏତିକି ନୁହେଁ ପ୍ରଶାସନିକ ସେବାକୁ ମଧ୍ୟ କେନ୍ଦ୍ର ନିଜ ଅଧୀନରେ ରଖିବାକୁ ଚେଷ୍ଟା କରୁଛି। କିନ୍ତୁ କେନ୍ଦ୍ରର ଏପରି କାର୍ଯ୍ୟ ଉପରେ ଆଜି ସୁପ୍ରିମ କୋର୍ଟ ଦେଇଛନ୍ତି ବଡ ବୟାନ।  ରାଜଧାନୀର ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ।

କୋର୍ଟ କହିଛନ୍ତି, କେନ୍ଦ୍ର ରାଜ୍ୟର ଶାସନ ଅଧିକାର ଛଡାଇ ନେଇ ପାରିବ ନାହିଁ। କ୍ଷମତା ନିର୍ବାଚିତ ସରାକର ପାଖରେ ରହିବ। ତେଣୁ, ପ୍ରଶାସନିକ ସେବା କ୍ଷେତ୍ର ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ। ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ।

ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟରେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ଏବଂ ନିର୍ବାଚିତ ସରକାରଙ୍କ ପ୍ରଶାସନିକ କ୍ଷମତାରେ ହସ୍ତକ୍ଷେପ କରିବା ଲାଗି ଉପରାଜ୍ୟପାଳଙ୍କର କ୍ଷମତା ନାହିଁ। ଅନ୍ୟ ରାଜ୍ୟମାନଙ୍କରେ ଚାଲିଥିବା ଶାସନ ଭଳି ଦିଲ୍ଲୀର ଶାସନ ଚାଲୁଥିବାରୁ ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ଉପରାଜ୍ୟପାଳ ବାଧ୍ୟ ।

ରାଷ୍ଟପତିଙ୍କ ଦ୍ୱାରା ଦିଆଯାଇଥିବା କ୍ଷମତାକୁ ନେଇ ଉପରାଜ୍ୟପାଳ କାମ କରିବେ। କିନ୍ତୁ ପ୍ରଶାସନିକ କାମରେ ରାଜ୍ୟ ସରକାର ଉତ୍ତର ଦାୟୀ ରହିବେ। ଏଥିସହ କୋର୍ଟ କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ପାଖରେ ପ୍ରଶାସନକୁ ନିୟନ୍ତ୍ରଣ କରିବାର କ୍ଷମତା ନ ରହିଲେ ରାଜ୍ୟବାସୀଙ୍କ ସ୍ବାର୍ଥ ପ୍ରଭାବିତ ହେବ। ଅଫିସର ରାଜ୍ୟ ସରକାର ନିକଟରେ ଜବାବଦେହୀ ନରହିଲେ ସାମୂହିକ କାର୍ଯ୍ୟ ପ୍ରଭାବିତ ହେବ। ପ୍ରଶାସନିକ କ୍ଷମତା କେବେ ଆଇନ ଶୃଙ୍ଖଳା, ଜମି ଓ ପୋଲିସ ଉପରେ ଲାଗୁ ହେବନାହିଁ। ଏପରି ହେଲେ ଏହା କେନ୍ଦ୍ର ଅଧିକାର ଅନ୍ତର୍ଗତ ହେବ।

ଚଳିତ ବର୍ଷ ଜାନୁଆରି ମାସରେ ଏହି ମାମଲାର ୪ ଦିନ ଶୁଣାଣି କରିବା ପରେ ପ୍ରଧାନ ବିଚାରପତି ଡି. ୱଇ. ଚନ୍ଦ୍ରଚୂଡ଼, ବିଚାରପତି ଏମ୍‌. ଆର୍‌. ଶାହ, କୃଷ୍ଣ ମୁରାରୀ, ପି. ଏସ୍‌. ନରସିଂହ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।

ରାୟ ପ୍ରକାଶ ପାଇବା ପରେ ଦିଲ୍ଲୀର ଆପ ସରକାର ଏହାକୁ ଏକ ଐତିହାସିକ ରାୟ କହିଛନ୍ତି। ଆପ ନେତ୍ରୀ ଆତିଶୀ ଟୁଇଟ କରି ସତ୍ୟମେବ ଜୟତେ ବୋଲି ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *