ସୁନାର ଆଭାରେ ଝଲମଲ ମହାପ୍ରଭୁ, ଭକ୍ତିରେ ଭିଜିଲା ବଡ଼ଦାଣ୍ଡ

ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ଦେଖିବାକୁ ମିଳିଲା ବର୍ଷର ସବୁଠୁ ବଡ଼ ଆଧ୍ୟାତ୍ମିକ ଦୃଶ୍ୟ। ତିନି ରଥ ଉପରେ ସୁନାର ଅଳଙ୍କାରରେ ଚମକୁଥିବା ମହାପ୍ରଭୁ ଦିବ୍ୟ ସୁନାବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ପୁରୀରେ ପହଞ୍ଚିଥିଲେ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ବାହୁଡ଼ା ଯାତ୍ରା ପରେ ଶ୍ରୀଜଗନ୍ନାଥ, ବଡ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ତିନି ରଥ ଉପରେ ବିରାଜମାନ ଥିବାବେଳେ ଅନୁଷ୍ଠିତ ହୋଇଥିଲା ସୁନାବେଶ। ନିର୍ଦ୍ଧାରିତ ନୀତିକାନ୍ତି ପରେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ମୁକୁଟ, ଶ୍ରୀହସ୍ତ, ଶ୍ରୀପାଦ, ଚକ୍ର, ଶଙ୍ଖ, ହଳ ଓ ମୁଷଳ ସମେତ ବିଭିନ୍ନ ସୁନା ଅଳଙ୍କାରରେ ସଜାଯାଇଥିଲା।

ରଥଯାତ୍ରାର ସବୁଠୁ ଆକର୍ଷଣୀୟ ନୀତି ଭାବେ ପରିଚିତ ସୁନାବେଶକୁ “ରାଜାଧିରାଜ ବେଶ” ମଧ୍ୟ କୁହାଯାଏ। ଏହି ଦିବ୍ୟ ବେଶର ଦର୍ଶନ କଲେ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଆଧ୍ୟାତ୍ମିକ କଲ୍ୟାଣ ଲାଭ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀକୁ ଧାଇଁ ଆସନ୍ତି। ସୁନାର ଆଭାରେ ଝଲମଲ କରୁଥିବା ମହାପ୍ରଭୁଙ୍କ ଦିବ୍ୟ ରୂପ ଦର୍ଶନ କରିବାକୁ ସକାଳୁ ସକାଳୁ ବଡ଼ଦାଣ୍ଡରେ ଜମିଥିଲା ଭିଡ଼। ଓଡ଼ିଶାର ବିଭିନ୍ନ ଜିଲ୍ଲା ,ଅନ୍ୟ ରାଜ୍ୟ ଓ ଦେଶ ବିଦେଶରୁ ଭକ୍ତମାନେ ପୁରୀକୁ ଆସିଥିଲେ । “ଜୟ ଜଗନ୍ନାଥ” ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା। ଢୋଲ, ଘଣ୍ଟ, କାହାଳି, ହୁଳହୁଳି , ରେ ସମଗ୍ର ବିଶ୍ବ ପ୍ରକମ୍ପିତ ହୋଇଛି । ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ଓଡ଼ିଶା ପୋଲିସ, ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।