ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବାରବାଟୀ ପଞ୍ଚାୟତର ଫୁଲାଡ଼ି ଅଞ୍ଚଳରେ ବହୁ ପ୍ରତୀକ୍ଷିତ ସିଂହାପୁର ଫୁଲାଡ଼ି ରାସ୍ତା ନିର୍ମାଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସିଂହାପୁର ଉପରସାହି ଶିବ ମନ୍ଦିରଠାରୁ ଫୁଲାଡ଼ି ଛକ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଲମ୍ବର ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯିବ। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।
ସୂଚନା ଅନୁଯାୟୀ, ପ୍ରାୟ ୩ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହେବ। ଦୀର୍ଘଦିନ ଧରି ଅଞ୍ଚଳବାସୀ ଏହି ରାସ୍ତାର ଉନ୍ନତି ଦାବି କରୁଥିଲେ। ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଦେବତୀ, ମାଟିଆଶାସନ ସମେତ ପାଖାପାଖି ୫ଟି ଗାଁର ହଜାର ହଜାର ଲୋକ ସିଧାସଳଖ ଭାବେ ଉପକୃତ ହେବେ। ଯାତାୟାତ ବ୍ୟବସ୍ଥା ସୁଗମ ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।
ଏହି ଅବସରରେ ବିଧାୟକ ହିମାଂଶୁ ଶେଖର ସାହୁ କହିଥିଲେ ଯେ, ରାସ୍ତା ନିର୍ମାଣ କାର୍ଯ୍ୟକୁ ଗୁଣାତ୍ମକ ମାନରେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରାଯିବ। ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଥିଲେ।ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନଙ୍କ ସହ ସ୍ଥାନୀୟ ସରପଞ୍ଚ ହୃଦାନନ୍ଦ ସାହୁ, ଚୈତନ୍ୟ ନାୟକ, ତୀର୍ଥରାଜ ପଣ୍ଡା, ଜୟନ୍ତ ପ୍ରଧାନ ଏବଂ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ପ୍ରକଳ୍ପର ଶୁଭାରମ୍ଭକୁ ନେଇ ଅଞ୍ଚଳରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା।