
ବାଲେଶ୍ବର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ବାଘ ବାହାରୁଥିବା କୁ ନେଇ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ବଳଦ ଖୋଜିବାକୁ ଯାଇ ଜଣେ ଯୁବକ ବାଘୁଣୀ ଯମୁନାର ଆକ୍ରମଣର ଶିକାର ହୋଇଛନ୍ତି । ଆହତ ଯୁବକ ହେଲେ ସୁନୀଲ କୁମାର ସିଂହ । ଏବେ ସେ ମେଡିକାଲରେ ଚିକିତ୍ସିତ । ସୁନୀଲ କୁଲଡିହା ଅଭୟାରଣ୍ୟ ପାଦଦେଶରେ ଥିବା ତାଙ୍କ ବିଲରେ ହଳ କରିସାରି ବଳଦ ଫିଟାଇ ଦେବାରୁ ୨ଟି ବଳଦ ଗୁହାଳକୁ ନଫେରି ଜଙ୍ଗଲ ଆଡ଼କୁ ଦୌଡିଥିଲେ । ସୁନିଲ ସେମାନଙ୍କୁ ଫେରାଇଆଣିବା ପାଇଁ ତାଙ୍କ ପଛପଛେ ଧାଇଁ ଜଙ୍ଗଲକୁ ଯାଇ ଏକ ବାଘୁଣୀ ହାବୁଡରେ ପଡ଼ିଯାଇଥିଲେ।
ସୁନୀଲଙ୍କୁ ଦେଖି ବାଘୁଣୀ ତାଙ୍କ ଉପରକୁ ତତ୍ତକ୍ଷଣାତ୍ ଲମ୍ଫ ମାରିଥିଲା । ବେଶ କିଛି ସମୟ ସୁନିଲ ଓ ବାଘୁଣୀ ଭିତରେ ଲଢେଇ ହେବାପରେ ସୁନିଲ ଅଳପକେ ବାଘୁଣୀ କବଳରୁ ରକ୍ଷାପାଇ ଯାଇଥିଲେ। ଯୁବକଙ୍କ ହାତ, ଗୋଡ଼ ଓ ପିଚାରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।
ସୁନିଲର ଚିତ୍କାର ଶୁଣି ବିଲରେ କାମ କରୁଥିବା କିଛି ଚାଷୀଭାଇ ଯାଇ ଘଟଣା ସ୍ଥଳରେ ପହଞ୍ଚିବାରୁ ବାଘୁଣୀ ସେ ସ୍ଥାନ ଛାଡ଼ି ଜଙ୍ଗଲକୁ ପଳାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।