ଟ୍ରକ୍-ବୋଲେରୋ ଧକ୍କାରେ ଗଲା ୧୦ ଜୀବନ, ଜଣେ ଶିଶୁ ଗୁରୁତର

ଛତିଶଗଡ଼ରେ ବାଲୋଦ ଜିଲ୍ଲା ଜଗତାରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ଗୋଟିଏ ପରିବାରର ୧୦ ଜଣ ଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୫ ମହିଳା ଥିବାବେଳେ ୨ ଜଣ ଶିଶୁ ଓ ୩ ପୁରୁଷ ଲୋକ ଅଛନ୍ତି । ତେବେ ଏହି ଭୟଙ୍କର ଦୁର୍ଘଟଣାରୁ କେବଳ ଜଣେ ଶିଶୁ ବର୍ତ୍ତିଯାଇଛି । ଶିଶୁଟି ଦୁର୍ଘଟଣାରେ ଗୁରୁତର ହୋଇଛି । ଚିକିତ୍ସା ପାଇଁ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ଧମତରୀ ଜିଲ୍ଲା ସୋରମ ଭଟ୍ଟଗାଁର ବୋଲି ଜଣାଯାଇଛି ।

ଭଟ୍ଟଗାଁର ଗୋଟିଏ ପରିବାରର ୧୧ ଜଣ ଏକ ବୋଲେରୋରେ କାଙ୍କେର ଜିଲ୍ଲାର ମରକାଟୋଲାକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ରାତି ପ୍ରାୟ ୯ଟା ବେଳେ ଫେରୁଥିଲେ । ବୋଲେରୋଟି ଜଗତାରା ନିକଟରେ ଜାତୀୟ ରାଜପଥରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ହଠାତ୍‌ ବୋଲେରୋକୁ ପିଟିଥିଲା । ଟ୍ରକ୍ ଧକ୍କାରେ ବୋଲେରୋଟି ଚାପି ହୋଇ ଯାଇଥିଲା । ଗାଡ଼ି ଭିତରେ ସମସ୍ତେ ଫସି ରହିଥିଲେ ।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଭିତରୁ ସମସ୍ତଙ୍କୁ ବାହାର କରିଥିଲା । ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଘଟଣାସ୍ଥଳରେ ୧୦ ଜଣ ପ୍ରାଣ ହରାଇଥିଲେ । କେବଳ ଜଣେ ଶିଶୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତାର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଶିଶୁର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *